ବୀରାଙ୍ଗନା

 

 

 

 

 

 

 

 

 

 

 

ବୀରାଙ୍ଗନା

ଶ୍ରୀ ରାମଚନ୍ଦ୍ର ଆଚାର୍ଯ୍ୟ

 

ପ୍ରଥମ ପରିଚ୍ଛେଦ

ମନ୍ଦିରେ ଯୁବତୀ

ପୁନାନଗର ମହାରାଷ୍ଟ୍ର ଦେଶର କସ୍ତୂରୀତିଳକ ସ୍ୱରୂପ । ପେଶବା ମାଧବ ରାଓ ଥିଲେ ତାର ଶାସକ । ତାଙ୍କ ଦୋର୍ଦ୍ଦଣ୍ଡ ପ୍ରତାପ, ନିରଙ୍କୁଶ ରାଜତ୍ୱରେ ପ୍ରଜାଗଣ ଅତୁଳ ସୁଖଶାନ୍ତି ଉପଭୋଗ କରି ପାରୁଥିଲେ । ଦ୍ରସ୍ୟୁ, ତସ୍କରର ଅତ୍ୟାଚାର ଉତ୍ପୀଡ଼ନ ଆଦୌ ନଥିଲା । ତେଣୁ ନଗରବାସୀ ଶାନ୍ତିର କୋମଳ-ତୁଳୀ-ତଳ୍ପରେ ସୁଖନିଦ୍ରା ଅନୁଭବ କରୁଥିଲେ ।

 

ରାତ୍ରି ବଡ଼ ସୁଖମୟୀ ଅତି ଆରାମଦାୟିନୀ; କର୍ମକ୍ଲାନ୍ତ ମାନବ ରଜନୀରେ ବିପୁଳ ବିଶ୍ରାମ ସୁଖ ଅନୁଭବ କରି ଶ୍ରାନ୍ତ ଅପନୋଦନ କରେ । ମାତ୍ର ମଦନପୀଡ଼ିତ, ଶୋକାକୁଳ ପକ୍ଷେ ମହାଦୁଃଖଦାୟିନୀ ହୋଇଥାଏ ଏ ରାତ୍ରି । ତଥାପି ସମସ୍ତ ରହସ୍ୟ ଗୋପନ ରଖି ଜନନୀତୁଲ୍ୟ ପ୍ରତିପାଳନ କରିଥାଏ ଏଇ ମନୋରମା ରାଜନୀରାଣୀ ।

 

ପୁନାନଗରୀ ରଜନୀର ଏ ମଧୁରତାରୁ ବଞ୍ଚିତା ନୁହେ । ନଗରବାସୀ ସମସ୍ତେ ସୁପ୍ତ । ପ୍ରହରୀଗଣ ଯଥାସ୍ଥାନରେ କର୍ତ୍ତବ୍ୟରେ ଲାଗିଛନ୍ତି । କେହି କେହି ମଧ୍ୟ ନିଦ୍ରାଦେବୀଙ୍କ ଅଲଂଘନୀୟ ଆହ୍ୱାନରେ ବ୍ୟସ୍ତ ହୋଇ ରାଜମାର୍ଗର ପ୍ରଦୀପସ୍ତମ୍ଭକୁ ଆଉଜି ପଡ଼ି ଟିକିଏ ଟିକିଏ ଢୁଳାଇ ପଡ଼ୁଛନ୍ତି-। ମାତ୍ର ପରକ୍ଷଣରେ କର୍ତ୍ତବ୍ୟର କଠୋର ଭେରୀନାଦରେ ସେମାନଙ୍କର ନିଦ୍ରାଭଙ୍ଗ ହେଉଛି । ସଙ୍ଗେ ସଙ୍ଗେ କର୍ତ୍ତବ୍ୟ ମଧ୍ୟ ଟାଣି ନେଇ ସେମାନଙ୍କୁ ଚଞ୍ଚଳ କରି ପକାଉଛି । କ୍ରମେ ରଜନୀ ଅର୍ଦ୍ଧ ଯାମରେ ଉପନୀତ ହେଲା । ନଗରର ପ୍ରଦୀପାବଳୀ ଗୋଟିକପରେ ଗୋଟିଏ ଲିଭିଗଲା ।

 

ସନ୍ଧ୍ୟାର ଘନ-ଅନ୍ଧକାର ଧରଣୀମୁଖ ଅବଗୁଣ୍ଠନ କଲାବେଳୁ ଗୋଟିଏ ବାଳିକା ବାରମ୍ବାର ତାର ଲକ୍ଷ୍ୟ ସାଧନ ଲାଗି ବ୍ୟସ୍ତ ହୋଇ ପଡ଼ିଲା । ମୁହୁର୍ମୂହୁ ସେ କବାଟ ଫିଟାଇ କୌଣସି ସ୍ଥାନକୁ ଯିବା ଲାଗି ଯେତେ ଯତ୍ନ କଲେ ମଧ୍ୟ ସେଥିରେ ବାଧା ପ୍ରତିବନ୍ଧକ ଯଥେଷ୍ଟ ଭାବରେ ତା ସମ୍ମୁଖରେ ଆସି ଠିଆ ହୋଇ ପଡ଼ୁଥାଏ । ତେବେ ସୁଦ୍ଧା ବାଳିକାର ଯତ୍ନର ଅଭାବ ପରିଲିକ୍ଷିତ ହୋଇ ନଥିଲା । କେତେବେଳେ ମାଆଙ୍କର କଠୋର ଶାସନ, ଭାଇର ସ୍ୱପ୍ନ-ଜନିତ ପ୍ରଳାପ, କୌଣସି ଅପରିଚିତ ବ୍ୟକ୍ତିର ଗମନାଗମନ ତାକୁ ଲକ୍ଷ୍ୟଭ୍ରଷ୍ଟ କରିଦେଲା । ପ୍ରହରୀଗଣ 'ଯାଅ ନାହିଁ, ଯାଅ ନାହିଁ, ସାବଧାନ' ପ୍ରଭୃତି ଚିତ୍କାର ଶ୍ରବଣରେ ବାଳିକା ଅନୁଭବ କଲା ଯେପରି ତାର ଗୁପ୍ତବିଷୟର ଗ୍ରନ୍ଥି ଫିଟି ପଡ଼ିଛି । ବାସ୍ତବିକ ଗୁପ୍ତସାଧକ ପକ୍ଷେ ଜଗତର ସକଳ ବିଷୟ ତାହାରି ପାଇଁ ହୋଇଥିବ ବୋଲି ଆଭାସ ହୋଇଥାଏ ।

 

ରାତ୍ରି ତମାମ୍‌ ଅନିଦ୍ରାରେ ଅକାରଣ ଭୟରେ ଅଧୀର ହୋଇ ନିଶ୍ଚୟ ଲକ୍ଷ୍ୟଭ୍ରଷ୍ଟ ହେବ ଭାବି ବାଳିକାର କୋମଳ ପ୍ରାଣ ଅସ୍ଥିର ହୋଇ ପଡ଼ିଲା । ସେ ହଠାତ ଶୁଣିଲା ନିଶାନ୍ତର ସଂକେତ ସ୍ୱରୂପ କୁକ୍କୁଟ ରାବ । ଏଥିରେ ସେ ଅଧିକ ବ୍ୟସ୍ତ, ଚିନ୍ତାକୁଳ ହୋଇ ପଡ଼ିଲା । ଶେଷଥର ପାଇଁ ଉଦ୍ଦେଶ୍ୟ ସାଧନ ଲାଗି ସେ କବାଟ ଫିଟାଇ ବାହାରି ଆସିଲା । ଦେଖିଲା ମାର୍ଗ ନିର୍ଜନ; ସମସ୍ତେ ଉଷାକାଳୀନ ମନ୍ଦମାରୁତ ସୁଖରେ ଗାଢ଼ ନିଦ୍ରାସକ୍ତ । ଏ ଅପୂର୍ବ ସୁଯୋଗ ପାଇଁ ବାଳିକା ନିଜର ପଥ ପ୍ରଦର୍ଶକ ଚକ୍ଷୁ ବ୍ୟତୀତ ସର୍ବାଙ୍ଗ ବସ୍ତ୍ରାଚ୍ଛାଦିତ କରି ଇପ୍ସିତ ପଥରେ ଚାଲିଲା ।

 

ଧରଣୀମୁଖ ସେତେବେଳେ ଅନ୍ଧକାରବୃତ ହେଲେ ସୁଦ୍ଧା ଚନ୍ଦ୍ରାତପର କାଚ ଗୋଲକ ତୁଲ୍ୟ-ନକ୍ଷତ୍ରପୁଞ୍ଜ ମଧ୍ୟରେ ଶୁକ୍ରତାରାର କ୍ଷୀଣାଲୋକ ସ୍ପଷ୍ଟ ପ୍ରତିଫଳିତ ହେଉଥିଲା । ସେହି ଆଲୋକରେ ବାଳିକାର ସର୍ବାଙ୍ଗ ଉତ୍ତମରୂପେ ଶୁକ୍ଳବସ୍ତ୍ରାବୃତ ବୋଲି ଜଣା ପଡ଼ୁଥାଏ । କିଛି ଦୂର ଯିବାପରେ ବାଳିକା ଦେଖିଲା କେତେକ ଲୋକ ସେହି ମାର୍ଗରେ ଯାଉଛନ୍ତି । ସୁତରାଂ କେଉଁଠାରେ ଆତ୍ମଗୋପନ କରିବା ଆବଶ୍ୟକ ମନେ କରି ସେ ନିକଟସ୍ଥ କୌଣସି ଗୃହର ପିଣ୍ଡାରେ ବସି ପଡ଼ିଲା-। ଲୋକମାନେ ଅଦୃଶ୍ୟ ହେବା ସଙ୍ଗେ ସଙ୍ଗେ ସେ ଚାଲିଲା ତାର ଗନ୍ତବ୍ୟ ପଥରେ । ଶେଷକୁ ନଗରର ଶୃଙ୍ଗାଟକ ସମୀପରେ ତାର ଗତିପଥ ରୁଦ୍ଧ ହୋଇ ପଡ଼ିଲା । କେଉଁ ମାର୍ଗରେ ଯିବ ଠିକ୍‌ କରି ନପାରି ଇତସ୍ତତଃ ଦୃଷ୍ଟି ନିକ୍ଷେପ କରି ସମ୍ମୁଖରେ ଦେଖିଲା, ଜଣେ ପଞ୍ଚବିଂଶ ବର୍ଷ ବୟସ୍କ, ଗାଢ଼ଚିନ୍ତାମଗ୍ନ ଯୁବକ । ତାଙ୍କ ମସ୍ତକରେ ଉଷ୍ଣୀଶ, ଗୌରବପୁଶୂକ୍ଳ ଅଙ୍ଗରେଖାରେ ଆବୃତ-। ସେ ଧୀର ପଦ ବିକ୍ଷେପରେ ଚାଲିଛନ୍ତି । ବାଳିକା ଅଯାଚିତ ଭାବରେ ତାର କୋମଳ-କର-ପଲ୍ଲବ ଯୁବକଙ୍କ ପୃଷ୍ଠଦେଶରେ ବୁଲାଇ ଦେଲା ।

 

ଯୁବକ ହଠାତ ଦୃଷ୍ଟି ଫେରାଇ ସମ୍ମୁଖଭାଗରେ ଦେଖିଲେ ଅରୁଣ ଗର୍ଭ ମେଘମାଳାତୁଲ୍ୟ ବସ୍ତ୍ର ମଧ୍ୟରେ ବାଳିକାର ଶୁଭ୍ର ବଦନମଣ୍ଡଳ । ସେ ବିସ୍ମୟରେ ପଚାରିଲେ,’’କିଏ ତୁମେ ? ମୋ ପାଖରେ ତୁମର କି କାମ ?' ଯୁବତୀ ମୄଦୁସ୍ୱରରେ—‘ମୋର ପରିଚୟ କି ଆବଶ୍ୟକ? ଭବାନୀ ମନ୍ଦିରକୁ ବାଟ କହି ପାରିବ? ମୁଁ ସେଠାକୁ ଯାଉଛି’ ଏ ଉତ୍ତର ଦେଲା । ଯୁବକ ବୃକ୍ଷ ଅନ୍ତରାଳରେ ଭବାନୀ ମନ୍ଦିରର ଗଗନସ୍ପର୍ଶୀ ଶିଖର ପ୍ରଦେଶ ସଂକେତଦ୍ୱାରା ଜଣାଇ ଦେଲେ । ଯୁବତୀ ସେହି ଲକ୍ଷ୍ୟରେ ଚାଲିଲା । ଯୁବକ ଆଶ୍ଚଯ୍ୟ ହେଲେ । ଭାବିଲେ ବାଳିକାର ତ ସାହସ କମ ନୁହେ; ଦମ୍ଭ ମଧ୍ୟ ଅଳ୍ପ ନୁହେ । ଅନ୍ଧାର ରାତ୍ରିରେ କୁଳାଚାର ପ୍ରତି ଭ୍ରୂକ୍ଷେପ ନକରି ପ୍ରହରୀମାନଙ୍କୁ ଲେଶମାତ୍ର ଭୟ ନକରି କି ଉଦ୍ଦେଶ୍ୟରେ ଏ ବାଳିକା ବାହାରିଛି ଭବାନୀ ମନ୍ଦିରକୁ ! ଧନ୍ୟ ତାର ସାହସ ! ଦେଖାଯାଉ ବୋଲି ଯୁବକ ସ୍ଥିର ଦୃଷ୍ଟିରେ ଯୁବତୀର ଅନୁସରଣ କଲେ ।

 

ଯୁବତୀ ମନ୍ଦିର ଦ୍ୱାର ଉନ୍‌ମୁକ୍ତ କରି ମୁଖଶାଳା ମଧ୍ୟରେ ଉପନୀତ ହେଲା । ଭିତରୁ ମନ୍ଦିର ଦ୍ୱାର ବନ୍ଦ ହୋଇଛି । ସେ କିଛି କ୍ଷଣ ସେହିଠାରେ ଠିଆ ହୋଇ ରହିଲା । ପରେ ଦୀର୍ଘନିଶ୍ୱାସ ତ୍ୟାଗ କରି ଦେବୀଙ୍କ ଉଦ୍ଦେଶ୍ୟରେ ସେହିଠାରେ ସାଷ୍ଟାଙ୍ଗ ପ୍ରଣିପାତ ସଙ୍ଗେ ସଙ୍ଗେ ବିଳାପ କରିବାକୁ ଲାଗିଲା । ଯୁବକ ଆହୁରି ଆଶ୍ଚଯ୍ୟ।ନ୍ଵିତ ହୋଇ ଗୋଟିଏ କୋଣରେ ଲୁଚି ରହିଲେ । ସାନ୍ତ୍ୱନା ଅଭାବରୁ ଯୁବତୀର କ୍ରନ୍ଦନ ଆପେ ଆପେ ସ୍ଥଗିତ ହୋଇଗଲା ।

 

ହୃଦୟର ବେଦନା କମିବାରୁ ଯୁବତୀ 'ମା ଭବାନି, ଜନ୍ମଦାତ୍ରୀ ! ପିତୃହୀନା ବାଳିକାକୁ ଏତେ କଷ୍ଟରେ ପକାଉଛ କାହିଁକି ? ଦାସୀର ଇଚ୍ଛା ବିରୁଦ୍ଧରେ ଏହା କରିବା ଅପେକ୍ଷା ତାକୁ ମୃତ୍ୟୁ ଦେବା ବରଂ ଭଲ । କାହିଁକି ତେବେ ଜୀବନ ନେଉନାହଁ ମା ? ସେ ସ୍ତ୍ରୀର ଉଦ୍ଦ୍ୟମ ବିଫଳ ହେବନାହିଁ ? ମା, କରୁଣାମୟି, ଦାସୀର ମନୋରଥ ସିଦ୍ଧ ନହେଲେ ଉତ୍କଟ ହଳାହଳ, ଶାଣିତ ଛୁରୀକା, ଉଦବନ୍ଧନ ତାର ଏକମାତ୍ର ଆଶ୍ରୟ । ଏ ହତ୍ୟାର ଦୋଷୀ ତୁମେ । ସେହି ଦାରୁଣ ପରିମାଣ ପ୍ରତି ଅମୃତ ଦୃଷ୍ଟି ନିକ୍ଷେପ କର' ବୋଲି ପ୍ରାର୍ଥନା କଲା । 'ତୁମର ମନୋରଥ ଅବଶ୍ୟ ସିଦ୍ଧ ହେବ, ଭୟ ନାହିଁ ।'-ହଠାତ ଶୂନ୍ୟରୁ ଏ ଅଭୟ ବାଣୀ ଶୁଣି ଯୁବତୀ ଆଶା ଓ ଉତ୍ସାହରେ ବହିର୍ଭାଗକୁ ବାହାରି ପଡ଼ିଲା । ଦେଖିଲା ତାର ସେହି ପୂର୍ବପରିଚିତ ଯୁବକ ମନ୍ଦିର ମଧ୍ୟରୁ ତା ଆଡ଼କୁ ଆସୁ ଅଛନ୍ତି । ସମସ୍ତ ଘଟଣା ଯୁବକ ଜାଣିପାରିଛି ଭାବି ଯୁବତୀ ପ୍ରମାଦ ଗଣିଲେ । ବିରକ୍ତିର କ୍ଷୀଣରେଖା ତାଙ୍କ ମୁଖରେ ସ୍ପଷ୍ଟ ଫୁଟି ଉଠିଲା । ଯୁବକ ହଠାତ ଯୁବତୀର କୋମଳ-କରପଲ୍ଲବ ଧରି ମୃଦୁହାସ୍ୟରେ କହିଲେ 'ସୁନ୍ଦରି, ସମସ୍ତ ସୌନ୍ଦର୍ଯ୍ୟର ଆଧାର ତୁମେ । ଅକାରଣ ଦେବୀ-ପ୍ରାର୍ଥନାରେ କି ଫଳ ? ମୋ ପରି ଯୁବକ ପ୍ରତି ପ୍ରସନ୍ନା ହୁଅ ।’

 

କହୁଁ କହୁଁ ଯୁବକ ଉଦ୍‌ବେଗ ସମ୍ବରଣ କରି ପାରିଲେ ନାହିଁ । ସେ ଯୁବତୀର ହସ୍ତ ଚୁମ୍ବନ କରିବାକୁ ଉଦ୍ୟତ ହେବାମାତ୍ରେ ଯୁବତୀ କ୍ରୋଧରେ ଘୃଣା ବ୍ୟଞ୍ଜକ ନେତ୍ରରେ ଅନାଇ ବଳପୂର୍ବକ ହାତଟିକୁ ଛଡ଼ାଇ ନେଲେ । କିନ୍ତୁ ଯୁବକ ପୁନର୍ବାର ତାଙ୍କ ହାତ ଧରି 'କୁଆଡ଼େ ଯାଇ ପାରିବ ନାହିଁ; ଆସ ମୋ ସଂଗେ, ଆସ' ବୋଲି ଯୁବତୀକୁ ବଳାତ୍କାର ପୂର୍ବକ ଟାଣି ଧରିଲେ ।

 

ଯୁବତୀ ଆସନ୍ନ ବିପଦରେ ଅଧୀରା ହୋଇ ଅରକ୍ଷିତା-ରକ୍ଷିଣୀ ଭବାନୀଙ୍କୁ ସ୍ମରଣ କରି 'ରକ୍ଷା କର ମା, ରକ୍ଷା କର' ବୋଲି ଚିତ୍କାର କଲେ । ମନ୍ଦିର ବାରଣ୍ଡାରେ ସୁପ୍ତ ସନ୍ନ୍ୟାସୀଙ୍କ ନିଦ୍ରାଭଙ୍ଗ ହେଲା । 'ଦୁରାତ୍ମା, କିଏରେ ତୁ' ବୋଲି ସେ ଦ୍ରୁତପଦରେ ଧାଇଁ ଗଲେ ।

 

ଆକ୍ରମଣକାରୀ ଯୁବତୀଙ୍କୁ ପରିତ୍ୟାଗ କରି ପଳାୟନ କଲା । ସନ୍ନ୍ୟାସୀ ଯୁବତୀଙ୍କୁ ଆଶ୍ୱାସନା ଦେଇ କହିଲେ,’’ମା’’ ଏକାକିନୀ ଏ ଅନ୍ଧାରରେ ଏଠାକୁ ଆସିବା ଉଚିତ ମନେ କଲ କାହିଁକି ? ଏବେ ଗୃହକୁ ଫେରି ଯାଅ । ଚାଲ, ମୁଁ ମଧ୍ୟ ତୁମ ସହିତ ଯାଉଛି ।' ସନ୍ନ୍ୟାସୀଙ୍କ ସହିତ ଯୁବତୀ ଗୃହକୁ ଫେରିଗଲେ ଓ ସମସ୍ତଙ୍କ ଅଜ୍ଞାତରେ ତାଙ୍କ ଶଯ୍ୟାରେ ଶାୟିତ ହେଲେ ।

Image

 

ଦ୍ୱିତୀୟ ପରିଚ୍ଛେଦ

ପଲ୍ଲୀରେ ଋଷି

ହୋଲକାର ରାଜ୍ୟର ରାଜଧାନୀ ଇନ୍ଦୋର ଗୋଟିଏ ସମୃଦ୍ଧିଶାଳୀ ନଗର । ଇନ୍ଦୋରର ସାତ କ୍ରୋଶ ଦୂରରେ ମାହୁ ଅବସ୍ଥିତ । ନିତ୍ୟ କଲ୍ୟାଣ ପ୍ରଦ, ଚିର ଶ୍ୟାମଳ ଅରଣ୍ୟାନୀ ମଧ୍ୟରେ ନଗରଟି ଉପବନ ମଧ୍ୟସ୍ଥ ଅଟ୍ଟାଳିକା ତୁଲ୍ୟ ନେତ୍ରପ୍ରୀତିକର ହୋଇଥିଲା । ବ୍ୟାଧିଗ୍ରସ୍ତ ପକ୍ଷେ ସୁଖକର ସ୍ୱାସ୍ଥ୍ୟନିବାସ, ଆରୋଗ୍ୟ ନିକେତନ ବୋଲି ମାହୁ ନଗରର ବିଶେଷ ଖ୍ୟାତି । ସେଠାରୁ ତିନି କ୍ରୋଶ ଦୂରରେ ବିନ୍ଧ୍ୟଗିରିମାଳାର ଉପତ୍ୟକା ମଧ୍ୟସ୍ଥ ଗୋଟିଏ ଗ୍ରାମ- ରାଜପ୍ରାସାଦ ମଧ୍ୟବର୍ତ୍ତୀ ଗୃହ ପରି ସୁରକ୍ଷିତ । ସେ ପଲ୍ଲୀଟି ଗୋପାଳ ଗଣର ନିବାସ ।

 

ସେ ଗ୍ରାମରେ ଜଣେ ବୃଦ୍ଧ ବାସ କରୁଥିଲେ । ସେ ପକ୍ଵକେଶ, ଶିଥିଳଚର୍ମ, ପଲ୍ଲବହୀନ ବୃକ୍ଷ ସଦୃଶ କେଶବିହୀନ ମସ୍ତକ ହେଲେ ମଧ୍ୟ ଗୋପାଳଗଣ ତାଙ୍କର ଅସୀମ ଧୈର୍ଯ୍ୟ ଓ ଅସାଧାରଣ ପାଣ୍ଡିତ୍ୟ ଯୋଗୁଁ ତାଙ୍କୁ ଭଗବାନଙ୍କ ଅବତାର ବୋଲି ବିଶେଷ ଭକ୍ତି କରୁଥିଲେ । ବୃଦ୍ଧ ବନ୍ଧୁ ଶୂନ୍ୟ, ଗୃହହୀନ ଅବସ୍ଥାରେ କେବଳ ମୃତ୍ୟୁକୁ ଅପେକ୍ଷା କରି ରହିଥାନ୍ତି । ସଂସାରରେ ନଶ୍ଵରତା ବିଷୟରେ ସାମୟିକ ବକ୍ତୃତା ମଧ୍ୟ ବୃଦ୍ଧଙ୍କ ମୁହଁରୁ ଶୁଣା ଯାଉଥାଏ । ତେଣୁ ଗୋପାଳମାନେ ତାଙ୍କୁ ମହାନୁଭବ ଜ୍ଞାନରେ ସେବା ଶୁଶ୍ରୂଷା, ଭକ୍ତି, ଆରାଧନା ଇତ୍ୟାଦି କରୁଥିଲେ-। ଋଷିଜନୋଚିତ ଆଶ୍ରମଟିଏ ମଧ୍ୟ ତାଙ୍କ ପାଇଁ ନିର୍ମିତ ହୋଇଥିଲା । 'ଅରକ୍ଷିତକୁ ଦଇବ ସାହା' ଏ ପ୍ରବଚନଟି ବାସ୍ତବରେ ଋଷିଙ୍କ ଲାଗି ବୋଧହୁଏ ସୃଷ୍ଟ । ବୃଦ୍ଧ ବହୁଦିନର ଲୋକ । ତାଙ୍କର ମନ-ବଳ ତଦ୍ରୁପ । ତେଣୁ ରାଜକାର୍ଯ୍ୟରେ ବି ତାଙ୍କର ପରାମର୍ଶ ଖୁବ କାର୍ଯ୍ୟକାରୀ ହେଉଥିଲା । ପୂର୍ବକାଳର ସମସ୍ତ ବୃତ୍ତାନ୍ତ ଜାଣିବା ଇଚ୍ଛାରେ ଓ ନୂତନ କାର୍ଯ୍ୟରେ ବ୍ରତୀ ହୋଇ ସଫଳ କାମ ହେବା ନିମନ୍ତେ ଲୋକେ ବୃଦ୍ଧଙ୍କ ପରାମର୍ଶ ବରାବର ଲୋଡ଼ୁଥିଲେ ।

 

ସନ୍ଧ୍ୟା ସମୟ, ରଜନୀର ପ୍ରଥମ ପ୍ରହର ଅତୀତ ହୋଇ ନାହିଁ । ଜଣେ ଯୁବକ ଏହି ବୃଦ୍ଧ ସତ୍ୟଋଷିଙ୍କ ସାକ୍ଷାତ୍‌ ଉଦ୍ଦେଶ୍ୟରେ ଆସୁଥିଲେ । ଯୁବକର କେଶଦାମ କୁଞ୍ଚିତ, ମଧୁମକ୍ଷିକା ପରି ନୀଳବର୍ଣ୍ଣ ବୀର-କେଶ, ବିସ୍ତୃତ ଲଲାଟ, ଆକର୍ଣ୍ଣ ବିଶ୍ରାନ୍ତ ନୟନ, ହୃଷ୍ଟପୃଷ୍ଟ ଅଙ୍ଗପ୍ରତ୍ୟଙ୍ଗ, ବିଶାଳ ବକ୍ଷ, ପ୍ରଭାତ ଅରୁଣ ପରି କାନ୍ତି; କି ସୁନ୍ଦର, କି ମନୋହର ! ମସ୍ତକରେ ଅରୁଣାଭ ପ୍ରକାଣ୍ଡ ଶିରସ୍ତ୍ରାଣ, ସର୍ବାଙ୍ଗରେ ପିତାଭ ଅଙ୍ଗରେଖା, ସୁନିର୍ମଳ ଶୁକ୍ଳ ବର୍ଣ୍ଣ ପରିଧେୟ ବସ୍ତ୍ର, ତାଙ୍କର ସୌନ୍ଦର୍ଯ୍ୟ ଆହୁରି ଦ୍ୱିଗୁଣିତ କରି ଦେଉଥିଲା ।

 

ଏହାପରେ କେବଳ ଏତିକି ନୁହେ, ଶାରୀରିକ ସୌନ୍ଦର୍ଯ୍ୟ ସଙ୍ଗେ ସଙ୍ଗେ ତାଙ୍କର ପାଣ୍ଡିତ୍ୟ, ସୌଜନ୍ୟ, ସାରଲ୍ୟ ମଧ୍ୟ ଯଥେଷ୍ଟ ଥିଲା । ବଳ ଅନୁପାତରେ କାର୍ଯ୍ୟକୁଶଳ ବୋଲି ସେ ମଧ୍ୟ ବିଶେଷ ଖ୍ୟାତି ଅର୍ଜନ କରିଥିଲେ ।

 

ଯୁବକ ସତ୍ୟଋଷିଙ୍କ ଆଶ୍ରମ ଦ୍ୱାରରେ କରାଘାତ କଲେ । ଅନୁଭବ କଲେ ଋଷି ଅନ୍ୟ କାହା ସହିତ ଆଳାପନାରେ ବ୍ୟସ୍ତ । ତେଣୁ ସେ ପୁନଶ୍ଚ ଦ୍ୱାରଦେଶରେ ଜୋର ସହିତ ଆଘାତ କଲେ । ଋଷି ଆଳାପ ବନ୍ଦ କରି ଦ୍ୱାର ଖୋଲିଦେଲେ । ଯୁବକ ଆଶ୍ରମ ଭିତରକୁ ଯିବାବେଳେ ଦେଖି ପାରିଲେ ଜଣେ ବଳିଷ୍ଠ ଦୀର୍ଘକାୟ ମନୁଷ୍ୟ ଆଶ୍ରମ ଛାଡ଼ି ଚାଲିଯାଉଛି । ସେ ଏକଦୃଷ୍ଟିରେ ଲୋକର ଗତିବିଧି ଲକ୍ଷ୍ୟକରି ଆଶ୍ରମ ଭିତରକୁ ଗଲେ । ଋଷିଙ୍କର ଅଭ୍ୟର୍ଥନାରେ ତ୍ରୁଟି ନାହିଁ । ଯୁବକ ବସିବାଲାଗି ସେ ଅଗଣିତ ଛିଦ୍ରଯୁକ୍ତ କମ୍ବଳ ଖଣ୍ଡିଏ ଦେଲେ । ଯୁବକ ବସିଲେ । ତାପରେ ଉଭୟଙ୍କର ମିଷ୍ଟାଳାପ ଚାଲିଲା:-

 

‘‘ବତ୍ସ, କେଉଁଠାରୁ ଆସିଛ ? ତୁମ ନାମ ଶ୍ୟାମସୁନ୍ଦର ନୁହେ ?’’

‘‘ହଁ, ରାଧାକାନ୍ତ ରାଓ ଜଣାଇଥିବା ବିଷୟରେ ଆପଣଙ୍କ ଅଭିମତ କ'ଣ ବୁଝି ଯିବାପାଇଁ ମୋତେ ପଠାଇଛନ୍ତି ।’’

 

‘‘ହଁ, ମୁଁ ସେ କଥା ବିଚାର କରି ଦେଖିଲି । ସଫଳ ହେବା ବଡ଼ କଷ୍ଟ ସାଧ୍ୟ ।’’ ଋଷି ମସ୍ତକ ହଲାଇ ବଡ଼ ଗମ୍ଭୀର ଭାବରେ ଏ ଉତ୍ତର ଦେଲେ ।

 

‘‘କଷ୍ଟସାଧ୍ୟ କାହିଁକି ? ଆମେ ତାଙ୍କର ଧନ ଖାଇ ତାଙ୍କ ପାଇଁ ପରିଶ୍ରମ କରିବୁ । ସେଥିରେ ପୁଣି ବିଫଳ ହେବାକୁ ହେବ ! ତେବେ କଣ ପରିଶ୍ରମର ମୂଲ୍ୟ ନାହିଁ, କହୁଛନ୍ତି ।’’

 

‘‘ତୁମେ ଯେଡ଼େ କୃତଜ୍ଞ ହେଲେ ମଧ୍ୟ, ସେ ତ ସ୍ତ୍ରୀ । ପୁରୁଷ ଉପରେ କ୍ରୋଧ କରି ଚଳିଲେ ଫଳ ମିଳିବ ? ଅସମ୍ଭବ, କେତେ ଦୃଷ୍ଟାନ୍ତ ମୁଁ ଏଇ ଆଖିରେ ଦେଖିଛି । ଛାଡ଼ ସେ କଥା । ଯଶୋବନ୍ତ ରାଓଙ୍କ ମତ ବରଂ ଏ ସ୍ଥଳରେ ଶ୍ରେୟସ୍କର ।’’

 

ଶ୍ୟାମସୁନ୍ଦରଙ୍କ ମୁଖମଣ୍ଡଳ ମଳିନ ହୋଇଗଲା । ଋଷି ତାଙ୍କର ଧୈର୍ଯ୍ୟ ଜନ୍ମାଇବା ଉଦ୍ଦେଶ୍ୟରେ କହିଲେ, ‘‘ତଥାପି ଦୈବ ଆମ ପକ୍ଷରେ । ହୋଲକାର ବଂଶକୁ ମୁଁ ଆଗରୁ ଜାଣେ । ନିଶ୍ଚୟ ସେ ବଂଶର ଗୌରବ ରକ୍ଷା ଲାଗି ଯତ୍ନ କରିବି । ରାଣୀଙ୍କ ଜୟ ଲାଗି ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିବି ।’’

 

‘‘ପ୍ରଭୋ, ରାଣୀଙ୍କ ପିତୃବ୍ୟଙ୍କୁ ଜାଣନ୍ତିତ ? ଆପଣଙ୍କର ବୟସ ?’’

 

‘‘ବୟସ ଜାଣେନା ମୁଁ । ବିଷୟକୁ ନେଇ ତୁମେ ଅନୁମାନ କର ।’’

 

‘‘ତୁମେ ଶିବାଜୀ ମହାରାଜାଙ୍କୁ ଜାଣତ ?’’

 

‘‘ହେଲା, ମୋ ଅଦୃଷ୍ଟ ଏତେ ହୀନ ? ଶିବାଜୀଙ୍କି ଜାଣେ ନାହିଁ ? ସେ ମଲା ବେଳକୁ ମୋର ବୟସ ବାରବର୍ଷ ।’’

 

‘‘ଶମ୍ବୁଜି ସାହୁଙ୍କୁ ଆପଣ ଭଲ କରି ଜାଣିଥିବେ ?’’

 

‘‘ଭଲ ହୋଇଛି । ସାହୁ, ହେଟି କାଲିର ପିଲା, ମୋ ଆଗରେ ଜନ୍ମ ହୋଇଛନ୍ତି, ଜାଣି ନାହିଁ-?’’

 

‘‘ଆଉରଙ୍ଗଜେବଙ୍କୁ ଆପଣ ସାକ୍ଷାତରେ ଦେଖିଛନ୍ତି ?’’

 

‘‘ଆଲମ୍‌ଗିରଙ୍କୁ ଦେଖିଛ କିନା ପଚାରୁଛ ! ଆଲମ୍‌ଗିର ସେନା ସଙ୍ଗେ ଲଢ଼।ଇ କରିଥିଲି-।’’

 

‘‘ପେଶବା ବାଲାଜି ବିଶ୍ୱନାଥଙ୍କ ବିଷୟ ଆପଣଙ୍କୁ ପଚାରିବା ନିଷ୍କ୍ରୟୋଜନ । ସେମାନେ ଆପଣଙ୍କ ଆଗରେ କି ଛାଉ!’’

 

‘‘କାଲିର ପିଲାଙ୍କ କଥା ମୋତେ ପଚାରିବ କିଆଁ ? ପୂର୍ବକାଳର କଥା ପଚାରିବାର ଥିଲେ ପଚାରିପାର ।’’

 

‘‘ମଲହର ରାଓ ହୋଲକାରଙ୍କ ବାଲ୍ୟାବସ୍ଥା ସମ୍ୱନ୍ଧେ ଭଲ ଜାଣନ୍ତି ଆପଣ ?’’

 

‘‘ମଲହର ରାଓଙ୍କ ବାଲ୍ୟାବସ୍ଥା–ମୁଁ ପରା ତାଙ୍କ ପିତାଙ୍କର ପରମବନ୍ଧୁ, ଶ୍ରେଷ୍ଠ ଆତ୍ମୀୟ କହିଲେ ଚଳେ ।’’

 

‘‘ତାହାହେଲେ ଏ ଶହେ ବର୍ଷ ମଧ୍ୟରେ ଆପଣ ନଜାଣିବା ବିଷୟ କିଛି ନାହିଁ । ଆପଣ ଜାମ୍ବବାନ୍‌ଠାରୁ ଆହୁରି ବୃଦ୍ଧ, ବୟସ୍କ ପରି ଜଣା ପଡ଼ୁଛନ୍ତି ।’’

 

‘‘ଗୁଡ଼ାଏ ଜାଣି କି ଲାଭ- ଖୁବ ବୟସ୍କ ହେଲେ ମଧ୍ୟ କି ପ୍ରୟୋଜନ । ଏ ସ୍ତ୍ରୀଙ୍କୁ ସାହାଯ୍ୟ କଲେ ମୋ ଜୀବନ ଯାଇଁ ସାର୍ଥକ । କୃତଜ୍ଞମାନେ ତାଙ୍କ ପାଖେ ନଥିବାରୁ ସେ ନିରାପଦରେ ନାହାନ୍ତି ।’’

 

‘‘କିଏ କୃତଜ୍ଞ ନୁହେ?’’- ରାଜସେବକ ନୁହେ ବୋଲି ଶ୍ୟାମସୁନ୍ଦର ଟିକିଏ ବିଚଳିତ ହୋଇ ପଡ଼ିଲେ ।

 

‘‘କେହି ନୁହନ୍ତି । ର।ଣୋଜୀ, ଦୌଲତ ରାଓ, ହୋମୋଜୀ ଏମାନଙ୍କ ଭିନ୍ନ ସମସ୍ତେ ରାଜଦ୍ରୋହୀ, ଅତ୍ୟାଚାରୀ । ରାଧାକାନ୍ତ ରାଓଙ୍କଠାରେ ମଧ୍ୟ ମୋର ସନ୍ଦେହ ।’’

 

ରାଧାକାନ୍ତ ରାଓଙ୍କ ବିଷୟରେ ଋଷିଙ୍କର ସନ୍ଦିଗ୍‌ଧ ବଚନ ଶ୍ୟାମସୁନ୍ଦରଙ୍କ ମନକୁ ଅତିଶୟ ବିଚଳିତ କରିପକାଇଲା । ତାଙ୍କର ଅନେକ ଦିନର ଅନୁଭୂତି ମଧ୍ୟରେ ଋଷିଙ୍କର ଏ ବାକ୍ୟ ଯେ ଆକାଶ ପାତାଳ ପ୍ରଭେଦ ଏ ବିଷୟରେ ସେ ଚିନ୍ତା କରିବାକୁ ଲାଗିଲେ । ତାଙ୍କର ମଳିନ ମୁଖଶ୍ରୀ ମଧ୍ୟରେ ଚିନ୍ତାର କ୍ଷୀଣରେଖା ଦେଖି ଋଷି ଆଉକିଛି କହିବାକୁ ଉଦ୍ୟତ ହେଉଥିଲେ । ମାତ୍ର କୁଟୀର ବାହାରେ ‘‘ଦୁହେଁ ମରିଯ।ଉଛୁଁ, ରକ୍ଷା କର, ରକ୍ଷା କର ! ଅକାରଣରେ ଜୀବନ ଗଲା । ଆହା, ନାରୀ ମଧ୍ୟ ଦାରୁଣ ବିପଦ-ଗ୍ରାସରେ । ଆସ, ଆସ !’’ଏ କରୁଣ ଚିତ୍କାର ଶୁଣାଗଲା ।

 

ଦୟ।ପ୍ରବଣ ଶ୍ୟାମସୁନ୍ଦର ହଠାତ୍‌ ଆଳାପ ବନ୍ଦକରି ପ୍ରାଚୀରରେ ଝୁଲୁଥିବା ଧନୁର୍ବାଣ ଧରି, କଟୀଦେଶରେ ଶାଣିତ କରବାଳ ଝୁଲାଇ ଦେଇ ଘଟନାସ୍ଥଳକୁ ଦୌଡ଼ିଗଲେ । ଋଷି ମନରେ 'ଆଜିକି କାଲି ସେ ଆସିବ ବୋଲି ଶୁଣିଲି । ଏ ଅଦୃଷ୍ଟହୀନ ହୋଇଥିବ' ବୋଲି ଭାବିଲେ । ପରେ ଯୁକ୍ତିର ସିଦ୍ଧାନ୍ତ କରି ନ ପାରି ପଦ୍ମପତ୍ରସ୍ଥ ଜଳବିନ୍ଦୁ ପରି କମ୍ପିବାକୁ ଲାଗିଲେ ।

Image

 

ତୃତୀୟ ପରିଚ୍ଛେଦ

ମୃତ୍ୟୁମୁଖେ ର।ଣୋଜୀ

ସେତେବେଳେ ରାଣୋଜୀଙ୍କ ବୟସ ପଚାଶ ବର୍ଷ । ଏହାଠାରୁ ବର୍ଷେ ଖଣ୍ଡେ ଅଧିକ ହୋଇପାରେ କିନ୍ତୁ କମ ନୁହେ । ହୋଲକାର ମଲହର ରାଓଙ୍କର ସେ ଥିଲେ ଜଣେ ସାମାନ୍ୟ ଭୃତ୍ୟ-ନିଜର କର୍ମ କୁଶଳତାରେ ପ୍ରଭୁ ତାଙ୍କପ୍ରତି ସନ୍ତୁଷ୍ଟ ହୋଇ ତାଙ୍କୁ ପ୍ରଧାନ ସୈନ୍ୟାଧ୍ୟକ୍ଷରୂପେ ନିଯୁକ୍ତ କରିଥିଲେ । ମଲହରଙ୍କ ମୃତ୍ୟୁ ସଙ୍ଗେ ସଙ୍ଗେ ରାଣୋଜୀଙ୍କର ସମ୍ମାନ ଓ ପ୍ରତିପତ୍ତି ଖୁବ ବଢ଼ି ଯାଇଥିଲା । ସେ ରାଜ୍ୟର ପ୍ରଧାନ କର୍ମଚାରୀରୂପେ ସମସ୍ତଙ୍କର ସମ୍ମାନ ଭାଜନ ହୋଇଥିଲେ । ସେ ସତ୍‌କୁଳ ପ୍ରସୂତ, ସଦାଚାର ନଥିଲେ ମଧ୍ୟ ତାଙ୍କର ପ୍ରଜ୍ଞ।, ଧୀଶକ୍ତି ଥିଲା ଯଥେଷ୍ଟ । ତନ୍ତ୍ର କୁଶଳ, ଷଡ଼ଯନ୍ତ୍ରକାରୀ, ମନ୍ତ୍ରଣା ବିଚକ୍ଷଣମାନଙ୍କ ମଧ୍ୟରେ ତାଙ୍କର ପ୍ରଥମ ସ୍ଥାନ । ମାତ୍ର ଏତିକି ଗୁଣ ଅନୁରୂପ ତାଙ୍କର ଶରୀର ସୌନ୍ଦର୍ଯ୍ୟବିହୀନ, କୃଷ୍ଣବର୍ଣ୍ଣ, କଦ।କ।ର ସ୍ଥୂଳତଃ ରାଣୋଜୀଙ୍କ ଆକାର ବର୍ଣ୍ଣନା ନିଷ୍ପ୍ରୟୋଜନ ।

 

ରାଣୋଜୀଙ୍କ ପତ୍ନୀବିୟୋଗ ପରେ ସେ ଦ୍ୱିତୀୟ-ବାର ପରିଗ୍ରହ କରିଥିଲେ । ତାଙ୍କ ପରମ ଆତ୍ମୀୟ ହରିହର ପାଣ୍ଡିଆଜୀଙ୍କ ପରାମର୍ଶରେ ଜଣେ ପରମ ରୂପବତୀ ଲଳନାଙ୍କ ସହିତ କେତେକ ରାଜକୀୟ ବିଧାନର ମୀମାଂସା ଓ ବିଚାର ନିମିତ୍ତ ସେହି କୃଷ୍ଣପକ୍ଷ ରଜନୀରେ ଇନ୍ଦୋର ଆଡ଼କୁ ସସ୍ତ୍ରୀକ ଯାତ୍ରା କରୁଥିଲେ । ସେହି ରାତିରେ ଯେ କୌଣସିମତେ ମାହୁରେ ପହଞ୍ଚିବା ଲାଗି ତାଙ୍କର ଖୁବ ଯତ୍ନ ଚାଲିଲା । ମାହୁରେ ରହିବାଲାଗି ମଧ୍ୟ ଆଗରୁ ସମସ୍ତ ବନ୍ଦୋବସ୍ତ ହୋଇଥିଲା । ଦଣ୍ଡି ରାଓ ସେ ସବୁ ଆୟୋଜନର ଭାର ନେଇଥିଲେ । ଏଣେ ରାଣୋଜୀ ଅଶ୍ୱପୃଷ୍ଠରେ ଆରୋହଣ କରି, ସ୍ତ୍ରୀଙ୍କୁ ଗୋଟିଏ ବହୁମୂଲ୍ୟ ଶିବିକାରେ ବସାଇ ଅଗ୍ରସର ହେଉଥିଲେ । ଅଶ୍ୱର ଦୁଇ ପାର୍ଶ୍ୱରେ ଦୁଇଜଣ ଦେହରକ୍ଷକ ମଧ୍ୟ ଚାଲିଥାନ୍ତି । ଶିବିକାରେ ଯେଉଁ ଯୁବତୀ ଥିଲେ ସେ ରାଣୋଜୀଙ୍କ ସ୍ତ୍ରୀ-ବୟସ ଅଠର ବର୍ଷ; ଯୌବନଶ୍ରୀରେ ତାଙ୍କ ସର୍ବାଙ୍ଗ ଝଲସି ଉଠୁଥିଲା । ବାହକଗଣ ଖୁବ୍‌ ଚଞ୍ଚଳ ଚାଲିଛନ୍ତି । କେତେ କେତେ ବେଳେ ରାଣୋଜୀ ଅଶ୍ୱଟିକୁ ଶିବିକା ପାଖକୁ ନେଇ ଯାଇ କହୁଛନ୍ତି, 'କମଳା, ଦେଖୁଚି ତୁମେ ଅତିକ୍ଲାନ୍ତ । ହେଇଟି ପାଖ ହୋଇ ଗଲାଣି । ଦରକାର ଥିଲେ ନିଅ, ଚାରୋଟି ରୋଟି, ଭୋଜନ କର ।'

 

ପ୍ରତିପଦ୍‌ର ଚନ୍ଦ୍ର ଆକାଶରେ ଉଦିତ ହେଲାବେଳକୁ ଯାତ୍ରାକାରୀ ଦଳ ପୂର୍ବବର୍ଣ୍ଣିତ ଋଷିକୁଟୀର ନିକଟରେ ଉପନୀତ ହୋଇଥିଲେ । ହଠାତ୍‌ ସେମାନଙ୍କର କର୍ଣ୍ଣ ବଧିର କଲା ଗୋଟେ ଉନ୍ମତ୍ତ ବୃଷଭର ଗର୍ଜ୍ଜନ । ବୃଷଭଟା କ୍ରୋଧାନ୍ଧ ହୋଇ ଗ୍ରୀବାଟେକି, କେତେବେଳେ ଅବା କ୍ଷୁର ଘାତରେ ଧୂଳି ଉଡ଼ାଇ ଏମାନଙ୍କର ଗତିପଥ ରୁଦ୍ଧ କରିଦେଲା । ରାଣୋଜୀ ବୃଷଭକୁ ତଡ଼ି ଦେବା ଲାଗି ଆଦେଶ ଦେଲେ । ଭୃତ୍ୟ ଖଣ୍ଡିଏ ରଙ୍ଗକନା ଦେଖାଇ ଯେତେବେଳେ ବୃଷଭ ପାଖକୁ ଗଲା କ୍ରୋଧଦୀପ୍ତ ଆହତ ବୃଷଭ ତାର ତୀକ୍ଷଣଶୃଙ୍ଗ ଯୁଗଳ ଉତ୍ତୋଳନ କରି ଭୃତ୍ୟଙ୍କୁ ଆକ୍ରମଣ କରିବା ପାଇଁ ଧାବିତ ହେଲା । ପ୍ରାଣ ଭୟରେ ଭୃତ୍ୟ ଚିତ୍କାର କରି ଇତସ୍ତତଃ ହେବାରୁ ଉନ୍ମତ୍ତ ବୃଷଭ ଏକାଲମ୍ଫକେ ରାଣୋଜୀ ଅଶ୍ୱକୁ ଆକ୍ରମଣ କଲା । ସେବକଗଣ ଓ ଶିବିକାବାହକମାନେ ପ୍ରାଣଭୟରେ ପଳାଇ ଗଲେ । ସେଠାରେ ରହିଲେ ରାଣୋଜୀ ଓ ଶିବିକା ମଧ୍ୟସ୍ଥ ସୁନ୍ଦରୀ । ବୃଷଭ ରାଣୋଜୀଙ୍କୁ ବାରମ୍ବାର ଶୃଙ୍ଗରେ ଆଘାତକରି ଶିବିକା ଆଡ଼କୁ ଧାଇଁଲା । ଶବିକାଟିକୁ ମଧ୍ୟ ଶୃଙ୍ଗରେ ଏକରକମ ଚୂର୍ଣ୍ଣିଭୂତ କରିଦେଲା । ସେବକମାନଙ୍କ ବିକଳ ଚିତ୍କାର ଯୋଗୁଁ ଋଷିକୁଟୀରସ୍ଥ ଶ୍ୟାମସୁନ୍ଦର ଦତ୍ତ ଘଟନା ସ୍ଥଳରେ ଉପସ୍ଥିତ ହେଲେ ।

 

ଦତ୍ତ ଲଳନାରେ ଆର୍ତ୍ତରବରେ ବିଚଳିତ ହୋଇ ହଠାତ ଶର ସନ୍ଧାନ କଲେ । ଉନ୍ମତ୍ତ ବୃଷଭ ଶରାହତ ହୋଇ ଶିବିକା ଛାଡ଼ି ଦତ୍ତଙ୍କୁ ଆକ୍ରମଣ କରିବାପାଇଁ ଧାବିତ ହେଲା । ଦତ୍ତ ପୁନର୍ବାର ଶର ନିକ୍ଷେପ କରି ବୃଷଭର ଚକ୍ଷୁ ଦୁଇଟି ବିଦ୍ଧ କରିଦେଲେ । ବୃଷଭ ହମ୍ବାରବ ସଙ୍ଗେ ସଙ୍ଗେ ଭୂତଳଶାୟୀ ହେବାରୁ ତାଙ୍କ ପଛରେ ଥିବା ସେବକ ବୃଷଭକୁ ହାଣି ପକାଇଲା । ଦତ୍ତ ଶିବିକାକୁ ଯଥା-ବସ୍ଥିତ କରି ଦ୍ୱାର ଖୋଲିଲେ । ଦେଖିଲେ ତନ୍ମଧ୍ୟରେ ମୂର୍ତ୍ତିମତୀ ଚପଳା, ମନ୍ମଥରାଜଲକ୍ଷ୍ମୀତୁଲ୍ୟ ଯୁବକ-ହୃଦୟାନନ୍ଦକାରିଣୀ, ଅରୂପ ଲାବଣ୍ୟବତୀ, ବାକଶକ୍ତିବିହୀନା, ଜଣେ ନିଶ୍ଚେଷ୍ଟ। ରମଣୀ । ଦତ୍ତ ତାଙ୍କଠାରୁ ଉତ୍ତର ପାଇବାକୁ ବହୁତ ଚେଷ୍ଟା କଲେ, ମାତ୍ର ସେ ନୀରବ । ତାଙ୍କୁ ଉଠାଇବାପାଇଁ ଶ୍ୟାମସୁନ୍ଦର ସେବକକୁ ଅନୁରୋଧ କଲେ । ମୂର୍ଖ ସେବକ-’’ଶୋଇବା ଲୋକକୁ ଉଠାଇବ କିଆଁ ସେ ଶୋଇଥାନ୍ତୁ । ତୁମେ ଚାଲିଆସ’’-ଏଇ ସହାନୁଭୂତି ପ୍ରକାଶ କଲା !

 

ଶ୍ୟାମସୁନ୍ଦର ଦୀର୍ଘନିଶ୍ୱାସ ତ୍ୟାଗ କରି ଟିକିଏ ତୀବ୍ର ଦୃଷ୍ଟିରେ ସେବକକୁ ଅନାଇଁ ଜଳ ଆଣିବାକୁ ଆଦେଶ ଦେଲେ । ନିଜେ ଶିବିକାର ଦ୍ୱାର ଖୋଲି ଯୁବତୀଙ୍କୁ ଘେନି ଆସି ନିଜ ବକ୍ଷଦେଶରେ ତାଙ୍କର ମସ୍ତକ ସ୍ଥାପନ କରି ବସିଲେ । ଶ୍ୟାମସୁନ୍ଦର ଅନୁଭବ କଲେ ଯୁବତୀଟି ଯେପରି ଗୋଟିଏ ଜୀବିତ ଶବ । ତାର ସର୍ବାଙ୍ଗ ଘର୍ମ।କ୍ତ ହେଲେ ମଧ୍ୟ ମୁଖର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା ଏ ସ୍ଵେଦ । ମସ୍ତକର ମଲ୍ଲୀଫୁଲ ଗଭାଟି ଶିଥିଳହୋଇ ଇତସ୍ତତଃ ବିକ୍ଷିପ୍ତ । ନିତମ୍ବଚୁମ୍ବିକୋମଳ କୁନ୍ତଳ ମୁଖକୁ ଆବୃତ କରି ରାହୁଗ୍ରସ୍ତ ଚନ୍ଦତୁଲ୍ୟ ଶୋଭିତ । ଘର୍ମ।କ୍ତ କପୋଳ ଦେଶରେ ରକ୍ତକଣିକାଗୁଡ଼ିକ ବହିବାଦ୍ଵାରା ସନ୍ଧ୍ୟାରାଗରେ ଅରୁଣାଭ ଚନ୍ଦ୍ରବିମ୍ଵତୁଲ୍ୟ ମୁଖଶ୍ରୀ ଆହୁରି ସୁନ୍ଦର । ସୁନ୍ଦରୀ ସଂଜ୍ଞାହୀନ ହେଲେ ମଧ୍ୟ ତାଙ୍କର ଗଣବଣ। ଏଣୀତୁଲ୍ୟ ନୟନ, ଇଷତକଂପିତ ଚକ୍ଷୁଡୋଳା, ଯୁବତୀ ସୁଲଭ ଅପୂର୍ବ କାନ୍ତି, ମନୋରମ ବିମ୍ବାଧର ମୃଣାଳବିନିନ୍ଦିତ ଭୁଜଲତା, ନିତମ୍ବଚୁମ୍ବୀ କେଶଦାମ ତାଙ୍କ ସୌନ୍ଦଯ୍ୟ ଦ୍ୱିଗୁଣିତ କରି ପକାଉଥିଲା । ସେ ବାତ।ହତ ସ୍ୱର୍ଣ୍ଣଲତିକାତୁଲ୍ୟ ଅପୂର୍ବଶ୍ରୀ ଧାରଣ କରିଥିଲେ । ସ୍ଵଭାବତଃ ସୁନ୍ଦରୀସମୂହ ଯେକୌଣସି ଅବସ୍ଥାରେ ଥିଲେ ମଧ୍ୟ ମନୋହର ଦିଶିଥାନ୍ତି ।

 

ଶ୍ୟାମସୁନ୍ଦର କମଳାଙ୍କର ସେହି କମନୀୟ ବଦନ ମଣ୍ଡଳର ଅପୂର୍ବ ଜ୍ୟୋତିରେ ଆତ୍ମହରା ହୋଇ ପଡ଼ିଲେ । ଦୀର୍ଘ ନିଶ୍ୱାସ ସଙ୍ଗେ ସଙ୍ଗେ ତାଙ୍କ ହୃଦୟରେ ଗଭୀର ସମବେଦନା ଉଦ୍ରେକ ହେଲା । ସେ ମନେ ମନେ ଭାବିଲେ, ‘‘ଆହା କି ସୁନ୍ଦର ରୂପର କି ଶୋଚନୀୟ ପରିଣାମ-! ଅପୂର୍ବ ଗୋଲାପସୁନ୍ଦରୀଟି ଆଜି ବାନର ପଦଦଳିତ ସାମଗ୍ରୀ । କାହିଁ ବୃଦ୍ଧ କଦାକାର ରାଣୋଜୀ, ପୁଣି କାହିଁ ଏହି ଶାପଭ୍ରଷ୍ଟା ଅପ୍‌ସରା । ବାନର ବେକରେ ଗଜମୁକ୍ତାହାର । ପ୍ରଭୁଙ୍କର ଏକି ଦାନ; ବିଧାତାଙ୍କର ଏକି ବିଚିତ୍ର ଲୀଳା ।’’ ଶ୍ୟାମସୁନ୍ଦର ଚିନ୍ତା-ସମୁଦ୍ରର ଉତ୍ତାଳ-ତରଙ୍ଗମଧ୍ୟରେ ଭାସମାନ; ଭୃତ୍ୟ ଶୀଘ୍ର ଆସି ଜଳ ଆଣିଦେଲା । ଦତ୍ତ ଯୁବତୀଙ୍କ ସେବାରେ ଲାଗିଗଲେ । ଶୀତଳ ଉପଚାର ପରେ କମଳାଙ୍କର ଚୈତନ୍ୟୋଦୟ ହେଲା । ସେ ଯୁବକ ଶ୍ୟାମସୁନ୍ଦରଙ୍କ ଭୁବନମୋହନ ମୂର୍ତ୍ତି ଦେଖିବା ମାତ୍ରେ ଲଜ୍ଜାରେ ଅବନତ ହୋଇଗଲେ । ବସ୍ତ୍ରଟିକୁ ଶରୀରର ଯଥାସ୍ଥାନରେ ସନ୍ନିବେଶିତ କରି ଏ ଯୁବକ କିଏ ମନେ ମନେ ଚିନ୍ତାକଲେ । ପରେ ସେବକକୁ ‘‘ପ୍ରଭୁ କିପରି ଅଛନ୍ତି?’’ ଏ ପ୍ରଶ୍ନ ପଚାରିଲେ ।

 

ଦତ୍ତ ରାଣୋଜୀଙ୍କ ନିକଟକୁ ଯାଇ ତାଙ୍କ ଆହତ ଶରୀର ଦେଖିଲେ । ରାଣୋଜୀଙ୍କ ଅବସ୍ଥା ଅତି ସାଙ୍ଘାତିକ । ସେ ମୃତ୍ୟୁର ଖୁବ୍‌ ନିକଟବର୍ତ୍ତୀ । ତଥାପି ସେବକମାନଙ୍କ ସାହାଯ୍ୟରେ ତାଙ୍କୁ ପାଲିଙ୍କୀରେ ଶୁଆଇଦେଲେ । ରାଣୋଜୀ ଅତିକ୍ଷୀଣ କଣ୍ଠରେ 'ମୋ ସ୍ତ୍ରୀ, ମୋ ସ୍ତ୍ରୀ କମଳା' ମାତ୍ର ଚିତ୍କାର କଲେ । ‘ତୁମର ସ୍ତ୍ରୀ ଭଲରେ ଅଛନ୍ତି, ଭୟ ନାହିଁ’ ହଠାତ ଶ୍ୟାମସୁନ୍ଦର ଏ ଉତ୍ତର ଦେଇ ପକାଇଲେ । ତାଙ୍କର କ୍ଷତସ୍ଥାନମାନ ପରିଷ୍କାର କରି ସେଥିରେ ପୋଡ଼ାକନାର ଭସ୍ମ ଦେଇ, ପଟି ବାନ୍ଧିଦେଲେ । କ୍ରମେ ରାଣୋଜୀ ଅବଶ ହୋଇ ପଡ଼ିଲେ । ତାଙ୍କଠାରୁ କୌଣସି ପ୍ରଶ୍ନର ଉତ୍ତର ମିଳିଲା ନାହିଁ କିମ୍ବା ପ୍ରଳାପ ବ୍ୟତୀତ ଆଉ କିଛି ଶୁଣାଗଲା ନାହିଁ । କମଳା ରାଣୋଜୀ ଭଲ ଅଛନ୍ତି ଶୁଣି ମନେ ମନେ ଭାବିଲେ 'ଆଉରି ଜିଇଁଛି, ଦୈବର ଏ ପ୍ରତିକୂଳତାର ମଧ୍ୟ ପାପିଷ୍ଠର ପ୍ରାଣ ରହିଗଲା । ବୃଷଭ ତେବେ ତୁ ମୋର ଆଉ କି ଉପକାର କଲୁ ? ମୋତେ ମାରି ଦେଇ ପାରିଲୁ ନାହିଁ ।'

 

ଅନ୍ତରର ବାହାକଗଣ ଜଣକ ପରେ ଜଣେ ସେଠାରେ ଉପସ୍ଥିତ ହେଲେ । ଶ୍ୟାମସୁନ୍ଦର ସେମାନଙ୍କଦ୍ୱାରା ପାଲିଙ୍କୀ ବୁହାଇ, ନିକଟସ୍ଥ ପଲ୍ଲୀରୁ ଖଣ୍ଡେ ଗାଡ଼ିରେ କମଳାଙ୍କୁ ବସାଇ ମାହୁ ନଗର ଆଡ଼କୁ ଯାତ୍ରା କଲେ ।

Image

 

ଚତୁର୍ଥ ପରିଚ୍ଛେଦ

ଅଭାଗିନୀ କମଳାବାଈ

ମାହୁନଗରବାସୀ ମୁରଲିଧର ଦାସ ଜଣେ ଉପଯୁକ୍ତ ଗୃହସ୍ଥ । ତାଙ୍କର ଅନେକଗୁଡ଼ିଏ ସନ୍ତାନ । ପତ୍ନୀ ଆନନ୍ଦବାଈ ମଧ୍ୟ ଯେପରି ଗୁଣବତୀ ସେହିପରି ସୁଗୃହିଣୀ ଓ ସୁନ୍ଦରୀ ଥିଲେ । ମୁରଲୀଧର ସେଠ ହଜାରିମଲ୍ଲଙ୍କ ଗୁମାସ୍ତାରୁପେ ନିଜର ଜୀବିକା ଅର୍ଜ୍ଜନ କରୁଥିଲେ । ଆନନ୍ଦବାଈ ତାଙ୍କ ପ୍ରତି ବିଶେଷ ପ୍ରୀତ ହେଉଥିଲେ ।

 

ଦିନେ ରାତ୍ରିର ପ୍ରଥମ ପ୍ରହର ଅତୀତ ହୋଇ ନାହିଁ, ପତିପତ୍ନୀ ଉଭୟେ ନିଜ ଅବସ୍ଥାର ଭବିଷ୍ୟତ ବିଷୟରେ ଆଳାପ କରୁଛନ୍ତି । ଶ୍ୟାମସୁନ୍ଦର ଠିକ୍‌ ସେତିକିବେଳେ ଚେତନାହୀନ ରାଣୋଜୀ ଓ ଭୟବିହ୍ଵଳା ଅରକ୍ଷିତା କମଳାବାଈଙ୍କୁ ଧରି ତାଙ୍କ ଗୃହରେ ଉପନୀତ ହେଲେ । ଶାଳକଙ୍କୁ ନିକଟରେ ଦେଖି ମୁରଲୀଧର ଆନନ୍ଦରେ କହି ପକାଇଲେ, 'ଆମ ଦତ୍ତ ଆସିଛନ୍ତି ।' ଆନନ୍ଦବାଈ ଦତ୍ତଙ୍କୁ ଅନେକ ଦିନ ହେଲା ଦେଖି ନଥିଲେ । ଭାଇର ଆକସ୍ମିକ ଆଗମନରେ ସେ ଆହୁରି ସ୍ନେହ-ବିହ୍ଵଳ। ହୋଇ ପଡ଼ିଲେ । ପରେ ଭାଇଙ୍କ ମସ୍ତକରେ ନିଜର କୋମଳ କରପଲ୍ଲବ ବୁଲାଉ ବୁଲାଉ କହି ପକାଇଲେ, ‘‘ମୋ ବାପା କେତେ ଦିନକେ ?’’ ନାନି, ମୋ ଆସିବା ବିଷୟ ପଚାରୁଚୁ କଅଣ ? ରାଣୀ ଅହଲ୍ୟାବାଈଙ୍କର ଜଣେ ପ୍ରଧାନ ରାଜପୁରୁଷ ଆଜି ମୃତ୍ୟୁମୁଖରେ । ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ସହିତ । ସେମାନଙ୍କର ଆଦର ଅଭ୍ୟର୍ଥନା, ସେବା ଶୁଶ୍ରୁଷାରେ ଯେପରି ତ୍ରୁଟି ନହୁଏ ।’’ ଦତ୍ତ ଏ ଉତ୍ତର ଦେବା ସଙ୍ଗେ ସଙ୍ଗେ ମାର୍ଗର ସମସ୍ତ ଘଟନା ବର୍ଣ୍ଣନା କଲେ ।

 

ଏହି ସମୟରେ କମଳାବାଈଙ୍କ ଗାଡ଼ୀ ଓ ପାଲିଙ୍କୀରେ ଆହତ ରାଣୋଜୀ ସେଠାରେ ପହଞ୍ଚିଲେ । ଦତ୍ତ ଓ ମୁରଲୀଧର ଧୀରେ ଧୀରେ ରାଣୋଜୀଙ୍କୁ ପାଲିଙ୍କୀରୁ ଆଣି ଗୋଟାଏ କକ୍ଷରେ ଶୁଆଇଦେଲେ । ତାଙ୍କର ବେଦନ।ଜନିତ ଚିତ୍କାର ଓ ସାମୟିକ ପ୍ରଳାପ ଛଡ଼ା ଆଉ କିଛି ଶୁଣାଯାଉ ନଥିଲା । ହଠାତ୍‌ ଜଣେ ଚିକିତ୍ସକ ଡକାଇ ତାଙ୍କ ଚିକିତ୍ସାର ବନ୍ଦୋବସ୍ତ କରାଗଲା । ଚିକିତ୍ସକ ରୋଗୀକୁ ଦେଖିବା ମାତ୍ରେ ଅଧର ସଂକୁଚିତ କରି କହିଲେ, ‘‘ବଞ୍ଚିଲେ ପୁନର୍ଜନ୍ମ; ବଞ୍ଚିବା କିନ୍ତୁ କଠିନ ।’’ ସମସ୍ତେ ଏଥିରେ ଆତଙ୍କିତ ହେଲେ, ମାତ୍ର ଦଇବ ପାଞ୍ଚକୁ ମନୁଷ୍ୟର କି ହାତ ଅଛି ।

 

ଆନନ୍ଦବାଇ କମଳାଙ୍କୁ ଦେଖିବାମାତ୍ରେ ବିସ୍ମିତ । ଏ ସ୍ୱର୍ଗ ଅପ୍‌ସରୀକୁ କଦାକାର ବୃଦ୍ଧ ହସ୍ତରେ ଅର୍ପଣ କରି ପିତା ମାତା ଧୈର୍ଯ୍ୟ ଧରିଛନ୍ତି ? ଧିକ ତାଙ୍କ ପିତୃମାତୃତ୍ୱ । ନିୟତିର କି ବିଚିତ୍ର ବିଧାନ ! ବାନର ଗଳାରେ ରତ୍ନ ହାର, ମୂର୍ଖ ମୁଖରେ କାବ୍ୟ-କବିତାର ଆଲୋଚନା- ଭଗବାନଙ୍କ ବିଚିତ୍ର ମହିମାର ଏ କି ଅଭିବ୍ୟକ୍ତ ! ଆନନ୍ଦବାଇ ଏପରି ବିସ୍ମୟ ଓ କ୍ଷୋଭରେ କମଳାଙ୍କୁ ଅଭ୍ୟର୍ଥନା କରି ଗୃହକୁ ନେଇଗଲେ । କମଳାଙ୍କ ଆକସ୍ମିକ ବୈଧବ୍ୟର ଆଶଙ୍କାରେ ଅନେକ ପ୍ରକାର ସମବେଦନା ପ୍ରକାଶ କରି ଆହାର କରିବା ଲାଗି ଅନୁରୋଧ କଲେ ।

 

ରାଣୋଜୀଙ୍କ ଅବସ୍ଥା କ୍ରମେ ସଙ୍କଟାପନ୍ନ ହୋଇ ପଡ଼ିଲା । ମୁରଲୀଧର ଶ୍ୟାମସୁନ୍ଦରଙ୍କ ପରାମର୍ଶମତେ ରାଣୋଜୀଙ୍କ ଅନୁଜ ଦୌଲତ ରାଓଙ୍କୁ ସଂବାଦ ଦେଲେ । ଇତିପୂର୍ବରୁ ରାଣୋଜୀଙ୍କ ଆଗମନ ବାର୍ତ୍ତା ଜଣାଇବା ଲାଗି ଧୂଣ୍ଡି ରାଓ ମାହୁ ଯାତ୍ରା କରିଥିଲେ । ମାତ୍ର ସେ ଗଞ୍ଜେଇ ଦୋକାନରେ ଢେର ନିଶା ଖାଇ ଅଜ୍ଞାନ । ଲକ୍ଷ୍ମଣ ଏତିକି ବେଳେ ତାଙ୍କୁ ଏ ସଂବାଦ ଜଣାଇ ଦେଲା-। ସେ ମାଦକତାରେ ଟିକିଏ ପ୍ରଳାପ କରି ପୁଣି ଶୋଇ ପଡ଼ିଲେ ।

 

ଏଣେ ଆନନ୍ଦ ଓ କମଳା ଏକ ଆସନରେ ସୁପ୍ତା । କମଳା ମନୋବେଦନାରେ ଅଧୀର ହୋଇ ଶୋଇ ପାରିଲେ ନାହିଁ । ବାରମ୍ବାର ତାଙ୍କର ନିଦ୍ରାରେ ବ୍ୟାଘାତ ଘଟିଲା । ସେ ଦୀର୍ଘନିଶ୍ୱାସ ତ୍ୟାଗକରି ଶଯ୍ୟା ଉପରେ ବସିଲେ । ଅତୀତର ସେହି ସୁଖସ୍ମୃତି ମନେ ପଡ଼ି ନୟନରୁ ମୁକ୍ତାନିନ୍ଦୀ ଅଶ୍ରୁ-କଣିକା ନିର୍ଗତ ହେଲା । ସେ ଅଶ୍ରୁ ମୋଚନ କରି ଭାବିଲେ, ‘‘ତୁ ତେବେ କ'ଣ ମୋର ମାଆ-- କିଏ କହିଲା ତୁ ମା ବୋଲି-ସ୍ନେହମୟୀ ଜନନୀ ବୋଲି-ତୁ ନିଶ୍ଚୟ ରାକ୍ଷସୀ । ମୋ ପ୍ରାଣ ସଂହାରିଣୀ । ମୋ ସରଳ ତରଳ ଜୀବନରେ କି ବାଧା ପ୍ରତିବନ୍ଧକ ଆଣି ଥୋଇ ଦେଇଛୁ ? ହାୟ, ନିରବ ଅଶ୍ରୁପାତ, ମୋର ତେବେ ଚିର ସମ୍ବଳ । ମା, ତୁ ଶାନ୍ତିର ସେହି ଉଚ୍ଚତମ ପ୍ରାସାଦରେ ସ୍ୱର୍ଗସୁଖ ଅନୁଭବ କରୁଥା- ଆଉ ଏ ଅଭାଗିନୀ ନରକ-ଯନ୍ତଣାରେ ଛଟପଟ ହୋଇ ସଢ଼ୁଥାଉ-ଧିକ ଜୀବନ । ବୃଷଭ, ତୁ କେଡ଼େ ନିର୍ଦ୍ଦୟ? ଏ ଅଭାଗିନୀର ଜୀବନ ନନେଇ ରଖିଲୁ କାହିଁକି?’’

 

ଆନନ୍ଦବାଇ ଶଯ୍ୟା ତ୍ୟାଗ କରି ପାଖରେ କମଳାଙ୍କୁ ନଦେଖି ଉଦବେଗ ସମ୍ବରଣ କରି ପାରିଲେ ନାହିଁ । ସେ ଚତୁର୍ଦ୍ଦିଗରେ ଚକ୍ଷୁ ବୁଲାଇ ଦେଖିଲେ କମଳା ଅଶ୍ରୁ ଜଳରେ ଭାସୁଛନ୍ତି । ଆନନ୍ଦ ବାଈଙ୍କ ହୃଦୟ ସମବେଦନାରେ ପୂରି ଉଠିଲା । ସେ ସ୍ୱଭାବ ସୁଲଭ କୋମଳ ହୃଦୟରେ ତାହା ସହ୍ୟ କରି ନପାରି କହିଲେ, ‘‘ମାଆ, କାନ୍ଦୁଚ କାହିଁକି ? ତୁମ ସରଳ ପ୍ରାଣରେ ଏ କଷ୍ଟ ଦେଖି ମୋ ହୃଦୟ ଫାଟି ଯାଉଛି । ତୁମର ଅପୂର୍ବ ସୌନ୍ଦର୍ଯ୍ୟ, କମନୀୟ ରୂପ ମାଧୁରୀ ଯୋଗୁଁ କୌଣସି ପ୍ରକାର ଭାବୀବିପଦର ସୂଚନା ସୁଦ୍ଧା ମିଳୁନାହିଁ । ମା, ଧୈର୍ଯ୍ୟ ଧର । ଯଦି ବା ବିପଦ ଘଟେ, ତେବେ ସେଥିକି କାହାର ହାତ ଅଛି ? ତୁମ ପତିଙ୍କ ପ୍ରାଣ ବ୍ୟତୀତ ଅନ୍ୟ ସକଳ ବିଷୟରେ ବରାବର ମୋ ଭାଇ ସାହାଯ୍ୟ କରିବ । ସେ ବଡ଼ ଶାନ୍ତ, ସରଳ, ଉଦାର ପ୍ରକୃତି ବିଶିଷ୍ଟ ।’’

 

ଏ ଆଶ୍ଵସନାରେ କମଳାଙ୍କ ଦୁଃଖ ଦ୍ୱିଗୁଣିତ ହେଲା । ସେ ପୂର୍ବ ସ୍ମୃତିଗୁଡ଼ିକ ମନେ ପକାଇ ଆନନ୍ଦବାଇଙ୍କ କ୍ରୋଡ଼ରେ ମସ୍ତକ ରଖି ବିଳାପ କରିବାକୁ ଲାଗିଲେ । ଆନନ୍ଦବାଇ ତାଙ୍କ କୋମଳକରପଲ୍ଲବରେ କେବଳ କମଳାଙ୍କ ଅଶ୍ରୁମୋଚନରେ ଲାଗିଥାନ୍ତି । କେତେ କେତେ ବେଳେ ମଧ୍ୟ ତାଙ୍କର ନୟନ-ଯୁଗଳ ଅଶ୍ରୁ ଜଳରେ ପୂର୍ଣ୍ଣ ହୋଇ ଯାଉଥାଏ । କ୍ରମେ କମଳା ଟିକିଏ ଧୈର୍ଯ୍ୟ ଧରି କହିଲେ, ‘‘ମା, ତୁମେ ନିଶ୍ଚୟ ମୋ ଜନ୍ମଦାତ୍ରୀ ଜନନୀ-ଜନନୀ ନୁହଁ ତ ଶାନ୍ତିର, ଅପାର୍ଥିବ ସ୍ନେହର ଗୋଟିଏ ମୃଦୁମନ୍ଦ ପ୍ରବାହିନୀ । ଅଭାଗିନୀ ପ୍ରାଣରେ ଆଶା, ଆକାଂକ୍ଷାର ସାମାନ୍ୟ କ୍ଷୀଣ ରେଖାଟିଏ ଦିଶୁଛି, ତୁମରି ଅପାର ସ୍ନେହ, ଅପୂର୍ବ କରୁଣା ବଳରୁ । ଆହା, ତୁମେ ଯେପରି ଭଉଣୀ-ଭାଇ ତୁମର ମଧ୍ୟ ଠିକ ସେହିପରି ।’’

 

ହଠାତ ଶ୍ୟାମସୁନ୍ଦର ସେହି କକ୍ଷ ମଧ୍ୟରେ ଉପସ୍ଥିତ ହେଲେ । ଦୁହିଁଙ୍କ କଥା ବନ୍ଦ । କମଳାବାଈ ଉଠିଯାଇ ପ୍ରାଚୀର ନିକଟରେ ଠିଆ ହେଲେ । ଲଜ୍ଜାବନତ ବଦନରେ ପଦାଙ୍ଗୁଳି ଭୂମିରେ ସ୍ପର୍ଶ କରି କଅଣ ଗୁଡ଼ାଏ ଲେଖୁଥାନ୍ତି; ଦତ୍ତ ତାଙ୍କ ପ୍ରତି ଦୃଷ୍ଟି ଦେଇ ଭଉଣୀଙ୍କୁ କହିଲେ, ‘‘ନାନି, ର।ଣୋଜୀ ଟିକିଏ ଭଲ ଆଡ଼କୁ ଆସୁଛନ୍ତି । ଆଶା ହେଉଛି, ଶୀଘ୍ର ସୁସ୍ଥ ହୋଇଯିବେ ।’’

 

ନିଜର ଉପସ୍ଥିତି କମଳା ଓ ଆନନ୍ଦବାଈଙ୍କ ମିଷ୍ଟାଳ।ପରେ ଏକାନ୍ତ ଅନ୍ତରାୟ ଭାବି ଦତ୍ତ ସେଠାରୁ ନିଷ୍କ୍ର।ନ୍ତ ହେଲେ । ବାହାରେ ଟିକିଏ ବୁଲିଲେ, ମାତ୍ର ତାଙ୍କମନ ଖୁବ ଆନ୍ଦୋଳିତ ହୋଇ ପଡ଼ିଲା ।

 

ସୁନିର୍ମଳ ଚନ୍ଦ୍ରରଜନୀ । ଚନ୍ଦ୍ର ଜ୍ୟୋତ୍ସ୍ନା ଚତୁର୍ଦ୍ଦିଗରେ ନୃତ୍ୟ କରୁଛି । ରାତ୍ରିର ଏ ମଧୁର ସମୟରେ ଦତ୍ତ ମନସ୍ତାପରେ । ତା ମଧ୍ୟରେ ସେ ଦେଖୁଛନ୍ତି ତାଙ୍କ ହୃଦୟହାରିଣୀ, ଶାଯଭ୍ରଷ୍ଟ। ଅପ୍‌ସରୀର ବର୍ଣ୍ଣନାତୀତ ରୂପଲାବଣ୍ୟ । ଭାବୁଛନ୍ତି, ‘‘କମଳା, ପ୍ରକୃତରେ ତୁମେ ବୈକୁଣ୍ଠର ସମସ୍ତ ସୁଷମାମୟୀ ଲକ୍ଷ୍ମୀ, ଏ ମର-ଭୁବନରେ ତୁମ ସୌନ୍ଦର୍ଯ୍ୟ, ତୁମ ଲାବଣ୍ୟ ନଷ୍ଟ ହେଉଛି । ପୁଣି ବୃଦ୍ଧ, କଦ।କ।ର ରଣୋଜୀ ଏ କେତକୀ କୁସୁମର ଭ୍ରମର ! ଅସମ୍ଭବ-ଏ ଭ୍ରମ ନିଶ୍ଚୟ ଭଗବାନଙ୍କର । ରଣୋଜୀ, ତୁମେ କୀଚକତୁଲ୍ୟ ସୈରିନ୍ଧ୍ରି-ରୂପ-ସମୁଦ୍ରରେ ବୁଡ଼ି ଯାଇ ପ୍ରାଣ ହରାଇବା ନିଶ୍ଚୟ । ଏଁ, ମୋର ଏ ବାତୁଳତା ! ମୁଁ ଦୁଃଖିନୀ କମଳାଙ୍କୁ ବିଧବା ବୋଲି ମନେ କରୁଛି ? ଛିଃ, ବିଧବା ହୁଅନ୍ତୁ, ଅଥବା ସଧବା ହୁଅନ୍ତୁ, ସେ ତ ପରର । ତାଙ୍କ ପାଇଁ ମୋର ଏ ‘କୁହୁଡ଼ି ପହଁରା' କାହିଁକି ?’’ ଦତ୍ତ ଏହିପରି ଚିନ୍ତା ରାଜ୍ୟରୁ ଅବତରଣ କରି କକ୍ଷ ମଧ୍ୟରେ ନିଦ୍ରିତ ହେଲେ ।

 

ପ୍ରଭାତ ହେଲା । ଦୌଲତ୍‌ ରାଓ ଅଗ୍ରଜଙ୍କ ଦୁର୍ଦ୍ଦଶାରେ ବ୍ୟଥିତ ହୋଇ ସେଠାରେ ଉପସ୍ଥିତ ହେଲେ । ର।ଣୋଜୀ ମୃତବତ୍‌ ପତିତ । ଦୌଲତ ମର୍ମାହତ ହୋଇ ହଠାତ ସମସ୍ତଙ୍କୁ ଧରି ଇନ୍ଦୋର ବାହାରି ପଡ଼ିଲେ । ଶ୍ୟାମସୁନ୍ଦର ସେମାନଙ୍କୁ ଛାଡ଼ିବାକୁ କେତେଦୂର ଗଲେ, ମାତ୍ର କମଳାଙ୍କ ବିଚ୍ଛେଦରେ ବିଷର୍ଣ୍ଣ ହୋଇ ଫେରି ଆସିଲେ । କିଛିଦୂର ଯିବା ପରେ ର।ଣୋଜୀଙ୍କ କ୍ଳାନ୍ତି ବଢ଼ିଲା । ଦୌଲତ ବୃକ୍ଷ ଛାୟାରେ ଶିବିକାଟିକୁ ରଖିବାକୁ ଆଦେଶ ଦେଲେ । ତାଙ୍କ ମନରେ କ'ଣ ସନ୍ଦେହ ହେଲା କେଜାଣି ହଠାତ ଗବାକ୍ଷ ଉନ୍‌ମୁକ୍ତ କରି ବିଳାପ କରି ଉଠିଲେ । କମଳା ମୂର୍ଛିତ ହୋଇ ପଡ଼ିଲେ । ଶିବିକା ମଧ୍ୟରେ ର।ଣୋଜୀଙ୍କର ସବୁ ଶେଷ ।

Image

 

ପଞ୍ଚମ ପରିଚ୍ଛେଦ

ଦୌଲତଙ୍କ ଦୁରଭିସନ୍ଧି

ଦୌଲତ ର।ଣୋଜୀଙ୍କ କନିଷ୍ଠ ହେଲେହେଁ, ଗୁଣରେ ତାଙ୍କଠାରୁ ଜ୍ୟେଷ୍ଠ ଥିଲେ । ଭାଇଙ୍କ ପରି ସେ କଦ।କ।ର, ଲମ୍ବୋଦର, ସ୍ଥୂଳ ଶରୀର ବିଶିଷ୍ଟ । ମାତ୍ର ଶଠତା, ଷଡ଼ଯନ୍ତ୍ର-କରଣ, ବିଭତ୍ସତାର ଅଭିନୟ ପ୍ରଭୃତିରେ ସେ ଥିଲେ ଶିରୋମଣି । ର।ଣୋଜୀଙ୍କୁ ନାନା କୁପର।ମର୍ଶ ଦେଇ ଅହଲ୍ୟାଙ୍କ ବିଷୟରେ ସେ ଯେ ତୁମୂଳ ଷଡ଼ଯନ୍ତ୍ର ଆରମ୍ଭ କରିଥିଲେ, ସେଥିରେ ରାଣୀଙ୍କର କିଛି ଅନିଷ୍ଟ ହେଲା ନାହିଁ ସତ, ମାତ୍ର ସହଚରମାନେ ତାଙ୍କୁ ଧନ୍ୟବାଦ ନଦେଇ ରହିପାରିଲେ ନାହିଁ । ସ୍ଥୂଳତଃ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରେ ସେ ଅଦ୍ୱିତୀୟ ଥିଲେ ବୋଲି କହିଲେ କଦାପି ଅତିରଞ୍ଜିତ ହେବନାହିଁ ।

 

ର।ଣୋଜୀଙ୍କ ମୃତ୍ୟୁପରେ କମଳା ଧୁଣ୍ଡିରାଓଙ୍କ ସହିତ ଦୌଲତଙ୍କ ଗୃହକୁ ଗଲେ । ଦୌଲତ ଶବସଂସ୍କାର କରାଇ ବିମର୍ଷରେ ଫେରିଲେ । ହଠାତ ର।ଣୋଜୀଙ୍କ ମୃତ୍ୟୁ ସମ୍ବାଦ ଇନ୍ଦୋରରେ ପ୍ରଚାରିତ ହୋଇଗଲା । କମଳ।ଙ୍କ ଦୁର୍ଦ୍ଦଶାରେ ସମସ୍ତେ ସହାନୁଭୂତି ପ୍ରକାଶ କଲେ, ସତ୍ୟ, ମାତ୍ର ନିୟତିର ବିଚିତ୍ର ଗତି କିଏ ରୋଧିପାରେ ? ଦୌଲତଙ୍କ ପତ୍ନୀ ଦୁର୍ଗାବାଈ ଉଚ୍ଚସ୍ୱରରେ ବିଳାପ କରି କମଳାଙ୍କୁ ଆଲିଙ୍ଗନ କରି ପକାଇଲେ । କମଳାଙ୍କ ଅପୂର୍ବ ରୂପ ଲାବଣ୍ୟରେ ସେ ଅଧିକ କାତର ହୋଇ କହିଲେ, ‘‘ଆହା, ଦୈବ କି ନିଦାରୁଣ ! କେଡ଼େ ନିଷ୍ଠୁର ! ଜୀବନରେ ଦିନକ ପାଇଁ ସୁଖ ସୌଭାଗ୍ୟ ତୁମକୁ ଦେଲା ନାହିଁ । ତୁମର ଏହି ଅରୂପ ସୌନ୍ଦର୍ଯ୍ୟ ଅରଣ୍ୟ ମାଳତୀ ତୁଲ୍ୟ ନାରଖାର ହେଲା ? କି ଦୂରଦୃଷ୍ଟ, ବିଧାତା ତେବେ ତୁମ ଭଳି ଦେବୀଙ୍କୁ ଏ ସଂସାରକୁ ଆଣିଥିଲା କାହିଁକି ? ସବୁ ପ୍ରକାର ବିଳାସ ବାସନ।ରୁ ପୃଥକ କରି, ସ୍ୱାମୀଙ୍କର ସେହି ପବିତ୍ର ସ୍ନେହରୁ ବଞ୍ଚିତ ହୋଇ, ତୁମେ କିପରି ଧୈର୍ଯ୍ୟ ଧାରଣ କରିବ ? ହାୟ, ସରଳ କୋମଳ ନାରୀ ପ୍ରାଣରେ ଏ କି ବଜ୍ରପାତ ! ତୁମକୁ ସଙ୍ଗିନୀରୂପେ ପାଇ ସଂସାର ସୁଖମୟ କରି ପାରିବି ବୋଲି ଯେ ଆଶା, ଆକାଂକ୍ଷ। କରିଥିଲି, ତୁମ ସାକ୍ଷାତରେ ସେ ସବୁ ଚୂର୍ଣ୍ଣିଭୂତ ହୋଇଗଲା ।’’

 

କମଳା ଏ ସାନ୍ତ୍ୱନା ସୂଚକ ବିଳାପ ଶ୍ରବଣରେ ବିଚଳିତ ହେବାର କଥା-ମାତ୍ର ସେ ଯେ କାହିଁକି ହୃଦୟକୁ କଠିନ କରି ଦେଲେ କିଏ କହିପାରିବ ?

 

ର।ଣୋଜୀଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଯଥାବିଧି ସମାହିତ ହେଲା । ଦୁଇ ତିନି ଦିନ ପରେ ଦୌଲତ ଧୁଣ୍ଡିରାଓଙ୍କ ସହିତ କମଳାଙ୍କ ସମ୍ବନ୍ଧରେ ଆଳାପ କରିବାକୁ ଲାଗିଲେ–‘‘ନୁହେଁ, ଧୁଣ୍ଡି । କି ଘୋର ଦୁରବସ୍ଥା-ମୋ ଦକ୍ଷିଣ ହାତଟା ଛିଣ୍ଡି ପଡ଼ିଲା । ଧିକ ଏ ଜୀବନ-।’’

 

‘‘ହଁ, ନୁହେଁ କ'ଣ-ର।ଣୋଜୀଙ୍କ ପରି ଭାଇ-ସବୁଥିରେ ଧୁରନ୍ଧର । ହେଲେ ଭାଉଜଙ୍କ କଥା ବିଚାର କର । ତାଙ୍କୁ ଦେଖିଲେ ହୃଦୟ ଫାଟି ଯାଉଛି–ପ୍ରାଣ ଉଡ଼ି ଯାଉଛି । ସେ ହେଇଟି କାଲିର ଯୁବତୀ-ଆହା କ'ଣ ହେଲା ?’’

 

‘‘ହଁ ରେ । ସତେ କେଡ଼େ ସୁନ୍ଦରୀ ! କି ରୂପବତୀ ! ବିଧାତାର କି ବିଚିତ୍ର ଲୀଳା । ଏପରି ସୁନ୍ଦରୀ ମୁଁ କେଉଁଠି ହେଲେ ଦେଖିନାହିଁ । ଆହା, ଏ ଅପୂର୍ବ ସୌନ୍ଦର୍ଯ୍ୟର ଅବସ୍ଥା ସତେ କ'ଣ ନହେଲା ?’’

 

ଧୁଣ୍ଡି ରାଓ କିଛିକାଳ ଚିନ୍ତା କରି ସନ୍ଦେହ ଦୃଷ୍ଟିରେ କହିଲେ, ‘‘କମଳା ଏବେ ଆଉ କୁଆଡ଼େ ଯିବେ ? ବିଚାରୀର ତୁମେ ଏକା ରକ୍ଷକ, ଶାସକ, ପାଳକ ମଧ୍ୟ । ତୁମେ ତାଙ୍କ ସୁଖଦୁଃଖରେ ସହାନୁଭୂତି ପ୍ରକାଶ କର; ତାଙ୍କର ସବୁ ବିଷୟର ଯତ୍ନ ନିଅ ।’’

 

‘‘କ'ଣ କହିଲୁ ? ଏଁ-ସତେ । ସେ ମୋ ପାଖେ ରହିବେ । ବାପଘରକୁ ବାହାରି ଯିବେ ପରା ! ସତେ କ'ଣ ସେ ମୋ ଭାଇଙ୍କୁ ବିବାହ କରିଛନ୍ତି ?’’

 

‘‘ବିବାହବେଳେ ମୁଁ ନଥିଲି । କିନ୍ତୁ ତୁମ ଭାଇ ତାଙ୍କୁ ବିବାହ କଲେ ବୋଲି କହୁଥିଲେ । ବାଟରେ ମଧ୍ୟ କମଳାଙ୍କୁ ନିଜର ଭାର୍ଯ୍ୟା ବୋଲି ପରିଚୟ ଦେଉଥିଲେ । ଏ କଥାରେ ତେବେ ଆଉ ସନ୍ଦେହ ରହିଲା କ'ଣ ?’’

 

‘‘ବିବାହ ହେଲା ! ମୁଁ ଭାବିଥିଲି ହୋଇ ନାହିଁ ବୋଲି । ହଉ ହେ, ଏଥିପାଇଁ ଭାବନା କିଆଁ-?’’

 

‘‘ଭାବନା କ’ଣ ? ତୁମ ମନ କଥା ମୋ ପାଖରେ ଲୁଚାଇ ରଖୁଚ ? ମନ ଖୋଲି କହ, ତୁମର ଆଉ କି ଆଶା ଅଛି ? ଲାଭ ଥିଲେ, ବିବାହ ହୋଇନାହିଁ ବୋଲି କହିଲେ କ୍ଷତି କ'ଣ ?’’

 

‘‘ସେଇତ କଥା-ତୁମେ ଏତିକି କହିଲେ, ମୁଁ କମଳାଙ୍କୁ ବିବାହ ହେବାଲାଗି ଯୋଗାଡ଼ କରିବି ।’’

 

‘‘କିଛି ଭୟ ନାହିଁ । ତୁମର ସନ୍ତୋଷ ବିଧାନ ତ ମୋର କର୍ତ୍ତବ୍ୟ । ଆଉ କିଛିଦିନ ଯାଉ । ମାୟାଜାଲ ବିସ୍ତାର କରି, ନାନା ପ୍ରକାର ଭୟ ଦେଖାଇ କମଳାଙ୍କୁ ବଶୀଭୂତ କଲେ, ହେଲା । ଛାର ଯୁବତୀଟାଏ ଆମ ଜାଲରୁ ଖସିଯିବ ?’’

 

ଦୌଲତଙ୍କ ମୁଖରେ ହାସ୍ୟର କ୍ଷୀଣରେଖା ଫୁଟି ଉଠିଲା । ସେ ଆସନରୁ ଉଠି ଧୁଣ୍ଡି ରାଓଙ୍କୁ ଆଲିଙ୍ଗନ କରି ପକାଇଲେ । ହଠାତ ନିକଟରେ ପଦଶବ୍ଦ ଶୁଣା ଯିବାରୁ ଧୁଣ୍ଡି ରାଓ ଇତସ୍ତତଃ ଦୃଷ୍ଟି ନିକ୍ଷେପ କରି ସେଠାରୁ ବିଦାୟ ନେଲେ । ତତ୍‌କ୍ଷଣାତ୍‌ ଦୁର୍ଗାବାଈ ବିଷର୍ଣ୍ଣ ବଦନରେ କକ୍ଷ ମଧ୍ୟରେ ପ୍ରବେଶ କଲେ । ଦୌଲତ୍‌ ପତ୍ନୀଙ୍କର ବିଷାଦରେ ସମବେଦନା ପ୍ରକାଶ କରି କହିଲେ, ‘‘ଏ କ'ଣ ? ତୁମର ସବୁଦିନେ ଏ କି ଚିନ୍ତା ? ମୁଁ ଥାଉ ଥାଉ ତୁମର ଦୁଃଖ ଗୋଟାଏ କ'ଣ ?’’ ଦୁର୍ଗାବାଈ ଉତ୍ତର କଲେ, ‘‘କମଳାଙ୍କୁ ଦେଖିଲେ ମୋ ହୃଦୟ ଫାଟି ଯାଉଛି । ଆହା ! ସତେ କ'ଣ ହେଲା ! ତୁମେ ତାଙ୍କ ମା ଭାଇଙ୍କ ପାଖକୁ ଖବର ଦେଲ ତ ?’’

 

ଦୌଲତ୍‌ ନିଜର ମନୋଭାବ ଗୁପ୍ତ ରଖି କିଛି କହିପାରିଲେ ନାହିଁ । ସ୍ତ୍ରୀ ସବ୍ଦଂଶ ସମ୍ବୁତ।, ସଦ୍‌ଗୁଣାଳଂକୃତ।, ରୂପବତୀ, ପଣ୍ଡିତା ହୋଇଥିଲେ ସଦାଚ।ରୀହୀନ, ଜ୍ଞାନଶୁନ୍ୟ ମୂର୍ଖ ସ୍ୱାମୀ ପତ୍ନୀଙ୍କୁ ଭୟ କରିବା ସ୍ୱାଭାବିକ । ଦୌଲତ୍‌ ସେହି ଶ୍ରେଣୀର ଲୋକଥିଲେ । ମାତ୍ର ସେ ପତ୍ନୀଙ୍କ ଭର୍ତ୍ସନାକୁ ଭ୍ରୂକ୍ଷେପ ନକରି କେବେ କେବେ ନିଜର ଅଭିଳାଷ ଜଣାଇ ତିରସ୍କାର ଉପହାର ପାଉଥିଲେ । ପତ୍ନୀ ମୁଖକୁ ଅନାଇଁ ଅନାଇଁ ଦୌଲତ୍‌ ରାଓ ସାହସରେ କହିଲେ, ‘‘ଦୁର୍ଗା, ସନ୍ତାନହୀନ ଜୀବନ ବୃଥା । ଆମ ଭାଇଙ୍କର ସନ୍ତାନ ନଥିବାରୁ ମୋତେ ତାଙ୍କର ଉତ୍ତରକ୍ରିୟା କରିବାକୁ ହେଲା । ମୁଁ ମଧ୍ୟ ଅପୁତ୍ରିକ । ତେବେ କ'ଣ ହୋଲକାର ବଂଶ ମୋ ପରେ ଶେଷ ହେବ, ଭାବୁଛ ?’’

 

ଦୁର୍ଗାବାଈ ମସ୍ତକ ଅବନତ କରି କହିଲେ, ‘‘ପୋଷ୍ୟପୁତ୍ର କଲେ ତ ଭଲ ।’’

 

‘‘ପୋଷିଲେ ବି ପୁତ୍ର ଜୀବିତ ରହି ନ ପାରେ; ପୁନର୍ବିବାହ କରିବା ଦରକାର ! ତୁମ୍ଭର ଇଚ୍ଛା କ'ଣ ?’’

 

‘‘ମଲା ମ, ମୋର ପୁଣି ଗୋଟାଏ ଇଚ୍ଛା କ'ଣ ? ଭାରି ସୁନ୍ଦର ମଣିଷ ଟାଏ ତ ! ଏ ବୟସରେ ତୁମକୁ କିଏ ଝିଅ ଦେବ ମ ?’’

 

‘‘କିଏ ଦେବ-ପାତ୍ରୀ ତ ଠିକ ହୋଇ ରହିଛି । ତୁମ୍ଭର ଦୟା ହେଲେ-ସେ’’

 

ଏ କଥା ତାଙ୍କ ମୁଖରୁ ବାହାରିବା କ୍ଷଣି ଦୁର୍ଗାବାଈ ଚମକି ପଡ଼ିଲେ । ବିକଟ ଭ୍ରୂକୁଟି ଭଙ୍ଗିରେ ସ୍ୱାମୀଙ୍କ ମୁଖକୁ ଅନାଇଁ କହିଲେ, ‘‘ସେ ପାତ୍ରୀ କିଏ ସେ?’’ ଦୌଲତ ପତ୍ନୀଙ୍କର କୋମଳ କରପଲ୍ଲବ ଚୁମ୍ବନ କରି ଧୀର, ଅଥଚ ଲଳିତ କଣ୍ଠରେ କହିଲେ, ‘‘ଗୋଟାଏ କଥା କହିବି, ଚଳିବ ନାହିଁ ? କମଳାଙ୍କୁ ମୋ ସଙ୍ଗେ ବିବାହ କରାଅ ।’’
 

ଦୁର୍ଗାବାଈ ଦଣ୍ଡତାଡ଼ିତା ଭୁଜଙ୍ଗିନୀ ତୁଲ୍ୟ କୋପାବିଷ୍ଟ। ହୋଇ କମ୍ପିତ ଅଧରରେ କହିଲେ ‘‘ଛି ଛି, ତୁମ ପରି ନିର୍ଦ୍ଦୟ, କଠୋର ପ୍ରାଣ ଓ ପାପମତ ଆଉ କେଉଁଠି ଦେଖି ନାହିଁ । ଧିକ ଦୁରାତ୍ମା, ତୁମର ଏହି କର୍ମହିଁ ଅଚୀରେ ତୁମକୁ ନରକଗାମୀ କରିବ ନିଶ୍ଚୟ । ସହୋଦରଙ୍କ ଚିତାଗ୍ନି ପ୍ରଶମିତ ନହେଉଣୁ ଶୋକବିହ୍ଵଳ। ଭ୍ରାତୃ ଜ।ୟାଙ୍କର ଦୁଃଖାଗ୍ନିରେ ତୁମର ଏ ଘୃତାହୁତି । ତାଙ୍କୁ ସାନ୍ତ୍ୱନା ଦେଇ ପ୍ରକୃତିସ୍ଥ କରିବା ତେଣେ ଥାଉ, ଜନନୀକୁ ପତ୍ନୀରୂପରେ ବରଣ କରିବା ଲାଗି ଇଛୁକ ହେଉଛ ? ବିଧବା ପ୍ରତି ଅତ୍ୟାଚାର କରି, ମାତୃତୁଲ୍ୟା ଭ୍ରାତୃଜାୟାଙ୍କୁ ସ୍ତ୍ରୀ କରିବା ଲାଗି ଇଚ୍ଛାକରି, ତୁମେ ଭାବିଛ, ଆନନ୍ଦରେ ତୁମର ଦିନ ଚାଲିଯିବ ? ଧିକ, ଏତକ ଗୌରବ ଜ୍ଞାନ ମଧ୍ୟ ତୁମର ନାହିଁ ? ତୁମ ଭଳି ସ୍ୱାମୀର ମୁଖାବଲୋକନ କରି ପଞ୍ଚ ମହାପାତକ ଅର୍ଜନ କରିବା ଅପେକ୍ଷା ବରଂ ପ୍ରାଣତ୍ୟାଗ କରିବା ଶ୍ରେୟସ୍କର !’’

 

ଦୁର୍ଗା ବାଈଙ୍କ ଘୃଣାମିଶ୍ରିତ ବାକ୍ୟରାଶି ଓ ତୀବ୍ର ଭର୍ତ୍ସନାରେ ମଧ୍ୟ ଦୌଲତ୍‌ଙ୍କର ଜ୍ଞାନୋଦୟ ହେଲା ନାହିଁ । ସେ ପୁନର୍ବାର ଧୀରେ ଧୀରେ କହିଲେ, ‘‘କମଳା ବାଈ ପ୍ରକୃତରେ ବିଧବା ହୋଇଥିଲେ, ମୋର ଅପରାଧ ଅମ।ର୍ଜ୍ଜନୀୟ । ଭଲ ରକମ ଜ।ଣେ, ଭାଇ ତାଙ୍କୁ ବିବାହ କରି ନାହାନ୍ତି ।’’

 

‘‘ମିଥ୍ୟା କଥା-ଏ ସବୁ ତୁମରି ବାକ୍‌ଚାତୁରୀ । ପାପିଷ୍ଠ ଧୁଣ୍ଡି ରାଓର ଛଦ୍ମ କଳ୍ପନା-ଦୁରାତ୍ମା ଧୁଣ୍ଡି ରାଓ, ତୋ ମୁଖରେ ଶତ ପଦାଘାତ । ମା ଭବାନୀ, ତୋତେ ନିର୍ମୂଳ କରନ୍ତୁ । ତୁ ପାପିଷ୍ଠ ମୋ ବଂଶର ସର୍ବନାଶ କରିବାକୁ ବସିଛୁ-ଅଚୀରେ ତୋର ପତନ ହେଉ । ତୁମେ ସ୍ୱାମୀ-ମୋର ପରମପୂଜ୍ୟ, ଦେବତା । ବଂଶ ରକ୍ଷା କରିବାକୁ ଯାଇ ଏ ଯେ ମନ୍ତ୍ରଣା ଜାଲି ବିସ୍ତାର କରୁଛ, ଏଥିରେ ବଂଶ ଲୋପ ହେବ । ସାବଧାନ ରହ ।’’

 

‘‘ସପତ୍ନୀ ଭୟରେ ଏପରି କ୍ରୋଧ ହେଉଛ, ଦୁର୍ଗା ! ଧୈର୍ଯ୍ୟଧର, ମୋ ଅନୁରୋଧ ରକ୍ଷାକର ?’’

 

‘‘ଅନୁରୋଧ ରକ୍ଷା କରିବି ? ତେବେ କହୁଚ ବିଧବା ପ୍ରତି ଅତ୍ୟାଚାର କରିବାକୁ ତୁମକୁ ଉପଦେଶ ଦେବି ? ହୋଲକାର ବଂଶ ଲୋପ କରିବା ପାଇଁ ତୁମକୁ ସାହାଯ୍ୟ କରିବି ? ପତ୍ନୀ ହୋଇ ତେବେ ମୋର କ'ଣ ଏଇ କର୍ତ୍ତବ୍ୟ ? ଯାଅ, ସ୍ୱାମୀରୂପେ ମୁଁ ତୁମ ଭଳି ଜ୍ଞାନଶୂନ୍ୟର ପୂଜା କରି ପାରିବି ନାହିଁ’’ କହି ଦୁର୍ଗାବାଈ ଦ୍ରୁତ ପଦରେ ସେ କକ୍ଷ ତ୍ୟାଗକଲେ । ସଙ୍ଗେ ସଙ୍ଗେ କମଳାଙ୍କୁ ଏ କଥା ଜଣାଇ ଦେଇ ଅଭୟ ଦେଲା ପରି କହିଲେ, ‘‘ଭାବିଚ ଭଉଣି, ପାଷାଣ୍ଡ ତୁମର ସତୀତ୍ୱ ନଷ୍ଟ କରିବ ବୋଲି, ବିଡ଼ମ୍ବନା-ବୃଥା ସେ ଆଶା-ତେବେ ତୁମେ ସାବଧାନ ରହ । ମା ଭବାନୀଙ୍କୁ ସ୍ମରଣ କର ।’’

 

‘‘ଭବାନୀଙ୍କୁ ସ୍ମରଣ କରିବି କଅଣ-ନିଜର ସତୀତ୍ୱ ଲାଗି ତ ରମଣୀର ଶେଷ ସମ୍ବଳ ବିଷପାନ, ଉଦ୍‌ବନ୍ଧନ ଛୁରୀକା ବର୍ତ୍ତମାନ ରହିଛି ।’’

 

ଦୁର୍ଗାବାଈ ବିଚଳିତ ହୋଇ ପଡ଼ିଲେ । ସେ କମଳାଙ୍କ ଲାଗି ସାହାଯ୍ୟ କରିବା ପାଇଁ ପ୍ରତିବେଶିନୀ ରୋହିଣୀ ବାଈଙ୍କ ସହାୟତା ଭିକ୍ଷା କଲେ । ରୋହିଣୀ ତାଙ୍କ ସ୍ୱାମୀ ରାଧାକାନ୍ତ ରାଓଙ୍କୁ ଦୌଲତଙ୍କ ଦୁରଭିସନ୍ଧି ଜଣାଇ ଦେଲେ । ସନ୍ଧ୍ୟାବେଳେ ରାଧାକାନ୍ତ ଦୌଲତଙ୍କୁ ଡକାଇ ନେଇ କେତେ ଧର୍ମୋପଦେଶ ଦେଲେ ମଧ୍ୟ ସମସ୍ତ ବିଫଳ ହେଲା । ଓଲଟି ଦୌଲତ ରାଓ ରାଧାକାନ୍ତଙ୍କ ଉପରେ ତିରଷ୍କ।ର ବର୍ଷଣ କରିବାକୁ ଲାଗିଲେ । ଏଣେ ରୋହିଣୀ, ଦୁର୍ଗାବାଈ ଓ କମଳାଙ୍କ ମଧ୍ୟରେ ପରାମର୍ଶର ସୀମା ନାହିଁ । ରୋହିଣୀ ଓ ଦୁର୍ଗାବାଈ କମଳାଙ୍କୁ ତାଙ୍କ ବିବାହ ବିଷୟରେ ପ୍ରଶ୍ନ ପଚାରି ଇତସ୍ତତଃ କରି ପକାଉଛନ୍ତି । କମଳା ଯଥୋପଯୁକ୍ତ ଉତ୍ତର ଦେବା ପରେ ଶେଷକୁ କହି ପକାଇଲେ, ‘‘ଯାହା ହେଉ, ଭଉଣୀ ! ମୁଁ ମୋର ଅଦୃଷ୍ଟ ଭୋଗିବି । ଶେଷକୁ ଆତ୍ମହତ୍ୟା ବ୍ୟତୀତ ମୋର ଆଉ କି ଗତି ଅଛି ?’’

 

‘‘ମୁଁ ଥିବାଯାଏଁ କଦାପି ତୁମର ମାନହାନି ହେବ ନାହିଁ’’ ବୋଲି କହି ହଠାତ ଦୁର୍ଗା ବାଈ ତାଙ୍କର ଅଶ୍ରୁମୋଚନ କରି ଗୃହକୁ ନେଇଗଲେ ।

Image

 

ଷଷ୍ଠ ପରିଚ୍ଛେଦ

ଶପଥ-ଗ୍ରହଣ

ମହାରାଷ୍ଟ୍ର ରାଜାମାନଙ୍କ ମଧ୍ୟରେ ହୋଲକ।ର ବଂଶ ଲୋକପ୍ରସିଦ୍ଧ ଓ ଅତି ଗୌରବାନ୍ୱିତ-। ଏ ବଂଶର ପ୍ରତିଷ୍ଠାତା ମଲହର ରାଓ ହୋଲକାର ୧୬୮୩ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମ ପେଶବାଙ୍କ ଅଧୀନରେ ସିପାହୀ କାର୍ଯ୍ୟ କରି ସ୍ୱୀୟ କ୍ଷମତା ଓ ପରାକ୍ରମ ଯୋଗୁଁ ତାଙ୍କର ଅନୁଗ୍ରହ ଭାଜନ ହୋଇ ପଡ଼ିଲେ । ପେଶବା ବାଲାଜୀ ରାଓ ତାଙ୍କୁ ମାଳବ ପ୍ରଦେଶରେ ପ୍ରଚୁର ଜାୟଗୀର୍‌ ପ୍ରଦାନ କରି ସାମନ୍ତ ରାଜାରୂପେ ଗୌରବ କରୁଥିଲେ । ମାତ୍ର ମଲହର ରାଓ କୌଶଳକ୍ରମେ ଅଳ୍ପକାଳ ମଧ୍ୟରେ ନିଜର ସାମ୍ରାଜ୍ୟ ବୃଦ୍ଧି ସଙ୍ଗେ ସଙ୍ଗେ ସ୍ୱାଧୀନ ହେବାକୁ ଯତ୍ନ କରିଥିଲେ । ସେ ନାମକୁ ମାତ୍ର ପେଶବାଙ୍କ ଅଧୀନତା ସ୍ୱୀକାର କରି ଇନ୍ଦୋର ନଗରକୁ କ୍ରମେ କ୍ରମେ ସମୃଦ୍ଧିଶାଳୀ କରିବାକୁ ଲାଗିଲେ । ବଂଶୋଚିତ ମର୍ଯାଦାରେ ସେ ଥିଲେ ସାମାନ୍ୟ ଗୋପାଳ-। ମାତ୍ର ତାଙ୍କର ପ୍ରଖର ବୁଦ୍ଧି, ଅଦ୍ଭୁତ ବଳ ବିକ୍ରମ ତାଙ୍କୁ ଉନ୍ନତ ପଦବୀ ଦେବା ସଙ୍ଗେ ସଙ୍ଗେ ମଧ୍ୟ ଐଶୁର୍ଯ୍ୟଶାଳୀ କରି ପକାଇଲା । ଏତିକିବେଳେ କିନ୍ତୁ ତାଙ୍କର ଉତ୍ସାହପାଦପ ମୂଳୋତ୍ପାଟିତ ହେଲା-। ରାଜ୍ୟର ସୁଯୋଗ୍ୟ ଉତ୍ତରାଧିକାରୀ, ଏକମାତ୍ର ପୁତ୍ର ଖଣ୍ଡେ ରାଓ ଅମରଧାମକୁ ଚାଲିଗଲେ ।

 

ଖଣ୍ଡେ ରାଓଙ୍କ ମୃତ୍ୟୁ ବେଳକୁ ତାଙ୍କ ପରିବାର ମଧ୍ୟରେ ଥିଲେ, ତାଙ୍କର ଶତବୃଦ୍ଧ ମୁମୂର୍ଷୁ ପିତା, ଗୁଣବତୀ, ବିଦୁଷୀ ପତ୍ନୀ ଅହଲ୍ୟା, ସୁକୁମାର କୁମାର ମାଲି ରାଓ ଏବଂ ପରମ ରୂପବତୀ, ସଦଗୁଣାଳଂକୃତ। ଦୁହିତା ମୁକ୍ତ। ବାଈ । ମଲହର ନାତି ନାତୁଣୀଙ୍କୁ ଦେଖି ପୁତ୍ରବିୟୋଗ ସଂପୂର୍ଣ୍ଣରୂପେ ବିସ୍ମୃତ ହୋଇ ଯାଇଥିଲେ । ଆହୁରି ମଧ୍ୟ ସଂପୂର୍ଣ୍ଣ ଯୌବନ, ବିଧବା ପୁତ୍ରବଧୂଙ୍କର କଠୋର ବ୍ରହ୍ମଚର୍ଯ୍ୟ ପାଳନ ତାଙ୍କ ମନରେ ଭାବାନ୍ତର ସୃଷ୍ଟି କରି ଦେଇଥିଲା । ସେ ସମସ୍ତ ଦୁଃଖ ଶୋକକୁ ଜଳାଞ୍ଜଳି ଦେଇ ଅଗତ୍ୟା କେତେକ ବର୍ଷ ରାଜ୍ୟଭାର ବହନ କରିଥିଲେ । ଅନନ୍ତର ମଲହର୍‌ ରାଓ କାଳ-ସ୍ରୋତରେ ଭାସିଯିବାରୁ, ତଦୀୟ ପୌତ୍ର ମାଲି ରାଓଙ୍କୁ ମନ୍ତ୍ରୀ ମାନେ ରାଜ-ସିଂହାସନରେ ଅଧିଷ୍ଠିତ କଲେ । ମାତ୍ର ଅଚୀରେ ମାଲି ରାଓଙ୍କୁ ମହାଯାତ୍ରା କରିବାକୁ ପଡ଼ିଲା । ପୁତ୍ର ଓ ଶ୍ୱଶୁରଙ୍କୁ ହରାଇ ଅହଲ୍ୟା ଶୋକରେ ବ୍ୟଥିତ ହୋଇ ରାଜ୍ୟରକ୍ଷା ନିମିତ୍ତ ସିଂହାସନରେ ବସିଲେ-। କିନ୍ତୁ ରାଜ୍ୟହିତୈଷୀ ସଚିବମାନଙ୍କର ଏପରି ଅଭିପ୍ରାୟ ନଥିଲା । କାଳେ ସାମ୍ରାଜ୍ୟ ଶତ୍ରୁର କରଜବଳିତ ହୋଇଯିବ, କିମ୍ବା ସ୍ଥାନେ ସ୍ଥାନେ ବିଦ୍ରୋହ ଘଟି ରାଜ୍ୟର ଅନିଷ୍ଟ ଘଟିବ, ଏଥିଲାଗି ଅହଲ୍ୟାଙ୍କ ମନ ନିରନ୍ତର ବ୍ୟାକୁଳ ହୋଇ ପଡ଼ୁଥିଲା । ସେ ଏ ସବୁର ନିବାରଣ ନିମିତ୍ତ କେବଳ ସାମ୍ରାଜ୍ୟ ଭାର ବହନ କରିଥିଲେ ।

 

ର।ଣୋଜୀଙ୍କ ମୃତ୍ୟୁର ଚତୁର୍ଥ ଦିବସ ପରେ ଶ୍ୟମସୁର ମାହୁ ନଗରରୁ ପ୍ରତ୍ୟାବୃତ୍ତ ହେଲେ-। ସେ ରାଧାକାନ୍ତଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇଲା ପରେ ତାଙ୍କ ସହିତ ଅହଲ୍ୟାଙ୍କ ସାକ୍ଷାତ ଲାଭ କରିବା ପାଇଁ ଗଲେ ।

 

ରାଧାକାନ୍ତ ମଲହର ରାଓଙ୍କର ପରମ ବନ୍ଧୁ, ବିଶ୍ୱାସ ଭାଜନ, ରାଜ୍ୟହିତୈଷୀ ସହକର୍ମୀ ଥିଲେ । ସୁତରାଂ ପ୍ରଜାବର୍ଗଙ୍କର ସେ ପରମ ଭକ୍ତିଭାଜନ ଓ ଅହଲ୍ୟାଙ୍କୁ ରାଜକାର୍ଯ୍ୟରେ ପରାମର୍ଶ ଦେବାରେ ଧୁରନ୍ଧର ଥିଲେ । ସେତେବେଳେ କିନ୍ତୁ ସେ ୭୦ ବର୍ଷ ବୟସ୍କ ବୃଦ୍ଧ । ମାତ୍ର ତାଙ୍କ ଶରୀର ଅତି ବଳିଷ୍ଠ, ତେଜୀୟାନ । ସେ ସବୁବେଳେ ରାଜଭକ୍ତ । ତାଙ୍କର ଅକପଟ ସରଳ ସ୍ଵଭାବ ଯୋଗୁଁ ଅହଲ୍ୟା ତାଙ୍କୁ ପ୍ରଧାନ ବିଶ୍ୱସ୍ତ କର୍ମ୍ମଚାରୀ ବୋଲି ମନେ କରିଥିଲେ । ଶ୍ୟାମସୁନ୍ଦର ମଧ୍ୟ ତାଙ୍କ ନିକଟରେ କୃତଜ୍ଞତା ଦେଖାଇ ରାଣୀଙ୍କ ପ୍ରତି ପ୍ରଗାଢ଼ ରାଜଭକ୍ତି ରଖି କାମ କରୁଥିଲେ । ଆସିବା ଦିନ ରାତି ରାଧାକାନ୍ତ ଦତ୍ତଙ୍କୁ ସଙ୍ଗରେ ଧରି ରାଣୀଙ୍କ ସାକ୍ଷାତ ଲାଗି ଗଲେ । ପ୍ରତିହାରୀ ଏମାନଙ୍କ ଆଗମନ ବାର୍ତ୍ତା ଅନ୍ତଃପୁରର ଗୋଟିଏ କକ୍ଷକୁ ଗମନ କଲେ । ମୁକ୍ତାଜାଲମଣ୍ଡିତ ଶ୍ୱେତଯବନିକା ଅନ୍ତରାଳରେ ଉପବିଷ୍ଟ ଜଣେ ଷୋଡ଼ଶୀ ରୁପବତୀଙ୍କୁ ଦେଖି ଉଭୟେ ଅଭିବାଦନ କଲେ । ଦତ୍ତ ପୂର୍ବରୁ ଅହଲ୍ୟାଙ୍କୁ ଦେଖି ନଥିଲେ । ଏ ତେବେ କ'ଣ ରାଣୀ ?- ବୋଲି ତାଙ୍କ ମନରେ ସନ୍ଦେହ ହେଲା । ମୁକ୍ତାବାଈ ନବାଗତ ଦତ୍ତଙ୍କୁ ଦେଖି ଅନ୍ତରାଳକୁ ଚାଲିଗଲେ । କିଛିକ୍ଷଣ ପରେ ରାଣୀ ଅହଲ୍ୟା ଯବନିକା ଉତ୍ତୋଳନ କରି ଉଜ୍ଜ୍ୱଳ ଦୃଷ୍ଟିରେ ରାଧାକାନ୍ତଙ୍କୁ ପଚାରିଲେ, ‘‘ଆପଣ ତେବେ ୟାଙ୍କରି ବିଷୟ କହୁଥିଲେ ?’’

 

‘‘ଆଜ୍ଞା, ଏଇ ଯୁବକ । ମଣିମା ମୋ ପ୍ରତି ଯେପରି ଭାବ ପୋଷିଛନ୍ତି, ସେହିପରି ସ୍ନେହ ଦୃଷ୍ଟିରେ ଏ ଯୁବକଙ୍କୁ ରକ୍ଷା କରିବେ, ଆଶା କରେ ।’’

 

ରାଣୀଙ୍କ ନୟନରୁ ହଠାତ ବିନ୍ଦୁଏ ତପ୍ତଅଶ୍ରୁ ଖସି ପଡ଼ିଲା । ଏ ଆକସ୍ମିକ ଦୁଃଖର କାରଣ କଅଣ ବୋଲି ଉଭୟେ ବିସ୍ମିତ ହେଲେ । ରାଧାକାନ୍ତ ଗଦ୍‌ଗଦ ସ୍ୱରରେ କହିଲେ, ‘‘ମଣିମା, ଏ କଅଣ ? ଆକସ୍ମିକ ବିଷାଦ ଓ ଦୁଃଖର କାରଣ ଥିଲେ ମଧ୍ୟ ଧୈର୍ଯ୍ୟ ଅବଲମ୍ବନ ନକଲେ ଚଳିବ କିପରି ?’’

 

ଅହଲ୍ୟା ପ୍ରବୋଧ ମାନିଲେ ସତ୍ୟ, ମାତ୍ର ଆଶ୍ୱସ୍ତ ହୋଇ ପାରିଲେ ନାହିଁ । ‘ଏ ଯୁବକର ମୁଖଶ୍ରୀ ଠିକ ସେହିପରି । ହା ବତ୍ସ, ମାଲି ରାଓ ! ତୁମ ମୃତ୍ୟୁଲାଗି ମୁଁ ଏ ବିଶ୍ୱାସହୀନ ମନ୍ତ୍ରୀ-ପଶୁମାନଙ୍କର ସାହାଯ୍ୟ ଓ ଆଶ୍ରୟ ଭିକ୍ଷା କରିବାକୁ ବାଧ୍ୟ ହୋଇଅଛି । ବତ୍ସ, ମୋତେ ଏକାକିନୀ କରିଗଲ ?’ ବୋଲି ବାହୁନିବାକୁ ଲାଗିଲେ । ମୁକ୍ତା ବାଈ ନିକଟସ୍ଥ କକ୍ଷରେ ଥାଇ ମଧ୍ୟ ଭାଇଙ୍କର ପୂର୍ବସ୍ମୃତି ମନେ କରି ବିଳାପ ନକରି ରହି ପାରିଲେ ନାହିଁ ।

 

ଏ ଦୁଃଖରେ ରାଧାକାନ୍ତଙ୍କ ହୃଦୟ ବିଚଳିତ ହେଲା । ସେ ଅବିରଳ ଅଶ୍ରୁ ବର୍ଷଣ କରି ପରେ ଏହା ପୁରୁଷୋଚିତ ନୁହେ ଭାବି ଆଶ୍ୱସ୍ତ ହେଲେ । ସଙ୍ଗେ ସଙ୍ଗେ ସମବେଦନା ପ୍ରକାଶପୂର୍ବକ କହିଲେ ‘‘ମଣିମା, ଛାମୁ ଏପରି ବିଳାପ କଲେ ଚଳିବ ? କଠୋର କର୍ତ୍ତବ୍ୟ ସମ୍ମୁଖରେ, ରାଜ୍ୟଭାରରୂପ ଗୁରୁଦାୟିତ୍ୱ ବହନ କରି ଅଧୈର୍ଯ୍ୟ ହେଲେ ଶତ୍ରୁ ଆମର ହୀନତା ବୁଝିବ ସିନା ? ଧୈର୍ଯ୍ୟ ଧରନ୍ତୁ । ମାଲି ରାଓ ଛାମୁଙ୍କ ଗର୍ଭରେ ଅଗ୍ନି ବର୍ଷଣ କରି ଯାଇଛନ୍ତି । ଏ ଶୋକାନଳ ପ୍ରଶମିତ ହୋଇ ନପାରେ ସତ୍ୟ, କିନ୍ତୁ ମାଲି ରାଓ କଦାପି ଫେରିବେ ନାହିଁ । ତେବେ ଅକାରଣ ଦୁଃଖରେ, ବିଳାପରେ ଲାଭ କ'ଣ? ଗୋଟିଏ ସନ୍ତାନ ତୁମେ ହରାଇ ବସିଛ; କିନ୍ତୁ ମା, ବର୍ତ୍ତମାନ କୋଟି କୋଟି ସନ୍ତାନର ଦୁଃଖ ପ୍ରତି, ଅଭାବ ଅସୁବିଧା ପ୍ରତି ଲକ୍ଷ୍ୟ ରଖ । ଆମ୍ଭେମାନେ ତ ଆପଣଙ୍କର ଅଛୁଁ-ଆଉ ଅଧେର୍ଯ୍ୟ କାହିଁକି ?’’

 

ରାଣୀ ପ୍ରବୋଧ ମାନିଲେ । ପରେ ଅଶ୍ରୁ ମୋଚନ କରି କହିଲେ, ‘‘ମୁଁ ତ ମୋ ପ୍ରଜାଙ୍କୁ ପୁତ୍ରବତ୍‌ ମନେ କରିଛି । କିନ୍ତୁ ସେମାନଙ୍କ ମଧ୍ୟରେ କେତେ ଯେ ଅବିଶ୍ୱାସୀ, କୁଟିଳପ୍ରକୃତି, ରାଜଦ୍ରୋହୀ ମୋର ସର୍ବନାଶ କରିବାକୁ, ରାଜ୍ୟର ବିଦ୍ରୋହ ଘଟାଇବାକୁ ଭୀଷଣ ଷଡ଼ଯନ୍ତ୍ର ଆରମ୍ଭ କରୁଛନ୍ତି’’- ଭାବିଛ ପାପିଷ୍ଠଗଣ, ଅନ୍ୟାୟରେ ଅଧର୍ମରେ ତୁମେ ନ୍ୟାୟକୁ ପରାସ୍ତ କରିବ ବୋଲି । ଭାବିଛ, ମୋତେ ଅବଳା ଦେଖି ବଳପୂର୍ବକ ମୋର ନ୍ୟାଯ୍ୟ ଦାବୀ ଗ୍ରହଣ କରିବ ବୋଲି । ଦେଖିବ ତେବେ, ପୁରୁଷର କୌଶଳ, ବୀର୍ଯ୍ୟ, ଶୌର୍ଯ୍ୟ ଆଗରେ କିପରି ନାରୀର ଆଲୋକ ଚାତୁରୀ ପରାଭୂତ ହୁଏ ?

 

‘‘ଏ ରାଜ୍ୟରେ ତେବେ ଏପରି ରାଜଦ୍ରୋହୀ, ପାପିଷ୍ଠ ଅଛନ୍ତି ? ସେ ହତଭାଗ୍ୟ କିଏ ସେ-?’’

 

‘‘ମୁଁ ଆପଣଙ୍କୁ, ଗଙ୍ଗାଧର ଯଶୋବନ୍ତ ରାଓଙ୍କୁ ଆଶା କରିଥିଲି; ମାତ୍ର ମୋ ଆଶା–’’

 

ରାଧାକାନ୍ତ ଉଦ୍‌ବେଗର ସହିତ କହିଲେ,’’ମଣିମା, ତେବେ ମୋତେ ସନ୍ଦେହ କରୁଛନ୍ତି ? ଛାମୁଁଙ୍କ ପଦ ସ୍ପର୍ଶ କରି କହୁଛି, ଏ ପ୍ରାଣ ହୋଲକାର ରାଜ୍ୟ ପାଇଁ ଉତ୍ସର୍ଗ କରିବି । ଧମନୀରେ ବିନ୍ଦୁ ଏ ରକ୍ତ ଥିବାଯାଏ, ସେଇ ଵିନ୍ଦୁକ ଛାମୁଙ୍କ ମଙ୍ଗଳ ସକାଶେ ଅର୍ପଣ କରିବି । ଛାମୁ ଅବଶ୍ୟ ମୋର ବିଶ୍ୱସ୍ତତା ଜାଣିଥିବେ ।’’

 

‘‘ମୁଁ ଅବଶ୍ୟ ଆପଣଙ୍କୁ ସନ୍ଦେହ କରି ନାହିଁ । ଗଙ୍ଗାଧର ଯଶୋବନ୍ତ ରାଓଙ୍କ ସମ୍ବନ୍ଧରେ କହିଛି । କାଲି ସେ ପୋଷ୍ୟପୁତ୍ର କରିବା ଲାଗି ମୋତେ ଅନୁରୋଧ କରିବା ସଙ୍ଗେ ସଙ୍ଗେ ନିଗ୍ରହ ମଧ୍ୟ କରିଛନ୍ତି । ମୋ ରାଜତ୍ୱ ପ୍ରଜାବର୍ଗର ଅମନୋନୀତ ବୋଲି ମଧ୍ୟ ଦର୍ଶାଇଛନ୍ତି । ଭାବିଥିଲି ପୁରୋହିତ ଓ ମନ୍ତ୍ରୀ ମୋର ଉପକାର କରିବେ । ମାତ୍ର ମୋ କଳ୍ପନାର ବିପରୀତ ଫଳ ଫଳିଛି ।’’

 

ଏ କଥା ଶୁଣି ମୁକ୍ତା ବାଈ ବିଚଳିତ ହେଲେ । ଭବିଷ୍ୟତରେ ଯେପରି ଯଶୋବନ୍ତ ରାଓଙ୍କ ସହିତ ରାଣୀଙ୍କର ମନୋମାଳିନ୍ୟ ନରହୁ ଏଥିଲାଗି ସେ ଉର୍ଦ୍ଧ୍ୱ ଦୃଷ୍ଟିରେ ପ୍ରଭୁଙ୍କୁ ନିରବ ପ୍ରାର୍ଥନା ଜଣାଇଲେ । ରାଧାକାନ୍ତ ଇତି ପୂର୍ବରୁ ଗଙ୍ଗାଧରଙ୍କ ସମ୍ବନ୍ଧରେ ସନ୍ଦେହ କରିଥିଲେ । ବର୍ତ୍ତମାନ ତାହା ତାଙ୍କର ଦୃଢ଼ୀଭୂତ ହେଲା ।

 

ଦତ୍ତ ରାଣୀଙ୍କ କଥାର ମର୍ମ ସ୍ପଷ୍ଟରୂପେ ବୁଝି ନପାରି ନ୍ୟାୟଶୀଳ ଯଶୋବନ୍ତ ରାଓ ଏପରି ଷଡ଼ଯନ୍ତ୍ର କରି ପାରିବେ କି ନ ମନେ ମନେ ତର୍କ କରିବାକୁ ଲାଗିଲେ । ଅହଲ୍ୟାବାଈ କହିଲେ,’’ଆଉ ବିଶେଷ ଖବର ? ବିଚରା ରାଣୋଜୀଙ୍କ ମୃତ୍ୟୁ-ଆହା, ଦୌଲତଙ୍କର କି ଘୋର ଦୁଃଖ ?’’

 

ଖାଲି ତାଙ୍କର ନୁହେ ତ ଗୋଟିଏ ସରଳା ବାଳିକାର ସର୍ବନାଶ ! ବିବାହର ମାସେ ପୂରି ନାହିଁ ତାଙ୍କ ପତ୍ନୀ କମଳା ବିଧବା ! ଆହା, ବଡ ସୁନ୍ଦରୀ ! ଖୁବ ଲାବଣ୍ୟବତୀ ।’’

 

ଦତ୍ତ ଧୀରେ ଧୀରେ କହିଲେ,’’ଦୁଷ୍ଟ ଦୌଲତ ରାଓ କମଳାଙ୍କୁ ବଡ଼ ହଇରାଣ କରୁଛନ୍ତି, ଶୁଣିଲି ।’’ ଅହଲ୍ୟା ଅଗ୍ନିଶର୍ମା ହୋଇ ଉଠିଲେ । ହଠାତ ତାଙ୍କ ନୟନରୁ ଅଗ୍ନିକଣିକା ନିର୍ଗତ ହେଲା-। ସେ କହିଲେ,’’କଣ! ମୋ ରାଜତ୍ୱ ପ୍ରାରମ୍ଭରେ ପତିବ୍ରତା ପ୍ରତି ଅନ୍ୟାୟ, ଅତ୍ୟାଚାର ! ମୋ ପ୍ରତି ତାଙ୍କର ଦ୍ଵେଧ ବା ହିଂସା ଥାଇ ପାରେ, ଏଥିପାଇଁ ସେ ବାଳିକା ଉପରେ ଅତ୍ୟାଚାର କରି ତାର ପ୍ରତିଶୋଧ ନେବେ ? ନା, ଦୌଲତଙ୍କୁ ଡକାଇ ଆଣି ବରାବର ଏହାର ପ୍ରତିକାର କରିବାକୁ ହେବ-।’’

 

ଭାଉଜଙ୍କୁ ବିବାହ କରିବାକୁ ଦୌଲତ ଉଦ୍ୟତ । ଏ କଥା ଭଲ ନୁହେ ବୋଲି ମୁଁ ଉପଦେଶ ଦେଲେ ମଧ୍ୟ ବାଳିକା ଅବିବାହିତା ବୋଲି ସେ ବରାବର କହୁଛନ୍ତି । ବାଳିକା କିନ୍ତୁ ନିଶ୍ଚୟ ପରିଣୀତା । ବୈଧବ୍ୟ ଭୋଗିବାକୁ ବସିଛନ୍ତି ମଧ୍ୟ । କିନ୍ତୁ ମଣିମା ଏ ବିଷୟରେ ଚିହ୍ନା ପଡ଼ିବା ଆଦୌ ଭଲ ନୁହେ । ସେ ଦୁଷ୍ଟ ଯଦି ଶତ୍ରୁ ସହିତ ମିଳିତ ହୁଏ, ତେବେ କ୍ଷତି ସମ୍ଭାବନା ।’’

 

‘‘ଏହା ବୋଲି ମୋ ରାଜ୍ୟରେ ନାରୀ ନିର୍ଯ୍ୟାତିତ ହେବ ? ନା, ରାଧାକାନ୍ତ, ମୁଁ ଜାଣି ଶୁଣି ଏ ପାପକୁ ପ୍ରଶ୍ରୟ ଦେଇ ପାରିବି ନାହିଁ । ଅସହ୍ୟ ଏ ଯାତନା ମୋ ପକ୍ଷରେ । ସାଧୁମାନଙ୍କର କଷ୍ଟ ନିବାରଣ ନକଲେ ସିଂହାସନରେ ବସି କି ଲାଭ ?’’

 

ଦତ୍ତ ଆଶ୍ଚଯ୍ୟ।ନ୍ଵିତ ହୋଇଗଲେ । ରାଣୀଙ୍କ ଗଭୀର ଧର୍ମାନୁରାଗ ତାଙ୍କ ମନରେ ପ୍ରବଳ ବାତ୍ୟା ସୃଷ୍ଟି କଲା । ସେ ମନେ ମନେ ଭାବିଲେ, 'ଆହା, କି ସୁନ୍ଦର ଧର୍ମପରାୟଣତା ! ସାକ୍ଷାତରେ ଯେପରି ମୂର୍ତ୍ତିମାନ ଧର୍ମ । ପରମେଶ୍ୱର ଏହାଙ୍କର ମଙ୍ଗଳ ବିଧାନ କରନ୍ତୁ ।'

 

ରାଧାକାନ୍ତ ରାଓ କହିଲେ,’’ମଣିମା, ଯଶୋବନ୍ତ ରାଓ ପ୍ରମୁଖ ରାଜଦ୍ରୋହୀ କେଉଁମାନେ? ସେଥିଲାଗି ଆମ୍ଭମାନଙ୍କୁ କିପରି ପ୍ରତିକାର କରିବାକୁ ହେବ?’’

 

‘‘ଦୌଲତ ଯଶୋବନ୍ତଙ୍କ ସହିତ ମିଳିତ ହେବେ । ଆଉ କିଏ ସେଥିରେ ଯୋଗ ଦେବେ ଜାଣେ ନାହିଁ । ଆପଣ ଯେବେ ଦେଶ ହିତରେ ଆତ୍ମବଳି ଦେବା ପାଇଁ ପ୍ରସ୍ତୁତ ହେବେ, ତେବେ ନିଶ୍ଚୟ ଆମ୍ଭେମାନେ ଜୟ ଯୁକ୍ତ ହୋଇ ପାରିବୁଁ । ମୁଁ ମହାରାଷ୍ଟ୍ର ରମଣୀ-ମୋତେ ବିଶ୍ୱାସ କରନ୍ତୁ । ଶୌର୍ଯ୍ୟ ବଳରେ ସମସ୍ତଙ୍କୁ ବରାବର ପରୀକ୍ଷା କରିବା ଲାଗି ମୋର ଇଚ୍ଛା ।’’

 

‘‘ଶ୍ରୀଛାମୁଙ୍କ ପଦ ସ୍ପର୍ଶ କରି କହୁଛ, ପ୍ରଭୁ ବିଶ୍ୱେଶ୍ୱର ଅନ୍ତର୍ଯ୍ୟାମୀ ସର୍ବଦର୍ଶୀ-ସେ ମଧ୍ୟ ଅନ୍ୟ ପକ୍ଷରେ । ରାଧାକାନ୍ତ କଦାପି ରାଜଦ୍ରୋହୀ ନୁହେ । ପ୍ରଜା ରକ୍ତ ଶୋଷକ ନୁହେ ।’’ ‘‘ବତ୍ସ ଦତ୍ତ ! ତୁମେ ମଧ୍ୟ ଏ ଶପଥ ଗ୍ରହଣ କର ।’’

 

‘‘ଅଖିଳ ଦେବଗଣଙ୍କ ନାମରେ ଶପଥ କରୁଛି-ମୁଁ ବରାବର ରାଣୀଙ୍କ ଆଜ୍ଞା ପାଳନ କରିବି’’ ବୋଲି ଦତ୍ତ ରାଣୀଙ୍କ ପଦ ସ୍ପର୍ଶ କଲେ ।

 

ଯୁଗପତ୍‌ ଆନନ୍ଦ ଓ ବିସ୍ମୟରେ ଅହଲ୍ୟା ଉଭୟଙ୍କୁ ବିଦାୟ ଦେଇ ଅନ୍ୟ କର୍ତ୍ତବ୍ୟରେ ଲାଗିଲେ ।

Image

 

ସପ୍ତମ ପରିଚ୍ଛେଦ

ଷଡ଼ଯନ୍ତ୍ର

ଗଙ୍ଗାଧର ଯଶୋବନ୍ତ ରାଓ ଯୁବକ ହେଲେହେଁ ତାଙ୍କର ବୁଦ୍ଧି ପ୍ରଖର, ବାହୁବଳ ଅସାଧାରଣ । ତାଙ୍କର କର୍ମ କୁଶଳତା ଗୁଣରୁ ସେ ହୋଲକାର ରାଜ୍ୟର ସଚିବ ଓ ପୁରୋହିତ ରୂପେ ପ୍ରତିଷ୍ଠା ଲାଭ କରି ରାଜ-ମନ୍ଦିରର ମୂଳସ୍ତମ୍ଭ ସଦୃଶ୍ୟ ହୋଇଥିଲେ । ମଲହରଙ୍କ ମୃତ୍ୟୁ ପରେ ରାଜ୍ୟରେ ନିଜର ପ୍ରତିପତ୍ତି ଅକ୍ଷୁର୍ଣ୍ଣ ରଖିବା ଲାଗି ସେ ନିରନ୍ତର ଯତ୍ନ କରୁଥିଲେ ଏବଂ ପୋଷ୍ୟପୁତ୍ର କରିବା ପାଇଁ ମଧ୍ୟ ରାଣୀଙ୍କୁ ପ୍ରବର୍ତ୍ତାଉ ଥିଲେ । କାରଣ ତାଙ୍କର ଆଶା ଥିଲା, ପୁତ୍ର ପ୍ରାପ୍ତ ବୟସ୍କ ହେବା ପର୍ଯ୍ୟନ୍ତ ଶାସନ ଭାର ନିଶ୍ଚୟ ତାଙ୍କ ବାହୁବଳ ଉପରେ ନିର୍ଭର କରିବ । ମାତ୍ର ରାଣାଙ୍କର ଇଚ୍ଛା ଥିଲା-ଏହାର ବିପରୀତ ଦିଗରେ । ସୁତରାଂ ଗଙ୍ଗାଧର କ୍ରୋଧରେ ଅନ୍ୟ କେତେ ଜଣଙ୍କୁ ଆୟତ୍ତ କରି ରାଣୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ଆରମ୍ଭ କଲେ ।

 

ଗଙ୍ଗାଧର ଯଶୋବନ୍ତ ରାଓ ଭୋଜନ ପରେ ଆଜି ବନ୍ଧୁମାନଙ୍କ ଅପେକ୍ଷାରେ, ମନ୍ତ୍ରଣା ଲାଗି ପ୍ରସ୍ତୁତ । ହଠାତ ହରିହର ପ।ଣ୍ଡିଆଜୀ ସେ କକ୍ଷ ମଧ୍ୟରେ ପ୍ରବିଷ୍ଟ ହେଲେ । ଦରହାସର ଗୋଟିଏ କ୍ଷୀଣଧାରା ତାଙ୍କର ମୁଖରୁ ଖସି ପଡ଼ୁଥିଲା । ସେ କହିଲେ, ‘‘ମହାଭାଗ, ହୋମାଜୀ ଓ ଦୌଲତ ରାଓ ପ୍ରଭୃତି ବରାବର ପ୍ରସ୍ତୁତ ଅଛନ୍ତି । ସେମାନଙ୍କୁ ଏଠାକୁ ଆସିବାକୁ କହିଛି । ବୋଧହୁଏ ଆସୁଥିବେ । ଆପଣଙ୍କର ରାତ୍ରି ଭୋଜନ ସାରିଲାଣି ତ ?’’

 

‘‘ମୁଁ ତ ପ୍ରସ୍ତୁତ । ମାତ୍ର ରଘୁନାଥ ରାଓ କଅଣ କହୁଛନ୍ତି ? ମୁଁ କହିଥିଲା ପରି ତାଙ୍କୁ କହିଛ ତ ?’’

 

‘‘ରଘୁନାଥଙ୍କର ଏଥିରେ ପ୍ରବଳ ଇଚ୍ଛା । ସେ ବରାବର ପ୍ରସ୍ତୁତ । ଯେତେବେଳେ କହିବେ, ସେତେବେଳେ ସେ ସୈନ୍ୟସେନା ସହିତ ଯୁଦ୍ଧ କରି ଅହଲ୍ୟା ବାଈଙ୍କୁ ସିଂହାସନ ଚ୍ୟୁତ କରିବା ପାଇଁ ସିଦ୍ଧ ହସ୍ତ ।’’

 

‘‘କଅଣ କହୁଛ ! ଏପରି ବାକ୍‌ଦାନ କରିଛନ୍ତି ସେ ? ‘‘ଯଶୋବନ୍ତ ବିସ୍ମୟ ବିସ୍ଫାରିତ ଚକ୍ଷୁରେ ଏ ଉତ୍ତର ଦେଲେ ।

 

‘‘କହୁଛି କଣ ! ମୁଁ ଯେ ତାଙ୍କର ହୃଦୟ-ପ୍ରଧାନ ଅନ୍ତରଙ୍ଗ । ସେ ମୋତେ କଦାପି ମିଥ୍ୟା କହିବେ ? ତାଙ୍କୁ ରାଜ୍ୟର ଯଦି କେତେକାଂଶ ଦିଅନ୍ତି, ତେବେ ତ ସେ ଆପଣଙ୍କୁ ହୋଲକାର ସିଂହାସନରେ ବସାଇ ଦିଅନ୍ତେ ।’’

 

ଆଛା, ‘‘ତୁମେ ତ ମୋର ପରମ ଆତ୍ମୀୟ’’ ବୋଲି ଯଶୋବନ୍ତ ହରିହରଙ୍କୁ ଆଲିଙ୍ଗନ କରି କହିଲେ, ‘‘ମୁଁ ହୋଲକାର ହେଲେ ତାଙ୍କୁ ଅଧେ ରାଜ୍ୟ ଦେବା ତ କିଛି ବିଚିତ୍ର ନୁହେ । କିନ୍ତୁ ସେ ରାଜପଦ ପ୍ରତି ମୋର ଇଚ୍ଛା, ଅବଳାର ଏ ଗର୍ବ, ଏ ଅଭିମାନ ଚୂର୍ଣ୍ଣ କରିବି । ଦେଖାଇ ଦେବି ନାରୀ କିପରୀ ଦୁର୍ବଳ; ପୁରୁଷ ବ୍ୟତୀତ ତା ପକ୍ଷରେ ଚଳିବା କିପରି ଅସମ୍ଭବ । ଅହଲ୍ୟାଙ୍କୁ ଦେଖିଲେ ଘୃଣା ଆଉ ଜିଘାଂସାରେ ମୋ ହୃଦୟ ଜଳି ଉଠୁଛି; ମାତ୍ର ସେ ସରଳା ମୁକ୍ତା ବାଈଙ୍କ ପ୍ରତି କରୁଣା ସଂଚାର ହେଉଛ ।’’

 

ହଠାତ ଭୃତ୍ୟ ସହିତ ହୋମାଜୀ ରାଓ ସେ କକ୍ଷରେ ପ୍ରବିଷ୍ଟ ହେଲେ । ଯଶୋବନ୍ତ ଆଳାପନା ବନ୍ଦ କରି ପରିହାସ ପୂର୍ବକ କହିଲେ, ‘‘ଓହୋ, କତ୍‌ବାଲ ପରା । ଆମକୁ ବନ୍ଦୀ କରିବାକୁ ଆସିଛ, ଦେଖିଛି । ସେ କିଏ ?’’ ହେମାଜୀ ରାଓ ହସି, ‘ତୁମେ ରାଣୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛ-? ତାଙ୍କ ଅନ୍ନରେ ଲାଳିତ ପାଳିତ ହୋଇ ଆମେ ନିଶ୍ଚେଷ୍ଟ ରହି ପାରିବୁ' ବୋଲି ଉତ୍ତର ଦେଲେ । ପରେ ପୁଣି ପ୍ରଶ୍ନ କଲେ, ‘‘ଦୌଲତ ରାଓ ଆସି ନାହାନ୍ତି ? ଆପଣ ବୋଧହୁଏ ଆଗନ୍ତୁକ ପ୍ରତି ସନ୍ଦେହ କରୁଥିବେ ? ନା, ସେ ମୋର ପରମ ବନ୍ଧୁ ସଖାରାମ । ତାଙ୍କ ଘର ଉଆସିଆ ଗ୍ରାମରେ । ଆମ କାର୍ଯ୍ୟରେ ସେ ବରାବର ପକ୍ଷପାତୀ ।’’

 

ଏପରି କହିବା ବେଳକୁ ଦ୍ୱାପର ସହିତ କଳିମୁର୍ତ୍ତି ତୁଲ୍ୟ ଦୌଲତ ରାଓ ଧୁଣ୍ଡି ରାଓଙ୍କ ସହିତ ସେ କକ୍ଷ ଅଳଂକୃତ କରି ଦେଲେ । ଯଶୋବନ୍ତ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରି, ଅନ୍ୟାନ୍ୟମାନଙ୍କ ସହିତ କୋଠା ଉପରକୁ ଗଲେ । ସମସ୍ତେ ପରସ୍ପର ପ୍ରତି ସ୍ନେହାକୃଷ୍ଟ - ଅପରିଚିତ ନୁହନ୍ତି । ମାତ୍ର ସଖାରାମ ସମସ୍ତଙ୍କର ସନ୍ଦେହ ଏକତ୍ରିତ କଲେ । ସେ ହୋମାଜୀଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ । ତାଙ୍କର ସମ୍ମୁଖରେ ଗୁପ୍ତ ବିଷୟ ସମାଲୋଚନା କରିବା ପାଇଁ ସମସ୍ତଙ୍କର ସନ୍ଦେହ । ମାତ୍ର ହୋମାଜୀଙ୍କ ଉତ୍ସାହରେ ହଠାତ ପ୍ରଶୟ-ଗ୍ରନ୍ଥି ଫିଟିଗଲା ।

 

ଯଶୋବନ୍ତ ଆହ୍ଲାଦରେ କହିଲେ, ‘‘ବନ୍ଧୁଗଣ, ଆମ୍ଭେମାନେ କି ଉଦ୍ଦେଶ୍ୟରେ ଏଠାରେ ସମବେତ, ସମସ୍ତେ ଜାଣ । ଆମ୍ଭମାନଙ୍କର ଶାସକ, ହୋଲକାର ରାଜ୍ୟ ରକ୍ଷକ ମଲହର ରାଓ ବର୍ତ୍ତମାନ ଅମର ଧାମରେ । ସେ ପୁତ୍ରହୀନ । ତାଙ୍କ ଅନ୍ତେ ରାଜ୍ୟଭାର ଗ୍ରହଣ କରି ସୁଶାସନ ଚଳାଇବା ଲାଗି ଅଛି କିଏ ? ଏଥିଲାଗି ତ ଅହଲ୍ୟା ବାଈଙ୍କୁ ପୋଷ୍ୟପୁତ୍ର ଗ୍ରହଣ କରିବା ଲାଗି ପରାମର୍ଶ ଦିଆ ଯାଇଥିଲା । ସେ ଏ ପ୍ରସ୍ତାବ ଉପେକ୍ଷା କରି ଆମ୍ଭମାନଙ୍କ ଉପରେ ଶାସନ ଚଳାଇବାକୁ ପ୍ରସ୍ତୁତ । 'ସ୍ତ୍ରୀ ବୁଦ୍ଧି ପ୍ରଳୟଙ୍କରୀ' ଏ ଶାସ୍ତ୍ର ବାକ୍ୟ କଦାପି ଅମୂଳକ ନୁହେ । ସେଥିପାଇଁ ନାରୀକୁ ଶିକ୍ଷା ଦେବା ଉଚିତ । ତାର ଚୈତନ୍ୟ ଆଣିବା ଆବଶ୍ୟକ ।’’

 

ହୋମାଜୀ:- ଆହା, କି ଦୁର୍ଘଟନା ! ଅବଳାର ରାଜ୍ୟ ଶାସନ । ପୁରୁଷ ପ୍ରତି ଅବମାନନା । ଏ କଣ କମ୍‌ ଅପମାନ?

 

ଦୌଲତ:- ଶ୍ଵଶୁରଙ୍କ ମୃତ୍ୟୁ, ପୁତ୍ର ବିୟୋଗ ତ ତାଙ୍କ ପକ୍ଷରେ ପରମ ମଙ୍ଗଳ । ଜୀବନରେ ଏ ଗୁଡ଼ିକ ଆନନ୍ଦ, ମହୋତ୍ସବ ବୋଲି ସେ ମନେ କରନ୍ତି । ଓହୋ, କେଡ଼େ ନିଷ୍ଠୁର ସେ ରାଣୀ ! ପୁତ୍ର ବିୟୋଗର ତିନି ମାସ ନଯାଉଣୁ, ସେ ରାଜ୍ୟ ଶାସନ କରିବାକୁ ପ୍ରସ୍ତୁତ ।

 

ଯଶୋବନ୍ତ:- ପୁତ୍ର ବିୟୋଗରେ ଶୋକ କରିବା ତେଣେ ଥାଉ, ପ୍ରଜାପୁଞ୍ଜଙ୍କ ନିନ୍ଦା ବା ଅପମାନକୁ ତ ତାଙ୍କର ଭ୍ରୂକ୍ଷେପ ନାହିଁ । ବରଂ ରାଜ୍ୟ ଲାଭ ଆଶା ତାଙ୍କ ମନରୁ ଲଜ୍ଜା ଓ ଅପମାନ ସୁଦ୍ଧା ଅନ୍ତର କରି ଦେଇଛି ।

 

ଧୁଣ୍ଡି:- ଚଞ୍ଚଳ କର୍ତ୍ତବ୍ୟ ସ୍ଥିର କରିବା ଭଲ ।

ଯଶୋ:- ଆମ୍ଭେମାନେ ଗୌରବାନ୍ୱିତ ମରହଟ୍ଟା । ଶିବାଜୀଙ୍କ ସମୟରୁ ଏ ଜାତି ଜୀବନ ଅପେକ୍ଷା ସମ୍ମାନ ରକ୍ଷା ଅଧିକ ଗୌରବାବହ ବୋଲି ମନେ କରି ଆସିଛି । ଆଜି ଏହା ଅବଶ୍ୟ ନୂତନ ନୁହେ । ଆପଣମାନଙ୍କୁ ସେ ସବୁ ବୁଝାଇବା ନିଷ୍ପ୍ରୟୋଜନ । କିନ୍ତୁ ହରିହର, ସେହି ଭୁବନ ବିଖ୍ୟାତ ଶିବାଜୀଙ୍କ ବଂଶଧର ଆଜି ଜଣେ ଅବଳାର ଭୃତ୍ୟ, ଦାସ।ନୁଦାସ । ଭବିଷ୍ୟତକୁ ଭଲ କରି ଦେଖ, ବନ୍ଧୁଗଣ ! ନାରୀର ପ୍ରଭୃତ୍ୱରେ ଆମ୍ଭମାନଙ୍କର ଗୌରବ କିପରି ହାନି ହୋଇ ପଡ଼ିଛି । ଯେ ନାରୀର ସ୍ତାବକ, ଯାର ବୀର କେଶ ନାହିଁ, ଧମନୀରେ ରକ୍ତ ନାହିଁ, ହାତରେ ଶାଣିତ କରବାଳ ଧରିବାକୁ ଶକ୍ତି ନାହିଁ, ସେ ତାର ପ୍ରଭୃତ୍ୱ ସ୍ୱୀକାର କରୁ, କ୍ଷତି ନାହିଁ । ଯଦି ପ୍ରକୃତ ବୀର ବଂଶରେ ଜନ୍ମ ଗ୍ରହଣ କରିଥାଅ, ବୀର ଚୂଡ଼ାମଣି ମହାରାଷ୍ଟ୍ର ତିଳକ ଶିବାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଥାଅ, ତାହା ହେଲେ ଏ ନାରୀର ଗର୍ବ ଚୂର୍ଣ୍ଣ କର । ତାକୁ ସିଂହାସନ ଭ୍ରଷ୍ଟ କରି ଦେଖାଇ ଦିଅ ମହାରାଷ୍ଟ୍ର ବୀରର କୃତିତ୍ୱ । ଏଥିରେ ତୁମ୍ଭେମାନେ ସମ୍ମତ ଅଛ ତ?’’

 

ଦୌଲତ:- ଏ ପୁଣି କି ପ୍ରଶ୍ନ ? ନାରୀ-ରାଜ୍ୟରେ ଦୁଇ ତିନି ମାସ ରହି ଯେ ଲଜ୍ଜା, ଅପମାନ ଭୋଗ କରିବାକୁ ହେଉଛି ତାହା ଶତ୍ରୁ ପକ୍ଷରେ ମଧ୍ୟ କଷ୍ଟକର, ଯନ୍ତ୍ରଣା ଦାୟକ । ଏଣିକି ତୁମ ସହିତ ବରାବର ସହଯୋଗ କରି ଭୀଲମାନଙ୍କ ସାହାଯ୍ୟରେ ଦେଶ ତମାମ ଲୁଣ୍ଠନ ଚଳାଇବାକୁ ହେବ । ତାହା ହେଲେ ଅହଲ୍ୟା ସ୍ୱତଃପ୍ରବୃତ୍ତ ହୋଇ ଆମ୍ଭମାନଙ୍କ ଆଶ୍ରୟ ଲୋଡ଼ିବେ ।

 

ଯଶୋ:- ତାଙ୍କ ପ୍ରତି କ୍ରୋଧାନ୍ୱିତ ହୋଇ ନିରପରାଧ ପ୍ରଜାର ଧନ ସମ୍ପତ୍ତି ଲୁଣ୍ଠନ କରିବା ଅକାରଣ, ଉଚିତ ନୁହେ । ଆମ୍ଭମାନଙ୍କ ମଧ୍ୟରେ ହିଂସା, ଦ୍ଵେଷର ତୁମୁଳ ଆନ୍ଦୋଳନ ଚଳୁଥିଲେ ମଧ୍ୟ ରାଜ୍ୟର ଅନିଷ୍ଟ ଚିନ୍ତା କଦାପି ମଙ୍ଗଳକର ନୁହେ । ପ୍ରଜାଙ୍କୁ ସୁଖଶାନ୍ତିରୁ ବଞ୍ଚିତ କରିବା ମହାଦୋଷ । ସେମାନଙ୍କର ଶାନ୍ତିହିଁ ଆମର ଶକ୍ତି ।

 

ହୋମାଜୀ:- ମୁଁ ଆଗରୁ ଅବଶ୍ୟ ଏ କଥା ଭାବି ଦେଖିଛି । ପ୍ରଥମେ ଉଦୟପୁର ମହାରଣାଙ୍କୁ ସମ୍ବାଦ ଦେବାକୁ ହେବ । ସେ ଆମ୍ଭମାନଙ୍କଠାରୁ ଉତ୍ସାହ ପାଇଲେ ଆମ ରାଜ୍ୟ ବିରୁଦ୍ଧରେ ଅଭିଯାନ ଚଳାଇବେ । ସେହେତୁ ବେତାଳ ସିଂହକୁ ମୁଁ ଆଗରୁ ଏହା କହି ସାରିଛି ।

 

ଯଶୋ:- ରାଜପୁତ୍‌ ଅତି ଅସାଧ୍ୟ । ସେମାନଙ୍କୁ ଲୋଡ଼ି ଆଣିବା ସହଜ, କିନ୍ତୁ ତଡିବା ବଡ଼ କଷ୍ଟ । ଯଦି ବିଦେଶୀୟର ସାହାଯ୍ୟ ନିତାନ୍ତ ପ୍ରୟୋଜନ ମନେ କରୁଛ ତେବେ ତ ରଘୁନାଥ ରାଓଙ୍କୁ ସାହାଯ୍ୟ ମାଗିବା ଅତି ଭଲ ।

 

ଧୁଣ୍ଡି:- ଆଉ ଗୋଟିଏ କଥା, ମହାଭାଗ ! ଆମର ଗୁପ୍ତ ବିଷୟ ଜାଣିବାକୁ ରାଧାକାନ୍ତ ଓ ଶ୍ୟାମ ଦତ୍ତ ଭାରି ଉଦ୍‌ଗ୍ରୀବ । ସେମାନଙ୍କର ପ୍ରବଳ ଚେଷ୍ଟା, ସେମାନେ ଆମ୍ଭମାନଙ୍କୁ ଧରି ନେବେ-। ସାବଧାନ ।

 

ଦୌଲତ:- ହଁ, ଭୁଲି ଯାଇଥିଲି । ସେ ଯେ ମେଞ୍ଚଡ଼ ଟୋକା ଶ୍ୟାମସୁନ୍ଦର ଦତ୍ତ ଭାରି ଚାଲାକ୍‌ । ଖୁବ ଫୁର୍ତ୍ତି । କି ହୋମାଜି, ଯେପରି ହେଉ ତାକୁ ଶେଷ କରିବାର ଉପାୟ ଖୋଜ । ତୁମେ କତ୍‌ବାଳ; ଯାହା ଇଚ୍ଛା ତା କରିପାରିବ ସନ୍ଦେହ ନାହିଁ ।

 

ହୋମୋଜୀ:- ଠିକ ଠିକ ! ମୋ ବିଷୟରେ ଦତ୍ତ କୁଆଡ଼େ ଲମ୍ବା ଚଉଡ଼ା କଥା କହୁଥିଲା ବୋଲି ଶୁଣିଲି । ଅବଶ୍ୟ ତା କଥା ବୁଝିବ, ଦେଖିବି ସେ ଟୋକାର କମେତ୍‌ । ହେଉ, ବିଳମ୍ବ ହେଲାଣି, ଏବେ ଚାଲ ଯିବା ।

 

ଯଶୋ:- ସମସ୍ତେ ମୋ ପ୍ରସ୍ତାବରେ ରାଜି ଅଛ ? ବଡ଼ ସୁଖର କଥା । ସୁତରାଂ ମୁଁ ଅହଲ୍ୟା ବାଈଙ୍କର ପ୍ରତ୍ୟେକ୍ଷ ଶତ୍ରୁ ହୋଇ ପାରିବି ବୋଲି ଆଶା କରୁଛି । ମୋର ବର୍ତ୍ତମାନ ଦାସତ୍ୱ ଆବଶ୍ୟକ ନାହିଁ କିମ୍ବା ସେ ପୋଷ୍ୟପୁତ୍ର ଗ୍ରହଣ ନକଲେ ଆମ ଉଭୟଙ୍କ ସମ୍ବନ୍ଧ ଛିନ୍ନ ହେଲା ବୋଲି ବର୍ତ୍ତମାନ ପତ୍ର ଦେଉଛି ।

 

ହୋମୋଜୀ:- ମୋ ବିଷୟ କିନ୍ତୁ ପତ୍ରରେ ଲେଖିବ ନାହିଁ । ମୁଁ କୋତ୍ୱାଲ (କଟୁଆଳ) କାମରେ ଥିଲେ ତୁମମାନଙ୍କୁ ସାହାଯ୍ୟ କରିପାରିବି ।

 

ଯଶୋ:- ଏ ତ କମ ସାହସ ନୁହେ ? କି ଦୌଲତ୍‌, ଶୁଣିଲି ତୁମେ ତୁମ ବିଧବା ଭାଉଜଙ୍କୁ ବିବାହ କରିବି ? ତା କର ନାହିଁ । ତାହାହେଲେ ଲୋକେ ଆମକୁ ଅବିଶ୍ୱାସ କରିବେ ।

 

ଦୌଲତ:- ସେଥିରେ କଅଣ ଅଛି ! ଏକଥା ଯେପରି ହେଉ ସମାଧାନ କର । ଏବେ ହୋଇ ଯାଉଛି, ନା କଣ ? ଉଠ, ଯିବା ।

 

ସମସ୍ତେ ଯଶୋବନ୍ତଙ୍କଠାରୁ ବିଦାୟ ନେଲେ । ସଖାରାମ କେବଳ ଦେବପ୍ରତିମା ତୁଲ୍ୟ ମୂକସାକ୍ଷୀ ହୋଇ ବସି ରହିଥିଲେ । ଯଶୋବନ୍ତ ସନ୍ଦିଗଧମନା ହେଲେ ସୁଦ୍ଧା ନିରବ ଉପବେଶନର କାରଣ ପଚାରିବାକୁ ସାହସ କଲେ ନାହିଁ । ହୋମୋଜୀ ସଖାରାମଙ୍କ ସହିତ କେତେଦୂର ଅଗ୍ରସର ହେଲା ପରେ ତାଙ୍କୁ ଧୀରେ ଧୀରେ କହିଲେ, ‘‘ଦେଖିଲେ ତ ସ୍ୱାର୍ଥାନ୍ଧ ଦୁରାତ୍ମା ଯଶୋବନ୍ତକୁ । ଏହାରି କଥାରେ ବିଶ୍ୱାସ କରି ମୁଁ ମୋର ଚାକିରି ଛାଡ଼ିବି ? କଦାପି ନୁହେ । କଅଣ ଘଟିବ କେଜାଣି । ଦୌଲତ ଓ ଯଶୋବନ୍ତ ନିଜ ନିଜର ଅଭୀଷ୍ଟ ସିଦ୍ଧି ଲାଗି ଏ ଷଡ଼ଯନ୍ତ୍ର ଭିଆଇଛନ୍ତି । ଏ କଥା କଣ ମୋର ଅଜ୍ଞାତ ? ଯାହା ହେଉ, ଲିମ୍ବପୁର ଆକ୍ରମଣ କରିବା ଲାଗି ଉଦୟପୁର ରାଣାଙ୍କୁ ଯାଇ କହ । ତୁମେ ଯାଅ ।’’

 

ହୋମୋଜୀ ସଖାରାମଙ୍କୁ ବିଦାୟ ଦେଇ ଗୃହ ଅଭିମୁଖରେ ଯାତ୍ରା କଲେ ।

Image

 

ଅଷ୍ଟମ ପରିଚ୍ଛେଦ

କମଳାଙ୍କ ଆତ୍ମହତ୍ୟା

‘‘ମୁଁ ପ୍ରଧାନ ଅମାତ୍ୟମାନଙ୍କ ମଧ୍ୟରେ ଅନ୍ୟତମ ବୋଲି ଯଦି ଛାମୁ ଭାବୁଥାନ୍ତେ ତେବେ କଣ ମୋ ପରାମର୍ଶ ଗ୍ରହଣ ଯୋଗ୍ୟ ହୋଇ ନଥାନ୍ତା ? ହୋଲକାର ବଂଶ ବର୍ତ୍ତମାନ ନିର୍ମୂଳ । ବଂଶରକ୍ଷା କରିବାକୁ ହେଲେ ପୁତ୍ରରୂପ ପ୍ରଦୀପର ନିତାନ୍ତ ପ୍ରୟୋଜନ । ଏଥିଲାଗି ପୋଷ୍ୟପୁତ୍ର ଗ୍ରହଣ ପ୍ରଥା ବରାବର ହିନ୍ଦୁ ସମାଜରେ ଚଳି ଆସୁଛି । ରାଜ୍ୟରକ୍ଷା ତଥା ବଂଶର ଗରିମା ବୃଦ୍ଧି ଲାଗି ମୁଁ ଏ ସତ ଉପଦେଶ ଦେଲେ ସୁଦ୍ଧା ଛାମୁ ବିଷ-ଭୋଜନ ତୁଲ୍ୟ ତାହା ଉପେକ୍ଷା କରି, ବିକୃତମସ୍ତିଷ୍କ ବୃଦ୍ଧ ଓ ଚପଳମତି ଯୁବକର ପରାମର୍ଶରେ ଚାଳିତ ହୋଇଛନ୍ତି । ବଡ଼ ବିସ୍ମୟକର ବ୍ୟାପାର, ସେମାନେ ଆଜି ଛାମୁଙ୍କର ହିତାକାଂକ୍ଷୀ, ବିଶ୍ୱାସୀ ଓ ଅନୁରାଗଭାଜନ । ବହୁକାଳରୁ ମୁଁ ଯେ ଛାମୁଙ୍କର ତଥା ରାଜ୍ୟର ମଙ୍ଗଳ କାମନା କରି ଆସିଛି, ହୋଲକାର ବଂଶକୁ ରାଜାରୂପେ ରାଜଭକ୍ତି ପ୍ରଦାନ କରିଛି, ପ୍ରଜାର ହିତ ଲାଗି କେତେ ଯେ କଷ୍ଟ ସହିଛି, ଆଜି ସିନା ଏ ଅପମାନ ସେ ସବୁର ପ୍ରତିଦାନରୁପେ ଗ୍ରହଣ କରିବି ? ବର୍ତ୍ତମାନ ସମୟ ଅଛି, ଛାମୁ ରାଜ୍ୟ-ହିତୈଷୀମାନଙ୍କର ପରାମର୍ଶ ଗ୍ରହଣ କରନ୍ତୁ । ତା ନୋହିଲେ ଜୀବନ ସଙ୍କଟାପନ୍ନ । ରାଜ୍ୟ ଛାରଖାର ହୋଇଯିବ । ଗୌରବମୟ ହୋଲକାର ବଂଶର ପରିଣାମ ଦେଖି ବରାବର ଆପଣଙ୍କୁ ଅନୁତାପ କରିବାକୁ ପଡ଼ିବ । ମୁଁ ଆଜି ଛାମୁଙ୍କର କିଛି ନୁହେ, ବରଂ ମୋତେ ଛାମୁଙ୍କର ଶତ୍ରୁ ବୋଲି ମନେ କରି ସାବଧାନ ହୁଅନ୍ତୁ ।’’ ରାଣୀ ଅହଲ୍ୟା ବାଈ ଏ ପତ୍ର ପାଠ ସଙ୍ଗେ ସଙ୍ଗେ ମୁକ୍ତ ବାଈଙ୍କ ପ୍ରଶ୍ନର ଉତ୍ତର ଦେଇ କର୍ତ୍ତବ୍ୟ ସ୍ଥିର କରିବାରେ ବ୍ୟସ୍ତ ।

 

ହଠାତ ରାଧାକାନ୍ତ ରାଓ ଅଭିବାଦନ ପୂର୍ବକ ସେ କକ୍ଷରେ ଉପବିଷ୍ଟ ହେଲେ । ରାଣୀ ତାଙ୍କୁ ଆସନ ଗ୍ରହଣ କରିବାକୁ କହି ଶୀଘ୍ର ସେ ପତ୍ରଟି ହାତକୁ ବଢ଼ାଇ ଦେଲେ । ରାଧାକାନ୍ତ ପତ୍ର ପାଠ ସଙ୍ଗେ ସଙ୍ଗେ ବିସ୍ମୟ ଆଉ କ୍ଷୋଭରେ କହି ପକାଇଲେ,’’ ଯଶୋବନ୍ତ ରାଓ ଏପରି ଆଚରଣ କରୁଛନ୍ତି ? ତାଙ୍କର ଏ ବିଷମ ପରିବର୍ତ୍ତନ ହେବ ବୋଲି ଭାବି ନଥିଲି-ଏଣିକି ବରାବର ଆମ୍ଭମାନଙ୍କୁ ସତର୍କ ରହିବାକୁ ପଡ଼ିବ ।’’

 

‘‘ଏପରି ସହସ୍ର ସହସ୍ର ତୁଚ୍ଛ ଭୀତି ପ୍ରଦର୍ଶନରେ, ହେୟ ଷଡ଼ଯନ୍ତ୍ରରେ ଅହଲ୍ୟା ବିଚଳିତ ହେବାର ଲୋକ ନୁହେ । ଭାବୁଛି ଯଶୋବନ୍ତଙ୍କ ମସ୍ତିଷ୍କ ବିକୃତ ହୋଇ ପଡ଼ିଛି । ତାହା ନୋହିଲେ ସେ 'ବିନାଶ କାଳେ ବିପରୀତ ବୁଦ୍ଧି' ପରି ନୀତି ଧରି ନଥାନ୍ତେ । ସେ ମୋର ଅଧୀନ ନହେଲେହେଁ ତାଙ୍କ ଜୀବନ ବରାବର ମୋ ଶାଣିତ ଖଡ଼୍‌ଗର ଅଧୀନ ବୋଲି ଜାଣି ରଖିବା ଉଚିତ । ଆଛା, ଯେଉଁମାନେ କୃତଘ୍ନ, ରାଜଦ୍ରୋହୀ ସେମାନଙ୍କର ନାମ କହି ପାରିବ?’’ ରାଧାକାନ୍ତ ରାଓ ରାଣୀଙ୍କ ଧୈର୍ଯ୍ୟରେ ତୃପ୍ତ ହୋଇ କହିଲେ, ‘‘ଶିବନାନା ଆମର ଆତ୍ମୀୟ । ତାଙ୍କୁ ସେଥିଲାଗି ଲମ୍ଵପୁରରେ ରଖି ଭଲ କରିଛି । କତ୍‌ବାଲ ହୋମୋଜୀ ରାଓ ମଧ୍ୟ ଭଲ ଲୋକ ପରି ଦିଶୁଛନ୍ତି । ତୁକାଜୀ ହୋଲକାର ତ ଶ୍ଵାନ ପରି ବିଶ୍ୱସ୍ତ । ମାତ୍ର ନୀଚ; ଏଣୁ ତାଙ୍କୁ ଉନ୍ନତ ପଦରେ ରଖିବା ଅନୁଚିତ ।’’ ରାଣୀ କଥାରେ ବାଧା ଦେଇ କହିଲେ, ‘‘ତୁକାଜୀ ସତକୁଳ ପ୍ରସୂତ ନହେଲେହେଁ, ଗୁଣ ଆଉ ରାଜଭକ୍ତିରେ ତାଙ୍କ ଆସନ ଖୁବ ଉଚ୍ଚରେ । ଏଣୁ ତାଙ୍କୁ ସେନାପତି ପଦରେ ନିଯୁକ୍ତ କଲି । ହୋମୋଜୀ ରାଓଙ୍କ କଥା ଠିକ କହି ପାରୁନାହିଁ । ତାଙ୍କ ଗତି ବିଧି ଲକ୍ଷ୍ୟ କରୁଥାନ୍ତୁ । ସବୁଠାରୁ ବିଶେଷ ଦୁଃଖର କଥା, ଚିନ୍ତାର ବିଷୟ ମୁକ୍ତା ବାଈଙ୍କ ପ୍ରସଙ୍ଗ । ତାଙ୍କର ଘୋର ମନକ୍ଳେଶ ଭ୍ରାତୃ-ବିୟୋଗ ଶୋକରେ ସେ ମର୍ମାହତ।, ମ୍ରିୟମାଣା । ମନବ୍ୟାଧିର ଚିକିତ୍ସା ଆଉ କିଛି ଅଛି କଣ ?’’

 

‘‘ବାସ୍ତବିକ ସେ ମର୍ମାହତ। । ତାଙ୍କର ଏ ମାନସିକ ବେଦନା ଦୂର କରିବା ଲାଗି ଜଣେ ଏପରି ଲୋକ ରହିବା ଉଚିତ ଯେ ସର୍ବଦା ତାଙ୍କ ମନରେ ଆନନ୍ଦ ଜନ୍ମାଇ ପାରିବ । ଛାମୁ ଏପରି କଦାପି କରି ପାରିବେ ନାହିଁ । ମୋ ଘରେ ଗୋଟିଏ ଦାସୀ ଅଛି ସେ ଭାରୀ ବୁଦ୍ଧିମତୀ । ସେ କାନ୍ଦିବା ଲୋକକୁ ହସାଇ ପାରେ, ପୁଣି ହସିବା ଲୋକକୁ କନ୍ଦାଇ ପାରେ । ମୁଁ ଭାବୁଛି ତାକୁ ମୁକ୍ତାବାଈଙ୍କର ସଙ୍ଗିନୀ କରି ଦେଲେ ଭଲ ହୁଅନ୍ତା । ସେ ନିଶ୍ଚୟ ଜେମାଙ୍କର ଅବସାଦ ଦୁରକରି ପାରନ୍ତା । ବର୍ତ୍ତମାନ ମୁଁ ବିଦାୟ ନେଉଛି । ପରେ ସାକ୍ଷାତ କରିବି ।’’ ରାଧାକାନ୍ତ ଆସନରୁ ଉଠି ପୁଣି ଟିକିଏ ଚିନ୍ତା କରି କହିଲେ ‘‘ହଁ-ଭୁଲି ଯାଇଥିଲି-ଦୌଲତ ରାଓଙ୍କ ପ୍ରସଙ୍ଗ କଣ ? ନାରୀ ଶାସନରେ ନାରୀର ଗୌରବ, ପାତିବ୍ରତ୍ୟ ରକ୍ଷିତ ନହେଲେ ବଡ଼ ଅସୁନ୍ଦର । ସବୁ ସରିବା ପରେ ଆଉ ଅନୁସନ୍ଧାନ କରି ଫଳ କଣ ? କମଳା ଆତ୍ମହତ୍ୟା ନକରୁଣୁ, ତାଙ୍କ ପାତିବ୍ରତ୍ୟରେ ବାଧା ନପଡ଼ୁଣୁ, ଛାମୁ ସାହାଯ୍ୟ କରନ୍ତୁ ।’’ ରାଧାକାନ୍ତଙ୍କ ବାକ୍ୟରେ ରାଣୀଙ୍କ ମନ ରୋଷ ଆଉ ଅଭିମାନରେ ଜଳି ଉଠିଲା-କରୁଣାରେ ମଧ୍ୟ ବିଗଳିତ ହୋଇ ପଡ଼ିଲା । ସେ କହିଲେ, ‘‘ମୋର ପ୍ରାଣ ଥାଉ ଥାଉ କମଳାଙ୍କର ମାନିହାନି ଘଟିବ ? ବୃଥା-ବର୍ତ୍ତମାନ ଦୌଲତଙ୍କୁ ଡକାଇ ତାର ପ୍ରତିବିଧାନ କରୁଛି । ଆପଣ ବର୍ତ୍ତମାନ ଯାଆନ୍ତୁ ଦୌଲତଙ୍କର ଆସିବା ସମୟ ହୋଇ ଗଲାଣି ।’’

 

ରାଧାକାନ୍ତ ବିଦାୟ ନେଲେ । ଗୃହରେ ଏ ସମସ୍ତ ଘଟନା ପତ୍ନୀଙ୍କୁ ଜଣାଇ କମଳାଙ୍କ ବିଷୟରେ ସାବଧାନ ରହିବା ଲାଗି କହିଦେଲେ ।

 

ରାଣୀ ଏକାକିନୀ ଚିନ୍ତା-ରାଜ୍ୟରେ, ଏତିକିବେଳେ ଦୌଲତ ଅଭିବାଦନ ଜଣାଇଲେ । ଅହଲ୍ୟା ତାଙ୍କୁ ସ୍ଥିର ଦୃଷ୍ଟିରେ କିଛିକ୍ଷଣ ଅନାଇଁ କହିଲେ, ‘‘ତୁମ ଭାଇଙ୍କ ମୃତ୍ୟୁରେ ଆମ୍ଭେମାନେ ଭାରି ଦୁଃଖିତ, ଚିନ୍ତିତ । ଆଜିକୁ ସାତ ଦିନ ହେଲା ପରା ! ବଡ଼ କଷ୍ଟ ।’’ ‘‘ମନୁଷ୍ୟ ହାତରେ କଣ ଅଛି-ସବୁ ନିୟତିର ବିଧାନ ।’’ ଦୌଲତ ଅବନତ ମସ୍ତକରେ ଏ ଉତ୍ତର ଦେଲେ ।

 

‘‘ତାଙ୍କ ସ୍ତ୍ରୀ ବର୍ତ୍ତମାନ କେଉଁଠି ? ନୂଆଁ ହୋଇ ପରା ବିବାହ କରିଥିଲେ ?’’

 

‘‘ଆମ ଘରେ ଅଛନ୍ତି । ବିବାହ କରି ନାହାନ୍ତି ବୋଲି ତ କହୁଥିଲେ ।’’

 

‘‘କଅଣ କହୁଛ, ଦୌଲତ ? ପାପ ସଙ୍ଗେ ସଙ୍ଗେ ତୁମେ ମିଥ୍ୟା କହିବାକୁ ମଧ୍ୟ ଲଜ୍ଜା ବୋଧ କରୁ ନାହଁ ? ମୋ ସମ୍ମୁଖରେ ସମସ୍ତ ବିଷୟ ଗୋପନ ରଖି ଭାବିଚ, ନିଷ୍କୃତି ମିଳିବ ବୋଲି-। ଭ୍ରାତୃଜାୟାଙ୍କୁ ତୁମେ ବଳପୂର୍ବକ ବିବାହ କରିବ । ମାତୃ ଜାତି ଉପରେ ଅତ୍ୟାଚାର କରି ଭାବିଚ ପରକାଳରେ ତୁମର ମଙ୍ଗଳ ହେବ ବୋଲି । ଧିକ୍‌ ତୁମ ପୁରୁଷତ୍ୱ ! ମୋ ରାଜ୍ୟରେ ଏପରି ଅନ୍ୟାୟ, ଅତ୍ୟାଚାରକୁ ପ୍ରଶୟ ଦିଅ ନାହିଁ । ଏପରି ଲୋକଙ୍କୁ ରାଜକୀୟ ବିଧାନ ଅନୁସାରେ କଦାପି କ୍ଷମା ଦିଆଯାଇ ନପାରେ । ତୁମେ ଏଡ଼େ ପାଷଣ୍ଡ ଏତେଦୂର ନିର୍ଲଜ୍ଜ-ମାତାଙ୍କୁ ପତ୍ନୀ କରିବାକୁ ଏତେ ବ୍ୟଗ୍ର ? ସାବଧାନ ରହ ।’’

 

‘‘ମୁଁ ତାଙ୍କ ପ୍ରତି କଦାପି ଏପରି ବ୍ୟବହାର କରିନାହିଁ କିମ୍ବା ଭବିଷ୍ୟତରେ କରିବି ବୋଲି ମଧ୍ୟ ଚିନ୍ତା କରିନାହିଁ । କେବଳ ମୋର ପ୍ରତିଦ୍ୱନ୍ଦୀମାନେ ମୋ ନାମରେ ମିଥ୍ୟାରଟନା କରି ଏ କାଣ୍ଡ ଭିଆଇଛନ୍ତି । ଛାମୁ ସେହି ମୂର୍ଖମାନଙ୍କ କଥାରେ ବିଶ୍ୱାସ କରି ମୋତେ ଏପରି ତିରସ୍କାର କରୁଛନ୍ତି ସିନା ? ଭ୍ରାତୃଜାୟା ମାତୃତୁଲ୍ୟା ନୁହନ୍ତି ? କିନ୍ତୁ ସେ ବିବାହ କରି ନାହାନ୍ତି ବୋଲି ମୁଁ ଏପରି କହୁଥିଲି । ବିବାହ ଯଦି ସତ୍ୟ, ତେବେ ମୁଁ ତାଙ୍କୁ ଚାହେଁ ନାହିଁ ।’’

 

‘‘ଶୁଣୁଛି, ଯଶୋବନ୍ତ ରାଓ ଆମ ପ୍ରତି ଈର୍ଷାନ୍ୱିତ । ତୁମେ ତାଙ୍କ ସଙ୍ଗେ ମିଳିତ ହୋଇଛ । ତୁମ ଭଳି ବୀର ତେବେ ଆଉ କେତେ ଜଣ ?’’

 

‘‘ମୁଁ ପାପ କଣ ଜାଣେ ନାହିଁ, ମଣିମା । ଛାମୁଙ୍କ ପାଦ ସ୍ପର୍ଶ କରି କହୁଛି, ବିଶ୍ୱେଶ୍ୱରଙ୍କ ଶପଥ କରୁଛି, ମୁଁ କଦାପି ସେମାନଙ୍କ ସହିତ ଯୋଗ ଦେଇ ନାହିଁ । ଆଜ୍ଞା ହେଲେ ଯଶୋବନ୍ତଙ୍କୁ ଏଠାକୁ ନେଇ ଆସିବି ।’’

 

‘‘ଯଶୋବନ୍ତଙ୍କୁ କହି ଦିଅ ସେ ତାଙ୍କର ଜୀବନ-ମମତା ତ୍ୟାଗ କରନ୍ତୁ । ମନେରଖ ତୁମେମାନେ ସମସ୍ତେ ମୃତ । ଯାଅ ଏବେ ତୁମର ଅନ୍ୟ କର୍ତ୍ତବ୍ୟରେ ଲାଗ ।’’

 

ଦୌଲତ ବିଦାୟ ନେଲେ । ମିଥ୍ୟା ଓ ପ୍ରବଞ୍ଚନା ବଳରେ ସେ ରାଣୀଙ୍କ ମୁଖରୁ ଉଦ୍ଧାର ପାଇ ଗୃହରେ ପହଞ୍ଚିଲା ବେଳକୁ ଦୁର୍ଗା ବାଈ ନାହାନ୍ତି । କମଳା ଏକାକିନୀ । କମ-ଶରାହତ ଦୌଲତ ସୁଯୋଗ ପାଇଁ କମଳାଙ୍କ ଚରଣତଳେ ପଡ଼ି ବିବାହ ପ୍ରାର୍ଥନା କଲେ । ଘୃଣା ଓ ଅପମାନରେ ଯେତେବେଳେ କମଳା ତାଙ୍କୁ ପଦାଘାତ କଲେ, ମଦନପୀଡ଼ିତ ଦୌଲତ ସେତେବେଳେ ତାଙ୍କୁ ଆଲିଙ୍ଗନ କରି ଚୁମ୍ବନର ସୁଯୋଗ ଖୋଜି ବସିଲେ । କମଳା କ୍ଷୁଧିତା ସିଂହୀତୁଲ୍ୟ ଗର୍ଜନ କରି କରି ଦୌଲତଙ୍କୁ କ୍ଷତବିକ୍ଷତ, ରକ୍ତାକ୍ତ କରି ପକାଇଲେ । ଦୌଲତ ଯେପରି ଗୋଟିଏ କୁଙ୍କୁମ ବୋଳା ବରପାତ୍ର । ଏତିକିବେଳେ ଦୁର୍ଗାବାଈ ସେଠାରେ ପହଞ୍ଚିଲେ । ସ୍ୱାମୀଙ୍କର ଏ ଦୁର୍ବୁଦ୍ଧି ଦେଖି ତିରସ୍କାର ନକରି ରହି ପାରିଲେ ନାହିଁ । ମାତ୍ର କୃଷ୍ଣ ମର୍ମର ପ୍ରସ୍ତର ତୁଲ୍ୟ ଦୌଲତ ଜଡ଼, ନିରୁତ୍ତର ।

 

କ୍ରମେ ସୂର୍ଯ୍ୟାସ୍ତ ହେଲା । ଦୌଲତ କମଳା ପ୍ରାପ୍ତି ଆଶାର ଶୂନ୍ୟ ସୌଧ ପ୍ରସ୍ତୁତ କରି କରି ନିଦ୍ରିତ ହେଲେ । ଅର୍ଦ୍ଧରାତ୍ରି ସମୟରେ ପୁଣି ଶାଣିତ କୃପାଣ ହସ୍ତରେ କମଳାଙ୍କ ଶୟନାଗାରକୁ ଗଲେ । କମଳା ସେତେବେଳେ ନିଦ୍ରିତ। । ସେ ତାଙ୍କ ଗଳଦେଶରେ କୃପାଣ ସ୍ଥାପନ କରି ଯେତେବେଳେ ତାଙ୍କୁ ହତ୍ୟା କରିବାକୁ ଉଦ୍ୟତ ହୁଅନ୍ତି, ସେତେବେଳେ କମଳାଙ୍କ ଚନ୍ଦ୍ରମୁଖରେ ଅପରୂପ ଲାବଣ୍ୟରେ ମୁଗ୍ଧ ହୋଇ ତରବାରୀ ଫେରାଇ ଆଣିଲେ । ନାରୀ ହତ୍ୟା କରି କି ଲାଭ, ବରଂ ଚାଟୁବାକ୍ୟରେ ବଶୀଭୂତ କରି ପାଣିଗ୍ରହଣ କଲେ ଚରିତାର୍ଥ ହେବି । ଯଦି ପାପିଷ୍ଠ। ମୋର ଅଙ୍କଶାୟିନୀ ନହୁଏ ତେବେ ଭବିଷ୍ୟତରେ ଦେଖିବି-ଏ କଥା ଭାବି ଭାବି ଦୌଲତ ଶୟନ।ଗାରକୁ ଫେରି ଆସିଲେ ।

 

ରାତ୍ରିର ଶେଷଯାମରେ କମଳା ଗୃହରୁ ବାହାରି କେଉଁଆଡ଼େ ଅନ୍ତର୍ହିତ ହେଲେ କେହି ଜାଣିପାରିଲେ ନାହିଁ । ପରେ ଜଣାଗଲା ଅଫିମ ଗଛ ତୋଟାରେ ଜଣେ ସ୍ତ୍ରୀ କୂଅରେ ପଡ଼ି ଆତ୍ମହତ୍ୟା କରିଛି ।

Image

 

ନବମ ପରିଚ୍ଛେଦ

ଅତ୍ୟାଚାର

ସୁନିର୍ମଳ ଚନ୍ଦ୍ର ରଜନୀ । ପ୍ରଶାନ୍ତ ଗଗନ ମଣ୍ଡଳରୁ ଚନ୍ଦ୍ରଜ୍ୟୋସ୍ନା ବାହାରି ଆସି ବୃକ୍ଷ, ପର୍ବତ, ନଦ, ନଦୀ, ସମସ୍ତଙ୍କୁ ଶ୍ୱେତ ବର୍ଣ୍ଣରେ ରଞ୍ଜିତ କରି ପକାଇଛି । ଧୁଣ୍ଡି ରାଓ ସେହି ମନୋରମ ଜ୍ୟୋତ୍ସ୍ନା ଲୋକରେ ଦୌଲତଙ୍କ ଆଦେଶମତେ ମାହୁପୁର ସମୀପିସ୍ଥ ପଲ୍ଲୀର ଋଷ କୁଟୀରରେ ଉପନୀତ ହେଲେ । ଋଷି ତାଙ୍କୁ ଆଲିଙ୍ଗନ କରି କହିଲେ,’’ ବତ୍ସ, ଆସିଲ ରାଣୋଜୀ ମରିଗଲେ ପରା ! ଦୌଲତ କଅଣ କରୁଛନ୍ତି ?’’ ଧୁଣ୍ଡି ଏ ପ୍ରଶ୍ନର ଉତ୍ତର ଦେବାକୁ ଉଦ୍ୟତ ହେଉଛନ୍ତି, ହଠାତ ଜଣେ ଦୀର୍ଘ କୃଷ୍ଣକାୟ ବଳବାନ ବ୍ୟକ୍ତି ସେଠାରେ ଉପନୀତ ହୋଇ ତାଙ୍କ ଆଳାପନାରେ ବାଧା ଦେଲେ । ତାର ଶୁଶ୍ରୂଳ ମୁଖମଣ୍ଡଳ, ମସ୍ତକରେ ଦୀର୍ଘ କେଶଗୁଚ୍ଛ । ଜଟା ଉପରେ ମୟୁରପୁଚ୍ଛ ଖଚିତ, ଗଳଦେଶରେ ନାନାରଙ୍ଗର ପ୍ରବାଳମାଳା ଲମ୍ବିତ, ହାତରେ ତିକ୍ଷ୍ଣଧାର କୁଠାର, ଠିକ୍‌ ଯେପରି ଗୋଟାଏ ପାର୍ବତୀୟ ଶିକାରୀ । ତାର ଚକ୍ଷୁର ତେଜ ଅଗ୍ନିଠାରୁ ଆହୁରି ଦିପ୍ତିମୟ । ପାଷାଣ ହୃଦୟ ଧୁଣ୍ଡି ରାଓ ମଧ୍ୟ ତାକୁ ଦେଖି ଆତଙ୍କିତ ହୋଇ ପଡ଼ିଲା । ଆଗନ୍ତୁକ କୁଟୀର ଭିତରକୁ ଯାଇ ଗ୍ରାମ୍ୟ ମହାରାଷ୍ଟ୍ର ଭାଷାରେ କହିଲା,’’ ତାନ୍ତିଆ ଆହୁରି ଆସି ନାହିଁ ? ଧୁଣ୍ଡି ରାଓ ଆସି ତୁମକୁ କଅଣ କହୁଛନ୍ତି ? ୟାଙ୍କ କହିବା ଅନୁସାରେ କରାଯାଇପାରେ?’’ ଋଷି କହିଲେ ‘‘କିହୋ, ଗଣ୍ଡା ! ବସ ଏଇଠି । ଆମ ବିଚାର ଆଉ ଧୁଣ୍ଡି କଥା ମନ ଦେଇ ଶୁଣ୍‌ ।’’

 

‘‘କି ହୋ, ଗଣ୍ଡାଭୀଲ, ଆମର ତ ଏ ପୂର୍ବ ପୁଣ୍ୟ, ଭାଗ୍ୟର ଫଳ । ଯଶୋବନ୍ତ, ଦୌଲତ ରାଓ, ହୋମଜୀ ପ୍ରମୁଖ କର୍ମଚାରୀମାନେ ବର୍ତ୍ତମାନ ରାଣୀଙ୍କର ଅପ୍ରତିହିତ ପ୍ରତିଦ୍ୱନ୍ଦୀ । ତୁ ତୋର ଭୀଲସେନା ଧରି ସେମାନଙ୍କୁ ସାହାଯ୍ୟ କରିବୁ ନାହିଁ ? ରାଣୀ ସଙ୍ଗେ ଯୁଦ୍ଧ କଲେ ସମସ୍ତଙ୍କର ଲାଭ, ରାଜ୍ୟର ମଧ୍ୟ ଢେର ମଙ୍ଗଳ । ଜାଣି ରଖ, ଲୁଟି ଧନରେ ଆଉ କାହାରି ଅଂଶ ନାହିଁ । ସେ ସବୁ ତୋର । ମଲହର ନିଃସନ୍ତାନ । ତାଙ୍କ ଅନ୍ତେ ରାଜ୍ୟ ରକ୍ଷା ଲାଗି ପୋଷ୍ୟପୁତ୍ର ଗ୍ରହଣ କରିବାକୁ ଅହଲ୍ୟାଙ୍କୁ ଯେତେ ପ୍ରକାର ପ୍ରବର୍ତ୍ତାଇଲେ ମଧ୍ୟ ସେ ସବୁ ପରାମର୍ଶ ବ୍ୟର୍ଥ ହେଲା । ତାଙ୍କ ବନ୍ଧୁଙ୍କର ଗୋଟିଏ ପିଲା ଅଛି । ସେ ହେବ ଆମର ନୂତନ ହଲକାର । ଆମ ସହଚରମାନଙ୍କର ଏ ମତ । ନୂଆ ହୋଲକାରଙ୍କୁ ତୁମେମାନେ ସାହାଯ୍ୟ କର । ତୁମର ଭାରି ମଙ୍ଗଳ ହେବ ।’’ ଧୁଣ୍ଡି ରାଓ ଧୀରେ ଧୀରେ ଅଥଚ ଗୁପ୍ତ ଭାବରେ ଏ ସବୁ କଥା କହି ଗଲେ ।

 

ଋଷି ଗମ୍ଭୀର ଭାବରେ ସବୁ ଶୁଣୁଥିଲେ । ହଠାତ ତାଙ୍କର ଗମ୍ଭୀରତା ଭଙ୍ଗ ହେଲା । ସେ ବ୍ୟଜ୍ଞ ବ୍ୟକ୍ତି ପରି ମସ୍ତକ ହଲାଇ ହଲାଇ କହିଲେ, ‘‘ମୁଁ ଜାଣେ ସେ ହୋଲକାରକୁ । ହଁ, ବେଶ୍‌ ହୋଇଛି । ଗଣ୍ଡା, ଆଉ ସନ୍ଦେହ କରନା । ଅହଲ୍ୟା କଦାପି ଆଉ ରାଣୀ ହୋଇ ରହି ପାରିବେ ନାହିଁ । ପୂର୍ବରୁ ରାଧାକାନ୍ତଙ୍କୁ ଏ କଥା କହି ସାରିଛି । ଶ୍ୟାମ ଦତ୍ତ ମୋ ସଙ୍ଗେ ପରାମର୍ଶ କଲାବେଳେ ମୁଁ ଅବଶ୍ୟ ରାଣୀ ପକ୍ଷରେ କହିଥିଲି, କିନ୍ତୁ ପ୍ରକୃତରେ ମୁଁ ଚାହେଁ ତାର ସଂହାର । ମଲହର ରାଓ ମୋର କ୍ଷତି କରିଥିଲେ । ମୁଁ ତାର ପ୍ରତିହିଂସା ନେବି । ଏତିକି ନୁହେ । ଦେଶ ତମାମ୍‌ ଅତ୍ୟାଚାର, ଲୁଣ୍ଠନ ଚଳାଇ ସର୍ବନାଶ କରିବି । ତୁ ଦୁଇ ସହସ୍ର ଭୀଲ୍‌ ସେନା ଧରି ଚଞ୍ଚଳ ଲୁଟି ଚଳାଇ ଦେ । ମୁଁ ଆଶୀର୍ବାଦ କରୁଚି, ତୋର ଏଥିରେ କେହି ଅନ୍ତରାୟ ନାହାନ୍ତି । ମୋ ବୟସ ଦୃଷ୍ଟିରେ ଲୋକେ ମୋର ସେବକ । ସମସ୍ତେ ମୋ ମାୟା ସମୁଦ୍ରରେ ବୁଡ଼ିଛନ୍ତି । ଡର ନାହିଁ, ଭୟ ନାହିଁ, ଯା ଗଣ୍ଡା, ତୋ କର୍ତ୍ତବ୍ୟ ତୁ କର ।’’

 

ଗଣ୍ଡାଭୀଲ୍‌ ବଣ୍ୟ ମୃଗ ପରି ବିପରୀତ ହୁଙ୍କାର କରି କହିଲା, ‘‘ତେବେ ହେଲା, ମୋ ତାମାସା, ଏଣିକି ଟିକିଏ ଦେଖ । ଏ କାମ ହେଲେ କାଳୀଙ୍କି ପୋଢ଼ ସଙ୍ଗେ ସଙ୍ଗେ ନରବଳୀ ମିଳିଲେ ମଧ୍ୟ ଦେବି । ଯାଅ, ଧୁଣ୍ଡି ରାଓ ! ଦୌଲତଙ୍କୁ କହ, ମୁଁ ବରାବର ଏଥିରେ ସମ୍ମତ ଅଛି ।’’

 

‘‘ମଲହର ରାଓ ଋଷିଙ୍କର ଥିଲେ ଘୋର ଅପକାରୀ । ଏବେ ମଧ୍ୟ ଅହଲ୍ୟା ଦୌଲତଙ୍କୁ କମଳା-ବିବାହ-ପ୍ରସଙ୍ଗରେ ଖୁବ ଅପମାନ, ଲାଞ୍ଛନା ଦେଇଛନ୍ତି । କମଳା ଆତ୍ମହତ୍ୟା କରିଛି । ଦୌଲତ ଏ ସବୁର ପ୍ରତିହିଂସା ଚାହାନ୍ତି । ସେଥିପାଇଁ ତୁମ୍ଭମାନଙ୍କର ସାହାଯ୍ୟ ଆବଶ୍ୟକ । ଋଷି ଓ ତୁ ଏଥିରେ ସମ୍ମତ ବୋଲି ଦୌଲତଙ୍କୁ ଜଣାଇ ନୂଆ ହୋଲକାରଙ୍କ ଅଭିଷେକ ଯୋଗାଡ଼ କରିବା ଉଚିତ । ଯା, ଗଣ୍ଡା, ତୁ ଲୁଟି ଆରମ୍ଭ କର ।’’

 

ଧୁଣ୍ଡି ରାଓ ଋଷିଙ୍କୁ ଅଭିବାଦନ ଜଣାଇ ଗଣ୍ଡ।ଠାରୁ ବିଦାୟ ନେଲେ । ହଠାତ ଜଣେ ବ୍ୟକ୍ତି ସତର ବର୍ଷର ଗୋଟିଏ ବାଳକକୁ ଧରି ସେଠାରେ ଉପସ୍ଥିତ ହେଲା । ଆଗନ୍ତୁକ ସକଳ ଲକ୍ଷଣରେ ଗଣ୍ଡା ଭୀଲ୍‌ଠାରୁ ଅଧିକ କଦ।କ।ର, କୁତ୍ସିତ ରୂପ ଓ ଭୟଙ୍କର ଆକୃତି ବିଶିଷ୍ଟ । କିନ୍ତୁ ଗଣ୍ଡାଠାରୁ କିଞ୍ଚିତ୍‌ କ୍ଷୁଦ୍ର । ଅଧିକ ନିଷ୍ଠୁର ପ୍ରକୃତି ବିଶିଷ୍ଟ । ବାଳକଟି ତା ଭୟରେ ମୂକ ହୋଇ ଇତସ୍ତତ ଅନାଉ ଥାଏ, ଆପାଦମସ୍ତକ ତାର ମଧ୍ୟ ଥରି ଯାଉଥାଏ । ତ।ନ୍ତିଆ ଗଣ୍ଡାକୁ ଋଷି କୁଟୀରରେ ଦେଖି କହିଲା, ‘‘ରେ, ତୋ ପାଇଁ ଏ ସୁନ୍ଦର ପିଲାକୁ ଆଣିଛି । ଏ ପିଲା ପୁନାରୁ ଇନ୍ଦୋର ନଗରକୁ ଯାଉଥିଲା । ତୋ ମନ ମୁତାବକ ଏ ପିଲାକୁ ଯାହା ଇଚ୍ଛା, ତା କର ।’’

 

ତ।ନ୍ତିଆ ଏପରି କହିବା ସଙ୍ଗେ ସଙ୍ଗେ ନିଷ୍ଠୁର ଭାବରେ ବାଳକଟିକୁ ଆଗକୁ ଭିଡ଼ି ଆଣିଲା-। ଋଷି ପ୍ରଦୀପାଲୋକରେ ବାଳକର ମୁଖଶ୍ରୀ ଅବଲୋକନ କରି ‘‘ବେଶ୍‌, କାଳୀ ପୂଜାର ଉପଯୁକ୍ତ ସାମଗ୍ରୀ । ନିଅ, ୟାକୁ ଶୀଘ୍ର ବଳି ଦିଅ’’ ବୋଲି ଉତ୍ସାହ ଦେଲେ । ବାଳକର ପ୍ରାଣ ଭୟରେ ଥରି ଉଠିଲା, ସର୍ବାଙ୍ଗ ଘର୍ମ।ତା ହୋଇଗଲା । ବାଳକ ' ମୋ ବାପରେ' ବୋଲି କରୁଣ ଚିତ୍କାର କରିବା ସଙ୍ଗେ ସଙ୍ଗେ ମୂର୍ଛିତ ହୋଇ ପୃଥିବୀ ପୃଷ୍ଠରେ ପଡ଼ିଗଲା । ନିଷ୍ଠୁର ତ।ନ୍ତିଆ କ୍ରୋଧରେ ' ବଦମାସ, ଠାକୁର' ବୋଲି କହି ଚାବୁକରେ ଦୁଇ ପ୍ରହାର ଲଗାଇ ଦେଲା । ଭୀତତ୍ରସ୍ତ, ଅବସନ୍ନ ବାଳକ କିନ୍ତୁ ଏଥିରେ ଉଠିଲା ନାହିଁ । ଉଭୟେ ତାକୁ ' ଆସ ବଳି ଦେବା' ବୋଲି କହି ଶବ ପରି ବହି ନେଲେ । କୋମଳ ମତି ସୁକୁମାର ବାଳକ ପ୍ରତି କାହାର କରୁଣା ସଞ୍ଚାର ନହେବ ! କିନ୍ତୁ ଏ ନିଷ୍ଠୁର ରାକ୍ଷସ ପ୍ରକୃତି ଭୀଲମାନଙ୍କ ହୃଦୟରେ ସ୍ନେହ ମମତା, ଦୟାମାୟାର ଅବକାଶ ନାହିଁ । ଧୁଣ୍ଡିର ପ୍ରାଣ ବାଳକ ଲାଗି ବ୍ୟାକୁଳ ହେଲେ ମଧ୍ୟ ପ୍ରାଣ ହାନି ଭୟରେ ସେ ନୀରବରେ ସେଠାରୁ ଫେରିଲା ।

 

ଏ ଘଟନାର କିଛି ଦିନ ପରେ ହୋଲକାର ରାଜ୍ୟରେ ଅବାଧରେ ଚାଲିଲା, ହତ୍ୟା, ବ୍ୟଭିଚାର, ଲୁଣ୍ଠନ, ଚୋରି, ଡକାଏତି । ଦେଶ ତମାମ୍‌ ଆତଙ୍କରେ ଥରି ଉଠିଲା । ନାରୀର ମାନମହତ୍ୱ, ପ୍ରଜାର ଧନ ସଂପତ୍ତି ରକ୍ଷା ନହେଲେ କେହି ରାଜ୍ୟରେ ରହି ପାରିବେ ନାହିଁ ବୋଲି ରାଣୀଙ୍କି ଜଣାଇଲେ । ଅହଲ୍ୟା ବାଈ ପ୍ରଜାକୁଳର ଆତଙ୍କ, ନିଜ ସୈନ୍ୟର ଦ୍ରୋହାଚରଣ, ନିଜର ଅସହ।ୟ ଅବସ୍ଥା, ଓ ରାଜ୍ୟରେ ଘୋର ଅରାଜକତା, ତୀବ୍ର ଅଶାନ୍ତି ବୁଝି ପରି ଅତି ବିଚଳିତ ହୋଇ ପଡ଼ିଲେ । ରାଜସିଂହାସନର ଏ ଗୁରୁ ଦାୟିତ୍ୱ ବହନ ନକରି ବରଂ ମନ୍ତ୍ରୀମାନଙ୍କର ଶରଣାପନ୍ନ ହେଲେ ରାଜ୍ୟ ରକ୍ଷା ହେବ ବୋଲି ସେ ବୁଝି ପାରିଲେ । ତେଣୁ ରାଧାକାନ୍ତ ଓ ଶ୍ୟାମସୁନ୍ଦରଙ୍କୁ ଡକାଇ ଆଣି କହିଲେ, ‘‘ଆଉ ରାଜ୍ୟରେ ପ୍ରୟୋଜନ କଣ ? ବରଂ ପୁଣ୍ୟଧାମ କାଶୀରେ ବିଶ୍ୱେଶ୍ଵରଙ୍କ ଶ୍ରୀଚରଣାଶ୍ରୟ ନେବା ଭଲ । ପରମ ପ୍ରତିବ୍ରତା କମଳା ବାଈ ଆତ୍ମହତ୍ୟା କରି ଅମର ଲୋକରେ । ସେ ଅତ୍ୟାଚାର ପାଇଁ ଶାସ୍ତି ଦେବ କିଏ ? ଯଶୋବନ୍ତଙ୍କ ପ୍ରରୋଚନାରେ ରଘୁନାଥ ରାଓ ଆମ ରାଜ୍ୟ ବିରୁଦ୍ଧରେ ଅଭିଯାନ ଚଳାଉଛନ୍ତି ବୋଲି ପେଶବାଙ୍କ ଦରବାରରେ ରାଜ।ଜୀ ଗୋଖେଲେ କହୁଥିଲେ । କ୍ରିଷ୍ଣାଜୀ ପାନ୍ତ କାଲି ପୁନାରୁ ଫେରି ଆସି ମୋତେ ଏ କଥା ଜଣାଇଛନ୍ତି-। ଅନ୍ୟ ଦିଗରୁ ଭୀଲମାନେ ରାଜ୍ୟ ଛାରଖାର କରି, ଗ୍ରାମ ନଗର ଧ୍ୱଂସ କରି ଦେଉଛନ୍ତି । ପ୍ରଜାଗଣର ଏ ନିଦାରୁଣ ଆର୍ତ୍ତନାଦ ଶ୍ରବଣ କରି କର୍ଣ୍ଣ ବଧିର ହୋଇ ଗଲାଣି । ସେମାନଙ୍କୁ ଦୁଃଖ କଷ୍ଟ ଉପହାର ଦେଇ ମୁଁ ରାଜ୍ୟ ଶାସନ କରିବି ? ନା, ରାଧାକାନ୍ତ, ମୋର ଏ ସିଂହାସନରେ ଆଉ କି ପ୍ରୟୋଜନ ଅଛି ।’’

 

ରାଧାକାନ୍ତ ନିବିଷ୍ଟ ଚିତ୍ତରେ ସବୁ କଥା ଶୁଣିଗଲେ । ରାଣୀଙ୍କର ଏ ଅଦ୍ଭୁତ ବୈରାଗ୍ୟ ଓ ଦୁଃଖରେ ସେ ବିଚଳିତ ନହୋଇ ବଜ୍ର ଗମ୍ଭୀର ନାଦରେ କହିଲେ, ‘‘କ୍ଷତ୍ରିୟ ରମଣୀ, ବିଶେଷତଃ ମହାରାଷ୍ଟ୍ର ନାରୀ ପକ୍ଷରେ ଏହା ସମ୍ଭବ ? ଅନ୍ୟାୟ, ଅତ୍ୟାଚାରକୁ ଭୟ କରି ରାଜା ଯଦି ସିଂହାସନ ତ୍ୟାଗ କରନ୍ତି, ତେବେ ରାଜ୍ୟରେ ଶାନ୍ତି ଆଣିବ କିଏ ? ଧୈର୍ଯ୍ୟ ଧରନ୍ତୁ । ଯୁଗେ ଯୁଗେ ଅନ୍ୟାୟ, ଅତ୍ୟାଚାର କଦାପି ଅକ୍ଷୁର୍ଣ୍ଣ ଭାବରେ ତିଷ୍ଠି ପାରିନାହିଁ । ସ୍ୱପ୍ନରେ ଆମ୍ଭେମାନେ ପାପକୁ ପ୍ରଶ୍ରୟ ସୁଦ୍ଧା ଦେଇନାହୁଁ । ଆଜି ସେହି ପାପ ଆନନ୍ଦରେ ଆମ୍ଭମାନଙ୍କୁ ଗ୍ରାସ କରିବ ? ଅସମ୍ଭବ, ଛାଡ଼ନ୍ତୁ ମଣିମା, ସେ କଥା - ସେଥିପାଇଁ ବରାବର ପ୍ରତିକାର କରିବାକୁ ହେବ । ଉପାୟ ଉଦ୍ଭାବନ କରିବାକୁ ହେବ-। ମୁକ୍ତ। ବାଈ ଭଲ ଅଛନ୍ତି ତ ? ଦାସୀ ସର୍ବଦା ତାଙ୍କ ପାଖରେ ଅଛିନ। ?’’

 

‘‘ମୁଁ ଆପଣଙ୍କୁ ବରାବର ବିଶ୍ୱାସ କରି ଆସିଛି । ଏବେ ମଧ୍ୟ ଆପଣଙ୍କ ପରାମର୍ଶ ଉପରେ ମୋର ଖୁବ୍‌ ଆସ୍ଥା ଅଛି । ଆପଣ ଓ ଦତ୍ତ ଯାଇ ଶୀଘ୍ର ଏ ଅତ୍ୟାଚାର, ଉପଦ୍ରବ ନିବାରଣ କର । ମୁଁ ସେହି ଶୁଭଦିନର ଅପେକ୍ଷାରେ ରହିଲି । ମୁକ୍ତା ବାଈ ତୁମ ପ୍ରେରିତ ଦାସୀ ଯୋଗୁଁ ବଡ଼ ଆନନ୍ଦରେ ଅଛନ୍ତି । ତାଙ୍କ ପାଇଁ ଆଉ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ । ଦାସୀ ବଡ଼ ଚତୁର।, ଆନନ୍ଦଦାୟିନୀ । ଯାଅ, ରାଧାକାନ୍ତ, ଯାଅ ଶ୍ୟାମସୁନ୍ଦର, ଆଉ ବାକ୍ୟାଳାପର ବେଳ ନାହିଁ । କର୍ତ୍ତବ୍ୟର କଠୋର ଆହ୍ୱାନରେ ଆତ୍ମବଳି ଦେଇ ଦେଶ ରକ୍ଷା କର ।’’

 

‘‘କିଛି ଭୟ ନାହିଁ ମଣିମା, ଆମେ ଉଭୟେ ସେ ଦସ୍ୟୁ ସର୍ଦ୍ଦାରକୁ ଜୀବିତାବସ୍ଥାରେ ଏଠାକୁ ଘେନି ଆସୁଛୁ’’ ବୋଲି ଉଭୟେ ସମସ୍ୱରରେ ଏ ବୀର ବାଣୀ ଉଚ୍ଚାରଣ କରି ବିଦାୟ ନେଲେ ।

Image

 

ଦଶମ ପରିଚ୍ଛେଦ

ଅରଣ୍ୟ-ଘଟନା

ସୂର୍ଯ୍ୟରଶ୍ମୀ ବିବର୍ଜିତ ଓ ପିପୀଲିକାର ଦୁଷ୍ପ୍ର ବେଶ୍ୟ ଅରଣ୍ୟ ପ୍ରଦେଶ । ସେହି ବନଭୂମିରେ ବିନ୍ଧ୍ୟପର୍ବତ ପ୍ରାନ୍ତବର୍ତ୍ତୀ ପର୍ବତ ବେଷ୍ଟିତ ଏକ ଉପତ୍ୟକାରେ ଦିନେ ପ୍ରଭାତ ସମୟରେ ଆକାଶ ବିଦୀର୍ଣ୍ଣକାରୀ ମହାକୋଳାହଳ ଶ୍ରୁତ ହେଲା । ବଣ୍ୟମୃଗ ତୁଲ୍ୟ ଭୀଷଣ ଗର୍ଜ୍ଜିନ କରି ଭୀଲଗଣ ଚତୁର୍ଦ୍ଦିଗରେ କ୍ଷିପ୍ତ, କେହି ଅବା ଭକ୍ତି ପରବଶ ହୋଇ ସମ୍ମୁଖସ୍ଥ ତରୁଶାଖାରେ ଆବଦ୍ଧ ବାଳକ ପ୍ରତି ସ୍ଥିର ଦୃଷ୍ଟି ନିକ୍ଷେପ କରି ଦଣ୍ଡାୟମାନ । ବାଳକର ସର୍ବାଙ୍ଗ ରକ୍ତଚନ୍ଦନ ଚର୍ଚ୍ଚିତ । ମୁଖ ଓ କପାଳରେ ରକ୍ତ ତିଳକ, ସିନ୍ଦୁରଟୋପା; ସଦ୍ୟସ୍ନାତ ବା ଆଦ୍ର କେଶଗୁଚ୍ଛରୁ ବିନ୍ଦୁ ବିନ୍ଦୁ ଜଳ ଭୂପୃଷ୍ଠରେ ଖସି ପଡ଼ୁଅଛି । ବିଶାଳ ନେତ୍ର ଯୁଗଳରୁ ଅବିରଳ ଅଶ୍ରୁଧାର ବହିଯାଉଛି, ଆଜି ବାଳକର ଶେଷ ଦିନ । ମହାଯାତ୍ରାର ଶେଷ ମୁହୂର୍ତ୍ତ । ସେ କାଳୀଙ୍କ ନିକଟରେ ବଳିରୂପେ ଅର୍ପିତ ହେବ ବୋଲି ନିଶ୍ଚିତ । ତାର ଜୀବନ କିପରି ଦେବନ।ଗ୍ରସ୍ତ ତାହା ତପ୍ତ ଲୋତକ ଧାରାରେ ପରିସ୍ଫୁଟ ହେଉଥିଲା, କିନ୍ତୁ ମୁଖରୁ ପଦେ ହେଲେ କଥା ବାହାରୁ ନଥିଲା !

 

ଅମିତ ଆନନ୍ଦରେ ଅଧୀର ହୋଇ ଭୀଲ ଓ ଭୀଲଙ୍ଗନାମାନେ ନାଚି ଉଠିଲେ । ଦୁଃଖ ତପ୍ତ ବାଳକଟି ଯମଲୋକ ଯାତ୍ରା ପାଇଁ ଦୀନ ହୀନଭାବରେ ରହିଲା । ଜଣେ ବୃଦ୍ଧ ଭୀଲ୍‌ ଶାଣିତ ଖଡ଼୍‌ଗ ହସ୍ତରେ, କିପରି ପ୍ରହାର କଲେ ବାଳକଟିର ମସ୍ତକ ଏକାବେଳକେ ସ୍କନ୍ଧଚ୍ୟୁତ ହେବ, ତାହା ପରୀକ୍ଷା କରିବାପାଇଁ ଅସି ଉତ୍ତୋଳନ କରନ୍ତେ ସିଂହନାଦ ଓ କରତାଳ ଶବ୍ଦରେ ବନଭୂମି ପ୍ରତିଧ୍ଵନିତ ହୋଇଗଲା । ବାଳକ ଅଚିରାତ୍‌ ମୁଖଟିକୁ ବୁଲାଇ ଦେବାରୁ ତାର ପ୍ରାଣରକ୍ଷା ହେଲା । ସେ ଚେତନା ପାଇ ଗଣ୍ଡାଭୀଲକୁ ଯୋଡ଼ ହସ୍ତରେ କହିଲା, ‘‘ବାବୁ, ମୋତେ କିଆଁ ତୁମ ଦେବୀଙ୍କି ବଳି ଦେଉଛ ? ମୁଁ ମୋ ମାଆର ଗୋଟିଏ ବୋଲି ପୁଅ । ଭାରି ଗରିବ । ମୋ ସାନ ଭାଇଟି ବସନ୍ତରେ ମରି ଯାଇଛି । ମୁଁ ମୋ ଭଉଣୀକି ଦେଖିବା ପାଇଁ ପୁନାରୁ ଯାଉଥିଲି । ମୋର ମଧ୍ୟ ବାପ ନାହିଁ । ମୁଁ ମରିଗଲେ ମୋ ମାଆର ଆଶା ଭରସା ସବୁ ଶେଷ । ମୁଁ ଖଣ୍ଡିଏ ଚାକିରୀ ଆଶାରେ ଇନ୍ଦୋର ଯାଉଥିଲି ବନ୍ଧୁ ଘରକୁ । ମୁଁ ତାକୁ ପୋଷିବି ବୋଲି ମାଆ ମୋର ଚାହିଁ ବସିଥିବ । ମୁଁ ଅନାଥଟିଏ । ତୁମେ ଦୟା କରି ଭଲା ମୋ ଜୀବନ ରଖ । ତୁମର ଭାରି ଭଲ ହବ ।’’ ଏ ପ୍ରାର୍ଥନାରେ କେତେକଙ୍କର ଦୟା ସଂଚାର ହେଲେ ମଧ୍ୟ ତ।ନ୍ତିଆ ରାଗ।ନ୍ଵିତ ହୋଇ ଗୁରୁଙ୍କୁ କହିଲା, ‘‘ଏ ପାପୀକି କଦାପି ଛାଡ଼ିବାକୁ ହେବ ନାହିଁ । ତାହା କଲେ ଦେବୀକୋପ ସମ୍ଭାଳିବ କିଏ ? କେତେ ପଲ୍ଲୀ, କେତେ ନଗର ଆମେ ଲୁଟି କରୁଛୁଁ, ସେଇ କାଳୀଙ୍କ ପ୍ରସାଦରେ; ତାଙ୍କ କୃପାରୁ ଆମକୁ କେହି ଧରି ପାରି ନାହାନ୍ତି । ସେଥିଲାଗି ଦେବୀଙ୍କ ତୃପ୍ତ କର । ଚଞ୍ଚଳ ବଳି ପକାଅ ।’’

 

ମାନବାକୃତି ବ୍ୟାଘ୍ର-ଭୀଲ୍‌-ଗୁରୁ ନରହିଂସାରେ ଧୁରନ୍ଧର । ପୁନଶ୍ଚ ସେ ବାଳକକୁ ବଳି ଦେବା ବାସନାରେ ଅସି ଉତ୍ତୋଳନ କଲା । ବାଳକ ଭାବିଲା, ଏଥର ତାର ସର୍ବନାଶ । ସେ କେବଳ ଚକ୍ଷୁ ବୁଜି ଇଷ୍ଟଦେବତାଙ୍କୁ ସ୍ମରଣ କଲା । ଠିକ୍‌ ସେହି ସମୟରେ ଆପତ୍ତି କରିବା ଭୀଲମାନେ ହାହାକାର କରି ଉଠିଲେ । ‘ମରାଟି ଆସୁଛନ୍ତି, ମରାଟି ଆସୁଛନ୍ତି' ବୋଲି ସେମାନଙ୍କ ମଧ୍ୟରେ କୋଳାହଳ ପଡ଼ିଗଲା । କେତେକ ପ୍ରାଣ ଭୟରେ ଇତସ୍ତତଃ ଦୌଡ଼ିବାକୁ ଲାଗିଲେ । କେତେ ବାଣ ଆଣିବା ପାଇଁ ଧାଇଁଗଲେ । କେହି ଧନୁର୍ବାଣ ହସ୍ତରେ, ପର୍ବତ-ପାଦ ଦେଶରୁ ପଥର ସଂଗ୍ରହ କରି ଆତ୍ମରକ୍ଷା ଲାଗି ସଜ୍ଜିତ ହେଲେ । ଦେଖୁ ଦେଖୁ ମରହଟ୍ଟା ସେନା ସେଠାରେ ଉପସ୍ଥିତ-। ରୁଦ୍ରତୁଲ୍ୟ ଅଶ୍ୱ।ରୂଢ଼ ରାଧାକାନ୍ତଙ୍କ ପଶ୍ଚାତରେ କୁମାରପ୍ରତିମ ଶ୍ୟାମସୁନ୍ଦରଙ୍କୁ ଦେଖି ଭୀଲ-ଗୁରୁ ଅସିଟିକୁ କାଖରେ ଜାକି ପଳାଇ ଗଲା । କେତେକ ଭୀଲ ମଧ୍ୟ ତାର ଅନୁସରଣ କଲେ-। ଯେଉଁମାନେ ଅବଶିଷ୍ଟ ରହିଲେ, ସେମାନେ ଯୁଦ୍ଧ ଆରମ୍ଭ କଲେ । କେତେକ ଲୁକ୍କାୟିତ ରହି ପ୍ରସ୍ତର ବୃଷ୍ଟି ଓ ଶର ବର୍ଷଣରେ ଅଭ୍ୟସ୍ତ ହୋଇ ପଡ଼ିଲେ । ସମ୍ମୁଖ ଯୁଦ୍ଧ ମଧ୍ୟ ଚାଲିଲା । ଶିକ୍ଷିତ, ଚିର ଅଭ୍ୟସ୍ତ ମହାରାଷ୍ଟ୍ର ସେନାର ଯୁଦ୍ଧ କୌଶଳରେ ଅଶିକ୍ଷିତ, ଅରଣ୍ୟବାସୀ ଭୀଲ ଆଉ କେତେକାଳ ସମ୍ମୁଖୀନ ହୁଅନ୍ତେ ? ଅଧିକାଂଶ ପ୍ରାଣ ଭୟରେ ପଳାଇ ଗଲେ ସତ କିନ୍ତୁ ବୀରଚୁଡ଼ାମଣି ରାଧାକାନ୍ତଙ୍କ ପୃଷ୍ଠରେ ବିପକ୍ଷର ତୀବ୍ର ଅସିଘାତ ବାଜି ସମସ୍ତଙ୍କୁ ବ୍ୟଥିତ କରି ପକାଇଲା । ଦୁର୍ଦ୍ଦାନ୍ତ ଗଣ୍ଡାଭୀଲ୍‌ ଦତ୍ତଙ୍କ ହାତରେ ବନ୍ଦୀ ହେଲା ।

 

ରାଧାକାନ୍ତଙ୍କ କ୍ଷତି ବିପଜ୍ଜନକ । ସେଠାରେ ସୁନିପୁଣ ଚିକିତ୍ସକର ଅଭାବ । ତେଣୁ ତାଙ୍କୁ ଶୀଘ୍ର ଅନୁଚରମାନଙ୍କ ସହିତ ଶଗଡ଼ରେ ଇନ୍ଦୋର ପଠାଇ ଦିଆଗଲା । ଦତ୍ତ ତାଙ୍କରି ପଛେ ପଛେ ବନ୍ଦୀ ଗଣ୍ଡାଭୀଲଙ୍କୁ ଧରି ବାହାରିଲେ । ତାଙ୍କ ସହିତ ଚାରିଜଣ ମାତ୍ର ଅନୁଚର ଥିଲେ । କ୍ରମେ ଉପତ୍ୟକା, ଅଧିତ୍ୟକା, ପର୍ବତ ପ୍ରାନ୍ତ ଅତିକ୍ରମ କରି ଦତ୍ତ ଠିକ ସନ୍ଧ୍ୟା ସମୟକୁ ଋଷିକୁଟୀରରେ ବିଶ୍ରାମ ନେଲେ । ଦତ୍ତଙ୍କ ଅନୁଚରଗଣଙ୍କ ମଧ୍ୟରୁ ଜଣେ ଗଣ୍ଡାର ପରିଚିତ ଥିଲା । ସେ ତା ସହିତ ପରାମର୍ଶ କରି ଆତ୍ମରକ୍ଷା ଲାଗି ଯେତେ ଯତ୍ନ କଲେ ମଧ୍ୟ ଦତ୍ତଙ୍କ ସାବଧାନତା ଯୋଗୁଁ ତାହା ହୋଇ ପାରିଲା ନାହିଁ । ଗଣ୍ଡା ନିକଟ ଭବିଷ୍ୟତରେ ତାର ଶେଷ ମୁହୂର୍ତ୍ତ ପାଇଁ ଅପେକ୍ଷା କରି ରହିଲା । ଜୀବନବ୍ୟାପି ଅତ୍ୟାଚାର, ଲୁଣ୍ଠନ, ନରହତ୍ୟାକୁ ସେ କର୍ତ୍ତବ୍ୟ ବୋଲି ମନେ କରି ଯେଉଁ ଦୁଷ୍କୃତି ଅର୍ଜନ କରିଥିଲା, ଚକ୍ଷୁ ଆଗରେ ତାର ପ୍ରତିମୂର୍ତ୍ତି ତାକୁ କରାଳ ମୁଖ ବ୍ୟାଦାନ କରି ତାରି ସଂହାର ଅପେକ୍ଷାରେ ଅଛି ବୋଲି ସେ ଏତେଦିନ ଉତ୍ତମରୂପେ ଜାଣି ପାରିଲା । ସେଥିପାଇଁ ସେ ଆହାର ନିଦ୍ରା ପରିତ୍ୟାଗ କରି ମୃତ୍ୟୁର କରାଳ-ଆହ୍ୱାନକୁ ଅପେକ୍ଷା କରି ରହିଲା ।

 

ଗଣ୍ଡା ଧୃତ-ଏ ସଂବାଦରେ ହୋଲକାର ରାଜ୍ୟ ଆଜି ମହା ଆନନ୍ଦମୟ । ଅହଲ୍ୟା ବାଈଙ୍କ ହୃଦୟ ଆଜି ଆନନ୍ଦରେ ବିଭୋର । ପ୍ରଜାଗଣ ଆଜି ଉଲ୍ଲାସରେ ଆତ୍ମହରା । ଶୀଘ୍ର ଗଣ୍ଡାର ଜୀବନ୍ତ-ସମାଧି ହେଉ ବୋଲି ସମସ୍ତଙ୍କର ପ୍ରବଳ ଇଚ୍ଛା । ଦତ୍ତ ଗଣ୍ଡାର ହସ୍ତପଦ ବନ୍ଧନ ପୂର୍ବକ ଋଷିକୁଟୀରରେ ଉପଯୁକ୍ତ ପ୍ରହରୀ ନିଯୁକ୍ତ କରି ବାହାରେ ଆସି ଟିକିଏ ଆନନ୍ଦରେ ବିଶ୍ରାମ କଲେ । ଋଷି ଦତ୍ତଙ୍କୁ ଆଶୀର୍ବାଦ ଜଣାଇ କହିଲେ, ‘‘ବତ୍ସ, ଏ ପାପୀ ଧରା ପଡ଼ିବାରୁ ଦେଶ ତମାମ ଆନନ୍ଦିତ-। ଏହାକୁ ଚଞ୍ଚଳ ଶେଷ କର । ଏ କାର୍ଯ୍ୟରେ ବରାବର ତୁମେ ଶାଶ୍ୱତ କୀର୍ତ୍ତି ଅର୍ଜନ କରିବ । ଏ ପାଷାଣ୍ଡ ଲାଗି ପ୍ରଜାବର୍ଗର ଯେ ଅସୀମ କଷ୍ଟ, ଏତେ ଦିନେ ତାର ଫଳ ଫଳିଲା । ଲକ୍ଷ ଲକ୍ଷ ଲୋକଙ୍କ ନିଶ୍ୱାସରେ ହତଭାଗ୍ୟର ନିଶ୍ଚୟ ସର୍ବନାଶ ହେବ ।’’

 

‘‘ଆପଣଙ୍କ ଆଶୀର୍ବାଦର ଏ ଫଳ । ଆପଣଙ୍କ ଭଳି ମହାପୁରୁଷ ଯେତେବେଳେ ହୋଲକାର ବଂଶର ମଙ୍ଗଳ କାମନା କରୁଛନ୍ତି,ସେ ବଂଶର କାହିଁକି ଉନ୍ନତି ନହେବ ? ଏହା ନିଶ୍ଚୟ ଆପଣଙ୍କ ଅମୃତମୟ ପ୍ରସାଦର ଫଳ ।’’

 

ହଠାତ ଜଣେ ଯବନ ଆସି ସେଠାରେ ପହଞ୍ଚିଲା । ପଚାରିଲା, ‘‘ବାବୁ, ଏଠାରେ ଶ୍ୟାମ ଅଛନ୍ତି ?’’ ଦତ୍ତ ହଠାତ ଚକିତ ହୋଇ ଉଠି- ‘‘ଅବଦୁଲ ନାଭୀ ! କାହିଁକି ଏଡ଼େ ଉଦ୍‌ବେଗରେ ଆସିଲ ? କଣ ହେଲାକି ?’’ ବୋଲି ଚଞ୍ଚଳ ପ୍ରଶ୍ନ କଲେ । ‘‘ଉଦବେଗ କିଛି ନାହିଁ, ମହାରାଣୀଙ୍କ ଆଦେଶ ପତ୍ର ନେଇ ଆସିଛି ‘‘ବୋଲି କହି ନାଭି ଅତିଶୀଘ୍ର ତାହା ଦତ୍ତଙ୍କ ହାତକୁ ବଢ଼ାଇ ଦେଲା । ଦତ୍ତ ପତ୍ର ପଢ଼ି ଏତେ ଶୀଘ୍ର ଏ ଆଦେଶ ହେବ ବୋଲି ଭାବି ନଥିଲେ । ପରେ ଦୀର୍ଘ ନିଶ୍ୱାସ ତ୍ୟାଗ କରି ନୀରବ ରହିଲେ ।

 

ଋଷି ପୁତ୍ରର ତାତ୍ପର୍ଯ୍ୟ ପଚାରିବାରୁ ଦତ୍ତ ଗଣ୍ଡାଭୀଲକୁ ଉଠାଇ କହିଲେ, ‘‘ମହାରାଣୀଙ୍କ ଆଦେଶ ଶୁଣ । ଗଣ୍ଡାଭୀଲକୁ ଏଠାକୁ ଆଣିବା ଦରକାର ନାହିଁ । ଭୀଲ୍‌, ବିଡ଼ାରି (ମହାଜନ) ଗଣ୍ଡ ପ୍ରଭୃତି ପାର୍ବତ୍ୟ ଲୋକେ, ଏହା ପରେ ଏପରି ରାଜଦ୍ରୋହ ଯେପରି ନକରନ୍ତି, ସେଥି ଲାଗି ଦୃଷ୍ଟାନ୍ତସ୍ୱରୂପ ସେମାନଙ୍କ ସମକ୍ଷରେ ଗଣ୍ଡ।ଙ୍କୁ ଉନ୍ନତ ବୃକ୍ଷରେ ଝୁଲାଇ ବିନାଶ କର । କାଲି ଠିକ ସକାଳ ବେଳକୁ ଏ କାର୍ଯ୍ୟ କରି ଦେବାକୁ ହେବ ।’’ ପୁନଶ୍ଚ ଗଣ୍ଡ।ପ୍ରତି କହିଲେ, ‘‘ଶୁଣିଲୁ ଏ କଠୋର ଆଦେଶ । କାଲି ପ୍ରଭାତରେ ତୋ ମରଣ ସୁନିଶ୍ଚିତ ।’’ ଏ କଠିନ ଦଣ୍ଡବିଧାନ ପ୍ରାଣଦଣ୍ଡ।ଜ୍ଞ। ଶୁଣାଇବା ମାତ୍ରେ ଦତ୍ତଙ୍କ କୋମଳ ପ୍ରାଣ ଅତିରିକ୍ତ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା । ସେ ଅଶ୍ରୁପ।ତ କରି ବାହାରକୁ ଚାଲି ଆସିଲେ । ସେଇ ନିର୍ମଳ ଜ୍ୟୋତ୍ସ୍ନାଲୋକରେ ଖଟ ଉପରେ ଶୋଇ ପଡ଼ିଲେ ।

 

ଗଣ୍ଡାଭୀଲ୍‌ ଦତ୍ତଙ୍କ ବାକ୍ୟରେ ବଜ୍ର।ହତ ଦ୍ରୁମତୁଲ୍ୟ ଭୂତଳଶାୟୀ ହେଲା । ପରେ ଦଣ୍ଡାୟମାନ ହେଲା ସତ, କିନ୍ତୁ ସେ ପୁତ୍ତଳିବତ ନିଶ୍ଚଳ, ନିଶ୍ଚେଷ୍ଟ । ଋଷି ତାକୁ ସାନ୍ତ୍ୱନା ଦେଲେ । କିନ୍ତୁ ଭାବୀମୃତ୍ୟୁର ବିଭୀଷିକା ତାକୁ ଆହୁରି ବିକଳ କରି ପକାଇଲା । ପୂର୍ଣ୍ଣଚନ୍ଦ୍ର ଦର୍ଶନରେ ଦତ୍ତଙ୍କର ମୁଖ-ପୟୋଧି ଉତଫୁଲ୍ଲ ହେବା ସଙ୍ଗେ ସଙ୍ଗେ ମଳୟମାରୁତି ପ୍ରେରଣାରେ ମହା ମହା ତରଙ୍ଗ ଉଛୁଳି ପଡ଼ିଲା । କମଳା ବାଈଙ୍କ ପ୍ରଥମ ସାକ୍ଷାତ, ବୃଷଭ ବଧ ଇତ୍ୟାଦି ସେ ଦିନର ଘଟନାବଳୀ ଗୋଟିକ ପରେ ଗୋଟିଏ ତାଙ୍କର ସ୍ମୃତି ପଥାରୂଢ଼ ହେବାରୁ, ସେ ଗଣ୍ଡାଭୀଲ ପ୍ରସଙ୍ଗ, ରାଜଭକ୍ତି ଇତ୍ୟାଦି ସବୁ ବିସ୍ମୃତ ହୋଇଗଲେ । ମାନସିକ ବିକୃତି ଯୋଗୁଁ ସେ ଗାତ୍ରୋତ୍ଵ।ନ କରି ପ୍ରହରୀମାନଙ୍କୁ ସାବଧାନ ରହିବାକୁ ଆଦେଶ ଦେଇ କମଳାଙ୍କୁ ପ୍ରଥମେ ଦେଖିଥିବା ସ୍ଥଳକୁ ଗଲେ ।

 

'ଆହା, ସୁନ୍ଦରୀ, ହାୟ କମଳା ବାଈ ! ତୁମେ କଣ ସତେ ଅଳ୍ପାୟୁ ? ବୃଷଭ ମୁଖରୁ ତୁମ ଜୀବନ ରକ୍ଷା କରି ଭାବିଥିଲି, ତୁମେ ନିଶ୍ଚୟ ଦେବୀ, ଅମରଲୋକରୁ ପାପଭ୍ରଷ୍ଟ ହୋଇ ମର୍ତ୍ତ୍ୟପୁର ଅଳଂକୃତ କରିଛ । ମାତ୍ର ଅଳ୍ପ କାଳ ମଧ୍ୟରେ ତୁମେ ଆତ୍ମହତ୍ୟା କରିବ ବୋଲି ମୁଁ କଳ୍ପନା ପର୍ଯ୍ୟନ୍ତ କରିନାହିଁ । ତୁମେ ସ୍ୱର୍ଗକୁ ଯିବା ସଙ୍ଗେ ସଙ୍ଗେ ମୋ ଜୀବନକୁ ନେଇ ଯାଇଛ । ତୁମ ବ୍ୟତୀତ ଏ ଜଡ଼ ପିଣ୍ଡଟା ସଂସାରରେ ରହି ଆଉ କଅଣ କରିବ ? ମୋତେ ତୁମ ପାଖକୁ ନେଲ ନାହିଁ ? କମଳା ! ତୁମେ କଅଣ ସତେ ଏଡ଼େ ନିଷ୍ଠରା ? ତୁମ କୋମଳ ପ୍ରାଣ, ସରସ ହୃଦୟ କଣ ପ୍ରକୃତରେ ପାଷାଣ ପରି ? ତୁମ ଦର୍ଶନ ଦିନୁ ଭାବିଥିଲି, ତୁମକୁ ମୋ ହୃଦୟ ରାଜ୍ୟର ରାଣୀ ରୂପେ ବରଣ କରିବି । ମାତ୍ର ତୁମେ ମୋତେ ଏ ନରକଯନ୍ତ୍ରଣାରେ ପକାଇ ଦେଇ ଚାଲିଗଲ ଦିବ୍ୟଲୋକକୁ ।' ଦତ୍ତ ପୂର୍ବ ସ୍ମୃତିଗୁଡ଼ିକ ଏହିପରି ସ୍ମରଣ କରିବା ସଙ୍ଗେ ସଙ୍ଗେ ବିଳାପ କରିବାକୁ ଲାଗିଲେ । ପୁଣି ପାଗଳଙ୍କ ପରି ପ୍ରଳାପ କରି କହିଲେ, ‘‘ହେଇଟି-ଜଣକ ପାଇଁ ମୁଁ ବୃଷଭକୁ ହତ୍ୟା କଲି । ଏଇ ତ ସେ ସ୍ଥାନ ! ଏଇଠାରେ ତ କମଳାଙ୍କୁ ମୁଁ ଶିବିକାରୁ ଉଠାଇ ଆଣି ଶୀତଳ ଉପଚାର କରିଥିଲି । ନିର୍ନିମେଷ ନୟନରେ ତାଙ୍କର ସେହି କମନୀୟ ରୂପମାଧୁରୀକୁ ଅନାଇଁ ଅନାଇଁ ସୌନ୍ଦର୍ଯ୍ୟର ପୂଜା କରିବାକୁ ଉପାୟନ ସଂଗ୍ରହ କରୁଥିଲି । ତୁମେ ତା ପରିବର୍ତ୍ତରେ ମୋ ପ୍ରତି ଯେ ଦୃଷ୍ଟିପାତ କରିଥିଲ, ମୁଁ ଜୀବନରେ ତାହା ଭୁଲିବି ନାହିଁ, କମଳା !’’

 

ଦତ୍ତ ଏହିପରି ପୂର୍ବସ୍ମୃତିଗୁଡିକ ମାନେ ପକାଇ ମନ୍ମଥ-ଶବର ଶରାହତ କୁରଙ୍ଗ ତୁଲ୍ୟ ସେଠାରେ ବିଚରଣ କରିବାକୁ ଲାଗିଲେ ।

Image

 

ଏକାଦଶ ପରିଚ୍ଛେଦ

ଅସାବଧାନତାର ପରିଣାମ

ମନ୍ମଥ ବେଦନାଗ୍ରସ୍ତ ଶ୍ୟାମସୁନ୍ଦର ରଜନୀର ଶେଷ ଯାମରେ ଋଷିକୁଟୀର ଆଡ଼କୁ ଫେରିଲେ । ପ୍ରଭାତ ହେବାମାତ୍ରେ ଗଣ୍ଡ।କୁ ପ୍ରାଣଦଣ୍ଡ ଦେବାକୁ ହେବ, ସେଥିଲାଗି କେଉଁ ବୃକ୍ଷ ସୁବିଧାଜନକ ସେ ତାର ଅନୁସନ୍ଧାନ ସଙ୍ଗେ ସଙ୍ଗେ ଭାବିଲେ-ହାୟ, ରାଜଭକ୍ତି ଓ ପ୍ରଜାଗଣର ହିତ ସକାଶେ ମୁଁ ଆଜି ଦୁଷ୍କର୍ମ କରିବାପାଇଁ ଅଗ୍ରସର । ଆଜି ମୋ ଜୀବନରେ ଏହା ପ୍ରଥମ । ଦୁରାତ୍ମାକୁ କିନ୍ତୁ ସଂହାର ନକଲେ ରାଜ୍ୟ ରକ୍ଷା ହୋଇ ପାରିବ ନାହିଁ । ପୁଣି ରାଜାଦେଶ ଅମାନ୍ୟ କଲେ ସମୁଚିତ ଶାସ୍ତି ଭୋଗ କରିବାକୁ ପଡ଼ିବ । ସନ୍ଦିଗ୍ଧମନା ଶ୍ୟାମସୁନ୍ଦର ଚାଲିଛନ୍ତି-କୁଟୀର ଦ୍ୱାରଦେଶରେ ଦେଖିଲେ ବିନ୍ଦୁ ବିନ୍ଦୁ ରକ୍ତ ତାଙ୍କର ହୃତକମ୍ପ ହେଲା । ସେ ବିସ୍ମୟରେ ସେହି ରକ୍ତବିନ୍ଦୁ ପ୍ରତି ଅନାଇଁ ରହିଲେ । ଚତୁର୍ଦ୍ଦିଗକୁ ଦୃଷ୍ଟି ନିକ୍ଷେପ କରି ଦେଖିଲେ ତାଙ୍କର ଗୋଟିଏ ଅନୁଚରର ମସ୍ତକ ଦ୍ୱିଖଣ୍ଡିତ ହୋଇ ପଡ଼ିଛି । ଦତ୍ତଙ୍କ ହୃଦୟ ଆବେଗ ଓ ଚାଞ୍ଚଲ୍ୟରେ ପୂରି ଉଠିଲା-। ସେ ଅତି ଶୀଘ୍ର କୁଟୀର ଭିତରକୁ ଦଉଡ଼ି ଗଲେ । ଦେଖିଲେ ଋଷିଙ୍କର ହସ୍ତପଦ ବନ୍ଧା ହୋଇଛି । ତାଙ୍କ ମୁଖରେ କନାବିଣ୍ଡାଟାଏ ଥିବାରୁ ସେ କଥା କହିବାକୁ ସୁଦ୍ଧା ଅସମର୍ଥ ହୋଇଛନ୍ତି । ଦତ୍ତ ତାଙ୍କୁ ଉଠାଇ ବନ୍ଧନ ମୋଚନ କଲେ । କନାବିଣ୍ଡାଟି ମୁଖରୁ କାଢ଼ି ଦେଇ ଏ ଦୁର୍ଘଟନାରେ କାରଣ ପଚାରିଲେ । ଋଷି କ୍ଲାନ୍ତି ଅପନୋଦନ କରି ଧୀର ଅଥଚ କ୍ଷୀଣ କଣ୍ଠରେ କହିଲେ,’’ବତ୍ସ, ଆଉ କଅଣ ପଚାରୁଛ । ତୁମ ସଙ୍ଗେ ସଙ୍ଗେ ମୋର ମଧ୍ୟ ସର୍ବନାଶ ଘଟିଚି । ତୁମେ କୁଟୀର ତ୍ୟାଗ କରି ବାହାରକୁ ଯିବାର କିଛିକ୍ଷଣ ପରେ ଚାରିଜଣ ଭୀଲ୍‌ ଆସି ଆମ୍ଭମାନଙ୍କୁ ଆକ୍ରମଣ କଲେ । ତୁମର ବିଶ୍ୱସ୍ତ ଭୃତ୍ୟ ତାଙ୍କର ସମ୍ମୁଖୀନ ହୁଅନ୍ତେ, ରାକ୍ଷାସଗଣ ତାକୁ ନୃଶଂସ ଭାବରେ ହତ୍ୟା କରି ମୁଁ ବାଧା ଦେବାରୁ ମୋତେ ଏ ଦୁର୍ଦ୍ଦଶାରେ ପକାଇ ଗଣ୍ଡାଭୀଲକୁ ସଙ୍ଗେ ସଙ୍ଗେ ନେଇ ଚାଲିଲେ । ତୁମର ଅନ୍ୟାନ୍ୟ ଅନୁଚରମାନେ ସେମାନଙ୍କ ଅନୁସରଣରେ ଯାଇଛନ୍ତି । ଏହାଛଡ଼ା ମୁଁ ଆଉ କିଛି ଜାଣି ନାହିଁ । ମୋ କୁଟୀରରେ ଏ ଦୁର୍ଘଟନା ଘଟିବାରୁ ଲୋକେ କଅଣ ଭାବିବେ କେଜାଣି ମୁଁ କିନ୍ତୁ ଭାରି ଲଜ୍ଜିତ । ପାପ ଓ ପୁଣ୍ୟ ପରତ୍ମାମା ଜାଣନ୍ତି ।’’

 

ଋଷିଙ୍କ ବାକ୍ୟରେ ଶ୍ୟାମସୁନ୍ଦର ନିଷ୍ପ୍ରଭ ହୋଇ ପଡ଼ିଲେ । ସେ ଚିତ୍ରାର୍ପିତ ପ୍ରତିମାତୁଲ୍ୟ କୁଟୀରର ଗୋଟିଏ କଣକୁ ଆଉଜି ତାଙ୍କ ଭବିଷ୍ୟତ ଚିନ୍ତା କରି ହତୋତ୍ସାହ ହୋଇଗଲେ-ଅନୁଚରଗଣର ଏ ଦୁରଭିସନ୍ଧି କି ପ୍ରକୃତରେ ଭୀଲମାନ ଏ ଦୁର୍ଘଟନା ଘଟାଇଛନ୍ତି, ସେ ଜାଣି ପାରିଲେ ନାହିଁ । ସେ କିପରି ଇନ୍ଦୋର ଯିବେ ? କେଉଁ ମୁହଁରେ ରାଣୀଙ୍କୁ ଏ ଘଟନା ବର୍ଣ୍ଣନା କରିବେ ? ଏ ସନ୍ଧି ସ୍ଥଳରେ ଗଣ୍ଡା ପଳାଇ ଯାଇଛି ବୋଲି ବିଶ୍ୱାସ କରିବ କିଏ ? ଯଶୋବନ୍ତ ପ୍ରମୁଖ ଷଡ଼ଯନ୍ତ୍ରକାରୀଙ୍କର ପ୍ରରୋଚନାରେ ଉତ୍କୋଚ ଗ୍ରହଣ କରି ମୁଁ ଏପରି କରିଛି ବୋଲି ନିଶ୍ଚୟ ରାଣୀ ସନ୍ଦେହ କରିବେ । ହାୟ, ଦେଶ ରକ୍ଷା କରିବାକୁ ଯାଇ ମୋର ଅଧଃପତନ । କେବଳ ସେତିକି ନୁହେ, ଅପମାନ, ଘୃଣା, ଲାଞ୍ଚନାରେ ମୁଁ ଆଉ କଣ ମୁଣ୍ଡ ଟେକି ଚାଲିବି ? ମୁଁ ଏଡ଼େ ହୀନ, ଏଡ଼େ ଅକୃତଜ୍ଞ । ଭୃତ୍ୟମାନେ ରାଜଭକ୍ତିର ଯେ ଦୃଷ୍ଟାନ୍ତ ଦେଖାଇଛନ୍ତି, ପ୍ରଭୁଭକ୍ତିରେ ଯେ ପ୍ରାଣ ଦାନ କରିଛନ୍ତି ତାର ପଟାନ୍ତର କାହିଁ ? ଛି, ଧିକ୍‌ ମୋର ଜୀବନ ।

 

ଦତ୍ତ ଏହିପରି ଚିନ୍ତା ରାଜ୍ୟର ପଥିକ-ହଠାତ ସେବକମାନେ ଅଭିବାଦନ ଜଣାଇଲେ । ଶ୍ୟାମସୁନ୍ଦର ‘‘ଚୋର କାହିଁ?’’ ବୋଲି ପ୍ରଶ୍ନ କଲେ । ସେବକଗଣ ହଠାତ, ବିଳାପ କରି ତାଙ୍କ ପଦଦେଶରେ ପତିତ ହେଲେ । ଦତ୍ତଙ୍କ ପଦଯୁଗଳ ଅଶ୍ରୁଜଳରେ ପ୍ଲାବିତ ହୋଇଗଲା । ସେମାନେ କହିଲେ, ‘‘ପ୍ରଭୋ, ଆମ୍ଭେମାନେ ନିଦ୍ରିତ । ଉଠିଲାବେଳକୁ ଋଷି ଶୃଙ୍ଖଳାବଦ୍ଧ । ଆମର ପ୍ରିୟ ସହଚର ଜଣକ ନିହତ । ଆମ୍ଭେମାନେ ଜାଗ୍ରତ ହୋଇ ଗଣ୍ଡାର ଅନୁସନ୍ଧାନରେ ଚାଲିଲୁ । ଅରଣ୍ୟର ଚତୁର୍ଦ୍ଦିଗରେ ବୁଲି ବୁଲି ବର୍ତ୍ତମାନ ଫେରି ଆସିଛୁଁ । ଶ୍ରମ ବ୍ୟର୍ଥ, ପଣ୍ଡ ହୋଇଛି ।’’ କହୁ କହୁ ସେମାନେ ବିଚଳିତ ହୋଇ ପଡ଼ିଲେ । ଦତ୍ତ ସେମାନଙ୍କୁ ଅଭୟ ଦେଇ ଋଷିଙ୍କଠାରୁ ବିଦାୟ ନେଲେ-

 

ଜୀବନ ସଂଶୟ ଓ ମାନିହାନି ଭୟରେ ବ୍ୟତିବ୍ୟସ୍ତ ହୋଇ ଅନାହାର ଓ ଅନିଦ୍ରାରେ ଦତ୍ତ ଇନ୍ଦୋର ଅଭିମୁଖେ ଯାତ୍ରା କଲେ । ରାଜ୍ୟରେ ଏଭଳି ଅସନ୍ତୋଷ ଓ ଅରାଜକତା ମଧ୍ୟରେ ରାଣୀ ତାଙ୍କୁ ଯେ ବିଶ୍ୱାସ କରି କ୍ଷମା ଦେବେ, ଏହା କଦାପି ସମ୍ଭବପର ନୁହେ; ତେଣୁ ତାଙ୍କର ପ୍ରାଣଦଣ୍ଡ ସୁନିଶ୍ଚିତ । ଏ ଚିନ୍ତାରେ ଦତ୍ତ ମ୍ରିୟମାଣ ହୋଇ ପଡ଼ିଲେ । ମାର୍ଗରେ ଜଣେ ଅନୁଚର ଦତ୍ତଙ୍କ ଅବସ୍ଥା ଦେଖି କହିଲେ, ‘‘ମହାଭାଗ, ପ୍ରାଣରକ୍ଷା ଲାଗି ଉପାୟ ଯଥେଷ୍ଟ ଅଛି । ଆଜ୍ଞା ହେଲେ କହିବି ! ଚୋର ଖସିଗଲା ବୋଲି ନକହି ପ୍ରାଣଦଣ୍ଡ ଦିଆଯାଇଛି ବୋଲି କହିଲେ କ୍ଷତି କଣ?’’ କ୍ଷୀଣ ହାସ୍ୟ ପରେ ଶ୍ୟାମସୁନ୍ଦର କହିଲେ, ‘‘ପାଗଳ, ମିଥ୍ୟା ଲୁଚି ରହିପାରେ ? ଆମକୁ ବରାବର ସତ୍ୟ କହିବାକୁ ହେବ । ପରିଣାମ ପ୍ରଭୁଙ୍କ ଉପରେ ।’’ ସେବକର ଚେଷ୍ଟା ନିସ୍ଫଳ ହେଲା । ଦତ୍ତ ସେମାନଙ୍କ ସହିତ ଏକ ଲକ୍ଷ୍ୟରେ ଇନ୍ଦୋର ଆଡ଼କୁ ଚାଲିଲେ । ମାହୁରେ ଭଉଣୀଙ୍କ ଘରକୁ ନଯାଇ କିମ୍ବା ଏ ଦୁର୍ଘଟନା ରାଧାକାନ୍ତଙ୍କୁ ନଜଣାଇ ଶ୍ୟାମସୁନ୍ଦର ରାଜପ୍ରାସାଦରେ ଉପନୀତ ହେଲେ । ରାଣୀ ଦତ୍ତ ଆସିଛନ୍ତି ବୋଲି ଜାଣି ଶୀଘ୍ର ତାଙ୍କୁ ଘେନି ଆସିବାକୁ ପ୍ରହରୀକୁ ଆଦେଶ ଦେଲେ । ଦତ୍ତ ଅଭିବାଦନ ଜଣାଇ ଦଣ୍ଡାୟମାନ ହେଲେ । ରାଣୀ ଉତ୍‌କଣ୍ଠାର ସହିତ ପ୍ରଶ୍ନ କଲେ, ‘‘ଗଣ୍ଡାକୁ ଫାସି ଦେଲ ତ ? ମଲାବେଳେ ସେ ପାପିଷ୍ଠ କଅଣ କହିଲା ? ଭୀଲମାନେ ଗଣ୍ଡା ମୃତ୍ୟୁରେ ଶିକ୍ଷା ପାଇଛନ୍ତି ନା ?’’ ଦତ୍ତ ନିରୁତ୍ତର, ଚିତ୍ରାର୍ପିତ । ରାଣୀଙ୍କର ଉତ୍‌କଣ୍ଠା ବଢ଼ିଲା । ସେ ଘନ ଘନ ସେହି ପ୍ରଶ୍ନ କଲେ ‘‘କଅଣ ହେଲା ଗଣ୍ଡା କଥା ? କହୁନାହଁ କାହିଁକି ?’’

 

‘‘ମଣିମା, କଅଣ କହିବି ? ଗଣ୍ଡା ଫିଟି ପଳାଇ ଯାଇଛି ।’’

 

ତପ୍ତ ତୈଳରେ ଜଳବିନ୍ଦୁ ପତିତ ହେଲାପରି ରାଣୀ କ୍ରୋଧରେ ଉତ୍ୟକ୍ତ ହୋଇ ପଡ଼ିଲେ । ତାଙ୍କ ଚକ୍ଷୁରୁ ଅଗ୍ନିକଣା ନିର୍ଗତ ହେଲା । ସେ ବାରମ୍ବାର ଦୀର୍ଘ ନିଶ୍ୱାସ ତ୍ୟାଗ କରି କହିଲେ, ‘‘ଆହୁରି ତୁମେ ତେବେ ବଞ୍ଚିଛ ?’’

 

‘‘ଛାମୁଙ୍କୁ ଏ ସମାଚାର ଦେବାପାଇଁ କେବଳ ଜୀବନ ଧରିଛି ।’’

 

‘‘ରାଜଦ୍ରୋହୀ, କାପୁରୁଷ । ଯଶୋବନ୍ତ ପ୍ରମୁଖ ଷଡ଼ଯନ୍ତ୍ରକାରୀଙ୍କ ମନ୍ତ୍ରଣାରେ ପଡ଼ି, ସେମାନଙ୍କଠାରୁ ଉତ୍କୋଚ ଗ୍ରହଣ କରି ରାଧାକାନ୍ତଙ୍କ ଅମୂଲ୍ୟ ପରିଶ୍ରମ ବ୍ୟର୍ଥ, ପଣ୍ଡ କରି ଦେଇଛ । ଧନ୍ୟ ତୁମର ବାକ୍‌ଜାଲ । ଅକାରଣ ଛଳନା କରି ଭାବିଚ ତୁମେ ତାର ପ୍ରତିଦାନରେ କ୍ଷମା ପାଇବ-? ଧିକ୍‌, ନାରକି ! ସେଠାରେ ତେବେ କଅଣ ଆତ୍ମହତ୍ୟାର ଉପାୟ ନଥିଲା ? ତୁମ ଶାଣିତ କରବାଳ କଅଣ ନଷ୍ଟ ହୋଇ ଯାଇଛି ? ତୁମ ଜୀବନ ପୁଣି ରହିବ ବୋଲି ଆଶା କରିଛ ? ଧିକ୍‌ ନରପଶୁ ! ଆଉ ଅଧିକ ବାକ୍‌ବ୍ୟୟ କରନା ।’’

 

‘‘ଏହା ରାଜଦ୍ରୋହର ଫଳ ନୁହେ, ମଣିମା । ଭ୍ରମବଶତଃ ଗଣ୍ଡା ପଳାଇ ଯାଇଛି ।’’

 

‘‘ଛି, ଲଜ୍ଜା ନାହିଁ-ପୁଣି ତାର କାରଣ ବିଶ୍ଳେଷଣ କରୁଛ ? ଦସ୍ୟୁକୁ ଭ୍ରମବଶତଃ ଛାଡ଼ିଦେବା କଅଣ ଅପରାଧ ନୁହେ ? ଦୂର ହୁଅ ପାଷାଣ୍ଡ, ମୋ ସମ୍ମୁଖରୁ । ତୁମ ଭଳି ଚପଳମତି ଯୁବକକୁ ବିଶ୍ୱାସ କରି ମୁଁ ରାଜ୍ୟ ଶାସନ କରିବି ? ରାଜ୍ୟରୁ ଅରାଜକତା ଦୂର କରିବି ? ବର୍ତ୍ତମାନ ଶେଷ ମୂହୂର୍ତ୍ତକୁ ଅପେକ୍ଷା କର । ମୃତ୍ୟୁର ସେହି କରାଳ ବିଭୀଷିକା ମନେ କରି ସ୍ୱକୃତ ପାପ କର୍ମ ଲାଗି ପ୍ରାୟଶ୍ଚିତ୍ତ କରିବାପାଇଁ ସତର୍କ ହୁଅ । ମୁଁ ସ୍ନେହ ଓ ସାଧୁତାକୁ ଅପାତ୍ରରେ ଦାନ କରି ବର୍ତ୍ତମାନ ସର୍ବନାଶ ହେବା ଉପରେ ବସିଛି । ଭାବୁଛି, ସେ ସମସ୍ତ ତୁମ ପକ୍ଷେ ବିଷ ଭୋଜନ ତୁଲ୍ୟ ଅରୁଚିପ୍ରଦ ହୋଇ ପଡ଼ିଲା ।’’ ନା, କିଏ ଅଛ ? ଶୀଘ୍ର ଏ ପଶୁକୁ ବନ୍ଦୀ କର ? ବୃଦ୍ଧ ରାଧାକାନ୍ତଙ୍କୁ ଏଠାକୁ ଡାକି ଆଣ ।’’

 

ଶାନ୍ତ କୁରଙ୍ଗ-ଶାବକକୁ ସିଂହୀ ଆକ୍ରମଣ କଲା ପରି ରାଣୀଙ୍କର ଏ ବ୍ୟବହାରରେ ଶ୍ୟାମସୁନ୍ଦର ମର୍ମାହତ ହୋଇ ପଡ଼ିଲେ । ବୀର ପକ୍ଷେ ବରଂ ମୃତ୍ୟୁ ଶତଗୁଣରେ ଶ୍ରେୟସ୍କର । ମାତ୍ର ଅକାରଣ ଲଜ୍ଜା, ଅପମାନ, ନିନ୍ଦା ତା ପକ୍ଷରେ କଦାପି ସହନୀୟ ନୁହେ । ଏ ଲାଞ୍ଛନା ସତ୍ୱେ ଦତ୍ତ ନିରବ, ନିସ୍ପନ୍ଦ ଅଥଚ ସ୍ଥିର ଦୃଷ୍ଟିରେ ପୃଥିବୀକୁ ଅନାଇ ଦଣ୍ଡାୟମାନ । ରାଧାକାନ୍ତ ଆକସ୍ମିକ ଦୁଃସମ୍ବାଦରେ ବିଚଳିତ ହୋଇ ଯଷ୍ଟହସ୍ତରେ ଧୀରେ ଧୀରେ ରାଜପ୍ରାସାଦ ଆଡ଼କୁ ଚାଲିଲେ । ଦେଖିଲେ, କ୍ରୋଧରେ ରାଣୀଙ୍କର ମୁଖମଣ୍ଡଳ ଆରକ୍ତ । ସେ ସାକ୍ଷାତ ମୂର୍ତ୍ତୀମତୀ ରଣଚଣ୍ଡୀରୂପେ ବିରାଜମାନ । ଅହଲ୍ୟାଙ୍କ କ୍ରୋଧଦୀପ୍ତ କଳେବରର ଚଞ୍ଚଳତା ଦେଖି ରାଧାକାନ୍ତ ସମ୍ମାନ ପ୍ରଦର୍ଶନ ପୂର୍ବକ ଦଣ୍ଡାୟମାନ ହେଲେ । ନ।ରକାସୁର ସଂହାର ଉଦ୍ୟତ। ସତ୍ୟଭାମାଙ୍କ ତୁଲ୍ୟ କଟାକ୍ଷ ଦୃଷ୍ଟିପାତ କରି ଅହଲ୍ୟା କହିଲେ, ‘‘ନିରୀହ ଛାଗ ଦଳରେ ଆପଣ ଏ ବ୍ୟାଘ୍ରକୁ ସ୍ଥାନ ଦେଇଥିଲେ କାହିଁକି ? ଏ ଯୁବକ ପରା ଗୁଣିଗଣ ଶିରୋମଣି ? ରାଜଭକ୍ତିରେ ପରା ୟାଙ୍କର ଶରୀର ଗଠିତ ? କାହିଁ ସେ ଗୁଣାବଳୀ ? ଦସ୍ୟୁକୁ ନିରାପଦରେ ମୁଖତା କରି ଦେଇ ଏ ସଂବାଦ ନେଇ ଆସିଛି ? ୟାଙ୍କରି ସାହାଯ୍ୟରେ ତ ଦେଶ ରକ୍ଷା-ସାମ୍ରାଜ୍ୟ ମଙ୍ଗଳ ।’’

 

‘‘ଯାହା ଘଟିଛି ପ୍ରଥମେ ଭଲରୂପେ ବିଚାର କରି ଦେଖିବା ଉଚିତ । ସେତେବେଳଯାଏଁ ଏହାଙ୍କର ଉଦ୍ଦେଶ୍ୟ ମନ୍ଦ ବୋଲି କୁହାଯିବ କିପରି ?’’

 

‘‘ଏହିପରି ପକ୍ଷପାତିତା ଯୋଗୁଁ ତ ଏ ବିଷମ ପରିଣାମ ! ଏ ଯୁବକ ଗୋଟିଏ ମଧୁବୋଳା ଶାଣିତ କୃପାଣ । ପ୍ରତାରଣାର ଅବତାରଟିଏ । ଆଛା, କହିଲ ରାଧାକାନ୍ତ, ଯଶୋବନ୍ତ ପ୍ରମୁଖ ଶତ୍ରୁଗଣ ଏଥିରେ ଆମ୍ଭମାନଙ୍କୁ ଉପହାସ କରିବେ ନାହିଁ ? ଆପଣଙ୍କ ଉପରେ ଆସ୍ଥା ବିଶ୍ୱାସ ରଖି ମୁଁ ଉଭୟତ୍ର ବିଫଳ ମନୋରଥ ହୋଇ ପଡ଼ିଛି । ଏପରି ପାଷାଣ୍ଡକୁ କ୍ଷମା କରିବା ଉଚିତ ନୁହେ । ଶ୍ୟାମସୁନ୍ଦର ! ରାଜଦ୍ରୋହର ଦଣ୍ଡ, ମୃତ୍ୟୁ । ଅନ୍ୟଥା ମୋ ଜୋପାଗ୍ନି ଶାନ୍ତ ହୋଇ ପାରିବ ନାହିଁ ।’’

 

‘‘ଯୁବକର ଏ ପ୍ରଥମ ଅପରାଧ-କ୍ଷମା କରନ୍ତୁ, ମଣିମା ।’’ ରାଧାକାନ୍ତ ଦୁଃଖ ଆଉ କ୍ଷୋଭରେ ଏ ନିବେଦନ କଲେ ।

 

‘‘ଦୟା ଚାହୁଁ ତ ? କ୍ଷମା ପ୍ରାର୍ଥନା କରୁଛ ? କାହାପାଇଁ ? ଦେଶ ଲୁଣ୍ଠନକାରୀ ପାଷାଣ୍ଡର ମୁକ୍ତଦାନକାରୀ ପ୍ରତି, ରାଜଦ୍ରୋହୀ ଅପକାରକ ପ୍ରତି, ଶତ୍ରୁ ସଙ୍ଗେ ମିଳିତ ମନ୍ତ୍ରଣ।କାରୀ ପ୍ରତି, ଦୟା ପ୍ରଦର୍ଶନ ? ନା, ଦଣ୍ଡ ବିଧାନ ତ ଉପଯୁକ୍ତ ପୁରସ୍କାର । ଆପଣଙ୍କର ଚାପଲ୍ୟ ରଖନ୍ତୁ । ଏହାକୁ କେବଳ ମାରିଦେବା ମୋର ଅଭିପ୍ରେତ ନୁହେ । ଷଡ଼ଯନ୍ତ୍ରରେ ଲିପ୍ତ ସମସ୍ତଙ୍କୁ ବିଚାର କରି, ମୃତ୍ୟୁଦଣ୍ଡ ଦେବାକୁ ଚାହେଁ ମୁଁ । ଏଥିପାଇଁ ବିଚାର ଲାଗି ଏହାକୁ ହୋମୋଜିଙ୍କ ନିକଟକୁ ପଠାଉଛି-। ଶ୍ୟାମସୁନ୍ଦର ! ସାକ୍ଷ୍ୟ ଆଣ । ସେବକ ! ଏହାକୁ ବନ୍ଦୀଶାଳରେ ନେଇ ରଖ ।’’

 

‘‘ମଣିମା, ମୁଁ ଏହାଙ୍କର ଜାମିନ୍‌ ରହିଲି । ମୋ ଜିମା ଏହାକୁ ଛାଡ଼ି ଦିଅନ୍ତୁ ।’’

 

‘‘ଜାମିନ୍‌ ଦରକାର ନାହିଁ । ବିଚାର ଅବଶ୍ୟମ୍ଭାବୀ । ଯାଅ ଏଇକ୍ଷଣି ।’’

 

ସମସ୍ତେ ନିଷ୍କ୍ର।ନ୍ତ । ମୃତ୍ୟୁଦଣ୍ଡ ସୁନିଶ୍ଚିତ ଭାବି ଦତ୍ତ ଅବିଚଳିତ ରହିଲେ । ସେ ରାଧାକାନ୍ତଙ୍କୁ ପ୍ରଣାମ କରି ସେବକମାନଙ୍କ ସହିତ ବନ୍ଦୀଶାଳାକୁ ଗଲେ । ରାଧାକାନ୍ତ ଅଶ୍ରୁପୂର୍ଣ୍ଣ ନୟନରେ ସ୍ଵ ଗୃହକୁ ବାହୁଡ଼ି ଆସିଲେ ।

Image

 

ଦ୍ୱାଦଶ ପରିଚ୍ଛେଦ

ମତାନ୍ତର

ଗଣ୍ଡାର ବନ୍ଦୀ ସମ୍ବାଦ ପ୍ରଚାର ହେବା ଦିନୁ, ତାର ଭାବୀ ମୃତ୍ୟୁ ଓ ନିଜର ଷଡ଼ଯନ୍ତ୍ର ଅକ୍ଳେଶରେ ଜଣାପଡ଼ିଯିବ ବୋଲି ଦୌଲତ ରାଓ, ଯଶୋବନ୍ତ ଓ ଭୟାଳୁ ଅଗ୍ରଗଣ୍ୟ ଧୁଣ୍ଡି ରାଓ ଦଗ୍ଧପାଦ ମର୍ଜାରତୁଲ୍ୟ ହୋମୋଜୀଙ୍କ ସମୀପକୁ ବାରମ୍ବାର ଯାତାୟାତ କଲେ । ଧୁଣ୍ଡି କିନ୍ତୁ ପ୍ରାଣଭୟରେ ଇନ୍ଦୋର ପରିତ୍ୟାଗ କରି ନିକଟସ୍ଥ ଗୋଟିଏ କ୍ଷୁଦ୍ର ପଲ୍ଲୀରେ ଜନୈକ ବନ୍ଧୁଙ୍କ ଗୃହରେ ଲୁଚି ରହିଲେ । ଗଣ୍ଡା ବର୍ତ୍ତମାନ ଫିଟି ଯାଇଛି, ସେଥିଲାଗି ଶ୍ୟାମସୁନ୍ଦର ସମୁଚିତ ଶାସ୍ତି ପାଇବେ ଓ ହୋମୋଜୀ ରାଓ ତାର ବିଚାରପତି ହୋଇଛନ୍ତି । ଅହଲ୍ୟାଙ୍କର ସମସ୍ତ ପରିଶ୍ରମ ବ୍ୟର୍ଥ ହୋଇଛି ଜାଣି ପରି ମନୋରଥ ସିଦ୍ଧ ଉଦ୍ଦେଶ୍ୟରେ ଦୌଲତ ଧୁଣ୍ଡି ରାଓଙ୍କୁ ଡକାଇ ପଠାଇଲେ । ବର୍ତ୍ତମାନ ଶତ୍ରୁପକ୍ଷରେ ମହା ଆନନ୍ଦ । ସେମାନଙ୍କର ଚକ୍ରାନ୍ତ ଅଚିରେ ଫଳବତୀ ହେବ ବୋଲି ସେମାନେ ମନେ ମନେ ଅଶାର ପ୍ରକାଣ୍ଡ ସୌଧ ପ୍ରସ୍ତୁତ କରି ବସି ଅଛନ୍ତି ।

 

‘କାର ପୌଷ ମାସ, କାର ବଂଶ ନାଶ’ ସଂସାରରେ ଏ ନୀତି ବରାବର ଲାଗି ରହିଛି । ଏଣେ ଦତ୍ତ ବନ୍ଦୀଶାଳରେ ଏକାକୀ ଶୋକ ସନ୍ତପ୍ତ, ନିଜର ଅକାଳମୃତ୍ୟୁ, ଚିର ଅପକୀର୍ତ୍ତି, ଭଗିନୀଙ୍କର ଚିନ୍ତା, ଏସବୁ ଗୁଡ଼ିକ ଭାବି ଭାବି ସେ ଏକରକମ ଜଡ଼, ଜୀବିତ ଶବ ପରି । ଠିକ ସନ୍ଧ୍ୟା ବେଳକୁ ଚିନ୍ତା କରି କରି ସେ ଟିକିଏ ଢୁଳେଇ ପଡ଼ିଲେ; ସେଇ ସମୟରେ ସେ ଯେଉଁ ଲୋମହର୍ଷଣକାରୀ ଭୟାବହ ସ୍ୱପ୍ନ ଦେଖିଲେ, ସେଥିରେ ତାଙ୍କର ନିଦ୍ରା ଭଙ୍ଗ ହେଲା । ଅହୋ ! କି ଭୀଷଣ ସ୍ୱପ୍ନ ସେ-ରାଜ-ସେବକଗଣ ତାଙ୍କୁ ଫାସି ଖୁଣ୍ଟକୁ ନେଇ ଗଲେ । ଦେଖୁ ଦେଖୁ ଦତ୍ତ ଅନୁଭବ କଲେ ଯେପରି ସେ ମୃତ୍ୟୁର ଶେଷ ଯାମରେ ବିକଳ ଚିତ୍କାର କରୁଛନ୍ତି ଓ ତାଙ୍କ ମୃତ ଶରୀର ଉପରେ ତାଙ୍କ ଭଗିନୀ ଲୁଣ୍ଠିତା ହୋଇ ବିଳାପ ନଦିରେ ଆକାଶ କମ୍ପାଇ ଦେଉଛନ୍ତି । ହଠାତ ସେ ଉଠି ଚତୁର୍ଦ୍ଦିଗକୁ ଦୃଷ୍ଟି ନିକ୍ଷେପ କଲେ । ପ୍ରଭାତରେ ଯେ ବିଭୀଷିକା ଘଟିବ ତାର ପୂର୍ବସୂଚନା ମନେ କରି କହିଲେ, ‘‘ହା, ଦୁଦୈବ, କଲି ଏତିକିବେଳେ ଗଣ୍ଡାକୁ ମୁଁ ତାର ମୃତ୍ୟୁ ସଂବାଦ ଶୁଣାଉଥିଲି । ଆଜି କିନ୍ତୁ ମୁଁ ମୋ ମୃତ୍ୟୁ ଚିନ୍ତାରେ ଇତସ୍ତତ । ବିଧି ବିଧାନ କି ବିଚିତ୍ର ! ଏ ବୃଥା ଚିନ୍ତାରେ ସମୟ ଯାଉଛି କିଆଁ ? ଚଞ୍ଚଳ ମୋର ସ୍ୱର୍ଗସୁଖ ଭୋଗ ସଙ୍ଗେ ସଙ୍ଗେ କମଳା ଦର୍ଶନ ଲାଭ ହେଉ ।’’

 

ଶ୍ୟାମସୁନ୍ଦର ପରି ବୁଦ୍ଧିମାନ ଓ ବଳବାନ ଯୁବକ ନିଜ ପକ୍ଷକୁ ଆସିଲେ ବିସ୍ତାର ଉପକାର ହେବ ପୁଣି ବିଜୟ ସୁନିଶ୍ଚିତ ଭାବି ଯେପରି ହେଉ ତାଙ୍କୁ ନିଜ ପକ୍ଷକୁ ଆଣିବାପାଇଁ ଯତ୍ନ କରିବା ଲାଗି ଯଶୋବନ୍ତ ପ୍ରମୁଖ ଆୟୋଜନ କଲେ । କ।ରାଧ୍ୟକ୍ଷ ସେମାନଙ୍କର ପରମ ଆତ୍ମୀୟ । ତା'ରି ସାହାଯ୍ୟରେ ଯଶୋବନ୍ତ ରାତ୍ରିର ପ୍ରଥମ ପ୍ରହରରେ କାରାଗାରକୁ ଯାଇ ଦତ୍ତଙ୍କ ପାଖେ ବସିଲେ । ଦେଖିଲେ, ଶ୍ୟାମସୁନ୍ଦର ଜୀବିତ ଶବ ତୁଲ୍ୟ ପତିତ । ଯଶୋବନ୍ତ କରୁଣାର୍ଦ୍ର ହୋଇ ଉଠାଇଲେ । ଶ୍ୟାମସୁନ୍ଦର ଭାବିଲେ, ସେ ଯେପରି ସ୍ୱପ୍ନ ରାଜ୍ୟରେ ବିଚରଣ କରୁଛନ୍ତି । ପରେ ସେ ତ ବରାବର ଜାଗ୍ରତ ଅଛନ୍ତି ଭାବି ଯଶୋବନ୍ତ ରାଓ କାହିଁକି ଆସିଛନ୍ତି ବୋଲି ଚିନ୍ତା କଲେ ।

 

‘‘ରାଜା ଓ ରାଣୀଙ୍କୁ ବିଶ୍ୱାସ କରି ଲୋକ ପରିଣାମରେ କଣ ଫଳ ପାଏ, ଏତେ ଦିନେ ଅନୁଭବ କରି ପାରିଲ ? ଚଞ୍ଚଳମତି ପ୍ରଭୁ- ପିଶାଚମାନଙ୍କୁ ସେବା କରିବା ଅପେକ୍ଷା ଭିକ୍ଷା ମାଗିବା ବରଂ ଶ୍ରେୟସ୍କର । ତୁମ ଲାଗି ମୁଁ ଭାରି ଦୁଃଖିତ ।’’

 

‘‘ମୋ ଅଦୃଷ୍ଟ ପାଇଁ ରାଣୀ କିପରି ଦାୟୀ ? ମୁଁ ମୋ ଅପକର୍ମର ଫଳ ଭୋଗିବି ନାହିଁ ? ସେଥିପାଇଁ ରାଣୀଙ୍କୁ ଅପରାଧ ଦେବି କାହିଁକି ? ସେ ବରାବର ନିରାପରାଧିନୀ ।’’

 

‘‘ତୁମର ପାଗଳାମି ଆହୁରି ଛାଡ଼ି ନାହିଁ ? ବଞ୍ଚିବାର ଉପାୟ କହୁଛି ଶୁଣ । ମୋର ଉପଦେଶ ମାନି ଆତ୍ମରକ୍ଷା କର । କୋତ୍ୱାଲ ହୋମୋଜି ରାଓ ତୁମ ଅପରାଧର ବିଚାରକ । ସେ ମୋର ପରମ ମିତ୍ର । ଯଦି ତୁମେ ରାଣୀଙ୍କ ପକ୍ଷ ତ୍ୟାଗ କରି ଆମ ପକ୍ଷରେ ରହିବାକୁ ଶପଥ କର, ପୁଣି ଆମ ସହିତ ମିଳିତ ହୋଇ ରାଣୀଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରତିଜ୍ଞାବଦ୍ଧ ହୁଅ, ତାହାହେଲେ ତୁମ୍ଭର ମୁକ୍ତି ନିଶ୍ଚୟ, ସମ୍ଭବ । ରଥିର ତୁମର ମତ କଅଣ ? ଏପରି କରିବି ତ ?’’

 

ଏ ପ୍ରଶ୍ନର ଉତ୍ତରରେ ଦତ୍ତ ହଠାତ ନାହିଁ କଲେ । ମହାପାପ ଓ ଦୁର୍ଦ୍ଦଶାର କାରଣ ରାଜଦ୍ରୋହର ଆତ୍ମରକ୍ଷା ଉଚିତ ନା ତୁଚ୍ଛ ଜୀବନ-ମମତା ତ୍ୟାଗ କରି ନ୍ୟାୟସଙ୍ଗତ ଶାସ୍ତିରେ ଦେହ ତ୍ୟାଗ କରିବା ବିଧେୟ, ଏ ଉଭୟ ଚିନ୍ତାରେ ତାଙ୍କ ମନ ଆନ୍ଦୋଳିତ ହୋଇ ପଡ଼ିଲା । ସେ କହିଲେ ‘‘ମହାଶୟ, ମୋର ପ୍ରାଣ ରାଜଭକ୍ତି ପାଇଁ ଉତ୍ସୃଷ୍ଟ । ମୁଁ ପ୍ରଥମରୁ ପ୍ରତିଜ୍ଞାବଦ୍ଧ ହୋଇ ସାରିଛି । ବର୍ତ୍ତମାନ ରାଜଦ୍ରୋହ କରିବାକୁ ମୋର ବିବେକ କହୁନାହଁ । କେବେହେଲେ ତ ମରଣ ସୁନିଶ୍ଚିତ । ତେବେ ଅକାରଣ ଷଡ଼ଯନ୍ତ୍ରକାରୀଙ୍କ (ସଙ୍ଗେ ମିଳିତ ହୋଇ, ରାଣୀଙ୍କ) ମନରେ ଅଶାନ୍ତ ଜାତ କରି, ଦେଶ ତମାମ୍‌ ଅବାଧ ଅତ୍ୟାଚାର ଚଳାଇ, କ୍ଷଣିକ ସୁଖ ଲାଭ କରିବା ଅପେକ୍ଷା ଗୌରବ ସହକାରେ ମୃତ୍ୟୁକୁ ଆଲିଙ୍ଗନ କରିବା ବରଂ ଶ୍ରେୟସ୍କର ।’’

 

ଯଶୋବନ୍ତ ରାଓ ଦତ୍ତଙ୍କୁ ଗିଳି ଦେଲା ପରି କୋପାନ୍ଵିତ ହୋଇ ଆରକ୍ତ ଚକ୍ଷୁରେ କହିଲେ, ‘‘ଅକାଳ ନିଦାରୁଣ ମରଣ ତୋ ଭାଗ୍ୟରେ ଅଛି, ମୋ କଥା ଶୁଣି ନିଜର ମଙ୍ଗଳ-ଚିନ୍ତା କରିବାକୁ ଅବସର କାହିଁ ? ତୁ ମର । ମୋର ସେଥିରେ ଯାଏ ଆସେ କେତେ ।’’ ଏହି କଥା କହି କହି ଯଶୋବନ୍ତ କ୍ରୋଧରେ କାରାକକ୍ଷ ତ୍ୟାଗ କଲେ । ଶ୍ୟାମସୁନ୍ଦର ନିକଟସ୍ଥ ଅଦୃଷ୍ଟ ଦେବତାଙ୍କୁ ପାଦରେ ଠେଲି ଦେଇଛନ୍ତି ବୋଲି କିଞ୍ଚିତ ଅନୁତପ୍ତ ହେଲେ ସତ୍ୟ, କିନ୍ତୁ ପରକ୍ଷଣରେ ଏ କାର୍ଯ୍ୟ ଉତ୍ତମ ହୋଇଛି ଭାବି ଆଶ୍ୱସ୍ତ ହୋଇ ପଡ଼ିଲେ । କେବେ ଏ ଅନ୍ଧକାର ଦୂର ହେବ, କେବେ ଐହିକ ଦୁଃଖ ତାପ ଘୁଞ୍ଚିବ ଏହା ଅପେକ୍ଷାରେ ରହିଲେ ।

 

ଦୌଲତ ରାଓ ସେହି ରାତିରେ ହୋମୋଜୀଙ୍କ ନିକଟକୁ ଯାଇ କେତେକ ରାଷ୍ଟ୍ରନୀତି ସଂକ୍ରାନ୍ତ ଆଲୋଚନା କରି କଥାପ୍ରସଙ୍ଗରେ ଦତ୍ତଙ୍କ ବିଷୟରେ କହିଲେ, ‘‘ଯଶୋବନ୍ତ ରାଓଙ୍କ କଥା ବିଶ୍ୱାସ କରିବା ଅନୁଚିତ । କେବଳ ରାଣୀଙ୍କ ପ୍ରତି ଆମ୍ଭମାନଙ୍କ ଶତ୍ରୁତା । ତେବେ ଦେଶ ତମାମ୍‌ ଲୁଣ୍ଠନ କରି, ରାଜପୁତମାନଙ୍କ ସାହାଯ୍ୟ ଲୋଡ଼ି କି ଲାଭ ? ଯଶୋବନ୍ତଙ୍କର ଏ ନୀତି ଧରି ବସିଲେ ଚଳିବ ? ରାଜନୀତିରେ ଧର୍ମାଚରଣ ଆଦୌ ଉଚିତ ନୁହେ ।’’

 

‘‘ଆଗରୁ ତାଙ୍କୁ ମୁଁ ବିଶ୍ୱାସ କରୁନାହଁ । ହେଲେ, ଦତ୍ତଙ୍କର ଏପରି କଅଣ ଅବସ୍ଥା ହେଲା-? ତାଙ୍କ ବିଚାର ପାଇଁ ରାଣୀ ମୋତେ ଆଦେଶ ଦେଇଛନ୍ତି ।’’

 

‘‘ମୋ ମନ୍ତ୍ରଣା ସଫଳ ହୋଇଛି । କିନ୍ତୁ ଦେଖ, ଛାଡ଼ିବ ନାହିଁ । ସେ ଓ ରାଧାକାନ୍ତ ନ ମଲେ ଆମର ଜୟ ଯେ ଅସମ୍ଭବ । ସେମାନେ, ମୁଁ କମଳାଙ୍କୁ କଷ୍ଟ ଦେଉଥିଲି, ତାକୁ ବିବାହ କରିବାକୁ ଉଦ୍ୟତ ଥିଲି, ବୋଲି ରାଣୀଙ୍କୁ ଜଣାଇ, ଦେଶତମାମ ପ୍ରଚାର କରି ମୋତେ ଯେ ଅପମାନ ଦେଇଛନ୍ତି, ସେଥିଲାଗି ରାଣୀଙ୍କ ଅପେକ୍ଷା ମୁଁ ସେମାନଙ୍କ ଉପରେ ଅଧିକ ଖଡ୍‌ଗହସ୍ତ । ଦତ୍ତର ନାମ ପଡ଼ିଲା ମାତ୍ରେ ମୋ ହାଡ଼ ଜଳି ଉଠୁଛି । ତାକୁ ନିଶ୍ଚୟ ପ୍ରାଣଦଣ୍ଡ ଦେବାକୁ ହେବ ।’’

 

‘‘ଶାସକରୂପେ ମୁଁ ବିଚାର କାର୍ଯ୍ୟରେ କଦାପି ଅନ୍ୟାୟ କରି ନପାରେ । ବିଚାର କାର୍ଯ୍ୟରେ ନ୍ୟାୟମାର୍ଗ ଅନୁସରଣ କରିବା ମୋର ବରାବର ଧର୍ମ ।’’

 

‘‘ଆହା, ପରସ୍ପର ମଧ୍ୟରେ ଏତେ ଭେଦଭାବ, ମତାନ୍ତର ହେଲେ ଚଳିବ?’’

 

‘‘ଅନ୍ୟାୟରେ ଦତ୍ତକୁ ମାରିଦେଲେ ଲୋକେ ମୋତେ ଘୃଣା କରିବେ ନାହିଁ ?’’

 

‘‘ହେଲା, ତୁମେ ଇଛାନୁସାରେ ଚାଳିତ ହୁଅ, ତେବେ ମୁଁ ଯାଉଚି ।’’

 

ଦୌଲତ ବିରକ୍ତ ଓ ଘୃଣାରେ ସେଠାରୁ ନିଷ୍କ।ନ୍ତ ହେଲେ । ହୋମୋଜୀ ଉଚ୍ଚସ୍ୱରରେ ଡାକିଲେ, ‘ବେତାଳ ଏଠାକୁ ଆସିଲ ।’’

 

ବେତାଳ ସିଂହ ହିନ୍ଦୁସ୍ଥାନ ନିବାସୀ ରାଜପୁତ । ତାର ବାହୁଦ୍ୱୟ ଲୌହପରି କଠିନ, ମସ୍ତକ ଗୋଲ; ମୁଖମଣ୍ଡଳ ସୁବର୍ଣ୍ଣ ତୁଲ୍ୟ ଅ।ଭାମୟ; ନୀଳବର୍ଣ୍ଣର ବୀରବେଶ । ଏପରିକି ତାଙ୍କ ଅ।କୃତି ଦେଖିଲେ ବରାବର ଭୀତି ସଂଚାର ହୋଇପାରେ । ହୋମୋଜୀ ତାକୁ ପ୍ରଶ୍ନ କଲେ ‘‘ଆଚ୍ଛା, ସେନା ଏତେବେଳକୁ ଲମ୍ବପୁରରେ ପହଞ୍ଚିଥିବ, ବୋଧହୁଏ ?’’

 

‘‘ନା, ଆସି ପାରି ନଥିବେ । କାରଣ ଏ ମଧ୍ୟରେ ଆମ ରାଣା ଅସୁସ୍ଥ ଥିବାରୁ ଡେରି ହୋଇଛି ।

 

‘‘ଶିବନାନା ଅବଶ୍ୟ ଧାଇଁ ପଳାଇବ । ସେ ରାଜଭକ୍ତ ସତ, କିନ୍ତୁ ବଳବାନ୍‌ ନୁହେ । କେବଳ ତୁକାଜୀ ହୋଲକାରଙ୍କୁ ଡରିବାକୁ ହେବ ।’’

 

‘‘ସେ ଲିମ୍ବପୁର ଯେପରି ନ ଆସନ୍ତି ତାର ଚେଷ୍ଟା କର । କାଲି କିମ୍ବା ଆଜି ରାଣା ଲିମ୍ଵପୁରକୁ ଆସିଥିବେ ବୋଧହୁଏ ।’’

 

‘‘ହେଲା, ଆଉ ଗୋଟିଏ କାମ । ତୁମେ ଏବେ ଯାଅ । ମାତ୍ର ମନେରଖି ମୋ ଧନତକ ମୋ ପାଖୁ ପଠାଇବଟି ?’’

 

ବେତାଳ ସିଂହ ଭୈରବ ସହିତ ଚାଲିଲେ । ପରେ ହୋମୋଜୀ ମନେ ମନେ କହିଲେ, ‘‘ମୋର ଆଶା-ଲତିକା ସତେ କୁସୁମିତ ହେବ ? ରାଜପୁତଗଣ ଲିମ୍ଵପୁର ଆକ୍ରମଣ କରି ଅହଲ୍ୟାଙ୍କୁ ସତେ ବିତାଡ଼ିତ କରିବେ ? ସେମାନଙ୍କ ବିଜୟ ଲାଭ ସଙ୍ଗେ ସଙ୍ଗେ ମୋତେ ସତେ ସଚିବ ପଦ ଉପହାର ମିଳିବ ? ମୋର ସତେ ଏ ଭାଗ୍ୟ ଅଛି ? ବିଶାଳ ସାମ୍ରାଜ୍ୟରେ ମନ୍ତ୍ରିତ୍ୱ । କମ ନୁହେତ ?’’ ହଠାତ ବାମନଭଟ୍ଟ ଦ୍ୱାର ଖୋଲି ଦେଇ ତାଙ୍କ ସମକ୍ଷରେ ଦଣ୍ଡାୟମାନ ହେଲେ । ଚିନ୍ତା ପ୍ରବାହ ସ୍ଥକିତ! କତ୍‌ବାଲ ତାଙ୍କୁ କେବଳ ଏକ ଦୃଷ୍ଟିରେ ଅନାଇଁ ରହିଲେ । ବାମନଭଟ୍ଟ କହିଲେ,’’ମହାଭାଗ, ସେ କିଛିହେଲେ ଉତ୍କୋଚ ଦେବାର ବ୍ୟବସ୍ଥାରେ ନାହାନ୍ତି । ତାଙ୍କର ସଂସାରରେ ଆଉ ଅଛି କିଏ, ସେ ତାଙ୍କ ଉଦ୍ଧାର ପାଇଁ ଯତ୍ନ କରିବ ?’’

 

‘‘କାହିଁକି ? ମାହୁପୁରରେ ଯେ ତାଙ୍କର ଭିଣୋଇଁ ଅଛନ୍ତି । ଶାଳକର ମୁକ୍ତିର ଆଶା ପାଇଲେ ସେ ପ୍ରଚୁର ଅର୍ଥ ଦେଇ ପାରନ୍ତି । ରାଧାକାନ୍ତ ମଧ୍ୟ ଏ କଥା ଶୁଣିଲେ ଉତ୍କୋଚ ଦେବାକୁ କୁଣ୍ଠିତ ହେବେନାହିଁ । କିନ୍ତୁ ତାଙ୍କୁ ବିଶ୍ୱାସ କରିବା ଅନୁଚିତ ।’’

 

‘‘ଯଥାସାଧ୍ୟ ଚେଷ୍ଟା କରିବି । ଅନ୍ତତଃ ଦୁଇଶତ ହୋଇପାରେ । ବିନ ଉତ୍କୋଚରେ ପରା ତୁମେ କାମ କରିବ ନାହିଁ ?

 

‘‘ଯାହା କି ହେଲେ ହେଉ; ଏକଥା କିନ୍ତୁ କେହି ଯେପରି ନଜାଣନ୍ତି । ତୁମେ ଏବେ ଯାଅ । ମୁଁ ଟିକିଏ ବିଶ୍ରାମ କରିବି ।’’

 

ବାମନଭଟ୍ଟ ବିଦାୟ ନେବା ପରେ ହୋମୋଜୀ ଶୟନାଗାରକୁ ଗଲେ । କିନ୍ତୁ ତାଙ୍କୁ ସୁଖନିଦ୍ରା ହେଲା ନାହିଁ । ଠିକ୍‌ ପ୍ରାତଃକାଳରେ ରାଣୀଙ୍କ ସାକ୍ଷାତ ଲାଭ ନିମିତ୍ତ ଗଲେ । ରାଣୀ ତାଙ୍କୁ ପରମ ବିଶ୍ୱସ୍ତ ମନେ କରି ଆଗମନର କାରଣ ଜିଜ୍ଞାସା କଲେ ।

 

ହୋମୋଜୀ କହିଲେ, ‘‘ମଣିମା, ରାଜ୍ୟର ଏ ଅବସ୍ଥାରେ ମୋ ପ୍ରାଣ ବଡ଼ ବିକଳ ହୋଇ ପଡ଼ୁଛି । ଶୁଣିଲି-ଯଶୋବନ୍ତଙ୍କ ପ୍ରରୋଚନାରେ ରଘୁନାଥ ରାଓ ବର୍ତ୍ତମାନ ଆମ ରାଜ୍ୟ ଆକ୍ରମଣ କରିବାକୁ ଆସୁଛନ୍ତି ।’’

 

‘‘କଣ ? ସତେ-କିର ଏ ସମ୍ବାଦ ଦେଲା ? ବିଶ୍ୱାସ ଯୋଗ୍ୟ ହେଉ ନାହିଁ ।’’

 

‘‘ଛାମୁ ସୂକ୍ଷ୍ମ ରାଜନୀତିର ଜଟିଳତା ବୁଝି ପାରି ନାହାନ୍ତି । ପେଶବା ମାଧବ ରାଓ ପରା ତାଙ୍କ ପିତୃବ୍ୟଙ୍କୁ ସସୈନ୍ୟେ ପଠାଇଛନ୍ତି ? ଛାମୁ ବର୍ତ୍ତମାନ ତୁକାଜୀ ହୋଲକାରଙ୍କୁ ଏ ସେନା ବିରୁଦ୍ଧରେ ପଠାନ୍ତୁ ।’’

 

‘‘ତୁକାଜୀ ନୁହନ୍ତି; ରାଧାକାନ୍ତଙ୍କୁ ପଠାଇବି । ଆଜି ତୁମେ ଦତ୍ତଙ୍କ ଅଭିଯୋଗ ବିଚାର କର-।’’

 

‘‘ବୃଦ୍ଧ ରାଧାକାନ୍ତ ଯୁଦ୍ଧରେ କଅଣ କରିବେ ? ତୁକାଜୀ ରାଓ ଏଥିପାଇଁ ବରାବର ଉପଯୁକ୍ତ । ଛାମୁଙ୍କର ଯେ ଇଚ୍ଛା ।’’

 

‘‘ଯେ ହେଉ, ବିଶ୍ୱାସ ଯେଉଁଠାରେ, କାର୍ଯ୍ୟର ସାଫଲ୍ୟ ବରାବର ସେଠାରେ ରହିଥାଏ; ହେଉ-ତୁମେ ଯାଅ ।’’

 

ହୋମୋଜୀ ରାଓ ବିଦାୟ ନେଲେ । ପରେ ରାଣୀ ରାଧାକାନ୍ତଙ୍କୁ ଡକାଇ ଆଣି ଶୀଘ୍ର ପୁନା ଅଭିମୁଖେ ଯାତ୍ରା କରିବାକୁ ଆଦେଶ ଦେଲେ । ରାଧାକାନ୍ତ ଦତ୍ତଙ୍କ ମୁକ୍ତି ଲାଗି ଯେତେ ଯତ୍ନ କଲେ ସମସ୍ତ ବ୍ୟର୍ଥ ହେଲା । ଏଣୁ ସେ ଶୋକାକୁଳ ଓ ବ୍ୟଥିତ ହୃଦୟରେ ଇନ୍ଦୋର ପରିତ୍ୟାଗ କରି ସସୈନ୍ୟେ ପୁନା ଅଭିମୁଖେ ଚାଲିଲେ ।

Image

 

ବୀରାଙ୍ଗନା

ତ୍ରୟୋଦଶ ପରିଚ୍ଛେଦ

ବିଚାର

ଆଜି ବିଚାରାଳୟ ଜନାକୀର୍ଣ୍ଣ । ନିର୍ଦ୍ଦୟ ଅର୍ଥ-ପିଶାଚ ହୋମୋଜୀ ରାଓ ବିଚାରପତି ଆସନରେ ଅଧିଷ୍ଠିତ । ସେବକଗଣ ଯଥାସ୍ଥାନରେ କର୍ତ୍ତବ୍ୟର ବ୍ୟସ୍ତ । ଅପରାଧୀମାନଙ୍କୁ ଜଣକ ପରେ ଜଣେ ସେଠାକୁ ଅଣାଗଲା ପରେ ବିଚାର କାର୍ଯ୍ୟର ଘନଘଟାରେ ଅନେକ ସମୟ ବିତି ଯାଉଛି । ସର୍ବ ଶେଷରେ ଶ୍ୟାମଦତ୍ତଙ୍କ ବିଚାର । ସେ ଶୃଙ୍ଖଳାବଦ୍ଧ ହୋଇ ସେଠାକୁ ଆନୀତ ହେଲେ । ଇତି ପୂର୍ବରୁ ସେ ଜାଣିଥିଲେ, ତାଙ୍କର ମରଣ ନିଶ୍ଚିତ । ଶତ୍ରୁପକ୍ଷୀୟ ହୋମୋଜୀ ତାଙ୍କର ବିଚାରକ । ପ୍ରଧାନ ପୃଷ୍ଠପୋଷକ ରାଧାକାନ୍ତ ଅନୁପସ୍ଥିତ ଓ ଯଶୋବନ୍ତ ପ୍ରମୁଖଙ୍କର ତାଙ୍କ ମୃତ୍ୟୁ ଲାଗି ପ୍ରଗାଢ଼ ଯତ୍ନ । ଏସବୁ ଚିନ୍ତା କରି କରି ଶ୍ୟାମସୁନ୍ଦର ମୃତ୍ୟୁର ସେହି କରାଳ ନିମନ୍ତ୍ରଣକୁ ଅପେକ୍ଷା କରି ଦଣ୍ଡାୟମାନ । ଦର୍ଶକଗଣ ଦତ୍ତଙ୍କ ସୌକୁମାର୍ଯ୍ୟ ଓ ଗୁଣାବଳୀ ସ୍ମରଣ କରି ବିଶେଷ ଦୁଃଖିତ ହେଲେ । ଶ୍ୟାମସୁନ୍ଦରଙ୍କର ନିରାଶ ଜଡ଼ିତ ମୁଖମଣ୍ଡଳ ଓ ଘନ ଘନ ଦୀର୍ଘ ନିଶ୍ୱାସ ସେମାନଙ୍କର ଦୁଃଖ ଦ୍ୱିଗୁଣିତ କରି ପକାଇଲା । ଦତ୍ତଙ୍କ ନିକଟରେ ଥିବା ତିନି ଜଣ ସେବକ ସାକ୍ଷ୍ୟରୂପେ ଆନୀତ ହେଲେ । ଋଷିଙ୍କ ସମୀପକୁ ସମ୍ବାଦ ଓ ଶିବିକା ପାଠ ଯାଇଥିଲା । ଋଷି କିନ୍ତୁ ଠିକ ସମୟରେ ପହଞ୍ଚି ପାରିଲେ ନାହିଁ । ବିଚାରାଳୟ କ୍ରମେ କ୍ରମେ ଜନ।କୀର୍ଣ୍ଣ ହୋଇ ପଡ଼ିଲା । ବର୍ତ୍ତମାନ ବିଚାର ଆରମ୍ଭ ସମୟ । ହୋମୋଜୀ ରାଓ ପ୍ରଶ୍ନ କଲେ,’’ଆଚ୍ଛା, ତୁମେ ଅପରାଧୀ ନା, ନାହିଁ ?’’

 

‘‘ଜାଣି ଶୁଣି କିଛି ଅପରାଧ କରି ନାହିଁ’’ ବୋଲି ଶାଣିତ କୃପାଣ ପରି ନିର୍ଭୟ ଚିତ୍ତରେ ଦତ୍ତ ଉତ୍ତର ଦେଲେ ।

 

ଅନନ୍ତର ସାକ୍ଷ୍ୟ ନିଆଗଲା । ଜଣେ ସେବକକୁ ପ୍ରଶ୍ନ କରିବାରୁ ସେ କହିଲା, ‘‘ମୁଁ ଦତ୍ତଙ୍କ ସହିତ ଋଷିକୁଟୀରରେ ଥିଲି । ଠିକ୍‌ ଅର୍ଦ୍ଧରାତ୍ରିରେ ଦତ୍ତ ଗଣ୍ଡାଭୀଲକୁ ସାଙ୍ଗରେ ଧରି ଗଲେ । ଏପରି ଅସମୟରେ ଶତ୍ରୁକୁ ନେଇ ଯିବା ନିତାନ୍ତ ବିପଜ୍ଜନକ ବୋଲି ଆମ୍ଭେମାନେ ଯେତେ ମନା କଲେ ମଧ୍ୟ ସେ ତାହା ମାନିଲେ ନାହିଁ । ତେଣୁ ଆମ୍ଭେମାନେ ସମସ୍ତେ ଅଲକ୍ଷିତ ଭାବରେ ତାଙ୍କର ଅନୁସରଣ କଲୁଁ । ଉଭୟେ ଏକାନ୍ତ ସ୍ଥାନକୁ ଯାଇ ଆଳାପ କଲେ । ସେମାନଙ୍କର ସବୁ କଥା ଆମ୍ଭେମାନେ ଶୁଣି ପାରି ନାହୁଁ । କେବଳ ଏତିକି ଦତ୍ତ ଋକ୍ଷସ୍ୱରରେ କହିଲେ, ‘‘ନା, ୪୦୦ ମୁଦ୍ରା ନହେଲେ ମୁଁ ତୋତେ ମୁକ୍ତି ଦେଇ ନପାରେ । ତା ପରେ କଅଣ ହେଲା କେଜାଣି-ଦତ୍ତ କିନ୍ତୁ ଏକାକୀ ଋଷିକୁଟୀରକୁ ଫେରି ଯାଇ 'ଚୋର ପଲାଇଛି' ବୋଲି କହିଲେ । ମୁଁ ଏକଥା ଛଡ଼ା ଆଉ କିଛି ଜାଣେ ନାହିଁ ।’’

 

ଶ୍ୟାମସୁନ୍ଦର ଏ ବିପରୀତ କଥାରେ ଅବାକ୍‌ ହୋଇ ଗଲେ । ପରେ ସଂଯତ ହୋଇ କହିଲେ ‘‘ଓହୋ, କି ଘୋର ମିଥ୍ୟାକଥା । ଦୌଲତ ପ୍ରମୁଖ କପଟ।ଚାରିମାନଙ୍କର ଏ ମାୟାଜାଲ-।’’ ହୋମୋଜୀ କ୍ରୁଧ ହୋଇ ପଡ଼ିଲେ । ସେ ଲାଲଚକ୍ଷୁରେ କହିଲେ,’’ଛି, ଦୁରାତ୍ମା । ମୁଖ ସଂଯତ କର । ତୋତେ କିଏ ପଚାରୁଛି ? ଅନ୍ୟ ଲୋକର କଥାରେ ତୋର ପ୍ରତିବାଦ କରିବା କଣ ଉଚିତ-? ଜାଣୁନାହୁଁ, ଏଯେ ବିଚାରାଳୟ, ତାର ଅବମାନନା କଲେ ପରିଣାମ କଣ ହୁଏ ?’’ ଏ ଭର୍ସନାରେ ଦତ୍ତ ନିରୁତ୍ତର । ସେ କେବଳ ଅବନତ ମସ୍ତକରେ ଦଣ୍ଡାୟମାନ ରହିଲେ ।

 

ଠିକ୍‌ ପରେ ପରେ ଦ୍ୱିତୀୟ ସାକ୍ଷୀର ଜମାନବନ୍ଦୀ । ସେ ମଧ୍ୟ ପ୍ରଥମ ପରି ଠିକ୍‌ ଅବିକଳ ଗଡ଼ ଗଡ଼ ଗାଇଗଲା । ତୃତୀୟ ବଡ଼ ଅମାୟିକ । ଯେତେବେଳେ ତାର ସାକ୍ଷ ନିଆଗଲା ସେତେବେଳେ ଦତ୍ତ ତାକୁ ଧମକ ଦେଲା ପରି ପ୍ରଶ୍ନ କଲେ, ‘‘ଠିକ କହୁଚୁ ତ ? ତୋତେ ଏ କଥା କେହି ଶିଖାଇ ନାହିଁ ?’’ ଭୃତ୍ୟ ବିଚଳିତ ହୋଇ କହିଲା,’’ ଦୌଲତ ରାଓ କହିଲେ । ନା, ନା, ମୁଁ କହୁଛି-ମୋତେ କେହି ଶିଖେଇ ନାହାନ୍ତି ।’’ କହିବା ସଙ୍ଗେ ସଙ୍ଗେ ମଧ୍ୟ ଭୃତ୍ୟର ଅବସ୍ଥା ପରିବର୍ତ୍ତିତ ହେଲା । ସେ ଦତ୍ତଙ୍କ ମୁଁହକୁ ଏକ ଦୃଷ୍ଟିରେ ଅନାଇଁ ଥରିବାକୁ ଲାଗିଲା । ଦର୍ଶକ ମଣ୍ଡଳୀ, ‘‘ଓହୋ, କି ଘୋର ଅନ୍ୟାୟ, କି ଘୋର ଅନ୍ୟାୟ’’ ବୋଲି କରତାଳି ଧ୍ୱନି କଲେ । ହୋମୋଜୀ ରାଓ କର୍କଶ ସ୍ୱରରେ କହିଲେ,’’ମୂର୍ଖ, ମୁଁ ତୋର ସାକ୍ଷ୍ୟ ଗ୍ରହଣ କରିବି ନାହିଁ । ତୁ ଦତ୍ତଠାରୁ ଲାଞ୍ଚ ଖାଇ ଏ ସବୁ କୌଶଳ କରିଛୁ ? ଆଚ୍ଛା, ଦେଖୁଛି ତୋତେ । ତୋ ଲାଞ୍ଚଖିଆର ପରିଣାମ ପାଇବୁ ନାହିଁ ଭାବିଚୁ-?’’ ବିଚାରପତିଙ୍କ ତର୍ଜନ ଗର୍ଜନରେ ଭୃତ୍ୟ ଏକବାରେ ଜ୍ଞାନହୀନ ହୋଇ ପଡ଼ିଲା । ପରେ ସଂଜ୍ଞା ପାଇ ସବୁ କଥା କହି ଗଲା ।

 

ହଠାତ ଋଷି ଶିବିକାରେ ବସି ସେଠାରେ ପହଞ୍ଚିଲେ । କତ୍‌ବାଲ ଓ ସଭ୍ୟମାନେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ଆସନ ତ୍ୟାଗ କଲାରୁ ସେ 'ନାରାୟଣ ନାରାୟଣ' ବୋଲି ଉଚ୍ଚସ୍ୱରରେ କହି ବସିବା ପାଇଁ ସଂକେତ କରିଦେଲେ । ହୋମୋଜୀ ରାଓ ଭକ୍ତିନମ୍ର ଚିତ୍ତରେ ଋଷିଙ୍କୁ ପ୍ରଶ୍ନ କଲେ, ‘‘ଦୟା କରି ପ୍ରକାଶ କରନ୍ତୁ; ଏ ଅଭିଯୋଗରେ ଆପଣଙ୍କ ଭଳି ମହାପୁରୁଷଙ୍କ ସାକ୍ଷ୍ୟ ବରାବର ଗ୍ରହଣୀୟ । ପରମେଶ୍ୱରଙ୍କ ଶ୍ରୀମୁଖ ବଚନ ତୁଲ୍ୟ ଶିରୋଧାର୍ଯ୍ୟ ।’’ ଋଷି କୋମଳ କଣ୍ଠରେ କହିଲେ, ‘‘ବାବା, ମୋତେ କିଛି ପଚାର ନାହିଁ । ଭଗବାନଙ୍କ ଶ୍ରୀମୁଖକୁ ଅନାଇଁ ମୁଁ ବରାବର ଅପକ୍ଷପାତ କରି କହୁଛି । ଶ୍ୟାମଦତ୍ତ କେବେ କେବେ ମୋ କୁଟୀରକୁ ଆସନ୍ତି । ମୋତେ ଗୁପ୍ତଭାବରେ କଣ କହିବାକୁ ବହୁତ ଚେଷ୍ଟା କରିଛନ୍ତି, ମୁଁ ଜଣେ । ଚୋର ଖସିଯିବାରେ ତାଙ୍କର ଭୁଲ ହୋଇଛି କି ସେ ଜାଣି ଶୁଣି ତାକୁ ମୁକ୍ତି ଦେଇଛନ୍ତି, ମୁଁ ଠିକ କହି ପାରିବି ନାହିଁ । ମୋର ବିଶ୍ୱାସ ସେ ପ୍ରକୃତ ରାଜଭକ୍ତ ନୁହନ୍ତି । ପ୍ରମାଦ ବଶତଃ କିମ୍ବା ବୁଦ୍ଧିର ପ୍ରଖରତାରୁ ହେଉ ସେ ବର୍ତ୍ତମାନ ରାଜଦ୍ରୋହୀ । ଅତଏବ ଏ ଅପରାଧୀକୁ ସମୁଚିତ ଶାସ୍ତି ପ୍ରଦାନ କରିବା ମୋର ମତ ।’’

 

‘‘ପବିତ୍ର ବ୍ରହ୍ମଚର୍ଯ୍ୟ-ବ୍ରତ ଯାହାଙ୍କର ଏକମାତ୍ର ଅବଲମ୍ବନ, ପରମେଶ୍ଵରଙ୍କ ନାମ ଗାନରେ ଯେ ବିହ୍ଵଳ, ସେହି ନୈଷ୍ଠିକ ଋଷି ମୁଖରେ ମିଥ୍ୟା-ଧିକ ତୁମର ତପସ୍ୟା, ଶତଧିକ ତୁମର ଋଷିତ୍ୱ-?’’

 

‘‘ଏ କଣ, ଦୈବସ୍ୱରୂପ ଋଷି ମିଥ୍ୟା କହୁଛନ୍ତି? ମାୟା-ମମତା-ଶୃଙ୍ଖଳାବଦ୍ଧ ପାପୀ ମୁଖରୁ ସତ୍ୟ ଉଚ୍ଚ।ରିତ ହେଉଛି ? ପ।ପିଷ୍ଠ, ଦେବାତ୍ମାଙ୍କ ଉପରେ ଦୋଷ।ରୋପ କରୁଛୁ ? ତୋ ଜିହ୍ୱା ଛିଣ୍ଡି ପଡ଼ୁ ନାହିଁ ? ମୂର୍ଖ, ମୁଖ ସଂଯତ କର ।’’ ହୋମୋଜୀ ଦତ୍ତଙ୍କୁ ଏହିପରି ଭତ୍ସନା କରିବାକୁ ଲାଗିଲେ । ବିଚାର-ଯଜ୍ଞର ଏହିଠାରେ ପୂର୍ଣ୍ଣାହୁତି ।

 

‘‘ତୁମ ରୂପ ଓ ବୟସ ଦେଖିଲେ ମୋ ମନ ତରଳି ଯାଉଛି । କିନ୍ତୁ ତୁମେ ଏ ଅବସ୍ଥାରେ ଯେ କାମ କରିଛ, ତାହା ଉପଯୁକ୍ତ ହୋଇ ନାହିଁ । ଯୌବନ ପ୍ରାରମ୍ଭରେ ତୁମେ ଏ ଭୀଷଣ ଷଡ଼ଯନ୍ତ୍ର କରିଛ, ବଡ଼ ହେଲେ କଣ ଆଉ ରାଜ୍ୟ ରଖିବ ? ଆହା, ତୁମେ ଧର୍ମରୂପିଣୀ ମହାରାଣୀଙ୍କୁ ବିପଦରେ ପକାଇବାକୁ ବସିଥିଲ ? ଋଷିଙ୍କ କଥା ଶୁଣିଲେ, ସେବକଗଣର ସାକ୍ଷ୍ୟ ପରୀକ୍ଷା କଲେ ଏଥିରୁ କଣ ବୁଝାଯାଉ ନାହିଁ, ତୁମେ ବରାବର ଅପରାଧୀ-ତୁମର ଶାସ୍ତି ଅନିବାର୍ଯ୍ୟ ?’’ ଦତ୍ତ ହୋମୋଜୀଙ୍କ କଥାରେ ବାଧା ଦେଇ କହିଲେ, ‘‘ମହାଶୟ, ଆପଣ ମୃତ୍ୟୁ ଅପେକ୍ଷା ଉତ୍କଟତର ଦଣ୍ଡ ଦେଇ ପାରନ୍ତି । ସେଥିପାଇଁ ତ ମୁଁ ଆଗରୁ ବରାବର ପ୍ରସ୍ତୁତ ଅଛି । ମାତ୍ର ସତ୍ୟର ଅପଳାପ ଏ ଜୀବନରେ କରିନାହିଁ । ଏବେ ମଧ୍ୟ କରିବି ନାହିଁ ବୋଲି ପ୍ରତିଜ୍ଞାବଦ୍ଧ ହୋଇଛି । ଚୋର ତ’ ମନୁଷ୍ୟ ତୁମେ ଯଶୋବନ୍ତ ଓ ଦୌଲତ ରାଓଙ୍କ ସହିତ ମିଳିତ ହୋଇ ଯେ ଷଡ଼ଯନ୍ତ୍ର କରିଛ, ତା ଭଲ ରକମ ଶ୍ୟାମସୁନ୍ଦର ଜ।ଣେ । ଆଜି ବିଚାରପତି ରୂପେ ନ୍ୟାୟ ଓ ଧର୍ମର ଯେ ଅବତାର ବୋଲି ନିଜକୁ ପ୍ରମାଣ କରିବାକୁ ଯାଉଛ, ଭାବୁଛି ଆପଣ କି ଉଦାସୀନ ! କି ଅମାୟିକ ! ବର୍ତ୍ତମାନ ଶ୍ୟାମସୁନ୍ଦରକୁ ଟିକି ଟିକି କରି କାଟି ପରୀକ୍ଷା କର, ତା'ର ପ୍ରତ୍ୟେକ ରକ୍ତ ବିନ୍ଦୁରେ ଦେଖିବ ସେ ରାଜଭକ୍ତ, ଦେଶ ରକ୍ଷାପାଇଁ ପ୍ରାଣବଳି ଦେବାକୁ ପ୍ରସ୍ତୁତ । ମୁଁ ବର୍ତ୍ତମାନ ମହତ କାର୍ଯ୍ୟ ସମାଧାନ କରି, ଗୌରବ ରକ୍ଷା ଲାଗି ମୃତ୍ୟୁ ବରଂ କରୁଛି । ତୁମେ ହେୟ, କାପୁରୁଷ । ଚିରଦିନ ତୁମ୍ଭର ଏ ପାପ-ରାଶି କଦାପି ଗୁପ୍ତ ରହିବ ନାହିଁ । କପଟତା, ଶଠତା ଅଧିକ କାଳ ସ୍ଥାୟୀନୁହେ ।’’ ଦତ୍ତଙ୍କ ଅଗ୍ନି ବର୍ଷୀ ବାକ୍ୟସମୂହରେ ହୋମୋଜୀ ବିଚଳିତ ହୋଇ ପଡ଼ିଲେ । ଦର୍ଶକମଣ୍ଡଳୀ କେବଳ ତାଙ୍କ ବିକୃତ ମୁଖମଣ୍ଡଳ ଓ ଭ୍ରୂକୁଟିଭଙ୍ଗି ପ୍ରତି ଲକ୍ଷ୍ୟ କରି ବିଚାରର ପରିଣାମ ଆଶାରେ ଅନାଇଁ ରହିଲେ-

 

ସେତେବେଳେ ଜଣେ ସେବକ ଖୁବ ଉଦ୍‌ବେଗରେ ସେଠାରେ ପହଞ୍ଚି କତ୍‌ବାଲଙ୍କ ହସ୍ତକୁ ଖଣ୍ଡିଏ ପତ୍ର ବଢ଼ାଇ ଦେଲା । ହୋମୋଜୀ ରାଓ ମନ୍ଦହାସରେ ସେ ପତ୍ରଟି ପଢ଼ି ପକାଇ କହିଲେ,’’ ଏ କି ବିପରୀତ କଥା । ଦତ୍ତଙ୍କ ପ୍ରତି ସ୍ନେହ ପ୍ରଯୁକ୍ତ ହୋଇ ରାଧାକାନ୍ତ କିପରି ଲେଖିଛନ୍ତି ।’’

 

ପ୍ରିୟ ବନ୍ଧୁବର,

 

ଆଜି ବନ୍ଧୁତାର ଅନୁରୋଧ ଓ ସ୍ନେହର ଅପୂର୍ବ ନିଦର୍ଶନ ରକ୍ଷା କରିବ ବୋଲି ଆଶାକରି ଏ ପତ୍ର ଲେଖୁଛି । ଆମ୍ଭେମାନେ ବନ୍ଧୁ; ତୁମେ କିନ୍ତୁ ଆଜି ଉଚ୍ଚପଦସ୍ଥ ଉନ୍ନତ । ଶ୍ୟାମଙ୍କୁ ମୁଁ ଉନ୍ନତ କରି ଆଣିଛି, ଲାଳନପାଳନ ଠିକ ପୁତ୍ର ତୁଲ୍ୟ କରିଛି । ତାଙ୍କ ପ୍ରତି ଏ ନିଦାରୁଣ ଅଭିଯୋଗ, ତାହା ମୋ ପ୍ରାଣରେ ଭୀଷଣ ଯନ୍ତ୍ରଣା ଦେଉଛି । ତୁମେ ଦୟା ପରବଶ ହୋଇ ଏହା ପ୍ରତ୍ୟାହାର କରିନିଅ-। ତାଙ୍କୁ ଦଣ୍ଡବିଧାନରୁ ମୁକ୍ତ କର । ତୁମ ଉପକାର ମୁଁ ଜୀବନରେ ଭୁଲି ପାରିବି ନାହିଁ । ମୁଁ ମହାରାଣୀଙ୍କ ଆଦେଶକ୍ରମେ ଏଠାରେ ଥିବାରୁ ତୁମ ସଙ୍ଗେ ସାକ୍ଷାତ କରି ନପାରି ଦୁଃଖିତ । ଆଶା କରେ ତୁମେ ମୋ ଅନୁରୋଧରେ ଦତ୍ତଙ୍କ ଜୀବନ ରକ୍ଷା କରିବ । ଇତି ।

ସ୍ନେହାଧୀନ

ରାଧାକାନ୍ତ ରାଓ

 

ପତ୍ର ପାଠ ସଙ୍ଗେ ସଙ୍ଗେ ହୋମୋଜୀ ଅତିରିକ୍ତ କ୍ରୋଧ ଓ ଘୃଣାରେ ଜଳି ଉଠିଲେ । ତାଙ୍କର ମୁଖମଣ୍ଡଳ ଅରୁଣ ବର୍ଣ୍ଣ ଧାରଣ କଲା । ଚକ୍ଷୁରେ ଅଗ୍ନିସ୍ଫୁଲିଙ୍ଗ ନିର୍ଗତ ହୋଇଗଲା । ସେ ସର୍ପତୁଲ୍ୟ ବାରମ୍ବାର ଦୀର୍ଘ ନିଶ୍ୱାସ ତ୍ୟାଗ କରି ରୁକ୍ଷସ୍ୱରରେ କହିଲେ, ‘‘ରାଧାକାନ୍ତର କି ଭୀଷଣ ଚକ୍ରାନ୍ତ ! ସେ ମୋତେ ଉତ୍କୋଚ ଦେବାକୁ ଉଦ୍ୟତ । ଏ ଅପମାନର ପ୍ରତିଶୋଧ ଚାହେଁ ମୁଁ । ରାଣୀଙ୍କୁ ଜଣାଇ ତାର ବ୍ୟବସ୍ଥା କରିବି ନିଶ୍ଚୟ । ନ୍ୟାୟ ଓ ଧର୍ମ ଅନୁରୋଧରେ ବନ୍ଧୁତା ରକ୍ଷା କରିବା କିପରି କଷ୍ଟକର ସେ କଅଣ ତାହା ଜାଣନ୍ତି ନାହିଁ ?’’

 

ଦତ୍ତ ଭାବିଲେ–ଏଭଳି ନୀତିବିରୁଦ୍ଧ ଅବିଚାରଜନିତ କାର୍ଯ୍ୟରେ ହସ୍ତକ୍ଷେପ କରିବା ରାଧାକାନ୍ତଙ୍କ ପକ୍ଷରେ କଦାପି ଉଚିତ ନୁହେ । ତେବେ ସେ କିନ୍ତୁ ଏପରି କରିନଥିବେ । ଦୌଲତ ଓ ଯଶୋବନ୍ତ ଏ କୂଟନୀତି ପ୍ରଚାର କରି ମାୟାଜାଲ ବିସ୍ତାର କରିଛନ୍ତି । ଦେଖାଯାଉ ଧର୍ମ ଓ ଅଧର୍ମର ଯୁଦ୍ଧରେ କିଏ ବିଜୟୀ ହେଉଛି ।

 

ହଠାତ ନୀରବତା ଭଙ୍ଗ କରି ବିଚାରପତି ଦୀର୍ଘ ସ୍ୱରରେ କହିଲେ, ‘‘ଦତ୍ତ, ତୁମ କୃତ ରାଜଦ୍ରୋହର ଦଣ୍ଡ-ମୃତ୍ୟୁ । କାଲି ସନ୍ଧ୍ୟା ବେଳକୁ ତୁମେ ଫ।ସିଖମ୍ବକୁ ପ୍ରସ୍ତୁତ ହୁଅ । ରାଜାସେବକଗଣ, ଶୀଘ୍ର ବନ୍ଦୀକୁ କାରାଗାରକୁ ନିଅ । ମୁଁ ବର୍ତ୍ତମାନ ମହାରାଣୀଙ୍କର ଆଦେଶ ଆଶାରେ ଯାଉଛି ।’’

 

ଦର୍ଶକମଣ୍ଡଳୀ ଏ ନିଦାରୁଣ ବିଚାରରେ ହାୟ ହାୟ କରିବାକୁ ଲାଗିଲେ । କେହି କେହି ମଧ୍ୟ ହୋମାଜୀଙ୍କ ଅବିଚାରରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ତିରସ୍କାର ନକରି ରହିପାରିଲେ ନାହିଁ । କିନ୍ତୁ ଶ୍ୟାମସୁନ୍ଦର ପର୍ବତ ପରି ଅଟଳଭାବରେ ବନ୍ଦୀ ଶ।ଳକୁ ପ୍ରସ୍ଥାନ କଲେ ।

 

ଏହି ସମୟରେ ଦତ୍ତଙ୍କ ଭଗିନୀ ଆନନ୍ଦବାଈ ଓ ତାଙ୍କ ସ୍ୱାମୀ ମୁରଲୀଧର ମାର୍ଗରେ ଶ୍ୟାମଙ୍କର ଏ ଦୁର୍ଦ୍ଦଶା ଦେଖି ବିଳାପ କରିବାକୁ ଲାଗିଲେ । ମୁରଲୀଧର ପତ୍ନୀଙ୍କ ଅନୁରୋଧକ୍ରମେ ରାଜସେବକମାନଙ୍କୁ ଦତ୍ତଙ୍କ ସହିତ ସାକ୍ଷାତ କାମନା ଜଣାଇଲେ । ଦତ୍ତଙ୍କ ଅନିଚ୍ଛାସତ୍ତ୍ୱେ ସେବକଗଣ ବନ୍ଦୀଙ୍କୁ ସେଠାକୁ ଘେନି ଆସିଲେ । ସୁକୁମାର ଶ୍ୟାମସୁନ୍ଦରଙ୍କ ମୁଖମଣ୍ଡଳ ବିବର୍ଣ୍ଣ ହୋଇଅଛି ଦେଖି, ଆନନ୍ଦବାଇ ଧେର୍ଯ୍ୟ ହରାଇ ଅଶ୍ରୁପୁର୍ଣ୍ଣ ନୟନରେ ବିଳାପ କଲେ । କ୍ରମେ ସେ ମଧ୍ୟ ସଂଜ୍ଞାଶୂନ୍ୟ ଅବସ୍ଥାରେ ପଡିଗଲେ । ମୁରଲୀଧର ପୁରୁଷୋଚିତ ଧୈର୍ଯ୍ୟ ସହକାରେ ପତ୍ନୀଙ୍କୁ ସାନ୍ତ୍ୱନା ଦେଲେ; ଶୀତଳ ଉପଚାର କରି ତାଙ୍କର ସଂଜ୍ଞା ଆଣିଲେ । ଆନନ୍ଦବାଇ କ୍ଷୀଣ କଣ୍ଠରେ କହିଲେ, ‘‘ଭାଇ, ତୋର ଏ କଷ୍ଟ ଦେଖିବାକୁ ମୁଁ ଯାହା ବଞ୍ଚି ରହିଲି ! ମୋର ସମସ୍ତ ଆନନ୍ଦ, ସବୁ ସୁଖ ତୋଠାରେ କେନ୍ଦ୍ରୀଭୂତ ହୋଇ ଥିଲା କଣ ବିଧାତା ମୋଠାରୁ ତୋତେ ଛଡ଼ାଇ ନେବାକୁ ? ଏ ଦାସତ୍ୱ ତୋ ପକ୍ଷରେ ପ୍ରାଣସଂହାରକ-ରାକ୍ଷସ । ଏତେ ଲୋକ ମଧ୍ୟରେ କେବଳ ତୁ ଭବାନୀଙ୍କ କୋପ ଚକ୍ଷୁରେ ପଡ଼ିଲୁ ? ବାପା, ଥରେ ହେଲେ ମୋ ଆଡ଼କୁ ଅନାଇ, ତୋ କୋମଳ ବଚନରେ ଏ ଉତ୍ତପ୍ତ ପ୍ରାଣ ଶୀତଳ କର ।’’ ଦେଖୁ ଦେଖୁ ଆନନ୍ଦବାଇ ବିଚଳିତ ହୋଇ ପଡ଼ିଲେ । ସେ ଦତ୍ତଙ୍କୁ କଣ୍ଠାଲିଙ୍ଗନ କରି, ବାରମ୍ବାର ତାଙ୍କ କୋମଳ ଗଣ୍ଡମଣ୍ଡଳ ଚୁମ୍ବିବାକୁ ଲାଗିଲେ । ସର୍ବାଙ୍ଗ ତାଙ୍କ କୋମଳ କରପଲ୍ଲବରେ ମର୍ଦ୍ଦନ କଲେ । ଦତ୍ତଙ୍କର ସମସ୍ତ ନିରବ ଦୁଃଖ ହଠାତ ପ୍ରକାଶିତ ହେଲା । ସେ ମଧ୍ୟ ଭଉଣୀଙ୍କୁ ଆଲିଙ୍ଗନ କରି ବାଳକ ତୁଲ୍ୟ ବିଳାପରେ ଧୈର୍ଯ୍ୟ ହରାଇ ବସିଲେ । ‘‘ନାନି, ଆଉ ଦୁଃଖ କରି କି ଲାଭ; ମୁଁ ତୋର ୠଣୀ ହୋଇ ଯାଉଛି । ମୋ ପରି ହତଭାଗ୍ୟ ପ୍ରତି ତୋର ଯେ ସ୍ନେହ, ମୁଁ ତାହା କଦାପି ପାସୋରି ପାରିବି ନାହିଁ । ଥରେ ତୁ ତୋର ଏ ଅଧମ ଭାଇକୁ ଆନନ୍ଦରେ ବିଦାୟ ଦେ, ଭଉଣି !’’

 

ରାଜସେବକଗଣ ଆଉ ସମୟ ଦେବାକୁ କୁଣ୍ଠିତ ହେଲେ । ଯଦି କେହି ରାଜପୁରୁଷ ଜାଣନ୍ତି, ତାହାହେଲେ ସେମାନଙ୍କ ସ୍ୱାର୍ଥ ଉପରେ ବରାବର ବାଧା ପଡ଼ିବ । ତେଣୁ ସେମାନେ ଅଗତ୍ୟା ଦତ୍ତଙ୍କୁ ଧରି କାରାଗାର ଲକ୍ଷ୍ୟରେ ଚାଲିଲେ । ଆନନ୍ଦବାଈ ହଠାତ ସଂଜ୍ଞାଶୂନ୍ୟ ହୋଇ ଭୂଲୁଣ୍ଠିତା ହେଲେ । ପରେ ପ୍ରଳାପ କରି କହିଲେ, ‘‘ଦୁର୍ଦ୍ଦାନ୍ତ ସେବକଗଣ, ତୁମେମାନେ ମୋ ଭାଇକି ନେଇ ଯାଉଛ ? ସାବଧାନ ରହ, ମୁଁ ବରାବର ସମସ୍ତଙ୍କୁ ହାଣି ମାରିଦେବି ।’’ ଏହା କହି ସେ ଦତ୍ତଙ୍କ ବନ୍ଧନ ମୋଚନ କରିବାକୁ ବାହାରିଲେ । ମୁରଲୀଧର ରାଜସେବକମାନଙ୍କୁ ବିଚଳିତ ନୋହିବା ଲାଗି ଅନୁରୋଧ କଲେ । ପରେ ଆନନ୍ଦବାଈଙ୍କୁ ସେଠାରୁ ଘେନି ଆସିବାରୁ ସେ ମୂର୍ଛିତା ହୋଇ ପଡ଼ିଲେ । ଦତ୍ତ ଭିଣୋଇଙ୍କୁ କହିଲେ, ‘‘ମୋର ସମସ୍ତ ଅପରାଧ କ୍ଷମା କରିବ । ମୁଁ ହତଭାଗ୍ୟ-ମୋ ପଥ ଧରି ଚାଲିଲି । ମୋର ସମସ୍ତ ସମ୍ପତ୍ତି ଭଣଞ୍ଜାଙ୍କୁ ଅର୍ପଣ କରୁଅଛି । ମୋ ଭଉଣୀଙ୍କ ପ୍ରତି ନିର୍ଦ୍ଦୟ ବ୍ୟବହାର କରିବି ନାହିଁ ।’’ ମୁରଲୀଧର ଅଶ୍ରୁପୂର୍ଣ୍ଣ ନୟନରେ ଉତ୍ତର ଦେଲେ, ‘‘ଭାଇ, ତୁମ ସଙ୍ଗେ ସଙ୍ଗେ ମୋର ସବୁ ସୁଖ ସ୍ନେହ ଜଳି ପୋଡ଼ି ଯାଉଛି । ତୁମେ ମୋର ଦକ୍ଷିଣ ହସ୍ତ । ମୁଁ ତୁମ ଉପରେ ମେରୁ ତୁଲ୍ୟ ଆଶା ରଖିଥିଲି; କିନ୍ତୁ ବିଧାତାଙ୍କ ବିଧାନ ଅନ୍ୟ ପ୍ରକାର । ଆହା, ମୋତେ ନିଃସହାୟ କରି ଚାଲି ଯାଉଛ ?’’

 

ସେବକଗଣ ହୋମୋଜୀ ରାଓଙ୍କ ଭୟରେ ଶୀଘ୍ର କରାକକ୍ଷକୁ ଚାଲିଲେ । ଏଣେ ଅଶ୍ରୁପୂର୍ଣ୍ଣ ନୟନ ଓ ଦୁଃଖ ସନ୍ତପ୍ତ ହୃଦୟରେ ମୂରଲୀଧର ଆନନ୍ଦବାଈଙ୍କ ସହିତ ଫେରି ଆସିଲେ ।

 

ରାଣୀ ହୋମୋଜୀ ରାଓଙ୍କ ଦଣ୍ଡ ବିଧାନ ସମର୍ଥନ କରି ପ୍ରାଣ ଦଣ୍ଡାଜ୍ଞା ପତ୍ରରେ ସ୍ଵାକ୍ଷର କଲେ । ଦତ୍ତଙ୍କ ପ୍ରାଣନାଶ ସମ୍ବାଦ ଚତୁର୍ଦ୍ଦିଗରେ ପ୍ରଚାରିତ ହେଲା ।

Image

 

ଚତୁର୍ଦ୍ଦଶ ପରିଚ୍ଛେଦ

ଶୁଦ୍ଧ।ନ୍ତ–ସମବେଦନା

‘‘କିଲୋ ସୀତା, ତୋ କଥା ତ କଣ ଭାରି ଚମତ୍କାର ! ଏତେ କମ ବୟସରେ ଏଭଳି ବିଚିତ୍ର କଥା ସବୁ କୁଆଡ଼ୁ ଶିଖିଲୁ ମ ? ପେଟ ଫଟେଇ ହସେଇ କନ୍ଦେଇ ଜାଣୁ ତୁ-ଆଚ୍ଛା ନବରଙ୍ଗୀଟିଏ । ହସର ଗୋଟିଏ ଭଣ୍ଡାର, ଶୃଙ୍ଗାର ଆଉ କରୁଣରସର ସର ଘରୁ ଟିଏ । ତୁ ଯେବେ ଶାଶୁଘରକୁ ଚାଲିଯିବୁ ମୁଁ ଏକୁଟିଆ କିମିତି ରହିବି ଲୋ ?’’

 

ମୁକ୍ତ।ବାଈ ସମ୍ମୁଖାସୀନା ସୀତା ପ୍ରତି ଏ ସବୁ କଥା ହସି ହସି କହିଗଲେ । ସୀତା ଅନ୍ତଃପୁରକୁ ଆସିବା ଦିନୁ ତାର ବ୍ୟବହାର, ବିନୟ, ସୌଜନ୍ୟ, ସରଳତାରେ ରାଣୀ ଓ ଜେମା ଉଭୟେ ତାପ୍ରତି ବିଶେଷ ଅନୁରକ୍ତ ହୋଇଥିଲେ । ମୁକ୍ତାବାଇ ଠିକ୍‌ ସୀତାଙ୍କୁ ଦାସୀ ଦୃଷ୍ଟିରେ ନଦେଖି ନିଜର ସହଚରୀ ଭଗିନୀ ତୁଲ୍ୟ ସ୍ନେହ କରୁଥିଲେ । ପରସ୍ପର ଅନୁରାଗ-ବନ୍ଧନ ଏପରି ଦୃଢ଼ତର ହୋଇ ଥିଲା ଯେ, କେହି କାହାଠାରୁ ନିମିଷ ମାତ୍ର ଅନ୍ତର ହେଲେ, ସ।ତିଶୟ ଦୁଃଖ ଓ କ୍ଳେଶ ଅନୁଭବ କରୁଥିଲେ । ଏପରିକି ମୁକ୍ତାବାଈ ସୀତା ସହିତ ଏକତ୍ର ପାନ, ଭୋଜନ, ଶୟନ କରିବାକୁ କଦାପି କୁଣ୍ଠିତ ହେଉ ନ ଥିଲେ । ମାତ୍ର ରାଣୀଙ୍କ ଅଜ୍ଞାତରେ ଏ ସମସ୍ତ ବିଷୟ ଘଟୁଥିଲା-। ଯୌବନସୁଲଭ ବାକ୍ୟାଳାପ ଓ ମାଦକତାରେ ବିହ୍ଵଳ ହୋଇ କେତେ କେତେବେଳେ ଉଭୟେ ପ୍ରକୃତରେ ମନୋରମ ଚିତ୍ରାର।ଶି ଦେଖୁ ଦେଖୁ ବିଭୋର ହୋଇ ପଡ଼ୁଥିଲେ ।

 

ମୁକ୍ତାବାଈଙ୍କ ଇଙ୍ଗିତ କ୍ରମେ ସୀତା ଧୀରେ ଧୀରେ ହସି ହସି କହିଲା, ‘‘ଏତ ଶ୍ରୀଛାମୁଙ୍କର ଅପାର ଦୟା । ମୁଁ ଯେ ମଣିମାଙ୍କୁ ଛାଡ଼ିଯିବି ସେଥିପାଇଁ ମୋ ମନରେ ଦୁଃଖ ନାହିଁ । ବରଂ ମୁଁ ଚିରକୁମାରୀ ରହିପାରେ । ମାତ୍ର ଛାମୁ ଯେତେବେଳେ ରାଜକୁମାରଙ୍କ ପାଣିପୀଡ଼ିନ କରିବେ, ସେତେବେଳେ ଆଉ ସୀତାର ସ୍ଥାନ କାହିଁ ?’’

 

ମୁକ୍ତ।ବାଈଙ୍କ ଶରୀର ରୋମାଞ୍ଚିତ ହୋଇ ଉଠିଲା । ସେ ଦରହସିତ ବଦନରେ ସୀତାକୁ କହିଲେ, ‘‘କିଲୋ, ତୋ ମୁଁହରେ ତ ବାଡ଼ି ବାକୁ ନେଇଁ ? ଏପରି ଅଯଥା କଥା ଗୁଡ଼ାଏ ମନେ ପକାଇ ମୋ ମନକୁ କିଆଁ କଷ୍ଟ ଦେଉଛୁ ? ଯଶୋବନ୍ତ ରାଓ ସତେ ମୋ ଭାଗ୍ୟକୁ ମିଳିବେ ? ତା ହୋଇଥିଲେ, ରାଣୀ ଓ ତାଙ୍କ ମଧ୍ୟରେ ମତାନ୍ତରର କାହିଁକି ସୃଷ୍ଟି ହୋଇଥାନ୍ତା ? ପ୍ରଭୁ ସତେ ଆମ ଉଭୟଙ୍କୁ ମିଳନଅମୃତ ପ୍ରଦାନ କରି ସୁଖୀ କରିବେ ?’’

 

‘‘ତୁମେ ଅକାରଣ ଏତେ ଚିନ୍ତା କରୁଚ କିଆଁ ? ଗଙ୍ଗାଧର ଯଶୋବନ୍ତ ରାଓ ନିଶ୍ଚୟ ତୁମର ହେବେ ।’’

 

‘‘ଖାଲି ଶୂନ୍ୟ-ଆଶା କରି କି ଲାଭ ? ଏ ବୃଥା-ପ୍ରୟାସ ମୁଁ ଭଲ କରି ଜାଣେ-ବିରୋଧ ଦୃଷ୍ଟିରେ ରାଣୀ ଅନ୍ୟ କାହାସହିତ ମୋର ପରିଚୟ କରାଇ ଦେଇ ପାରନ୍ତି । ମୁଁ ମନେ ମନେ ଯାହାଙ୍କୁ ପତିପଦରେ ବରଣ କରି ସାରିଛି ତାଙ୍କ ବ୍ୟତୀତ ଅନ୍ୟଲୋକର ପାଣି ଗ୍ରହଣ କରିବା ଅପେକ୍ଷା ମରଣ ଶତଗୁଣରେ ଶ୍ରେୟସ୍କର ।’’

 

‘‘ଠିକ୍‌ ସତ କଥା ତ । ସେଇଥିପାଇଁ ପରା କମଳାବାଈ ଆତ୍ମହତ୍ୟା କଲେ । ତୁମ ମାଆଙ୍କ ରାଜତ୍ୱରେ ଏ ହେଉଛି ପ୍ରଧାନ ଦୁର୍ଘଟନା ।’’

 

‘‘ସତେ, କମଳାବାଈ କୁଆଡ଼େ ଭାରୀ ସୁନ୍ଦରୀ ? ଅକାରଣରେ ପ୍ରାଣ ହରାଇ ଦେଲେ । ଆଉ ସେ କଥା କହନା–‘‘ଗତସ୍ୟ ଶୋଚନା ନାସ୍ତି ।’’ ରାତିରେ ଭାରି ଦୁଃସ୍ୱପ୍ନ ହେବ । କିଛି ଗୋଟାଏ ଗଳ୍ପ କହିଲୁ । ମନଟା ସିଆଡ଼ୁ ଫେରିଆସୁ । ତୁ ମୋ ଦେହ ଲାଗି ଯେ ଯତ୍ନ କରିଛୁ, ସେଥିପାଇଁ ମୁଁ ତୋର ନିଶ୍ଚେ ଗୋଟାଏ ଭଲ କାମ କରି ଦେବି । ଏ ମୋର ପ୍ରତିଜ୍ଞା ।’’

 

‘‘ଏ ହେଲା ମୋ ପକ୍ଷରେ ମହାପ୍ରସାଦ-ଅପାର ଅନୁଗ୍ରହ, ମାଗିବା ବେଳେ ନିଶ୍ଚୟ ଦେବେଟି ? ଆଜି ରାଣୀମା ଶୁଣିବାଭଳି ଗୋଟିଏ ଭଲ କଥା କହିବି । ସେ ପରା ବିଜେ ହେବେ ! ତୁମେ ଟିକିଏ ଯାଇ ବୁଝି ଆସିଲ ।’’

 

‘‘ମାଆ ଆଜି କଥା ଶୁଣି ପାରିବେ ନାହିଁ । ତାଙ୍କ ମନରେ ଭାରି ଅଶାନ୍ତ-ରଘୁନାଥ ରାଓ ଦେଶ ଆକ୍ରମଣ କରି ଆସୁଛି-ସେଥିପାଇଁ ସେଠାକୁ ରାଧାକାନ୍ତ ଯାଇଛନ୍ତି । ମାତ୍ର ଏ ପର୍ଯ୍ୟନ୍ତ କିଛି ଖବର ମିଳିନାହିଁ । ସେ ମଧ୍ୟ ଶତ୍ରୁ ସଙ୍ଗେ ମିଶିଛନ୍ତି ବୋଲି ଜନରବ ହେଉଛି । ରାଜପୁତମାନ ଲିମ୍ବପୁର ଅବରୋଧ କରିବାରେ ବ୍ୟସ୍ତ ବୋଲି ଶିବନାନା ସୈନ୍ୟ ସାହାଯ୍ୟ ମାଗିଛନ୍ତି । ରାଣୀ ବର୍ତ୍ତମାନ ଏସବୁ କଠୋର ସମସ୍ୟା ମଧ୍ୟରେ ଚିନ୍ତାନ୍ଵିତ।-ପରିଣାମ କଅଣ ହେବ କହି ହେଉ ନାହିଁ-। ପୁଣି ଆମ ଜ୍ଞାତ ମଧ୍ୟରୁ କେହି ଜଣେ ନୂତନ ହୋଲକାର ହେବ ବୋଲି ଯତ୍ନ କରୁଛି । ଆଜି କୁଆଡ଼େ ତାର ଅଭିଷେକ । ସକାଳୁ ଏ ଖବର ପାଇ ରାଣୀଙ୍କ ମନ ବରାବର ଅଶାନ୍ତିରେ ଇତସ୍ତତ ହେଉଛି । ଏଣେ ମଧ୍ୟ ଚୋର ଗଣ୍ଡାଭୀଲ।ଙ୍କୁ ମୁକ୍ତି ଦେଇଥିବା ଅପରାଧରେ ଜଣେ ଲୋକକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଏ ରାଜକୀୟ ବିଧାନର ସମାଲୋଚାନ।ରେ ରାଣୀଙ୍କର ଗଳ୍ପ ଶୁଣିବାକୁ ପ୍ରବୃତ୍ତି ଜନ୍ମିବ କାଁହୁ ?’’

 

‘‘ସେ ଅଭାଗା କିଏ ? ସେ ନିଶ୍ଚୟ ଦଣ୍ଡ ପାଇବାର ଯୋଗ୍ୟ ।’’

 

‘‘ତୁ ଜାଣିନାହୁଁ ପରା ? ରାଧାକାନ୍ତଙ୍କ ଘରେ ଥିବା ଯୁବକ ଶ୍ୟାମସୁନ୍ଦର ଦତ୍ତ ।’’

 

ଚକିତ। କ୍ରସ୍ତ। କୁରଙ୍ଗୀ ତୂଲ୍ୟ ସୀତା ଚମକିତ ହୋଇ ଉଠିଲା । ସେ ଚିତ୍ରପିତୁଳା ପରି ଖମ୍ବକୁ ଆଉଜି ଯାଇ ଭଗ୍ନ ସ୍ୱରରେ କହିଲା ‘‘ଆହା, ସେ ଯୁବକ !’’ ମୁକ୍ତାବାଈ ପ୍ରମାଦ ଗଣିଲେ । ପଚାରିଲେ, ‘‘କିଲୋ, କଣ ଏଇ ଚୋର ଦତ୍ତଙ୍କୁ ତୁ ଜାଣୁ ? ତୋର କିଆଁ ତାଙ୍କ ଲାଗି ଏତେ ଦୁଃଖ ମ ?’’

 

‘‘ମଣିମା, ଦତ୍ତ ଓ ମୁଁ ପିଲାଦିନୁ ସାଙ୍ଗ । ଦୁର୍ଭାଗ୍ୟକୁ ସେ ମୋ ପାଖରୁ ଅନ୍ତର ହୋଇ ଯିବାରୁ ମୁଁ ଦାସୀ ହେଲି । ପିଲାଦିନର ସ୍ନେହ ପରା, ମନ ଘାଣ୍ଟି ହେବନାହିଁ ?’’

 

‘‘ଆମ ହାତରେ ଆଉ ଅଛି କଅଣ ? ରାଜଦ୍ରୋହୀ, ଦୁରାତ୍ମା ଦଣ୍ଡ ପାଇବା ଉଚିତ ବୋଲି ବୋଲି ଏଇକ୍ଷଣି କହିଛୁ । ତୋରି କଥାତ ହେଲା, ଆଉ ଦୁଃଖ କିଆଁ ?’’

 

‘‘ଦାନୀର ପୁଣି ଗୋଟାଏ କଥା କଅଣ ? ମଣିମା ରଜାପୁତ୍ରୀ, ନିଜେ ନିଜକଥା ରଖି ପାରିଲେ ହେଲା । ମୁଁ ଲୋଡ଼ିବା କଥା ଦେବ ବୋଲି ପରା ପ୍ରତିଜ୍ଞା କରିଛ ? ତେବେ ପ୍ରାଣ ରକ୍ଷା କରି ଶ୍ୟାମସୁନ୍ଦରଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦିଅ ।’’

 

‘‘ଏ ତ ବଡ଼ ଅସାଧ୍ୟ କାର୍ଯ୍ୟ ! ରାଜକୀୟ ବିଧାନ ଅନୁସାରେ ମାଆ କାହାରି କଥା ଶୁଣନ୍ତି ନାହିଁ । ମୋ ହାତରେ କଦାପି ଏ କାମ ହୋଇ ପାରିବ ନାହିଁ, ସୀତା ।’’

 

ମୁକ୍ତେବାଈଙ୍କର ଏ ଦୃଢ଼ତାରେ ସୀତା ବିଚଳିତ ହୋଇ ପଡ଼ିଲା । ତାର ମନୋରମ ନୟନ ଯୁଗଳରୁ ତୁଷାର ବିନ୍ଦୁ ପରି ଅଶ୍ରୁ ରାଶି ବିଗଳିତ ହେଲା । ସେ ଦୁଃଖାବେଗରେ ଧୈର୍ଯ୍ୟ ହରାଇ ସ୍ଥାନ, ଗୌରବ ଏକାବେଳକେ ପାସୋରି ଶିଶୁ ତୁଲ୍ୟ ବିଳାପ କରିବାକୁ ଲାଗିଲା । ମୁକ୍ତାବାଈ ମଧ୍ୟ ସହଚରୀର ଏ ଦୁର୍ଦ୍ଦଶାରେ ବିଚଳିତ ହୋଇ ପଡ଼ିଲେ । ସୀତାଙ୍କୁ ସାନ୍ତ୍ୱନା ଦେଇ ସେ ଚାଲିଲେ ଚିନ୍ତାନ୍ଵିତା ମହାରାଣୀଙ୍କ ମନ ପରିବର୍ତ୍ତନ କରିବାକୁ । ସେ ଧୀରେ ପଦ ବିକ୍ଷେପରେ ରାଣୀଙ୍କ କକ୍ଷରେ ଉପନୀତ ହୋଇ ଦେଖିଲେ ଅହଲ୍ୟା ଚିନ୍ତା-ରାଜ୍ୟର ପଥିକ । ମୁକ୍ତାବାଈ କ୍ଷୀଣକଣ୍ଠରେ କହିଲେ, ‘‘ମାଆ, ରାଜପୁତମାନେ କଣ ସତେ ଲମ୍ଵିପୁର ଚଢ଼ାଉ କଲେ ?’’

 

‘‘ନା, କଲି ବା ପରଦିନ ଆକ୍ରମଣ କରିବେ ?’’

 

‘‘ମା, ଆଜି ମୋର ଗୋଟିଏ ଗୁହାରୀ ଅଛି-ତୁମେ ଶ୍ୟାମସୁନ୍ଦର ଦତ୍ତଙ୍କୁ-’’

 

‘‘ହଁ, ଜଣାଗଲା । ଆଉ ସେ କଥା କହନାହିଁ । ବନ୍ଦ କର ।’’

 

‘‘ମା, ସେପରି କହ ନାହିଁ । ଦତ୍ତଙ୍କ ଜୀବନ ରକ୍ଷା ଲାଗି ସୀତା ଲଗାଇଛି । ମୋ ପ୍ରାର୍ଥନା ଗ୍ରହଣ କର ମା ।’’

 

‘‘ଅଃ-ତୁମମାନଙ୍କର ଭୟ ଭକ୍ତି କିଛି ନାହିଁ । ରାଜକାର୍ଯ୍ୟ ପ୍ରସଙ୍ଗରେ ତୁମେମାନେ କାହିଁକି ହସ୍ତକ୍ଷେପ କରୁଛ ? ନିତାନ୍ତ ସରଳା ବାଳିକାଟିଏ ତୁ । ରାଜନୀତିରେ ତୋର କଅଣ ଜ୍ଞାନ ଅଛି ଯେ ମୋତେ ଉପଦେଶ ଦେବାକୁ ଆସିଛୁ । ରାଜଦ୍ରୋହୀମାନଙ୍କୁ ପ୍ରାଣଦଣ୍ଡ ନଦେଲେ ରାଜ୍ୟ ରକ୍ଷା ହେବ ତ ? ଅରାଜକତା ନହେଲେ ରକ୍ଷା-ମାଆ ମୋର, ଆଉ ଦିନେ ଏପରି କହିବୁ ନାହିଁ ।’’

 

‘‘ମା, ମୁଁ କଣ ଉପଦେଶ ଦେଉଛି; ମୋର ପ୍ରାର୍ଥନା ଗ୍ରହଣ କର ।’’

 

‘‘ଛି, ଦାସୀଟା କଥାରେ ଭୁଲିଯାଇ ତୁ ଏ କାର୍ଯ୍ୟ କରିବାକୁ ଯାଉଛୁ ? ସେ ଆମ୍ଭମାନଙ୍କଠାରୁ ସ୍ନେହ ଆଦର ପାଇଁ ତା ପରିବର୍ତ୍ତରେ ଏଇ କାର୍ଯ୍ୟ କରୁଛି ? ତାକୁ ଯା ସତର୍କ କରି ଦେ ମା ମୋର । ଦଣ୍ଡାଦେଶର ବିଳମ୍ବ ଯୋଗୁଁ ଏପରି ଘଟୁଛି । ଯା ମା, ତୋର ଅନ୍ୟ କାର୍ଯ୍ୟ ଦେଖ । ମୁଁ ବର୍ତ୍ତମାନ ଅପରାଧୀକୁ ପ୍ରାଣଦଣ୍ଡ ଦେବାପାଇଁ ବନ୍ଦୋବସ୍ତ କରୁଛି ।’’

 

ମୁକ୍ତାବାଈ ବ୍ୟାକୁଳ ଦୃଷ୍ଟିରେ, ଅଥଚ ରୋଷ ଓ ଅଭିମାନରେ ମୁଖ ମ୍ଳାନ କରି ଫେରି ଆସିଲେ । ଜେମା ଶୁଭ ସମ୍ବାଦ ଦେବେ ବୋଲି ସୀତା ନିର୍ନିମେଷ ନୟନରେ ଅନାଇଁ ବସିଛି । ଏତିକିବେଳେ ମୁକ୍ତାଙ୍କର ନିରାଶ-ଜଡ଼ିତ ବାକ୍ୟର।ଶି ତା ପ୍ରାଣକୁ ଆଲୋଡ଼ିତ କରି ଦେଲା । ସରଳା ମୁକ୍ତା ମଧ୍ୟ ସଙ୍ଗିନୀ ଦୁଃଖରେ ବ୍ୟଥିତ। ହୋଇ ସେ ଦିନ ଅନ୍ନ ଜଳ ସ୍ପର୍ଶ କଲେ ନାହିଁ । ରାଜକୁମାରୀଙ୍କର ଦାସୀ ପ୍ରତି କି ସୁନ୍ଦର ହୃଦୟବତ୍ତା !

Image

 

ପଞ୍ଚଦଶ ପରିଚ୍ଛେଦ

ରାଜ୍ୟଲ।ଭ ନୁହେତ ଷଡ଼ଯନ୍ତ୍ର

ମନୋରମ ପ୍ରଭାତ । ଉଦୟ ପର୍ବତର ଶିଖର ଦେଶରେ ପ୍ରଭାକରର କମନୀୟ ଛବି ଦର୍ଶକ ପ୍ରାଣରେ କି ଆନନ୍ଦ ଦେଉଛି ! ଯେପରି ରତ୍ନ ଗୋଲକର ଛାୟାଟିଏ । ସଦ୍‌ଗୁରୁଙ୍କ ଉପଦେଶ ବାକ୍ୟ ଅଜ୍ଞାନତା ଦୂର କଲା ପରି ଅନ୍ଧକାର ପଟଳ ସୂର୍ଯ୍ୟକିରଣ ଯୋଗୁଁ ଅନ୍ତର୍ହିତ । ହିଂସ୍ର ଜନ୍ତୁଗଣ ଗହ୍ୱର ମଧ୍ୟରେ ଆତ୍ମଗୋପନ କରି ରହିଛନ୍ତି । ରଜନୀ ପରେ ଦିବସର ଆଗମନ କେଡ଼େ ସୁଖକର ! ମାନବ ଜୀବନରେ ଗୋଟିଏ କି ଅଦ୍ଭୁତ ପ୍ରେରଣା !

 

ସେ ସମୟରେ ମାହୁପୁର ସମୀପବର୍ତ୍ତୀ କୌଣସି ଅରଣ୍ୟରେ ସହସ୍ରାଧିକ ଲୋକ ସମବେତ ହୋଇଛନ୍ତି; ସେମାନଙ୍କ କୋଳାହଳରେ ଗଗନ ପ୍ରଦେଶ ମୁଖରିତ । ଭୀଲଗଣ ନାନାବିଧ ଅରଣ୍ୟ ବେଶଭୂଷାରେ ସଜ୍ଜିତ ହୋଇ, ମହାର୍ଘ ପରିଚ୍ଛଦଭୂଷିତ ନଗରବାସୀ ଓ ଅନ୍ୟାନ୍ୟ ଲୋକମାନଙ୍କ ସହିତ ସେହି ପର୍ବତ ଚୂଡ଼ାରେ ଉତ୍କଣ୍ଠିତ ହୋଇ କି ଉଦ୍ଦେଶ୍ୟରେ ଆଜି ସମବେତ ହୋଇଛନ୍ତି ? ପର୍ବତ ଉପରେ ସୁଶୀତଳ ଛାୟାପ୍ରଦ ବିଶାଳ ମଣ୍ଡପ ନିର୍ମିତ; ତାର ଚତୁର୍ଦ୍ଦିଗରେ ଚୂତପତ୍ରର ତୋରଣ, ମଧ୍ୟେ ମଧ୍ୟେ ପୁଷ୍ପମାଳ ଲମ୍ବିତ । ସ୍ତମ୍ଭ ନିକଟରେ କଦଳୀ ବୃକ୍ଷଗୁଡ଼ିକ ସଂଲଗ୍ନ ।

 

ହଠାତ ଏ ବିଶାଳ ଜନତାର ନିସ୍ତବ୍ଧତା ରାଜତ୍ୱ କଲା । ‘‘ଚୁପ କର, ହୁସିଆର ରହ, ଏଇ ଆସି ଗଲେଣି’’ ବୋଲି କେହି କେହି ଚିତ୍କାର କରି ଉଠିଲେ । ଜନସଂଘ ହଠାତ ଅଗ୍ରଦେଶକୁ ଦୃଷ୍ଟିପାତ କଲେ । ଦେଖିଲେ-ଛବିଶ ବର୍ଷ ବୟସ୍କ, ଗୌର ବର୍ଣ୍ଣ ଯୁବକ ଗୋଟିଏ ବଣ୍ୟ ହସ୍ତୀ ଉପରେ ଆସୀନ ହୋଇ ସେଠାକୁ ଆସୁଛନ୍ତି । ତାଙ୍କ ସମ୍ମୁଖରେ କୃଷ୍ଣ ସ୍ଥୂଳକାୟ ବିଶିଷ୍ଟ ଆଉ ଜଣେ ବ୍ୟକ୍ତି ରାଜକୀୟ ବିଷୟର ଆଲୋଚନାରେ ବ୍ୟସ୍ତ । ବ୍ରାହ୍ମଣଗଣଙ୍କର ଆଶୀର୍ବାଦ, ବନ୍ଦୀ ସମୂହର ସ୍ତୁତି ପାଠରେ ପଥ ମୂଖରିତ ହୋଇ ପଡ଼ୁଛି । ଯୁବକ ସମ୍ମୁଖରେ ପ୍ରସ୍ତୁତ ଛାୟାମଣ୍ଡପ ଦେଖି ମୃଦୁ ମୃଦୁ ହାସ୍ୟ କରି, ପ୍ରଜାମାନେ ତାଙ୍କ ପ୍ରତି କିପରି ଅନୁରକ୍ତ ତାହା ଚିନ୍ତା କରୁଛନ୍ତି । ଶୋଭାଯାତ୍ରା କ୍ରମେ ମଣ୍ଡପର ନିକଟବର୍ତ୍ତୀ ହେଲା । ଦୌଲତ ହସ୍ତୀରୁ ଅବତରଣ କରି ଯୁବକଙ୍କୁ ବିନୟ ଅଥଚ ଭକ୍ତି ସହକାରେ ରତ୍ନ କମ୍ବଳ ଉପରକୁ ଆସିବାକୁ ଅନୁରୋଧ କଲେ । ଭୀଲଗଣ ହୁଂକାର କରି ଉଠିଲେ । କେହି କେହି 'ଆମର ଏ ନୂଆ ହୋଲକାର' ବୋଲି ଯୁବକଙ୍କୁ ପ୍ରତି ଅଙ୍ଗୁଳୀ ନିର୍ଦ୍ଦେଶ କରି କହୁଥିଲେ ।

 

ଭୀଲ-ସର୍ଦ୍ଦାର ଗଣ୍ଡା ଓ ତ।ନ୍ତିଆ ଉଭୟେ ଶରୀର ରକ୍ଷକରୂପେ ଲୋକମାନଙ୍କୁ ବାଟ ଛାଡ଼ି ଦେବା ଲାଗି ବାରମ୍ବାର ଉଚ୍ଚ ସ୍ୱରରେ କହିବା ସଙ୍ଗେ ସଙ୍ଗେ ଦୌଲତ ଓ ହରିହର ପାଣ୍ଡିଆଜୀ ଯୁବକଙ୍କ ହାତ ଧରି ଗୋଟିଏ ବେଦୀ ଉପରେ ପଡ଼ିଥିବା ବହୁମୂଲ୍ୟ ଆସନ ଅଳଂକୃତ କରିବାକୁ ଅନୁରୋଧ କଲେ । ଯୁବକ ଉପବିଷ୍ଟ ହୁଅନ୍ତେ, ଅନ୍ୟାନ୍ୟ ମାନେ ଯଥାବିଧି ଆସନ ଗ୍ରହଣ କରିଥିଲେ । ଦୌଲତ ଉପସ୍ଥିତ ଜନସଂଘକୁ ନୀରବ ରହିବାକୁ ଅନୁରୋଧ କରି କହିଲେ ‘‘ପ୍ରଜାବୃନ୍ଦ, ତୁମ୍ଭେମାନେ ଆଜି ଏଠାରେ କାହିଁକି ସମବେତ ହୋଇଛ ଜାଣ ? ଆଜି ଆମ୍ଭମାନଙ୍କର ସୁଦିନ-ଏ ହେଉଛନ୍ତି ଆମ୍ଭମାନଙ୍କର ପାଳକ ନୂତନ ହୋଲକାର । ମଲହର ତାଙ୍କ ନ।ତିଙ୍କ ଅନ୍ତେ ଏହାଙ୍କୁ ପୋଷ୍ୟ ପୁତ୍ର କରିବାକୁ ଚରମ-ପତ୍ର ଲେଖି ଦେଇଥିଲେ । ମାତ୍ର ରାଣୀ ଅହଲ୍ୟାବାଈ ସେଥିପ୍ରତି ଦୃଷ୍ଟି ନଦେଇ ଯଶୋବନ୍ତ ପ୍ରମୁଖ ରାଜ୍ୟହିତୈଷୀମାନଙ୍କ ଉପଦେଶ ଗ୍ରହଣ ନକରି, ନିଜେ ଦେଶ ଶାସନ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଆମେ ପୁରୁଷମାନେ ନାରୀଟାର ଅଧୀନତା ସ୍ୱୀକାର କରି ପ୍ରଜାରୂପେ ରହିବା କଅଣ କମ ଅପମାନର କଥା ? ନା, ପ୍ରଜାର ମଙ୍ଗଳରେ ରାଜାର ମଙ୍ଗଳ । ଆମ୍ଭମାନଙ୍କର ହିତ ଲାଗି ଯେ ଚେଷ୍ଟା କରିବେ ଯାହାଙ୍କର ଯତ୍ନରେ ଆମର ମର୍ଯ୍ୟାଦା, ଧନ ସମ୍ପତ୍ତି ଅକ୍ଷୁର୍ଣ୍ଣ ରହିବ, ଆମ୍ଭେମାନେ ତାଙ୍କୁ ରାଜା ବୋଲି ସ୍ୱୀକାର କରିବୁ । ଆଜି ତୁମ୍ଭେମାନେ ସମ୍ମତି ଜଣାଇଲେ ଏଠାରେ ଏ ନୂତନ ହୋଲକାରଙ୍କର ଅଭିଷେକ ହୋଇଯିବ ।’’

 

ଉପସ୍ଥିତ ଜନସଂଘ ଏକ ସ୍ୱରରେ 'ଆମ୍ଭମାନଙ୍କର ପୂର୍ଣ୍ଣ ସମ୍ମତି' ବୋଲି କହିବା ସଙ୍ଗେ ସଙ୍ଗେ କରତାଳି ନାଦରେ ବନଭୂମି ଚମକିତ କରିଦେଲେ । ଦୌଲତ ‘‘ଶ୍ରୀମତ ରାଜଧିରାଜ ଶ୍ରୀମନ୍ତ ପାନ୍ତୁ , ଶ୍ରୀ ଇନ୍ଦୋର ପାଦ ପ।ଦଶା ଶ୍ରୀ ମହାଦେବ ରଘୁନାଥ ଗୋବିନ୍ଦ ଶେଆଜୀ ହୋଲକାରଙ୍କ ଜୟ । ମହାରାଜ ! ସିଂହାସନ ଆରୋହଣ କରନ୍ତୁ’’ ବୋଲି ବ୍ରଜ-ଗମ୍ଭୀର ନାଦରେ କହି ପକାଇଲେ ।

 

ଅନନ୍ତର ଯୁବକଙ୍କୁ ସିଂହାସନରେ ବସାଇ ଦୌଲତ ରାଓ ତାଙ୍କ ମସ୍ତକରେ ଗୋଟିଏ ବହୁମୂଲ୍ୟ ଶିରସ୍ତ୍ରାଣ ଦେଇ କହିଲେ, ‘‘ବର୍ତ୍ତମାନ ଏହାହିଁ ନବରତ୍ନ କିରୀଟ ।’’ ଯୁବକ ମୃଦୁ ମନ୍ଦହାସ୍ୟ ପରେ ତାହା ଗ୍ରହଣ କଲେ ।

 

ହରିହର ପାଣ୍ଡିଆଜୀ ବଜ୍ରଗମ୍ଭୀର ନାଦରେ କହିଲେ, ‘‘ପ୍ରଜାଗଣ, ଏଥର ଶେଆଜୀ ହୋଲକାର ଆମ୍ଭମାନଙ୍କର ନେତା, ଶାସକ । ଅହଲ୍ୟା ରାଜ୍ୟ-ବିନାଶିନୀ ରଣଚଣ୍ଡୀ-ତାର ଗର୍ବ ଖର୍ବ କରିବାକୁ ହେବ । ତା ଶାସନ-ଶୃଙ୍ଖଳାକୁ ଛିନ୍ନ ଭିନ୍ନ କରି, ରାଜ୍ୟରେ ଘୋର ଅଶାନ୍ତ ବିଦ୍ରୋହ, ପ୍ରଜାପୀଡ଼ା, ଆରମ୍ଭ କରି ନାରୀକି ଦେଖାଇବାକୁ ହେବ-ପୁରୁଷର ଶକ୍ତି, କ୍ଷମତା ଆଉ ପ୍ରତିପତ୍ତି । ଶେଆଜୀଙ୍କୁ ରାଜା ବୋଲି ସ୍ୱୀକାର କରି ରାଜସ୍ୱ ଯଦି କେହି ଅହଲ୍ୟାଙ୍କୁ ଦିଏ, ଜାଣି ରଖ ତାର ସର୍ବନାଶ । ଏଣେ ଧନହାନି, ତେଣେ ପ୍ରାଣପୀଡ଼ା । ଉଭୟକୁ ବିଚାର କରି ଜୀବନ ମରଣର ସନ୍ଧି ସ୍ଥଳରେ ରାଜ୍ୟ ରକ୍ଷା ଲାଗି ପ୍ରଜାଗଣ ସଚେଷ୍ଟ ନହେଲେ, ଏକାକୀ ରାଜା କଅଣ କରି ପାରିବେ ? ବୁଝିରଖ, ଯେଉଁ କର୍ମଚାରୀମାନେ ଅହଲ୍ୟା ପକ୍ଷ ଅବଲମ୍ବନ କରି ରାଜ୍ୟର ତଥା ଲୋକବର୍ଗଙ୍କର କ୍ଷତି ସାଧନରେ ସାହାଯ୍ୟ କରିଛନ୍ତି, ସେମାନଙ୍କୁ ବହିଷ୍କୃତ କରିବାକୁ ହେବ । ସ୍ଥଳ ବିଶେଷରେ ମଧ୍ୟ ପ୍ରାଣଦଣ୍ଡ ବିଧାନ କରାଯିବ ।’’ ବର୍ତ୍ତମାନ ସମସ୍ତେ ପ୍ରତିଜ୍ଞାବଦ୍ଧ ହୁଅ, ଶପଥ କର, ନୂତନ ହୋଲକାରଙ୍କ ସିଂହାସନ ଦୃଢ଼ କରିବା ଲାଗି ପ୍ରାଣପାତ କରିବ ।’’

 

ହଠାତ ସମସ୍ତେ ସିଂହନାଦ କର ଉଠିଲେ । ଗଣ୍ଡା ଓ ତ।ନ୍ତିଆଭୀଲ ଏବଂ ଅନ୍ୟାନ୍ୟ କେତେକ ସଂଭ୍ରାନ୍ତ ଲୋକ ଆସି ଉତ୍ତୋଳନ କରି ହୋଲକାରଙ୍କୁ ଭକ୍ତି ଓ ଅଭିବାଦନ ଜଣାଇଲେ । ସଙ୍ଗେ ସଙ୍ଗେ ବିରାଟ ଜନତା ମଧ୍ୟରୁ ଶବ୍ଦ ହେଲା, ‘‘ଜୟ ମହାରାଜାଙ୍କର ଜୟ ।’’ ଶେଆଜୀ ହୋଲକାର ସିଂହାସନ ତ୍ୟାଗ କରି କହିଲେ, ‘‘ପ୍ରଜାବର୍ଗ, ତୁମେମାନେ ଆଜି ଯେ ମହାଦାୟିତ୍ୱ ମୋ ଉପରେ ଦେଇଛ ତାର ସଂପାଦନ ଲାଗି ମୁଁ ବରାବର ଆତ୍ମବଳି ଦେଇ ଯତ୍ନ କରିବି । ପ୍ରଜାରଞ୍ଜନ ରାଜାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ସେଥିପାଇଁ କ୍ଷତ୍ରିୟଚୂଡ଼ାମଣି ରାମଚନ୍ଦ୍ର ସସତ୍ତ୍ୱା ସୀତାଙ୍କୁ ବର୍ଜ୍ଜନ କରିଥିଲେ । ରାଜା ବରାବର ଏ କର୍ତ୍ତବ୍ୟ ପାଳନ ନକଲେ ରାଜ୍ୟ ନାରଖାର ହୋଇ ପଡ଼େ । ରାଜ୍ୟର ସ୍ଥାନେ ସ୍ଥାନେ ବିଦ୍ରୋହ, ଖଣ୍ଡଯୁଦ୍ଧ, ଅଶାନ୍ତି ରାଜତ୍ୱ କରେ । ବର୍ତ୍ତମାନ ନୂତନ ରାଜ୍ୟ । ସାମ୍ରାଜ୍ୟ ରକ୍ଷା ଲାଗି ବିସ୍ତାର ଅର୍ଥ ଆବଶ୍ୟକ । ତୁମ୍ଭେମାନେ ଦୌଲତ ରାଓ ଓ ହରିହରଙ୍କୁ ଶୀଘ୍ର ରାଜସ୍ୱ ଦେଇପକାଅ । ରାଣୀ ଅହଲ୍ୟା ତୁମ୍ଭମାନଙ୍କୁ ଯେଉଁ ଦୁଃଖ କଷ୍ଟ ଦେଇଛି, ଆମ୍ଭମାନଙ୍କ ନ୍ୟାଯ୍ୟ-ଦାବୀ ବଲାତ୍କାରରେ ଅଧିକାର କରି ନେଇଛି, ସେଥିପାଇଁ ଯୁଦ୍ଧ କରି ତାଠାରୁ ରାଜ୍ୟ ଘେନି ଆସିବାକୁ ହେବ । ରାଜାର ସମସ୍ତ ସମ୍ପତ୍ତି, ଆଭରଣ ତା ପାଖରେ ଅଛି; ଶୀଘ୍ର ଫେରାଇ ଦେବା ଲାଗି କଲି ତା ପାଖକୁ ଲେଖୁଛି । ନଦେଲେ ରିବା ସରକାର ଓ ଗୋୟାଲିଅର ଶାସକ ସିନ୍ଧିଆଙ୍କ ସାହାଯ୍ୟରେ ତାର ସୁଖାନିଦ୍ରା ଭଙ୍ଗ କରିଦେବି ।

 

ପ୍ରଜାଗଣ, ମନେରଖ ଦୌଲତ ରାଓ ଆଜିଠାରୁ ଏ ରାଜ୍ୟର ସେନାପତି, ଯଶୋବନ୍ତ ରାଓ ଓ ହରିହର ସଚିବ ଏବଂ ଗଣ୍ଡାଭୀଲ ଅରଣ୍ୟ ସର୍ଦ୍ଦାରରୂପେ ଶାସନ-ପଦ୍ଧତି ଚଳାଇବେ । ସୁଖ ଶାନ୍ତି ରକ୍ଷା ତୁମ୍ଭମାନଙ୍କ ଉପରେ ନିର୍ଭର ।’’

 

ଅନ୍ତରର ଗଣ୍ଡାଭୀଲ ସପ୍ତଦଶ ବର୍ଷ ବୟସ୍କ ଗୋଟିଏ ସୁନ୍ଦର ଯୁବକକୁ ବଳପୂର୍ବକ ମହାରାଜାଙ୍କ ଛାମୁରେ ପ୍ରଣତ କରାଇ ଦୀର୍ଘ ରବରେ କହିଲା, ‘‘ମହାରାଜ, ଆମର ତ।ନ୍ତିଆଭୀଲ ବାଟରୁ ଏ ଟୋକାକୁ ଧରି ଆଣିଛି । ଆମେ ସମସ୍ତେ ଦେବୀଙ୍କ ନିକଟରେ ୟାକୁ ବଳୀ ଦେବାକୁ ମନସ୍ଥ କରିଥିଲୁଁ । ମାତ୍ର ଏ ପିଲାର ଅଦୃଷ୍ଟ ଭାରି ଭଲ । ବଡ଼ କପାଳିଆଟାଏ । ତିନିଥର ବଳିରେ ବାଧା ପଡ଼ିଲା ୟାରି ଲାଗି । ଟୋକାଟା ଭଲ ଲେଖା ପଢ଼ା ଜାଣେ । ଇଏ ଛାମୁଙ୍କ ପାଖରେ ରହୁ । ଆମକୁ ବି ସାହାଯ୍ୟ କରିବ ।’’

 

ଶେଆଜୀ ବାଳକର ସୌନ୍ଦର୍ଯ୍ୟରେ ମୁଗଧ ହୋଇ, ତାକୁ ଗ୍ରହଣ କଲେ । ଆହୁରି ମଧ୍ୟ ସେ ତିନିଥର ମୃତ୍ୟୁ ମୁଖରୁ ରକ୍ଷା ପାଇଛି, ଶୁଣି ଆଶ୍ଚର୍ଯ୍ୟ ହୋଇ ଗଲେ । ବାଳକ ଆଜି ହୋଲକାରଙ୍କ ପ୍ରାସାଦରେ ପ୍ରସନ୍ନ । ହୋଲକାର ବାଳକ ସହିତ ରାଜୋଚିତ ଆଡ଼ମ୍ବରରେ ଶିବିରକୁ ପ୍ରସ୍ଥାନ କଲେ । ପଲ୍ଲୀ ଓ ନିକଟସ୍ଥ ନଗରବାସୀଗଣ ପ୍ରତ୍ୟାବୃତ୍ତ ହେବା ପରେ ଭୀଲମାନେ ସେହିଠାରେ ପାନ ଭୋଜନ ଶେଷ କରି ନିଦ୍ରିତ ହେଲେ । ନୂତନ ହୋଲକାରଙ୍କ ଅଭିଷେକ ଉତ୍ସବ-ବାର୍ତ୍ତା ଚତୁର୍ଦ୍ଦିଗରେ ରାଷ୍ଟ୍ର ହେଲା । ଅବିବାହିତ, ପାରିବାରିକ ଜଞ୍ଜାଳ ରହିତ ଗୃହସ୍ଥ, ଗୃହଦାହ ନୈପୁଣ୍ୟ ବ୍ୟକ୍ତି, ଚୋର, ଡକାଏତ, ନରହନ୍ତା, ରାଜଦ୍ରୋହୀ ଓ ରାଣୀଙ୍କ ବିପକ୍ଷଦଳ ପ୍ରଭୃତି ଦୁରାଚାର ବ୍ୟକ୍ତିଗଣ ଶେଆଜୀଙ୍କ ସୈନ୍ୟ ଦଳଭୁକ୍ତ ହୋଇ ରାଜ୍ୟରେ ଅତ୍ୟାଚାର, ଲୁଣ୍ଠନ, ବ୍ୟଭିଚାର ଇତ୍ୟାଦି ଦୁଷ୍କାର୍ଯ୍ୟ ଅବାଧରେ ଚଳାଇ ଦେଲେ । ଅହଲ୍ୟାଙ୍କର ଶାସନ-ବିମୁଖ ପ୍ରଜାବର୍ଗ ମଧ୍ୟ ଏ ସୈନ୍ୟ ଦଳର କାର୍ଯ୍ୟ କଲାପରେ ଦୋଷର ମୂର୍ତ୍ତିମାନ ବିଗ୍ରହ ଦୌଲତଙ୍କୁ ଏବଂ କଳିପୁରୁଷ ତୁଲ୍ୟ ନୂତନ ହୋଲକାରଙ୍କୁ ଭୟ କରୁଥିଲେ ।

 

ପରଦିନ ଦୌଲତ ଓ ହରିହରଙ୍କ ମଧ୍ୟରେ ମନ୍ତ୍ରଣା ଚାଲିଲା–‘‘କି ହରିହର ! ଏ ଅଭିଷେକ ସମ୍ବନ୍ଧରେ ଯଶୋବନ୍ତ ରାଓଙ୍କର ମତ କଅଣ ? ତାଙ୍କୁ ଛାଡ଼ି ତୁମେ ଏଠାକୁ କିପରି ଆସିଲ ? ଏ ଦଳରେ ମଧ୍ୟ ଯୋଗ ଦେଲ ?’’

 

‘‘ଯଶୋବନ୍ତ ରାଓ ଏଥିରେ ସନ୍ତୁଷ୍ଟ, ଶୁଣିଛି, ସେ ମଧ୍ୟ ଏଥିଲାଗି ଆମ ସହିତ ପରାମର୍ଶ କରିବେ । ସେଥିପାଇଁ ଆଜି ରାତି ଆମକୁ ଇନ୍ଦୋର ଯିବାକୁ ପଡ଼ିବ । କିନ୍ତୁ ଯଶୋବନ୍ତଙ୍କ ଆଶ୍ରୟରେ ମୋର କିଛି ଲାଭ ନାହିଁ । ସେ ତ ରାଜ୍ୟ ଲୁଣ୍ଠନ କରିବାକୁ ଅସମ୍ମତ । ତୁମ ଦୟାରେ ହେଲେ ମୁଁ କିଛି ରୋଜଗାର କରି ପାରନ୍ତି ।’’

 

‘‘ସତ, ସେ କୌଣସି ଦଳରେ ଯୋଗ ଦେବେ ନାହିଁ; ରାଣୀଙ୍କି ତଡ଼ି ଶେଷରେ ଆମ୍ଭେମାନେ ଜୟୀ ହେବା । ଧନ ପାଇଁ ତ ମୋର ଲୋଭ ନାହିଁ । କମଳା ଲାଗି ମୁଁ ଯେ ଅପମାନ ସହିଛି, ତାର କଠୋର ପ୍ରତିଶୋଧ ପାଇଁ ମୋ ପ୍ରାଣ ନିରନ୍ତର ବ୍ୟାକୁଳ । ତୁମେ ତ ଗୃହସ୍ଥ-ଆବଶ୍ୟକୀୟ ଧନରାଶି ଲୁଣ୍ଠନ କରି ଆଣ । ତୁମଭଳି ବ୍ରାହ୍ମଣଙ୍କୁ ତାହା ଦାନ କଲେ, ମହାପୁଣ୍ୟ ।’’

 

‘‘ତୁମ ଉପକାର ଲାଗି ମୁଁ ବଡ଼ ଆପ୍ୟାୟିତ । ଶୁଦ୍ରଜାତିରେ ତୁମ ପରି ସତଲୋକ ଆଉ କେହି ନାହିଁ । କିନ୍ତୁ ଏପରି ଅଯୋଗ୍ୟ ଯୁବକଟାକୁ ରାଜସିଂହାସନ ଦେଲ କାହିଁକି ? ଏଥିରେ ମୋର ଭାରି ସନ୍ଦେହ ହେଉଛି ।’’

 

‘‘ବର୍ତ୍ତମାନ ଏ ହୋଲକାର ହୋଇଛନ୍ତି । ହୁଅନ୍ତୁ, କ୍ଷତି କଣ ? ରାଜ୍ୟ ହାତକୁ ଆସିବା ପରେ ଏହାଙ୍କୁ ସିଂହାସନଚ୍ୟୁତ କରି ମୁଁ ନିଜେ ଶାସନ ଦଣ୍ଡ ଚଳାଇବି । ଏ ଗୋଟାଏ ଖେଳ-ବୁଝି ପାରୁନ ହରିହର ? ଏ ଗୁପ୍ତ କଥା; କେଉଁଠି ପ୍ରକାଶ କରିବ ନାହିଁ, ସାବଧାନ !’’

 

ହଠାତ ଜଣେ ଆଗନ୍ତୁକ ସେଠାରେ ପ୍ରବେଶ କରିବାରୁ ଆଳାପନା ବନ୍ଦ ହୋଇଗଲା । ଉଭୟେ ମହାରାଜାଙ୍କ ଶିବିର ଅଭିମୁଖେ ପ୍ରସ୍ଥାନ କଲେ ।

Image

 

ଷୋଡ଼ଶ ପରିଚ୍ଛେଦ

ଯୁଦ୍ଧ ନା ଶୁଭ ସୂଚନା ?

‘‘ଓହୋ, ମୋ ମନ ଏବେ ଶାନ୍ତ ହେଲା । ଅନେକ ଦିନର ପିପାସା ଏତେ ଦିନେ ପୂର୍ଣ୍ଣ । ଆହା, ସତେ ମୁଁ କି ଭାଗ୍ୟବତୀ !’’ ମୃଦୁ ହାସ୍ୟ ସଙ୍ଗେ ସଙ୍ଗେ ମୁକ୍ତବାଈ ଏ କଥା କହି ପକାଇଲେ-। ‘‘ଆଜି ତ କାହିଁକି ତୁମର ଭାରି ଆନନ୍ଦ ? ରାଜକୁମାରୀ ପକ୍ଷେ ଭାଗ୍ୟବତୀ ହେବାଟା କଅଣ ଆଶ୍ଚର୍ଯ୍ୟ କଥା ? ଅତୁଳ ସୁଖ-ସମ୍ପତ୍ତି, ଆମୋଦ ବିଳାସରେ ଆଉ ତୁମର ଅଭାଗ୍ୟ କଅଣ ଯେ ?’’ ଉତ୍କଣ୍ଠିତ। ସୀତାର ଏ ପ୍ରଶ୍ନରେ ମୁକ୍ତାବାଈ ପୁଣି କହି ଉଠିଲେ, ‘‘ତୁ ଆହୁରି ବୁଝି ପାରିନାହୁଁ, ସୀତା । କାଲି ରାତିରେ ଯାହା ଘଟି ଯାଇଛି, ରାଜ୍ୟ ପକ୍ଷେ ଯେପରି, ମୋ ପକ୍ଷରେ ମଧ୍ୟ ସେହିପରି ମଙ୍ଗଳଜନକ ।’’

 

ମଙ୍ଗଳଜନକ ସମ୍ବାଦ, ଜେମାମଣି ?’’

 

‘‘ସୂର୍ଯ୍ୟ ବାରୁଣୀ ଲଲାଟ ରଞ୍ଜିତ କରି ଅସ୍ତାଚଳରେ - ଏତିକି ବେଳେ ସ୍ଵାକ୍ଷରହୀନ ଖଣ୍ଡେ ପତ୍ର ରାଣୀଙ୍କର ହସ୍ତଗତ ହେଲା । ସେଥିରେ ଲେଖା ଥିଲା, ଯଶୋବନ୍ତ ପ୍ରମୁଖ ଷଡ଼ଯନ୍ତ୍ରକାରୀଗଣ ଗୋଟିଏ ମନ୍ତ୍ରଣା ସଭା ଆହ୍ୱାନ କରିଛନ୍ତି; ସେଥି ଲାଗି ସମସ୍ତେ ଯଶୋବନ୍ତଙ୍କ ବସନ୍ତ-ଭବନରେ ଏକତ୍ରିତ ହେବେ । ରାଣୀ ଏ ସମ୍ବାଦରେ ଅଗ୍ନିଶର୍ମା ହୋଇ ଉଠିଲେ । ହଠାତ ମତ୍ତଗଜ ପୃଷ୍ଠରେ ଆରୋହଣ କରି ଘଟାନା ସ୍ଥଳରେ ଉପନୀତ ହେଲେ । ରାଣୀଙ୍କ ଆଗମନରେ ଦୁରାତ୍ମାଗଣ ଆତ୍ମରକ୍ଷା କରିବା ଲାଗି କିଏ ପ୍ରାଚୀର ଉଲ୍ଲଂଘନ କରି, କିଏ ବା ଆତ୍ମ ସମର୍ପଣ କରି ମଧ୍ୟ ଜୀବନ ଭିକ୍ଷା କଲେ । ତୁ ତ ଜାଣୁ ରାଜକୀୟ ବିଧି ରକ୍ଷା କରିବା ଲାଗି ରାଣୀଙ୍କର କିପରି ଦୃଢ଼ତା । ଯେଉଁମାନେ ପ୍ରାଚୀର ଡେଇଁ ଚାଲିଗଲେ ସେମାନେ ରକ୍ଷା ପାଇଲେ । କିନ୍ତୁ ଯଶୋବନ୍ତ ଓ ତାଙ୍କର ଅଧିକାଂଶ ସଙ୍ଗୀଙ୍କୁ ବନ୍ଦୀ କରାଗଲା । ଯେତେବେଳେ ସେମାନେ ପ୍ରାଣ ଭିକ୍ଷା କଲେ, କରୁଣାମୟୀ ଜନନୀଙ୍କର ହୃଦୟ ବିଗଳିତ ହେଲା । ସେ ସେମାନଙ୍କୁ କ୍ଷମା ଦେଇ ବର୍ତ୍ତମାନ ଯଶୋବନ୍ତଙ୍କୁ ପରମ ଆତ୍ମୀୟ ବୋଲି ମନେ କରୁଛନ୍ତି । ଏହା ରାଜ୍ୟ ପକ୍ଷରେ ମଙ୍ଗଳ ଜନକ ନୁହେ ? ମୋ ପକ୍ଷେ ଶୁଭପ୍ରଦ ନୁହେ ?’’

 

ସୀତା ଯୁଗପତ୍‌ ବିସ୍ମିତ ହେବ ସଙ୍ଗେ ସଙ୍ଗେ ଶ୍ୟାମସୁନ୍ଦରଙ୍କ ଭାବୀ-ମରଣ କଥା ଭ।ଳି ଭ।ଳି ଦୁଃଖିତ ହୋଇ କହିଲା, ‘‘ଆମ ଦୁହିଁଙ୍କର ଶରୀର ଭିନ୍ନ ହେଲେହେଁ ଆତ୍ମା ଏକ । ଆମେ ଉଭୟେ ପରମ ଆତ୍ମୀୟ । ଦେହର ଅର୍ଦ୍ଧାଂଶ ଆନନ୍ଦ, ଅପର।ର୍ଦ୍ଧ ବିଶାଦଅନ୍ଧକାରରେ ଜଡ଼ିଭୂତ । ତେବେ ପକ୍ଷପାତର ଏ ଲକ୍ଷଣରେ ଆପଣତ ଆନନ୍ଦିତ ହେବାର କିଛିନାହିଁ । ଏ ସୁଖ ସମୟରେ ନିରପରାଧ ଶ୍ୟାମସୁନ୍ଦରଙ୍କୁ ରକ୍ଷା କରିବ ନାହିଁ, ଜେମାମଣି ?’’ କହୁ କହୁ ନୀଳୋତ୍ପଳ ନୟନରେ ମକରନ୍ଦ ବିନ୍ଦୁପରି ସୀତାର କଜ୍ଜ୍ୱଳ ପୂରିତ ଚକ୍ଷୁରୁ ଅଶ୍ରୁକଣା ନିର୍ଗତ ହୋଇ ମୁକ୍ତ।ବାଈଙ୍କୁ ବିଚଳିତ କରି ଦେଲା । ମୁକ୍ତ।ବାଈ ତା ଲାଗି ଆଉ ଥରେ ଯଥାସାଧ୍ୟ ଯତ୍ନ କରିବାକୁ ମନସ୍ଥ କରି ଧୀରେ ଧୀରେ ଆଶ୍ୱାସନା ଦେବା ଭଳି କହିଲେ, ‘‘ଆଜି ତ ଲିମ୍ବପୁର ଯାତ୍ରା କରିବା କଥା । ରାଜପୁତଗଣ ଲିମ୍ବପୁର ଅଧିକାର କରି ଦୁର୍ଗାଧ୍ୟକ୍ଷ ଶିବନାନାଙ୍କୁ ତଡ଼ି ଦେଇଛନ୍ତି । ଶିବନାନା ବର୍ତ୍ତମାନ ଲିମ୍ବପୁର ଅବରୋଧ ଲାଗି ମନ୍ତ୍ରଣ।ରେ ବ୍ୟସ୍ତ । ରାଣୀଙ୍କର ଲିମ୍ବପୁର ଯିବାଲାଗି ପ୍ରବଳ ଇଚ୍ଛା । ସେହେତୁ କାଲି ଆମ ସମସ୍ତଙ୍କୁ ସସୈନ୍ୟେ ଲିମ୍ବପୁର ଯାତ୍ରା କରିବାକୁ ହେବ । ସେଠାକୁ ନ ଯାଉଣୁ ଦତ୍ତଙ୍କ ପ୍ରସଙ୍ଗ ଉତ୍ଥାପନ କରିବି । ତୁ ଦୁଃଖ କରନା । ଯାତ୍ରାପାଇଁ ପ୍ରସ୍ତୁତ ହୁଅ’’ କହି କହି ମୁକ୍ତ।ବାଈ ରାଣୀଙ୍କ ନିକଟକୁ ପ୍ରସ୍ଥାନ କଲେ ।

 

ରାଣୀ ବର୍ତ୍ତମାନ ମନ୍ତ୍ରଣାରତ । ତାଙ୍କ ସମୀପରେ ଶିବନାନା, ତୁକାଜି ହୋଲକାର ଓ ଯଶୋବନ୍ତ ରାଓ ଆସୀନ । ସେତିକିବେଳେ ମୁକ୍ତ।ବାଈ ସେଠାକୁ ଯିବା ଅସୁନ୍ଦର ଭାବି ନିକଟସ୍ଥ ଗୋଟିଏ କକ୍ଷରେ ବସିରହି ମନ୍ତ୍ରଣା ଶୁଣିଲେ । ଅହଲ୍ୟା ଚିନ୍ତିତ ହୋଇ ଶିବନାନାଙ୍କୁ ପଚାରିଲେ, ‘‘ରାଜପୁତଗଣ ଲିମ୍ବପୁରକୁ କେତେ ସୈନ୍ୟ ଧରି ଆସି ଅଛନ୍ତି ? ଆମେ ବା କେତେ ସୈନ୍ୟ ଧରି ଯିବା ?’’ ଶିବନାନା କହିଲେ, ‘‘ଦଶ ହଜାର ହେବ । ରାଜପୁତଗଣ ବଳିଷ୍ଠ ଓ ଯୁଦ୍ଧ ବିଶାରଦ । ସେମାନଙ୍କୁ ଜିଣିବା ଦୁଃସାଧ୍ୟ । ତେଣୁ ଆମର ସୈନ୍ୟ ସଂଖ୍ୟା ସେହି ପରିମାଣରେ ରହିବ। ଆବଶ୍ୟକ । ତୁକାଜୀ ହୋଲକାର ଓ ମୁଁ ବର୍ତ୍ତମାନ ଯ।ଉଛୁଁ । ଛାମୁ ଠିକ ଆମ୍ଭମାନଙ୍କର ପଛେ ପଛେ ଆସନ୍ତୁ ।’’ ରାଣୀ ଆନନ୍ଦିତ ହୋଇ କହିଲେ, ‘‘ସମସ୍ତଙ୍କ ମଧ୍ୟରେ ତୁକାଜୀ ଓ ତୁମେ ମୋର ପରମ ବିଶ୍ୱସ୍ତ । ରାଧାକାନ୍ତଙ୍କୁ ବିଶ୍ୱାସ କରି ବର୍ତ୍ତମାନ ସେ ଫଳ ପାଇଲି ତାହା ମୋ ଜୀବନବ୍ୟାପୀ ରହିବ । ସେ ସ୍ନେହର ବଶବର୍ତ୍ତୀ ହୋଇ ରାଜ୍ୟର ଅମଙ୍ଗଳ ଭାବୁଛନ୍ତି । ଶ୍ୟାମସୁନ୍ଦରଙ୍କ ପ୍ରାଣଦଣ୍ଡ ଲାଗି ସେ ରଘୁନାଥ ରାଓଙ୍କ ସଙ୍ଗେ ମିଳିତ ହୋଇ ରାଜ୍ୟର ଅମଙ୍ଗଳ କରିବେ ବୋଲି ମୁଁ ସ୍ୱପ୍ନରେ ଭାବି ନଥିଲି ।’’

 

ତୁକାଜୀ ଧୀରେ ଧୀରେ କହିଲେ, ‘‘ମଣିମା, ରାଧାକାନ୍ତ ଶତ୍ରୁ ସଙ୍ଗେ ମିଳିତ ! ମୁଁ ଜଳକୁ କଠିନ ବୋଲି ବିଶ୍ୱାସ କରିପାରେ, ମଧୁମୟୀ ଚନ୍ଦ୍ରଜ୍ୟୋତ୍ସ୍ନାକୁ ଅଗ୍ନି କଣିକାଠାରୁ ଆହୁରି ପ୍ରଚଣ୍ଡ ମନେ କରିପାରେ; କିନ୍ତୁ ରାଧାକାନ୍ତଙ୍କ ପ୍ରତିଜ୍ଞା ଦୃଷ୍ଟିରେ ଏକଥା କଦାପି ବିଶ୍ୱାସ କରି ପାରିବ ନାହିଁ-। ଏହା ନିଶ୍ଚୟ ମିଥ୍ୟା । କେବଳ ମିଥ୍ୟା ନୁହେ, ରାଜ୍ୟହିତୈଷୀମାନଙ୍କ ପକ୍ଷେ ଏହା ବରାବର ଅସମ୍ଭବ । ଛାମୁ ନିଜର ଭ୍ରମ ସଂଶୋଧନ କରନ୍ତୁ ।’’

 

ରାଣୀଙ୍କ ଅଧରରେ ତାତ୍ସଲ୍ୟ ବ୍ୟଞ୍ଜକ କ୍ଷୀଣ ହାସ୍ୟ ଫୁଟି ଉଠିଲା । ସେ ଭ୍ରୁକ୍ଷେପ ନକଲା ପରି ହଠାତ ଖଣ୍ଡେ ପତ୍ର ତୁକାଜୀଙ୍କ ହାତକୁ ବଢ଼ାଇ ଦେଲେ । ତୁକାଜୀ ପାଠ କଲେ–

 

ରଘୁନାଥ ରାଓ ରାଧାକାନ୍ତ ରାଓକୁ ଆଶୀର୍ବଚନ ପୁରଃସର ଲେଖିବା ପତ୍ର ଏହି ଯେ, ତୁମେ ମୋର ପରମ ମିତ୍ର, ପରମ ବିଶ୍ୱାସୀ । ଯଶୋବନ୍ତ ରାଓ ପ୍ରଥମେ ତୁମ ରାଜ୍ୟ ଆକ୍ରମଣ କରିବା ଲାଗି ଅନୁରୋଧ କରିଥିଲେ । ମାତ୍ର ସେ ଚପଳମତି ଯୁବକ । ତାଙ୍କ କଥାରେ ମୋର ବିଶ୍ୱାସ ହେଲା ନାହିଁ । ତୁମେ କିନ୍ତୁ ରାଣୀଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସମ୍ମତ । କାରଣ ପୁତ୍ରବତ ଶ୍ୟାମସୁନ୍ଦରଙ୍କ ଅନ୍ୟାୟ ପ୍ରାଣଦଣ୍ଡ ତୁମ ଜୀବନରେ ବିଷମ ଆଘାତ ଦେଇଛି । ତୁମେ ତାର ପ୍ରତିହିଂସା ଚାହଁ । ଭୟନାହିଁ; ମୁଁ ବରାବର ତୁମକୁ ସାହାଯ୍ୟ କରିବି । ଇନ୍ଦୋରର ସମସ୍ତ ଗୁପ୍ତ ବିଷୟ ଶୀଘ୍ର ଜଣାଇଲେ ପେଶବା ତୁମ ପ୍ରତି ବିଶେଷ ସନ୍ତୁଷ୍ଟ ହେବେ ଏବଂ ରାଜଦରବାରରେ ତୁମକୁ ଉପଯୁକ୍ତ ସମ୍ମାନ ଦିଆଯିବ । ଇତି ।

 

ହିତାକାଂକ୍ଷୀ

ରଘୁନାଥ ରାଓ

 

ପତ୍ର ପାଠ ସଙ୍ଗେ ସଙ୍ଗେ ତୁକାଜୀ, ଶିବନାନା ଓ ଯଶୋବନ୍ତ ରାଓ ଘୃଣା, କ୍ରୋଧ ଓ ଅଭିମାନରେ ଜଳି ଉଠିଲେ । ରାଣୀ ସେମାନଙ୍କ ଅବସ୍ଥା ଦେଖି କହିଲେ, ‘‘ଏପରି ତ ଅନେକ ଲୋକ ଆମ ରାଜ୍ୟରେ ଅଛନ୍ତି । ବିସ୍ମିତ ହେବାର କାରଣ ନାହିଁ । ଯଶୋବନ୍ତ ରାଓ, ତୁମେ ବପନ କରିଥିବା କଳହ-ବୀଜ ବର୍ତ୍ତମାନ ମହାଦ୍ରୁମରୂପେ ଦଣ୍ଡାୟମାନ । ତୁମେ ସ୍ୱାଧୀନ ହେଲେହେଁ ତୁମଦ୍ୱାରା ଚାଳିତ ଦୁରାତ୍ମାଗଣ ଆହୁରି ଆୟତ୍ତ ହୋଇ ନାହାନ୍ତି । ଏ ସମସ୍ତ ଅନର୍ଥର କାରଣ ତୁମେ ନୁହଁ କି, ଯଶୋବନ୍ତ ?

 

‘‘ମଣିମା, ମୁଁ ଅବଶ୍ୟ ଏ ଦ୍ରୋହର ପଥପ୍ରଦର୍ଶକ । ମୋର ପ୍ରମାଦ ମାର୍ଜ୍ଜନା କରି ପୂର୍ବବତ୍‌ ମୋତେ ସ୍ନେହ ଦୃଷ୍ଟିରେ ଦେଖନ୍ତୁ । ମୁଁ ବର୍ତ୍ତମାନ ପାପର ଅନୁତାପରେ ଦଗ୍‌ଧ । ମୋ ପକ୍ଷେ ଏହାହିଁ ଯଥୋଚିତ ଶାସ୍ତି । ମୋର ଶପଥ, ମୁଁ କଦାପି ଜୀବନରେ ଆଉ ଛାମୁଙ୍କ ଆଦେଶ ଲଘଂନ କରିବି ନାହିଁ ।’’ ଅବନତ ମସ୍ତକରେ ଯଶୋବନ୍ତ ଏ ନିବେଦନ ଜଣାଇଲେ ।

 

‘‘ଆମ ରାଜ୍ୟରେ ବର୍ତ୍ତମାନ ଭୀଲ ଅତ୍ୟାଚାର ବଢ଼ିଛି । ଦୁଇ ଦିନ ତଳେ ଶେଆଜୀ ହୋଲକାର ନାମକ ଜଣେ ନୂତନ ରାଜାଙ୍କର ଅଭିଷେକ ଉତ୍ସବ ହୋଇ ଯାଇଛି । ଏ ଅନାମଧେୟ ମୋର ନିକଟ ସମ୍ପର୍କୀୟ ବୋଲି ପ୍ରଜାଙ୍କୁ ପ୍ରତାରିତ କରୁଛି । ଶେଆଜୀ ବୋଲି ମୋର ଜଣେ ଜ୍ଞାତି ଥିଲେ ସତ, କିନ୍ତୁ ସେ ବର୍ତ୍ତମାନ ଅମରଲୋକରେ । ଏ ନୂତନ ଶେଆଜୀ କିଏ ମୁଁ ଜାଣେ ନାହିଁ । ଭୀଲମାନେ ତା ପକ୍ଷରେ । ସେଥିଲାଗି ରାଜ୍ୟର ସ୍ଥାନେ ସ୍ଥାନେ ବିଦ୍ରୋହ, ଅତ୍ୟାଚାର, ଖଣ୍ଡଯୁଦ୍ଧ, ଅଶାନ୍ତି ଲାଗି ରହିଛି । ଯେ ଭୀଲମାନଙ୍କୁ ଆୟତ୍ତ କରି ସର୍ଦ୍ଦାର ଗଣ୍ଡାଭୀଲକୁ ମୋ ପାଖକୁ ଆଣି ରାଜ୍ୟର ଏ ଅଶାନ୍ତି ଦୂରୀଭୂତ କରି ପାରିବ, ମୁଁ ଶପଥ କରି କହୁଛି, ତାକୁ ନିଶ୍ଚୟ ଜ।ମ ତୃ ପଦରେ ବରଣ କରିବି । ତୁମେମାନେ ସମସ୍ତେ ରାଜ୍ୟର ହିତୈଷୀ, ପ୍ରଜାଗଣର ମଙ୍ଗଳକାମୀ । ବର୍ତ୍ତମାନ ଏ କର୍ପୂର, ତାମ୍ବୁଳ ଗ୍ରହଣ କରି ବୀର ବଂଶର ତଥା ଜନ୍ମଭୂମିର ଗୌରବ ରକ୍ଷା କର ।’’ ରାଣୀ ବଜ୍ରଗମ୍ଭୀର ନାଦରେ ଏ ବାଣୀ ଉଚ୍ଚାରଣ କଲେ ।

 

ସମବେତ ବୀରଗଣ ପରସ୍ପରର ମୁଖାବଲୋକନ କଲେ । ମାତ୍ର କେହି ହେଲେ ତାମ୍ବୁଳ ଗ୍ରହଣ କରିବାକୁ ସାହସୀ ହେଲେ ନାହିଁ । ଯୁବକ ଯଶୋବନ୍ତଙ୍କ ମୁଖମଣ୍ଡଳ ଅରୁଣ ବର୍ଣ୍ଣ ଧାରଣ କଲା । ସେ ନିଜର ଆତ୍ମଗୋପନ କରି ପ୍ରସନ୍ନ ବଦନରେ କହିଲେ, ‘‘ମଣିମା ବୀର-ପ୍ରାଣରେ ସ୍ନେହ, ମମତାର ସ୍ଥାନ ନାହିଁ; ଜୀବନ ମରଣର ଅବକାଶ ନାହିଁ । ଦେଶର ଗୌରବ ରକ୍ଷା ପାଇଁ ଆତ୍ମବଳି ଦିଏ ବୀର । ହୁଏତ ବିଜୟଶ୍ରୀ ଲାଭ କରି ଗୌରବରେ ଫେରି ଆସେ, ନଚେତ ଶେଷ ରକ୍ତ ଵିନ୍ଦୁକ ରଣକ୍ଷେତ୍ରରେ ଦାନ କରି ଅମର ହୁଏ । ଯଶୋବନ୍ତର ପଣ, ଭୀଷ୍ମ ପ୍ରତିଜ୍ଞା, ସେ ଭୀଲ ଗର୍ବ ଖର୍ବ କରିବ; ବିଜୟଶ୍ରୀ ଲାଭ କରି ସୁକୁମାରୀ ମୁକ୍ତ।ବାଈଙ୍କ ପାଣିପୀଡ଼ନ କରିବ--କିମ୍ବା ପରାସ୍ତ ହୋଇ ମୃତ୍ୟୁ ବରଣ କରି ସେହି ଅମର ଲୋକ ଲାଭ କରିବ । ଯାହାହେଉ ଏ ଦାସ ବର୍ତ୍ତମାନ ଏ ତାମ୍ବୁଳ ଗ୍ରହଣ କରୁଛି ।’’

 

ଶିବନାନା ଓ ତୁକାଜୀ ବିସ୍ମୟ ବିସ୍ଫାରିତ ନୟନରେ ଅନାଇ ରହିଲେ । ରାଣୀ କହିଲେ, ‘‘ଗଙ୍ଗାଧର, ତୁମେ ବୀର; ବୀରର କର୍ତ୍ତବ୍ୟ ବେଶ ବୁଝି ପାରିଛି । ବର୍ତ୍ତମାନ ମୋର ଚିରକାଳରୁ ଅଙ୍କୁରିତ ଅନୁରାଗ-ବୀଜ ଅଚିରେ ଫଳ ଲାଭ କରିବ । ମୁଁ ଏହି ଆଶାରେ ତୁମ ବାହୁବଳ ଉପରେ ନିର୍ଭର କରି ଲିମ୍ବପୁର ଯାତ୍ରା କରୁଛି । ଆଶା କରେ ମୁଁ ଫେରିଲା ବେଳକୁ ତୁମେ ଗଣ୍ଡାର ଗର୍ବ ଖର୍ବ କରି 'ଭୀଲଗଣ୍ଡ' ଉପାଧି ପାଇଥିବ । ଯାଅ ବୀର, ଜନ୍ମଭୂମି ପାଇଁ ପ୍ରାଣବଳି ଦିଅ । ଅତ୍ୟାଚାର ଓ ଅଶାନ୍ତିରୁ ରାଜ୍ୟ ରକ୍ଷା କର । ମୋର ଏହି ଆଶୀର୍ବାଦ ।’’

 

ଯଶୋବନ୍ତ ଅଭିବାଦନ ଜଣାଇ ଧୀରେ ଧୀରେ ନିଷ୍କ୍ର।ନ୍ତ ହେଲେ । ତାଙ୍କ ସହିତ ପାଞ୍ଚ ହଜାର ସୈନ୍ୟ ସେହିକ୍ଷଣି ଅରଣ୍ୟ ପ୍ରଦେଶକୁ ଯାତ୍ରା କଲେ ।

 

ଅନନ୍ତର ଅହଲ୍ୟା ଲିମ୍ବପୁର ଅବରୋଧ ବିଷୟରେ ମନ୍ତ୍ରଣା କରିବାକୁ ଲାଗିଲେ । ଠିକ ହେଲା ତୁକାଜୀ ଓ ଶିବନାନ। ସୈନ୍ୟ ଦଳ ସହିତ ପ୍ରଥମେ ଯାତ୍ରା କରିବେ । ତାଙ୍କ ପଛରେ ରାଣୀ ବଳକା ସୈନ୍ୟ ସହିତ ଚାଲିବେ । ସେମାନେ ଅଭିବାଦନ ଜଣାଇ ବିଦାୟ ନେଲେ । ପରମାସୁନ୍ଦରୀ ସୁକୁମାରୀ ମୁକ୍ତ।ବାଈ ଚିନ୍ତାଭୟ-ମୁକ୍ତ ହୃଦୟରେ ତାଙ୍କ ପ୍ରବାଳ ଵିନିନ୍ଦିତ ଅଧରରେ ମୃଦୁ ହାସ୍ୟ ଫୁଟାଇ ଦେଇ ରାଣୀଙ୍କର ସମ୍ମୁଖୀତ ହେଲେ । ରାଜକୁମାରୀଙ୍କ ଅବସ୍ଥାରେ ରାଣୀ ଆନନ୍ଦ ଅନୁଭବ କରି କହିଲେ, ‘‘ସବୁ ଶୁଣି ପାରିଛୁ ତ ମୁକ୍ତା ?’’ ମୁକ୍ତାବାଈ ଲଜ୍ଜାରେ ଅଧୋବଦନ ହେଲେ । ‘‘ତୋର ସବୁଦିନେ ଲଜ୍ଜା ଗଲା ନାହିଁ ‘‘ବୋଲି ରାଣୀ ତାଙ୍କୁ ଆଲିଙ୍ଗନ କରି ପକାଇଲେ । କିନ୍ତୁ ପରମୁହୂର୍ତ୍ତରେ ମୁକ୍ତାଙ୍କର ମୁଖର ଭାବ ପରିବର୍ତ୍ତିତ ହୋଇ ଯାଇଥିବାର ଦେଖି ଅହଲ୍ୟା ପ୍ରଶ୍ନ କଲେ, ‘‘ଏ କି ଭାବ ତୋର ମା ?’’ ମୁକ୍ତାବାଈ ଅଶ୍ରୁ ମୋଚନ କରି କହିଲେ, ‘‘ତୁମେ ମା ହୋଇ କନ୍ୟାର ସ୍ନେହମୟ ଅନୁରୋଧ ରକ୍ଷା କଲ ନାହିଁ । ଅଭାଗିନୀ ସୀତା ବର୍ତ୍ତମାନ ଅଶାନ୍ତିରେ ଭାସୁଛି-। ତୁମେ ରାଜ୍ୟ ରକ୍ଷା କରିବାକୁ ଯାଇ ତୁମ କନ୍ୟାର ମଙ୍ଗଳ କରିବା ଲାଗି ଯତ୍ନ କରୁନାହଁ ମା ? ଆଜି ଗୋଟିଏ ଶୁଭ ମୁହୂର୍ତ୍ତ । ଏ ସମୟରେ ହତଭାଗ୍ୟ ଶ୍ୟାମସୁନ୍ଦରଙ୍କୁ ମୁକ୍ତ କଲେ ସୀତା କେଡ଼େ ଆନନ୍ଦ ନହେବ । ମା, ମୋର ପ୍ରାର୍ଥନା ଗ୍ରହଣ କର । ସୀତା ଲାଗି ମୋ ହୃଦୟ କାନ୍ଦୁଛି । ତା ଦୁଃଖରେ ମୋ ଛାତି ଫାଟି ଯାଉଛି । ମୋ ମନରେ ସୁଖ ଶାନ୍ତି ନହେଲେ ତୁମକୁ ତ ଏ ସାରା ସଂସାର ବିଷମୟ ହୁଏ । ସୁତରାଂ ଏ ଦୁଃଖିନୀ ପ୍ରତି ଦୟା କରି ଶ୍ୟାମସୁନ୍ଦରଙ୍କୁ ମୁକ୍ତ କର ।’’

 

‘‘ମୂର୍ଖପରି ଏ କଥାଟାକୁ ଧରି ବସିଛୁ କାହିଁକି ? ହେଉ ତୋ ଲାଗି ତାକୁ ମୁଁ ଜୀବନ ଦାନ କଲି । ମାତ୍ର ସେ ମୋ ରାଜ୍ୟରେ ଆଉ ରହି ପାରିବି ନାହିଁ । ବର୍ତ୍ତମାନ ନିର୍ବାସନ ହୁକୁମ ଦେଉଛି । ଯା ମା, ତୁ ଆଉ ସୀତା ଲିମ୍ବପୁର ଯାତ୍ରାପାଇଁ ପ୍ରସ୍ତୁତ ହୁଅ ।

 

ଜେମ। ଆଶ୍ୱସ୍ତ ହୋଇ ଫେରିଲେ । ସେଦିନ ମଧ୍ୟାହ୍ନରେ ଶ୍ୟାମସୁନ୍ଦରକୁ ନିର୍ବାସିତ କରାଗଲା । ତୁକାଜୀ ଓ ଶିବନାନା ଯିବାର ଦୁଇ ଦିନ ପରେ ମହିଷାସୁରବଧ-ଉଦ୍ୟତ।-ମହାଶକ୍ତିଙ୍କ ପରି ରାଣୀ ଅହଲ୍ୟା ଚତୁରଙ୍ଗ ବଳ ସହିତ ଲିମ୍ବପୁର ଯାତ୍ରା କଲେ । ଚାରୁଣର ସଙ୍ଗୀତ ଗାନରେ ବିଜୟ ଭେରୀ ଓ ବାଦ୍ୟର ମନୋହର ତାନରେ ଦିଗନ୍ତ ଧ୍ୱନିତ ହେଲା ।

Image

 

ସପ୍ତଦଶ ପରିଚ୍ଛେଦ

ଅବରୋଧ

ହୋମୋଜୀ ରାଓଙ୍କ ଷଡ଼ଯନ୍ତ୍ର ଓ ମନ୍ତ୍ରଣା ବଳରେ ରାଜପୁତମାନେ ଲିମ୍ବପୁର ଦୁର୍ଗ ଅବରୋଧ କରିଥିଲେ । ଉଦୟପୁର ମହାରଣା ଥିଲେ ପ୍ରଧାନ ସେନାପତି; ରଣଚତୁର ଓ ମନ୍ତ୍ରଣାକାରୀ, କପଟର ଅବତାର ବେତାଳ ଓ ଭୈରବସିଂହଙ୍କ ପୂର୍ଣ୍ଣ ସାହାଯ୍ୟରେ ଇନ୍ଦୋରର ଗୁପ୍ତ ବିଷୟ, ଅହଲ୍ୟାଙ୍କ ପ୍ର।ୟାଣବାର୍ତ୍ତା, ଶ୍ରବଣ କରି ସେ ଆଦୌ ବିଚଳିତ ହେଲେ ନାହିଁ । ରାଜପୁତର ଗୌରବମୟ ଜାତୀୟ ପତାକା ଲିମ୍ବପୁର ଦୁର୍ଗରେ ସଗର୍ବେ ଉଡ଼ଡୀୟମାନ ହେଲା । ଠିକ ଦୁଇଦିନ ପରେ ସେମାନଙ୍କୁ ଭୀମବେଗରେ ଆକ୍ରମଣ କଲେ ତୁକାଜୀ ଓ ଶିବନାନା । ଉଭୟର ତୁମୂଳ ସଂଗ୍ରାମ ଫଳରେ ଲିମ୍ବପୁର ଅହଲ୍ୟାଙ୍କର ହସ୍ତଗତ ହେଲା, କିନ୍ତୁ ରାଜପୁତଗଣ ଦୁର୍ଗ ବାହାରେ ଶିବିର ସ୍ଥାପନ କରି ଶତ୍ରୁ ପ୍ରତୀକ୍ଷାରେ ରହିଲେ । ହୋମୋଜୀଙ୍କ ସହିତ ରାଜପୁତମାନେ ଚୁକ୍ତିଭଙ୍ଗ କରିବାରୁ ସେ ତାଙ୍କର ପ୍ରିୟ ସହଚର ବାମନଭଟ୍ଟଙ୍କ ହାତରେ ବେତାଳସିଂହଙ୍କଠାକୁ ପଠାଇଲେ । ରାଜପୁତମାନେ କିନ୍ତୁ ସ୍ୱୀକୃତ ଏକ ସହସ୍ର ସ୍ୱର୍ଣ୍ଣ ମୁଦ୍ରା ଦେଲେ ନାହିଁ । କପଟାଚାରୀ ଦୌଲତ ରାଓ ଯଶୋବନ୍ତଙ୍କର ଦୁରଭିସନ୍ଧି ବୁଝିପାରି ଶେଆଜୀ ଓ ଭୀଲମାନଙ୍କୁ ଅବିଶ୍ୱାସ କରି ରାଜପୁତମାନଙ୍କୁ ସାହାଯ୍ୟ କରିବା ପାଇଁ ରାଣୀଙ୍କ ଆଗମନ ପୂର୍ବରୁ ଲିମ୍ବପୁରରେ ପହଞ୍ଚିଲେ ।

 

ଅନ୍ତରର ରାଣୀ ଅହଲ୍ୟା ଲିମ୍ବପୁର ଅଭିମୁଖେ ଯାତ୍ରା କଲେ । ସଙ୍ଗରେ ବିରାଟ ବାହିନୀ-। ରାଣୀ ମଦମତ୍ତ ଗଜ ପୃଷ୍ଠରେ ଆସୀନା । ଦୁଇଟି ଶିବିକାରେ ସୀତା ଓ ମୁକ୍ତାବାଈ । ଚତୁର୍ଦ୍ଦିଗରେ ସୈନ୍ୟ ଦଳ । ମାର୍ଗ ମଧ୍ୟରେ ପ୍ରଜାବର୍ଗଙ୍କୁ ଅଭୟ ଦେଇ, ଭୀଲ ଅତ୍ୟାଚାର ଲାଗି ଯେପରି ବନ୍ଦୋବସ୍ତ କରାଯାଇଛି, ତାହା ଉତ୍ତମରୂପେ ବୁଝାଇ ଅହଲ୍ୟା ନିଜ ଗନ୍ତବ୍ୟ ପଥରେ ଚାଲିଲେ । ମୁକ୍ତା ଓ ସୀତା ପଲ୍ଲୀର ସେହି ମୁକ୍ତ ସୌନ୍ଦର୍ଯ୍ୟ, ଅସଭ୍ୟ ଅରଣ୍ୟବାସୀଙ୍କ ଗତିବିଧି, ବଣ୍ୟ ଜନ୍ତୁମାନଙ୍କର ଯାତାୟାତ, ଅରଣ୍ୟର ନାନା ପ୍ରକାର ଶୋଭା ରାଶି ଦର୍ଶନ କରି ବିଶେଷ ଆନନ୍ଦ ଅନୁଭବ କରୁଥିଲେ । ବାସ୍ତବିକ ଅନ୍ତଃପୁର ବାସିନୀ ଅସୂର୍ଯ୍ୟଂପଶ୍ୟା ରମଣୀ ପକ୍ଷେ ପ୍ରକୃତିର ମୁକ୍ତ ସୌନ୍ଦର୍ଯ୍ୟ ବଡ଼ ପ୍ରୀତିକର, ଅତି ଆମୋଦଦାୟକ । ତେଣୁ ଉଭୟେ ଶିବିକାର ଗବାକ୍ଷ ଦୁଇଟି ଉନ୍ମୁକ୍ତ କରି ସେହି ସୌନ୍ଦର୍ଯ୍ୟ ପ୍ରତି ମନ ପ୍ରାଣ ଢାଳି ଦେଇଥିଲେ ।

 

ଇନ୍ଦୋର ଛାଡ଼ିବାର ତିନିଦିନ ଅତୀତ ହୋଇ ଗଲାଣି । ସନ୍ଧ୍ୟା ସମୟରେ ଯାତ୍ରୀଦଳ ଗୋଟିଏ ସଂକୀର୍ଣ୍ଣ ବଣ୍ୟ ପଥରେ ଅଗ୍ରସର ହେଉଛନ୍ତି । ଏକାବେଳକେ ସମସ୍ତେ ସେହି ପଥରେ ଯିବା ବଡ଼ କଷ୍ଟକର । ସୁତରାଂ ସୈନିକବର୍ଗ ପିପପୀଲିକା ଶ୍ରେଣୀ ପରି ଜଣକ ପଛେ ଜଣେ ଅଗ୍ରସର ହେବାକୁ ଲାଗିଲେ । ସନ୍ଧ୍ୟାର ଘନ ଅନ୍ଧକାର ଧରଣୀମୁଖ ଅବଗୁଣ୍ଠନ କଲା । ସଙ୍ଗେ ସଙ୍ଗେ ଘନକୃଷ୍ଣ ବାରିଦ ମାଳାରେ ଗଗନମଣ୍ଡଳ ଆବୃତ ହୋଇଗଲା । ଚପଳାର ଚଞ୍ଚଳ ହାସ୍ୟ, ଘଡ଼ଘଡ଼ିର ଚମକରେ ଯାତ୍ରୀଦଳ ପ୍ରମାଦ ଗଣିଲେ, ଯୁବତୀମାନେ ଭୟାତୁର। ହୋଇ ପଡ଼ିଲେ । ପ୍ରବଳ-ପ୍ରଭଞ୍ଜନ ଯୋଗୁଁ ମଧ୍ୟ କେହି କାହାରି କଥା ଶୁଣି ପାରିଲେ ନାହିଁ ।

 

ହଠାତ ଦୁର୍ଦ୍ଦାନ୍ତ ଭୀଲଗଣ ଗିରି ନଦୀ ତୁଲ୍ୟ ମହାବେଗରେ ସେମାନଙ୍କୁ ଆକ୍ରମଣ କଲେ-। ଭୀଷଣାକୃତି ନୃଶଂସମାନଙ୍କୁ ଦେଖିବା ମାତ୍ରେ ମୁକ୍ତା ଓ ସୀତା କାନ୍ଦି ଉଠିଲେ । ପରିଚାରମାନେ ପ୍ରାଣ ଭୟରେ ଭୀଲମାନଙ୍କୁ ସର୍ବସ୍ୱ ଅର୍ପଣ କଲେ ମଧ୍ୟ ରକ୍ଷା ମିଳିଲା ନାହିଁ । ରାକ୍ଷସଗଣ ବଳାତ୍କାରରେ ସେମାନଙ୍କୁ କ୍ଷତବିକ୍ଷତ ବିକଳାଙ୍ଗ କରି ପକାଇଲେ । ମୁକ୍ତା ଓ ସୀତା 'ଚୋର, ଚୋର' ବୋଲି କେବଳ ଚିତ୍କାର କରି ସେହି ଶିବିକାରେ ଜ୍ଞାନଶୂନ୍ୟ ହୋଇ ପଡ଼ିଗଲେ । ଭୀଲମାନଙ୍କୁ ବାଧା ଦେବା ଲାଗି କେହି ନଥିଲେ । ରାଣୀ ଦୂରରେ ଥିବାରୁ, ବାୟୁବେଗରେ ମଧ୍ୟ ଏ କଥା ଜାଣି ପାରିଲେ ନାହିଁ । ଭୀଲମାନେ ତଣ୍ଡୁଳ ପ୍ରଭୃତି ଆହାର୍ଯ୍ୟ ବସ ନିଜ ବାହକକୁ ଦେଇ ଶିବିକା ନିକଟରେ ପହଞ୍ଚିଲେ । ଗଣ୍ଡାର ଭୀଷଣ ମୂର୍ତ୍ତି ଦେଖି ମୁକ୍ତା ଓ ସୀତା ଭୟରେ କାନ୍ଦି ଉଠି ମୂର୍ଛିତା । ଲୁଣ୍ଠନପ୍ରିୟ ହରିହର ଯୁବତୀଦ୍ୱୟଙ୍କଠାରୁ ଅମୂଲ୍ୟ ରତ୍ନାଭରଣ ଓ ଅନ୍ୟାନ୍ୟ ଅଳଙ୍କାରମାନ ଛଡ଼ାଇ ନେଇ ଯେ ସନ୍ତୋଷ, ଆନନ୍ଦ ଲାଭ କଲେ ତାହା ବଚନାତୀତ । ‘‘ନା, ନା, ଏ ନୁହେ ସେ,’’ ‘‘ନା, ନ।, ସେ ନୁହେ ତ ।’’ ‘‘ଏଇ ତ ଜେମା’’, ଏପରି ଭୀଲଙ୍କ ମଧ୍ୟରେ ଯୁକ୍ତି ତର୍କ ବିବାଦ ଚାଲିଥାଏ । ହରିହର ଆନନ୍ଦରେ ତନ୍ମୟ । ତାଙ୍କୁ ତ ଆଉ ବାଟ ଦିଶୁ ନଥାଏ;ସେ ଆଜି ପ୍ରଚୁର ସମ୍ପତ୍ତି ପାଇଛନ୍ତି । ହଠାତ ଗୋଟିଏ ଶିବିକାକୁ ସଙ୍କେତ କରିବା ମାତ୍ରେ ଭୀଲମାନେ ତାହା ବିଦ୍ୟୁତବେଗରେ ଘେନି ପ୍ରସ୍ଥାନ କଲେ । ରାଣୀ ଏ ସମ୍ବାଦ ପାଇ ଘଟନା ସ୍ଥଳରେ ଉପନୀତ ହେଲେ । କନ୍ୟା ଅପହୃତା ମନେ କରି ରାଣୀଙ୍କର ହୃଦୟ ବିଦୀର୍ଣ୍ଣ ହେବାକୁ ଲାଗିଲା ସେ ଅପର ଶିବିକା ନିକଟକୁ ଯାଇ ବ।ସ୍ପାକୁଳ କଣ୍ଠରେ ଡାକିଲେ ‘‘ସୀତା, ସୀତା, ଉଠି ଆ । ତୋ ସଖୀ ବର୍ତ୍ତମାନ ଭୀଲ ହାତରେ ପଡ଼ିଛି ।’’

 

‘‘ଭୀଲମାନେ ସେହି ଦସ୍ୟୁ ତେବେ ? ମୋ ସଖିକି ନେଇ ଚାଲିଗଲେ ! ଆହା, ସୀତା, ମୋ ଜୀବନ ସଙ୍ଗିନୀ’’ ବୋଲି କହି କହି ମୁକ୍ତାବାଈ ଅହଲ୍ୟାଙ୍କ କଣ୍ଠାଲିଙ୍ଗନ କରି ବିଳାପ କରିବାକୁ ଲାଗିଲେ । ‘‘ତୁ ତେବେ ମୋ ମୁକ୍ତା ! ଦସ୍ୟୁମାନେ ବିଚାରୀ ସୀତାକୁ ନେଇ ଗଲେ ! ହେଉ ମା, ଭୟ ନାହିଁ । ସୀତାକୁ ଖୋଜାଇ ଆଣିବି । ଧୈର୍ଯ୍ୟ ଧର; ବିଳାପ କରନା । ଶରୀରକୁ ପୀଡ଼ାଦେନା ମା ।’’ ଏହିପରି କହି ଅହଲ୍ୟା ମୁକ୍ତାବାଈଙ୍କ ମସ୍ତକ ଆଘ୍ରାଣ କରି ପକାଇଲେ । ପୁଣି ଆଶ୍ୱାସନା ଦେଇ ମୁକ୍ତାଙ୍କ ସହିତ ଗଜାରୋହଣ କରି ଯାତ୍ରା କଲେ ।

 

ମାର୍ଗରେ ମୁକ୍ତାବାଈ ସୀତାକୁ ମନେ ପକାଇ କାନ୍ଦିଲେ; କହିଲେ, ‘‘ମାଆ, ଆଉ ସୀତାକୁ ଦେଖି ପାରିବି ନାହିଁ ? ଆହା, ତାର କି ସୁନ୍ଦର କଥା, କି ମନୋରମ ବାକଚାତୁରୀ ! ତାର ସେହି ଢଳ ଢଳ ହସଭର। ମୁହଁଟିରେ ଯେପରି ଅମୃତ ପୂରି ରହିଥିଲା । ତାକୁ ମୁଁ ଭୁଲି ପାରୁନି ମ, ସୀତା ତ ମୋ ମନରୁ ଯାଉନାହିଁ । ତାକୁ ଦେଖେ ମୁଁ ଠିକ ଭଉଣୀ ପରି । ମା, ସେ ମୋ ଦାସୀ ନୁହେ । ହାୟ, ସୁକୁମାରୀ ସୀତା କଅଣ ଆଉ ବଞ୍ଚିବ ? ରାକ୍ଷସ ଭୀଲମାନେ ତ ତାକୁ ନିଶ୍ଚୟ ବଳି ଦେଇଦେବେ ।’’ ରାଣୀ ସମବେଦନା ପ୍ରକାଶ କରି କହିଲେ, ‘‘ମାଆ, ଆଉ କ।ନ୍ଦନା । ସୀତା ଲାଗି କିଆଁ ଚିନ୍ତା କରୁଛୁ ? ତାକୁ ନିଶ୍ଚୟ ଖୋଜିବାର ବନ୍ଦୋବସ୍ତ କରିବି । ଯଶୋବନ୍ତଙ୍କୁ ସୀତାର ଅନୁସନ୍ଧାନରେ ରହିବା ଲାଗି ପତ୍ର ଦେଉଛି ।’’

 

କ୍ରମେ ରାଣୀ ଲିମ୍ବପୁରର ସମୀପବର୍ତ୍ତୀ ହେଲେ । ରାଣୀଙ୍କ ଆଗମନ ବାର୍ତ୍ତା ପ୍ରଚାରିତ ହୁଅନ୍ତେ ତୁକାଜୀ ଓ ଶିବନାନା ତାଙ୍କୁ ପରମ ଭକ୍ତିରେ ଅଭ୍ୟର୍ଥନା କରି ଘେନି ଆସିଲେ । ନିର୍ଦ୍ଦିଷ୍ଟ ତମ୍ବୁରେ ରାଣୀଙ୍କର ରହିବାର ସ୍ଥିର ହେଲା । ତାଙ୍କ ଦେହ ରକ୍ଷା ଲାଗି ଦେଢ଼ ଶତ ବଳିଷ୍ଠ ସୈନିକ ଜଗି ରହିଲେ । ଶିବନାନା କହିଲେ ‘‘ମଣିମା ଆମ୍ଭେମାନେ ଚାରି ଦିନ ହେଲା ଏଠାକୁ ଆସିଲୁଁ । ମୁଁ ଓ ତୁକାଜୀ ପ୍ରାଣପଣ ଯତ୍ନ କରି ଦୁର୍ଗ ଅବରୋଧ କରିଛୁ । ଅକ୍ଳେଶରେ ଦୁର୍ଗଟି ଆମ୍ଭେମାନଙ୍କ ହସ୍ତଗତ ହୋଇ ପାରିବ । ଅଙ୍ଗ ରକ୍ଷୀମାନଙ୍କ ମଧ୍ୟରେ ପଚାଶ ଜଣ ଯବନ । ଏମାନଙ୍କୁ ଯବନ ବୋଲି ଘୃଣା କରିବେ ନାହିଁ । ହିନ୍ଦୁମାନଙ୍କ ଅପେକ୍ଷା ଏମାନେ ଢେର ବିଶ୍ୱାସୀ, ଅତି ରାଜଭକ୍ତ । ଜାମାନ ଖାଁଙ୍କ ସାହସ ଅତୁଳନୀୟ । ଯୁଦ୍ଧ ପ୍ରଣାଳୀ ମଧ୍ୟ ଅତି ଚମତ୍କାର । ପ୍ରଥମରୁ ଯବନ ବୀର ଏଠାରେ ଥିଲେ ଛାମୁଙ୍କୁ ଏତେ ଶ୍ରମସ୍ଵୀକାର କରିବାକୁ ପଡ଼ି ନଥାନ୍ତା ।’’ ଏପରି କହିସାରି ଶିବନାନା ଜମାନ ଖାଁଙ୍କୁ ପରିଚୟ କରାଇ ଦେଲେ । ରାଣୀ ଆହ୍ଲାଦରେ ଜମାନ ଖାଁଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କରି ଅବରୋଧ କରିବା ଲାଗି ଆଦେଶ ଦେଲେ ।

 

ମହାରାଷ୍ଟ୍ର–ଆଗ୍ନେୟାସ୍ତ୍ର ଧ୍ୱନିତ ହେଲା । ଲିମ୍ବପୁର ଦୁର୍ଗ ପ୍ରାଚୀର ଭଗ୍ନ କରିବା ପାଇଁ ସମସ୍ତେ ଲାଗି ପଡ଼ିଲେ । ରାଣୀ ମଧ୍ୟ ଅବିରତ ଭଲ୍ଲ ହସ୍ତରେ, କେତେବେଳେ ଅଶ୍ୱ ପୃଷ୍ଠରେ ଆରୂଢ଼ ହୋଇ ଉତ୍ସାହ ବାଣୀରେ ସୈନିକବର୍ଗଙ୍କୁ ଉଦ୍‌ବୁଦ୍ଧ କରିବାକୁ ଲାଗିଲେ । କ୍ରମେ ଏହିପରି ଅବରୋଧ ଚାଲିଲା । ଦିନେ ମୁକ୍ତାବାଈ ଓ ଅହଲ୍ୟା ଶିବିର ମଧ୍ୟରେ ସୀତା ଲାଗି ଚିନ୍ତା କରୁଛନ୍ତି, ଏତିକିବେଳେ ଜମାନ ଖାଁର କଠୋର କଣ୍ଠଧ୍ୱନି ଶୁଣାଗଲା । ରାଣୀ ଜଣେ ସୈନିକକୁ ଏହାର କାରଣ ପଚାରିଲେ । ସୈନିକ ଅଭିବାଦନ ଜଣ।ଇଁ କହିଲା ‘‘ମଣିମା, ଜଣେ ସ୍ତ୍ରୀ ଛାମୁଙ୍କୁ ଦର୍ଶନ ଅପେକ୍ଷାରେ । ଯୁଦ୍ଧବେଳେ କୌଣସି ଅପରିଚିତ ସ୍ତ୍ରୀ କିମ୍ବା ପୁରୁଷ ଏଠାକୁ ଆସିବା ଅନୁଚିତ ବୋଲି ଜମାନ ଖାଁ ତାର ଗତିରୋଧ କରୁଛନ୍ତି ।’’ କ୍ଷୀଣ ହାସ୍ୟ ପରେ ଅହଲ୍ୟା କହିଲେ, ‘‘ସ୍ତ୍ରୀକୁ ଛାଡ଼ିଲେ କ୍ଷତି କଣ ? ସେ ଏଠାକୁ ଆସୁ । ତାକୁ ମନା କରନା । ଯାଅ, ଜମାନକୁ ମୋର ଆଦେଶ ଶୁଣାଇ ଦିଅ ।’’

 

ଆଦେଶ କ୍ରମେ ଜମାନ ଖାଁ ତାକୁ ଭିତରକୁ ଛାଡ଼ି ଦେଲେ । ଜଣେ ପ୍ରୌଢ଼ା ରମଣୀ ରାଣୀଙ୍କୁ ଅଭିବାଦନ କରି କହିଲା ‘‘ମଣିମା, ମୋ ଗୁହାରୀ ଶୁଣନ୍ତୁ । ମୁଁ ଏଇ ଲିମ୍ବପୁରବାସିନୀ । ଶିବନାନା ମୋ ପୁଅକୁ ବନ୍ଦୀ କରିଛନ୍ତି । ମୋତେ ଆହୁରି ଦଣ୍ଡ ଦେବେ ବୋଲି ମଧ୍ୟ ଭୟ ଦେଖାଉଛନ୍ତି । ମା, ମୁଁ ନିରାଶ୍ରୟ -- ମୋତେ ରକ୍ଷା କରନ୍ତୁ । ଅହଲ୍ୟା କହିଲେ,’’ ଶିବନାନା ଅକାରଣରେ ଏପରି କରି ନଥିବ । ଆଛା, ତୁମେ ବର୍ତ୍ତମାନ ଏଠାରେ ରହ । ପରେ ତୁମ କଥା ବୁଝାଯିବ । ଏଠାରେ ଥିବା ପର୍ଯ୍ୟନ୍ତ ତୁମର ବା ତୁମ ପୁତ୍ରର କିଛି କ୍ଷତି ହେବ ନାହିଁ ।’’ କ୍ରମେ ରାତ୍ରି ହୋଇ ଆସିଲା । ସମସ୍ତେ ବିଶ୍ରାମ ନେଲେ । କେବଳ ପ୍ରହରୀର ଚିତ୍କାର ଶୁଣାଗଲା ।

Image

 

ଅଷ୍ଟାଦଶ ପରିଚ୍ଛେଦ

କେଶରୀ ଗୃହରେ କୁରଙ୍ଗୀ

ଋତୁରାଜ ବସନ୍ତର ସମାଗମ । ମୃଦୁ-ମଳୟାନୀଳ ଚତୁର୍ଦ୍ଦିଗରେ ଖେଳି ବୁଲୁଛି । ପୁଷ୍ପରାଶିର ପ୍ରୀତିକର ସୌରଭ, ମଧୁମକ୍ଷିକାଗଣ୍ଠର ମନୋରମ ଗୁଞ୍ଜନ, ବସନ୍ତ ଦୂତ ପିକର ସୁଲଳିତ ପଞ୍ଚମ ତାନରେ ବନଭୂମି ନିନାଦିତ । ଶେଆଜୀ ହୋଲକାର ଆଜି ବସନ୍ତର ନବ ଉନ୍ମାଦନାରେ ଦରବାର ସଜାଇ ବସିଛନ୍ତି । ମନ୍ଦ ମନ୍ଦ ବସନ୍ତ ପବନରେ ତାଙ୍କର ଶ୍ରମ ନିବାରିତ ହେଉଛି । ସେ ବିଜୟା ସେବନ ପରେ ତାର ମାଦକତା ଅନୁଭବ କରି ନିକଟସ୍ଥ ବାଳକକୁ କହିଲେ, ‘‘ବେଶ, ତୁ ବଡ଼ ଭଲ ପିଲା । ତୋ ନାଁ କଅଣଟି ? ଭୁଲି ଯାଇଛି । ପାଜି ନା-ନୁହେଁ ?’’ ବାଳକ ମନେ ମନେ ଘୃଣା କରି କହିଲା, ‘‘ମୋ ନାମ ବାଜି ରାଓ-ବାଜି, ବାଜି ନୁହେଁ ।’’ ଶେଆଜୀ ଆଉ କଣ ପ୍ରଶ୍ନ କରିବାକୁ ଉଦ୍ୟତ ହେଲାବେଳକୁ ଗଣ୍ଡାଭୀଲ ଓ ହରିହର ସେଠାରେ ଉପନୀତ ହେଲେ । ବାଜି ରାଓକୁ ବାହାର କରି ଦେଇ ଶେଆଜୀ ପ୍ରଶ୍ନ କଲେ ‘‘କି ଅଭିପ୍ରାୟରେ ଆସିଲ ?’’ ହରିହର କହିଲେ,’’ମହାରାଜ, ଜାଣିଥିବେ ମୁକ୍ତାବାଈ ପ୍ରତି ଅହଲ୍ୟାଙ୍କର କି ସ୍ନେହ, କେଡ଼େ ଲୋଭ ! ଆଜି ଆମ୍ଭେମାନେ ତାଙ୍କୁ ଅପହରଣ କରି ଆଣିଛୁ । ଏଣିକି ରାଜ୍ୟ ଆମର । କନ୍ୟା ଲୋଭରେ ଅହଲ୍ୟା ନିଶ୍ଚୟ ଆମ୍ଭମାନଙ୍କର ଅଭୟ ପ୍ରାର୍ଥନା କରିବ । ଆବଶ୍ୟକ ହେଲେ ମହାରାଜ ସେ ମୁକ୍ତାବାଈକି ବିବାହ କରି ପାରନ୍ତି ।’’ ‘‘କାହିଁ ମୋର ପ୍ରିୟା, ପ୍ରାଣେଶ୍ୱରୀ’’ ବୋଲି ଶେଆଜୀ ଚିତ୍କାର କରି ଉଠିଲେ-। ହଠାତ ସିଂହାସନ ତ୍ୟାଗ କରି ତମ୍ବୁର ଦ୍ୱାର ଦେଶକୁ ଧାଇଁ ଗଲେ । ଗଣ୍ଡାଭୀଲ ଶୀଘ୍ର ଶିବିକା ଆଣିବା ଲାଗି ଆଦେଶ ଦେଲା । ବାହକଗଣ ହୋଲକାରଙ୍କ ସମୀପରେ ଶିବିକାଟିକୁ ଥୋଇ ଦେଲେ । 'ଅରଣ୍ୟ ସର୍ଦ୍ଦାର' ଗଣ୍ଡା ଦୀର୍ଘ ସ୍ୱରରେ କହିଲା, ‘‘ହୋଲକାର ତୁମ ପାଇଁ ଚାହିଁ ରହିଛନ୍ତି । ତୁମେ ତାଙ୍କ ଅନୁରାଗ ଭୁଲିଯାଇ ପିତୁଳା ପରି କିଆଁ ଠିଆ ହୋଇ ରହିଛ ? ଶୀଘ୍ର ବାହାରକୁ ଆସ-।’’

 

ଯୁବତୀ ଦୀର୍ଘନିଶ୍ୱାସ ତ୍ୟାଗ କରି ନୀରବ । ନିଷ୍ଠୁର ଗଣ୍ଡା କିନ୍ତୁ ତାଙ୍କ ମୃଣାଳ-କୋମଳ-କର--ଯୁଗଳକୁ ଧରି ଟାଣି ଆଣିଲା । ଭୀଲର ସେହି କର୍କଶ ପୀଡ଼ନ ଫଳରେ ଯୁବତୀ କେବଳ କରୁଣ ଭାବରେ ଚିତ୍କାର କରି ଉଠିଲା ‘‘ମା, ମରିଗଲି ।’’ ଶେଆଜୀଙ୍କ ଶରୀର ପୁଲକିତ ହୋଇଗଲା । ସେ ସେହି ଅରୂପ ଲାବଣ୍ୟବତୀକୁ ଦେଖିବା ମାତ୍ରେ ଅବଗୁଣ୍ଠନ ମୋଚନ ନିମିତ୍ତ ଆଦେଶ ଦେଲେ । ଗଣ୍ଡାଭୀଲ ବଳପୂର୍ବକ ଯୁବତୀର ମୁଖାବରଣ ଉଠାଇ ଦେଲା । ମେଘ ଅନ୍ତରାଳରୁ ଚମକିତା ବିଦ୍ୟୁଲ୍ଲତା ପରି, ଶାପଭ୍ରଷ୍ଟ ଅପସରା ତୁଲ୍ୟ, ସଦ୍ୟଜାତ ପୂର୍ଣ୍ଣଚନ୍ଦ୍ରବିମ୍ବ ସଦୃଶ୍ୟ ସେହି ସୁକୁମାରୀ ଦଣ୍ଡାୟମାନ ହେବ ମାତ୍ରେ ବୃଦ୍ଧ ହରିହର ଓ ଶୃଙ୍ଗାରରସ- ଜ୍ଞାନହୀନ ମୂର୍ଖ ଭୀଲ ମୁଗଧ ହେବା ସ୍ଥଳେ ନାଗରିକ ଯୁବକର ଅବସ୍ଥା ଯେ କଣ ହୋଇପାରେ ତାହା ପାଠକ ମାତ୍ରେ ଅନୁମାନ କରନ୍ତୁ-- ବର୍ଣ୍ଣନା ନିଷ୍ପ୍ରୟୋଜନ । ଯୁବତୀ ଲଜ୍ଜାରେ ଅନ୍ୟ ଦିଗକୁ ମୁଖ ବୁଲାଇ ଦେଲା । ସେମାନେ କେବଳ ଆଶ୍ଚର୍ଯ୍ୟ ହୋଇ ନିରୀକ୍ଷଣ କରିବାକୁ ଲାଗିଲେ । ଶେଆଜୀ କହିଲେ, ‘‘ହରିହର ଏ ମୁକ୍ତା ନୁହନ୍ତି । ମୁଁ ମୁକ୍ତାଙ୍କୁ ଭଲରକମ ଜାଣେ । ଏ ସୁନ୍ଦରୀର ନାମ ଯଦିଓ ମୋତେ ଜଣା ନାହିଁ, ତଥାପି ଏ ମୋର ଅପରିଚିତା ନୁହନ୍ତି । ଆଛା, ସୁନ୍ଦରୀ ତୁମେ କିଏ ?’’ ଯୁବତୀ ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଉତ୍ସୁକ ନଥିଲେହେଁ ମୁକ୍ତାବାଈଙ୍କ ପ୍ରତୀକ୍ଷାରେ କାଳେ ମୋତେ ମୁକ୍ତକରି ଦିଅନ୍ତି ଏ ଆଶାରେ କହିଲେ ‘‘ମୁଁ ମୁକ୍ତା ନୁହେଁ । ମୋ ନାମ ସୀତା । ମୁଁ ମୁକ୍ତାଙ୍କର ଦାସୀ । ଦୟା କରି ମୋତେ ମୁକ୍ତି ଦିଅନ୍ତୁ । ମହାରାଜ, ଆପଣ ରାଜା, ଉନ୍ନତ ଗୁଣବାନ ଯୁବକ । ଆପଣଙ୍କ ପକ୍ଷେ ମୋ ଭଳି ଦାସୀ ସହବାସ କଦାପି ସୁନ୍ଦର ନୁହେଁ ।’’ ତାର ବଚନ ମାଧୁରୀ ଶୁଣି ଶେଆଜୀ କହିଲେ ‘‘ସୁନ୍ଦରୀ, ପୁନାର ସେ ଦେବାଳୟ ଗମନ ମନେ ଅଛି ନ।, ମୁଁ ଯେତେବେଳେ ତୋ କୋମଳ କରପଲ୍ଲବ ପୀଡ଼ନ କରିଥିଲି ? ତୋର ସେହି ଭତ୍ସନା ଆଜି ହୃଦୟର ପ୍ରତି ତନ୍ତ୍ରୀରେ ଧ୍ୱନିତ ହେଉଛି । ବର୍ତ୍ତମାନ ଆଉ ସମୟ ନାହିଁ । ବହୁଦିନର ଆଶା ଆକାଙ୍‌କ୍ଷା ଆଜି ପୂର୍ଣ୍ଣ ହେବା ଉପରେ-। ବର୍ତ୍ତମାନ ତୁମେ ଏହି ନାରୀଆକ୍ରମଣକାରୀ ପାଷାଣ୍ଡର ପାଣିପୀଡ଼ନକର ।’’

 

ହତଭ।ଗିନୀ ସୀତା ଭାଗ୍ୟକୁ ଆଦରି ନୀରବ ହେଲା । ସେହିକ୍ଷଣି ଶେଆଜୀ ବିବାହ ଆୟୋଜନ ଲାଗି ଆଦେଶ ଦେଲେ । ଗଣ୍ଡାଭୀଲ ଶୀଘ୍ର ଭୋଜନ ସାମଗ୍ରୀ ଆହରଣ କରିବା ପାଇଁ ଅନୁଚରମାନଙ୍କୁ ଆଦେଶ ଦେଲା । ଏହି ଆୟୋଜନରେ ହରିହର ଏକମତ ନଥିଲେ ସତ୍ୟ, କିନ୍ତୁ ସେ ତାହା ଅପ୍ରକାଶ୍ୟ ରଖିଲେ । ସେହେତୁ ବର୍ତ୍ତମାନ ବିବାହ ଲାଗି ଶୁଭ ମୁହୂର୍ତ୍ତ ନାହିଁ ବୋଲି ଜଣାଇ ଦେଲେ । କୋମଳାଙ୍ଗୀ କୁରଙ୍ଗୀ ଆଜି କେଶରୀ ଦଳରେ ବନ୍ଦିନୀ ।

 

କାହିଁ ଇନ୍ଦୋରର ରାଜସୌଧ, ମୁକ୍ତ।ବାଈଙ୍କର ମନୋହର ବାକ୍ୟାଳାପ–ଆଜି ପୁଣି ରାକ୍ଷସ ଗଣ୍ଡାଭୀଲର ଆକ୍ରମଣ ! ପିଶାଚ ଶେଆଜୀର ସତୀତ୍ୱ ଅପହରଣ ଉପାୟ । ହାୟ ! –ସୀତା ତାର ଭବିଷ୍ୟତ ଜୀବନ ଚିନ୍ତାରେ ମଗ୍ନରହି ସେହି ତମ୍ବୁ ମଧ୍ୟରେ ବିଳାପ କରି କରି ନିଦ୍ରିତ ହୋଇ ପଡ଼ିଲା । ଦ୍ୱାରଦେଶରେ ଚାରିଜଣ ଭୀଲଯୋଦ୍ଧ। ପ୍ରହରୀ କାର୍ଯ୍ୟରେ ନିଯୁକ୍ତ ହେଲେ ।

 

ସୀତା ଆସିବାବେଳୁ ବାଜିରାଓ ତମ୍ବୁର ଅପରପାର୍ଶ୍ୱରେ ଯୁବତୀକୁ ଅନାଇଁ ରହିଥିଲା । ସୀତାକୁ ଦେଖିବା ମାତ୍ରେ ତା ମନରେ କି ଭାବ ଉଦ୍ରେକ ହେଲା କେଜାଣି ସେ ଅଶ୍ରୁପ।ତ ନକରି ରହିପାରିଲା ନାହିଁ । ମନୋବେଦନା ବୃଦ୍ଧି ସଙ୍ଗେ ସଙ୍ଗେ ବାଳକ ଭାବିଲା, ‘‘ହଁ ଦୈବ ! ଆମ ଦୁହିଁଙ୍କର ଏ କି ଦୁର୍ଦ୍ଦଶା !’’ କହୁ କହୁ ଅବାରିତ ଗତିରେ ଅଶ୍ରୁ ତାର ବକ୍ଷସ୍ଥଳ ସିକ୍ତ କରିଦେଲା । ହାୟ, ହତଭାଗ୍ୟର ଅଶ୍ରୁବ୍ୟତୀତ ଆଉ କିଏ ସମ୍ବଳ ଅଛି ? ବେଦନାଗ୍ରସ୍ତ ଭାରାକ୍ରାନ୍ତ ହୃଦୟରେ ବାଜିରାଓ ବାରମ୍ବାର ସେହି ତମ୍ବୁ ନିକଟକୁ ଗଲା ଥରେ ସୀତା ସଙ୍ଗେ ସାକ୍ଷାତ କରି ବହୁଦିନର ଦୁଃଖ ଉପଶମ କରିବ; କିନ୍ତୁ ହାୟ, ଭୀଲ ପ୍ରହରୀ ତାକୁ ଏ ସୁବିଧା ଦେଲା ନାହିଁ । ମନ ଦୁଃଖରେ ବାଜିରାଓ ଫେରିଆସିଲା ।

 

ବନ୍ଦିହେବା ଦିନରୁ ସୀତାର ସୁଖଶାନ୍ତି ଏକାବେଳକେ ଲୋପ ପାଇଗଲା । ସେ ଭବିଷ୍ୟତ ଜୀବନର ଭୀଷଣ ଚିତ୍ରରାଶି ଉପଲବ୍ଧ କରି କହିଲା, ‘‘ମା ଭବାନି, ମଙ୍ଗଳମୟୀ ବିପଦବାରୀଣି, ତୋର ଏ କି କୃତ୍ୟ ମା । ଜୀବନରେ ଏ ଅଧିନା ଯାହାକୁ ଘୃଣା କରେ, ଯାର ମସ୍ତକରେ ପଦାଘାତ କରିବାକୁ କୁଣ୍ଠିତ। ନୁହେ ଆଜି ସେହି ନର ପିଶାଚ ରାଜଦ୍ରୋହୀ କାପୁରୁଷମାନଙ୍କ ହାତରେ ବନ୍ଦିନୀ-। ତୋ ମଙ୍ଗଳମୟ ବିଧାନର ଏ କଣ ତେବେ ଶୁଭ ସୂଚନା ? ଜୀବନ ଅପେକ୍ଷା ରମଣୀର ସତୀତ୍ୱ, ପତିବ୍ରତ୍ୟ କିପରି ମହୀୟାନ ସେ ବିଷୟରେ ଆଉ ଅଧିକ କଣ ପ୍ରାର୍ଥନା କରିବି ? ରକ୍ଷାକର ମଙ୍ଗଳମୟୀ, ଏ ଘୋର ସଙ୍କଟରେ ତୁ ମୋର ଏକମାତ୍ରସାହାଯ୍ୟକାରିଣୀ, ସଙ୍କଟତାରିଣୀ ।’’

 

ସୀତା ଏହିପରି ଆତ୍ମ ନିବେଦନ ଜଣାଇ ବିଳାପ କରିବାକୁ ଲାଗିଲା । ପ୍ରତିଜ୍ଞା କଲା, ଯେତେଦିନ ପର୍ଯ୍ୟନ୍ତ ସେ ଏ ରାକ୍ଷସମାନଙ୍କ କବଳରୁ ମୁକ୍ତ ନ ହୋଇଛି ସେତେଦିନଯାଏ ଅନ୍ନ ଜଳ ଗ୍ରହଣ କରିବ ନାହିଁ ।

 

ମଦନ ଶରାହତ ଶେଆଜୀ ସୀତାର ସେହି ମୁଖମଣ୍ଡଳ ସ୍ମରଣକରି ବାରବାର ତମ୍ବୁ ନିକଟକୁ ଗଲେ ମଧ୍ୟ ଭୀଲ ପ୍ରହାରୀମାନଙ୍କ ଭୟରେ ଫେରି ଆସୁଥିଲେ । ହରିହର ପାଣ୍ଡିଆଜୀ ବୃଦ୍ଧ ହେଲେହେଁ ଯୁବକବତ୍‌ ସୀତାଲାଭ ଅଭିପ୍ରାୟରେ ଷଡ଼ଯନ୍ତ୍ର କରୁଥିଲେ । ଏହିପରି ଶେଆଜୀଙ୍କୁ ହରିହର ଓ ହରିହରକୁ ଶେଆଜୀ ଭୟକରି ଉଭୟେ ଉଭୟେ ଉଭୟର ପ୍ରସ୍ତାବ ଗୋପନରଖି ପରସ୍ପର ଇର୍ଷାନ୍ଵିତ ହୋଇ ଉଠିଲେ । ସେହିଦିନ ରାତ୍ରି ସନ୍ଧ୍ୟାଠାରୁ ପ୍ରାୟ ଶେଷ ଯାମ ପର୍ଯ୍ୟନ୍ତ ହରିହର ଓ ଶେଆଜୀ ସୀତାସହିତ ସମ୍ଭାଷଣ କରିବେ ବୋଲି ବହୁ ଚେଷ୍ଟା କରି ଉଭୟେ ଉଭୟ ଯୋଗୁ ବିଫଳ ମନୋରଥ ହେଲେ । ଯେତେବେଳେ ପ୍ର।ଚୀଦେଶରେ ପ୍ରଭାତୀୟ ମଧୁମୟ ହାସ୍ୟ ଫୁଟି ଉଠିଲା, ପ୍ରଭାତ ସମୀରଣ ମୃଦୁମନ୍ଦ ହିଲ୍ଲୋଳରେ ପ୍ରବାହିତ ହେଲା, ସେତେବେଳେ ଉନ୍ନିଦ୍ର ପ୍ରହରିଗଣ ଟିକିଏ ଢୁଳାଇ ପଡ଼ିଲେ । ବାଜିରାଓ ଏହି ଅବସରରେ ତମ୍ବୁର ସେହି ବସ୍ତ୍ରାବରଣଟିକୁ ଧୀରେ ଧୀରେ ଟେକି ଦେଇ ତମ୍ବୁ ମଧ୍ୟରେ ପ୍ରବେଶ କଲା । ସୀତା ତାକୁ ଶେଆଜୀ ବୋଲି ମନେକରି ଚମକି ପଡ଼ିଲା । ଭୀତିଭଗ୍ନସ୍ୱରରେ କହିଲା, ‘‘ଅପା, ମୁଁ ବାଜିରାଓ, ଭୟ ନାହିଁ ।’’ ବହୁଦିନ ପରେ ଭାଇକି ଦେଖି ସୀତା ବିହ୍ଵଳ ହୋଇ ପଡ଼ିଲା । ତାକୁ କୋଳକୁ ଟାଣି ଆଣି କାନ୍ଦି କାନ୍ଦି କହିଲା, ‘‘ବାପା ତୁ ମଧ୍ୟ ଏ ନିଷ୍ଠୁର ଭୀଲମାନଙ୍କ ହାତରେ ପଡ଼ିଛୁ ।’’ ବାଜିରାଓ କିଛି କହିପାରିଲା ନାହିଁ । ନୀରବରେ କାନ୍ଦି କାନ୍ଦି ସୀତାର ଅଞ୍ଚଳରେ ଅଶ୍ରୁ ପୋଛୁଥାଏ । ସୀତା ପୁଣି ପଚାରିଲା ‘‘ବାପା, କାହିଁକି କାନ୍ଦୁଛୁ ? ନିଜ ଭାଗ୍ୟ ଆଦରି ପଡ଼ିରହିବା । ମା ଭବାନୀଙ୍କର ଯା ଇଚ୍ଛା-।’’

 

‘‘ମୋତେ ଭୀଲମାନେ ଦୁଇଥର ତାଙ୍କ ଦେବତା ଆଗରେ ବଳି ଦେବାକୁ ନେଇଥିଲେ । କିନ୍ତୁ ମୁଁ ଭାଗ୍ୟବଳରୁ ବଞ୍ଚି ରହିଛି । ଏଥର ଦେଖୁଛି ଆମ ଦୁହିଁକି ବଳିହେବାକୁ ପଡ଼ିବ ।’’ ସୀତା ସାନ୍ତ୍ୱନା ଦେଇ କହିଲା, ‘‘ଏ ଦୁଃଖର ସମୟ ନୁହେଁ ବାପା । କୌଶଳକ୍ରମେ ଏ ନରକରୁ ଉଦ୍ଧାର ପାଇଲେ ରକ୍ଷା । ମୁଁ କହିବା ଅନୁସାରେ କର ।’’ ସୀତା ବାଜିରାଓ କାନରେ କେତେ ଗୁପ୍ତକଥା କହିଲା ।

 

‘‘ତୁ ଏଠାରେ ରହିଲେ ଆମେ ଦୁହେଁ ଧରା ପଡ଼ିବା । ଚଞ୍ଚଳ ଚାଲି ଯା ।’’

 

ବାଜିରାଓ ପୂର୍ବବତ୍‌ ତମ୍ବୁର ବହିରାବରଣଟି ଫିଟାଇ ପଦାକୁ ଗଲା । ଖୁବ ଗୁପ୍ତଭାବରେ ଶେଆଜୀଙ୍କ ନିକଟକୁ ଯାଇ ବିଛଣାରେ ଶୋଇ ପଡ଼ିଲା । ଅତି ପ୍ରତ୍ୟୁଷରେ ହରିହର ପ୍ରାତଃକୃତ୍ୟ ସମାପନ କରି ବାଜିରାଓକୁ କହିଲେ, ‘‘ବାଳକ, ତୁ ହୋଲକାରଙ୍କ ଭୃତ୍ୟ, ତେଣୁ ଅନେକ ସମୟରେ ତୁ ଯେପରି ସୀତା ପାଖକୁ ଯିବା ଆସିବା କରିପାରୁ ତା ଯତ୍ନ କରିବି । ସୀତା ମୋ ପ୍ରତି ଯେପରି ଆକୃଷ୍ଟ ହୁଏ ତୁ ତାର ବନ୍ଦୋବସ୍ତ କରି ପାରିବୁ ତ ? ଏତକ କରିଦେଲେ ସୀତା ଯଦି ମୋତେ ବିବାହ କରେ ତେବେ ତୋତେ ଆଉ ଏ ଭୀଲଦଳରେ ରହିବାକୁ ହେବନାହିଁ ।’’

 

ବୃଦ୍ଧ ହରିହରଙ୍କ ମନରେ ଏଭଳି କାମ ଚିନ୍ତା ଖେଳିବାର ଦେଖି ବାଜିରାଓ ହସି ଉଠିଲା । କିନ୍ତୁ ମନେ ମନେ ଏ ଦୁଷ୍କ।ର୍ଯ୍ୟ ଲାଗି କ୍ରୋଧ ହେଲେ ମଧ୍ୟ ଆତ୍ମଗୋପନ କରି କହିଲା, ‘‘ହଁ, ନିଶ୍ଚୟ କରିବି । ଶେଆଜୀ ମଧ୍ୟ ସୀତାକୁ ଚାହାନ୍ତି । ସେ ଥିଲାଯାକ ସୀତା କଦାପି ତୁମର ହୋଇ ପାରିବ ନାହିଁ । ଯେପରି ହେଉ ଶେଆଜୀଙ୍କୁ ମାରିଦେଲେ ତୁମେ ହେବ ସୀତାର ସ୍ୱାମୀ ।’’ ହରିହର ମୃଦୁହାସ୍ୟ କରି କହିଲେ, ‘‘ଏ କି ଛାରକଥା, ଆଜି ରାତିରେ ମାରି ଦେଉଛି । ଯା ବାଳକ, ତୁ ତୋ କାର୍ଯ୍ୟ କର । ତୋତେ ପୁରସ୍କାର ମିଳିବ ।’’

Image

 

ଉନବିଂଶ ପରିଚ୍ଛେଦ

ସଂଗ୍ରାମ

ପ୍ରତିଜ୍ଞାବଦ୍ଧ ଯଶୋବନ୍ତ ରାଣୀଙ୍କଠାରୁ ବିଦାୟ ନେଇ ଭୀଲବିଦ୍ରୋହ ନିର୍ବାପନ ନିମନ୍ତେ ଯଥାସାଧ୍ୟ ଚେଷ୍ଟା କଲେ । ଭୀଲ-ପଲ୍ଲି ସକଳ ଭସ୍ମୀଭୂତ କରି, ମୁଖ୍ୟ ବ୍ୟକ୍ତିମାନଙ୍କୁ ପ୍ରାଣଦଣ୍ଡ ଦେଇ, ଭୀଲସ୍ତ୍ରୀମାନଙ୍କ ଉପରେ ଅବାଧ ଅତ୍ୟାଚାର ଚଳାଇ ସେମାନଙ୍କୁ ନିଃଶେଷ କରିବା ଉପରେ ବସିଲେ । ତାଙ୍କର ପ୍ରଗାଢ଼ ଅଧ୍ୟବସାୟ ଓ ନିଦାରୁଣ ନିଷ୍ଠୁରତା ଯୋଗେ ଭୀଲମାନେ ନିଜର ବିନାଶ କାଳ ଆସନ୍ନ ହେଲା ବୋଲି ଜାଣି ଯଶୋବନ୍ତଙ୍କ ନାମ ଶୁଣିଲା ମାତ୍ରେ ପ୍ରାଣଭୟରେ ଆତଙ୍କିତ ହେଉଥିଲେ । ତଥାପି ଅରଣ୍ୟ ସର୍ଦ୍ଦାର ଗଣ୍ଡାଭୀଲ ତ।ନ୍ତିଆ ଏପର୍ଯ୍ୟନ୍ତ ଧରାପଡ଼ି ନଥିବାରୁ ଭୀଲମାନଙ୍କର କ୍ଷମତା ମୁଳୋତ୍ପାଟିତ ହୋଇ ନଥିଲା । ଶେଆଜୀଙ୍କୁ ନିଃସହାୟ ନିରୁପାୟ ନକଲେ ସେ ରାଣୀଙ୍କର ବଶବର୍ତ୍ତୀ ହେବେ ନାହିଁ; ପୁଣି ଗଣ୍ଡା ତାନ୍ତିଆ ଜୀବିତ ଥିବା ପର୍ଯ୍ୟନ୍ତ ଶେଆଜୀଙ୍କ ଗର୍ବ କଦାପି ଖର୍ବ ହେବ ନାହିଁ ଭାବି ଯଶୋବନ୍ତ ଭୀଲ ବିନାଶରେ ମନପ୍ରାଣ ଢାଳି ଦେଲେ । ତାହାଙ୍କ ଉତ୍ପୀଡ଼ନ ଫଳରେ ଭିଲ ବସତିମନ ଛିନ୍ନଭିନ୍ନ ହୋଇଗଲା । ସେମାନେ ଖାଦ୍ୟ ନପାଇ ପୁଣି ପରିଜନମାନଙ୍କ ବିଚ୍ଛେଦରେ ପ୍ରାଣ ହରାଇଲେ । ବୃଦ୍ଧ କୃଷ୍ଣପାନ୍ତ ଏ କାର୍ଯ୍ୟରେ ଯଶୋବନ୍ତଙ୍କର ପରମ ସହାୟ ଥିଲେ । ଦିନେ ଉଭୟେ ଗୋଟିଏ ପର୍ବତର ପାଦ ଦେଶରେ ଭିଲମାନଙ୍କର ଗତିବିଧି ନିରୀକ୍ଷଣ କରୁ କରୁ ଦୁର୍ଦ୍ଦାନ୍ତ ଗଣ୍ଡାଭୀଲ ତାନ୍ତିଆ ସହିତ ଏମାନଙ୍କୁ ଦେଖି ପାରିଲା । ସେ ତାନ୍ତିଆକୁ ଆଗରେ ପଠାଇ ଦେଇ ଭିଲ ସେନା ସଂଗ୍ରହ କରିବା ପାଇଁ ପର୍ବତ ଉପରକୁ ଉଠିଗଲା । ତାନ୍ତିଆ ଯଶୋବନ୍ତ ଓ କୃଷ୍ଣପାନ ନିକଟକୁ ଯିବାମାତ୍ରେ ସେମାନେ ପଚାରିଲେ, ‘‘କିରେ ତୁ ତ ଗୋଟାଏ ଭିଲ । ଗଣ୍ଡାକୁ ଦେଖିଛୁ ? ଦେଖିଥିଲେ କହ । ନୋହିଲେ ତୋର ପ୍ରାଣ ଗଲା ବୋଲି ଜାଣି ରଖ ।’’

 

‘‘ଗଣ୍ଡା ଏ ପର୍ବତ ଉପରକୁ ଉଠିଗଲା’’–ତାନ୍ତିଆ ଥରି ଥରି ଉତ୍ତର ଦେଲା । ଯଶୋବନ୍ତ ଶୀଘ୍ର ଅଶ୍ୱ ଝପଟ।ଇ ଦେଲେ । ତାନ୍ତିଆ ବୃଦ୍ଧ ପାନ୍ତକୁ ଏକାକୀ ଦେଖି କହିଲା,’’ଗଣ୍ଡା ବର୍ତ୍ତମାନ ଏହି ବାଟେ ଫେରିବ । ଆସ ଆମ୍ଭେ ଏହି ଗୁମ୍ଫା ଦିହରେ ଲୁଚିଯିବା ।’’ ପାନ୍ତ ଏକମତ ହେଲେ । ତାନ୍ତିଆ ତାଙ୍କୁ ଗୁହା ଭିତରକୁ ନେଇଗଲା । ପରେ ବାହାରକୁ ଆସି ଟିକିଏ ଅନାଇଁ ଦେଇ ପୁଣି ଗୁହା ଭିତରେ ପଶିଲା । ପଛଆଡ଼ୁ ପାନ୍ତଙ୍କୁ ଧରି ତାଙ୍କ ନାକ କାନ କାଟି ପକାଇଲା । ପରେ କହିଲା, ‘‘ଦୁରାତ୍ମା ଏବେ ଗଣ୍ଡ।କୁ ଧରିବୁ ? ମୋତେ ଧର-ଏହା କହିଦେଇ ହଠାତ୍‌ ପର୍ବତ ଉପରକୁ ଉଠିଗଲା । ପର୍ବତ ଉପରେ ନିଜର କଟି ଲମ୍ବିତ ଶିଙ୍ଗ। ଉଚ୍ଚ ସ୍ୱରରେ ବାଦନ କଲା । ଦେଖୁ ଦେଖୁ ପିପ୍‌ପୀଲିକା ପରି ଚତୁର୍ଦ୍ଦିଗରୁ ଦୁଇ ତିନିଶତ ଭିଲ ଏକତ୍ର ହୋଇଗଲେ; ବର୍ତ୍ତମାନ ତାନ୍ତିଆ ନିରାପଦ । ସେ ଗର୍ଜ୍ଜନ କରି କହିଲା, ‘‘ଆ ଯଶୋବନ୍ତ, ଦେଖିବି ତୋ ଧମନୀରେ କେତେ ରକ୍ତ ଅଛି ।’’

 

ଯଶୋବନ୍ତ ନିଜ ସୈନ୍ୟ ସଙ୍ଗେ ପଛକୁ ଫେରିଲେ । ଗୁହା ମୁହଁରେ ଛିନ୍ନଭିନ୍ନ ବିକଳାଙ୍ଗ ରକ୍ତାକ୍ତ କୃଷ୍ଣପାନ୍ତଙ୍କୁ ଦେଖି ଗଣ୍ଡାର ଦୌରାତ୍ମ୍ୟ ବୁଝିପାରି କ୍ରୋଧଦୀପ୍ତ ହେଲେ । ଏ ସମୟରେ କରକାପାତ ତୁଲ୍ୟ ପର୍ବତ ଶିଖର ଦେଶରୁ ଭିଲମାନଙ୍କର ଶରବୃଷ୍ଟି ଚାଲିଲା । ତିନିଶତ ଭିଲ ସମ୍ମୁଖରେ ବିଂଶତ ଜଣମାତ୍ର ସୈନିକ କଣ କରିବେ । ତଥାପି ପୃଷ୍ଠଭଙ୍ଗ ଦେଇ ପଳାୟନ କଲେ । ଭିଲମାନେ ଅନୁଧାବନ କରିବେ ଭାବି ଯଶୋବନ୍ତ ଗୁଳି ବର୍ଷଣ କରିବାକୁ ଆଦେଶ ଦେଲେ । ମହାରାଷ୍ଟ୍ର ସେନାର ଗୁଳିରେ ପଞ୍ଚତ୍ରିଂଶ ଜଣ ଭିଲ ମରିଯାଇ ତଳକୁ ଖସି ପଡ଼ିଲେ । ଯୁଦ୍ଧ କୁଶଳ ଭିଲମାନଙ୍କ ଶରାଘାତରେ ଯଶୋବନ୍ତଙ୍କ ଅଶ୍ଵାରୋହୀ ଦଳରୁ ଅର୍ଦ୍ଧେକ ମରିଗଲେ । ସେ ସେଠାରୁ ଚାଲିଯିବା ଲାଗି ମନସ୍ଥ କରୁଛନ୍ତି ଏହି ସମୟରେ ତାଙ୍କର କେତେକ ସୈନିକ ସେଠାରେ ଉପସ୍ଥିତ ହେବାରୁ ଭିଲମାନେ ପକ୍ଷୀ ପର ପର୍ବତ କୋଣରୁ ଅଦୃଶ୍ୟ ହୋଇଗଲେ । ସୂର୍ପଣଖା-ପରାଭବପ୍ରାପ୍ତ କୃଷ୍ଣପାନ୍ତ ଲଜ୍ଜାରେ ଗୃହକୁ ଲେଉଟି ଆସିଲେ । ଗଣ୍ଡା ତାନ୍ତିଆ ସହିତ ଫେରି ଆସି ହୋଲକାରଙ୍କ କାର୍ଯ୍ୟରେ ଲାଗିଲା ।

 

ଏଣେ ଲମ୍ଵପୁରରେ ଦୌଲତ ରାଓ ରାଜପୁତମାନଙ୍କ ସହିତ ମିଶି ଅହଲ୍ୟାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ ମଧ୍ୟ ମରହଟ୍ଟାମାନେ ଜୟୀ ହେଲେ । ହୋମୋଜୀ ରାଓ ରାଜପୁତମାନଙ୍କଠାରୁ ଉତ୍କୋଚ ନପାଇ ଆଉ ସାହାଯ୍ୟ କଲେ ନାହିଁ । ସୁତରାଂ ଉଦୟପୁର ରାଣା ଭିଲ ଓ ଶେଆଜୀଙ୍କୁ ସାହାଯ୍ୟ ପ୍ରାର୍ଥନା କରିବା ଲାଗି ଦୌଲତଙ୍କୁ ବାରମ୍ବାର ଅନୁରୋଧ କଲେ । ଦୌଲତ ରାଓ ଅଯୋଗ୍ୟ ଶେଆଜୀ ଓ ଲୁଣ୍ଠନପ୍ରିୟ ଭୀଲମାନଙ୍କଦ୍ୱାରା ସମ୍ମୁଖ ଯୁଦ୍ଧରେ କୌଣସି ଉପକାର ମିଳିବ ନାହିଁ ବୋଲି ସେମାନଙ୍କୁ ସମ୍ବାଦ ନଦେଇ ଉଦାସୀନ ରହିଲେ । ଏଣେ କିନ୍ତୁ ରାଜପୁତମାନଙ୍କୁ ପ୍ରଚାରିତ କରି କହୁଥିଲେ, ‘‘ସେମାନେ କାଲି ଆସିବେ ପରା ।’’ ଦୁରଭିସନ୍ଧି ଆଉ ଅଧିକ ଦିନ ରହିଲା ନାହିଁ । ଚତୁର ରାଣା ଏ ସମସ୍ତ ବୁଝିପାରି ଦୌଲତଙ୍କୁ ବିପଦରେ ପକାଇବା ପାଇଁ ଯତ୍ନ କଲେ । ଦୌଲତ ଉଭୟର ସନ୍ଧି ସ୍ଥଳରେ ପଡ଼ି ଆତଙ୍କିତ ହୋଇ ରହିଲେ ।

 

ମଧ୍ୟାହ୍ନ ସମୟ । ଅହଲ୍ୟାବାଈ ଶିବିରରେ ମନ୍ତ୍ରଣାରତ । ଶିବନାନା, ତୁକାଜୀ ଓ ଜମାନ ଖାଁ ପ୍ରଭୃତି ଅଛନ୍ତି । ହଠାତ ପ୍ରହରୀ ସମ୍ବାଦ ଦେଲା, ‘‘ବାମନ ଭଟ୍ଟ ଆସିଛନ୍ତି ।’’ 'ପ୍ରବେଶ କରାଅ' ବୋଲି କହି ରାଣୀ ମନ୍ତ୍ରଣାରେ ଲାଗିଲେ । ତାପରେ ବାମନଭଟ୍ଟ ସେଠାରେ ଉପସ୍ଥିତ ହେଲେ । ଅଭିବାଦନ ଜଣାଇ କହିଲେ, ‘‘ମଣିମା, ଶେଆଜୀ ହୋଲକାରଙ୍କ ଆଦେଶ ଘେନି ଏ ସେବକ ଏଠାକୁ ଆସିଛି । ଇନ୍ଦୋର ରାଜ୍ୟର କୌଣସି ଅଂଶ ଛାମୁକୁ ଦିଆଯିବ ନାହିଁ । କାରଣ ଶେଆଜୀଙ୍କ ପୋଷ୍ୟପିତା ମଲହର ଏ ସମସ୍ତ ରାଜ୍ୟର ଅଧିକାରୀ ଥିଲେ । କେବଳ ଆପଣଙ୍କୁ ମନୋବୃତ୍ତି ସ୍ୱରୂପ କେତୋଟି ମାତ୍ର ଜାୟଗିର୍‌ ଦିଆଯିବ । ଆପଣ ଶୀଘ୍ର ଏଥିରେ ଏକମତ ହୁଅନ୍ତୁ । ନଚେତ ସେ ରାଜପୁତମାନଙ୍କ ସହିତ ମିଶି ଏ ରାଜ୍ୟ ଛାରଖାର କରି ପକାଇବେ । ପରିଣାମ ଚିନ୍ତା କରନ୍ତୁ ମଣିମା, ବର୍ତ୍ତମାନ ସମୟ ଅଛି । ନଚେତ ଆପଣଙ୍କୁ ଅନୁତାପ କରିବାକୁ ହେବ ।’’

 

‘‘ତୁମ ମହାରାଜା ତେବେ କେଉଁଠି ? ତାଙ୍କ ସାକ୍ଷାତ ମିଳିପାରିବ ତ ?’’ ରାଣୀ ହସି ହସି ଉତ୍ତର ଦେଲେ । ରାଜଦୂତ କହିଲେ, ‘‘ସେ ବିନ୍ଧ୍ୟ ପର୍ବତରେ ଅଛନ୍ତି ।’’ ଏତିକିବେଳେ ଜମାନ ଖାଁ ପଛଆଡ଼ୁ ଆସି ବାମନଭଟ୍ଟ ଦୁଇ ବାହୁ ଭିଡ଼ି ଧରି କହିଲେ, ‘‘ଏ ଷଡ଼ଯନ୍ତ୍ରକାରୀମାନଙ୍କ ମଧ୍ୟରେ ପ୍ରବୀଣ । ଏହାକୁ ବନ୍ଦୀ କଲେ ଅନେକ ଗୁପ୍ତ ବିଷୟ ମିଳିବ ।’’ ଶୀଘ୍ର ବାମନଭଟ୍ଟଙ୍କୁ ଶୃଙ୍ଖଳାବଦ୍ଧ କରାଗଲା । ଆଦେଶ ହେଲା, ‘‘ଭଟ୍ଟ, ତୁମେ ବନ୍ଦୀ ।’’

 

ଭଟ୍ଟଙ୍କ ସହିତ ଆସିଥିବା ରାଜପୁତମାନେ ଏ ଅନ୍ୟାୟ ବିରୁଦ୍ଧରେ ତୀବ୍ର ପ୍ରତିବାଦ କଲେ-। ସେମାନେ କୋଷମୁକ୍ତ କୃପାଣ ସାହାଯ୍ୟରେ ମରହଟ୍ଟାମାନଙ୍କୁ ଆକ୍ରମଣ କରିବା ଲାଗି ଉଦ୍ୟତ ହେଲେ । କିନ୍ତୁ ରଣକୁଶଳ ଜମାନ ଖାଁ ନିଜର ପରାକ୍ରମ ଓ ଚତୁରତାରେ ଅର୍ଦ୍ଧାଧିକ ରାଜପୁତଙ୍କୁ ଭୂତଳଶାୟୀ କରିଦେଲେ ।

 

ଦୌଲତ ରାଓ ଏ ସମ୍ବାଦ ପାଇଁ ବଜ୍ର।ହତ ତୁଲ୍ୟ ଅଚୈତନ୍ୟ ହୋଇ ପଡ଼ିଲେ । ଭବିଷ୍ୟତରେ ତାଙ୍କର ମରଣ ସୁନିଶ୍ଚିତ ଏହା ସ୍ପଷ୍ଟ ପ୍ରତୀୟମାନ ହେଲା । କିନ୍ତୁ ଅଗତ୍ୟା, କପଟ ଶିରୋମଣି ଦୌଲତଙ୍କୁ ପ୍ରାଣ ଭୟରେ ରାଜପୁତ ଶିବିରରେ ରହିବାକୁ ପଡ଼ିଲା ।

Image

 

ବିଂଶ ପରିଚ୍ଛେଦ

ପ୍ରେମର ପରିଣାମ

ହରିହର ବାଜିରାଓକୁ ନିଜର ମନୋରଥ ଜଣାଇବା ପରେ ଶେଆଜୀ ତାକୁ ପାଖକୁ ଡାକି କହିଲେ, ବାଳକ, ଜାଣୁ ମୁଁ ତୋତେ କିପରି ସ୍ନେହ କରେ । ତୁ ମୋ ପାଇଁ ଏ କାର୍ଯ୍ୟଟି କରି ଦେଲେ ନିଶ୍ଚୟ ତୋତେ ଭୀଲ କବଳରୁ ମୁକ୍ତି କରିଦେବି । ଗଣ୍ଡାଭୀଲ ପ୍ରଭୃତି ସମସ୍ତେ ସୀତାକୁ ମୋତେ ବିବାହ କରିବାକୁ ସମ୍ମତ ଅଛନ୍ତି । ମାତ୍ର ସୀତା ନାରାଜ । ଆଜି ମୋର ରାଜ୍ୟ ନାହିଁ ସତ, କିନ୍ତୁ ଭବିଷ୍ୟତରେ ତ ମୁଁ ଇନ୍ଦୋରର ହୋଲକାର ହେବି । ସେତେବେଳେ ସୀତାର ଅବସ୍ଥା କଅଣ ନହେବ ? ସେ ରାଜରାଣୀ ହୋଇ ଅତୁଳ ସୁଖ ସମ୍ପତ୍ତିରେ ବଢ଼ିବ । ଭବିଷ୍ୟତଟା ସେ ତ ଆଦୌ ଭାବିପାରୁ ନାହିଁ । ତୁ ତାକୁ ଟିକିଏ ବୁଝାଇ ଦେ । ସେ କାହିଁକି ମୋ ଭଳି ମହାରାଜାଙ୍କର ପତ୍ନୀ ହେବାକୁ ଅନିଛୁକ ହେଉଛି ? ମୋତେ ଯଥେଷ୍ଟ ରାଜକନ୍ୟା ମିଳିବେ । କହ୍ନାପୁର ଓ ସିନ୍ଧିଆର ରାଜାମାନେ ଆପଣା ଆପଣା କନ୍ୟା ସଂପ୍ରଦାନ କରିବା ଲାଗି ପ୍ରସ୍ତୁତ ଅଛନ୍ତି । କିନ୍ତୁ ମୁଁ ସୀତାକୁ ସେମାନଙ୍କ ଅପେକ୍ଷା ଅଧିକ ସ୍ନେହ କରେ; ବହୁତ ପ୍ରେମ ଦେଖାଏ । ସୀତା ମୋର ପତ୍ନୀ ନହେଲେ ମୁଁ ବଳପୂର୍ବକ ତାକୁ ନିଶ୍ଚୟ ଗ୍ରହଣ କରିବି । ଏଥିପାଇଁ ତା ସହିତ ମୋର କେତେକ ଗୁପ୍ତ ପରାମର୍ଶ ଅଛି । ସେ ସମ୍ମତ ଜଣାଇଲେ ମୁଁ ଆନନ୍ଦରେ ଯାଇ ତାକୁ ସବୁ କହି ଆସିବି । ଯା, ବାଜି, ତୁ ସୀତାକୁ ମୋ ପାଇଁ ଏତକ ଜଣାଇ ଆସିବୁ ।’’

 

ବାଜିରାଓ ଟିକିଏ ଚିନ୍ତା କରି କହିଲା, ‘‘ମୁଁ ତ ଛାମୁଙ୍କର ସେବକ; ଛାମୁଙ୍କ କାର୍ଯ୍ୟ ନକରି ମୋର ଗତି କାହିଁ? ମାତ୍ର ଏତିକି, ବୃଦ୍ଧ ପାଣ୍ଡିଆଜୀ ମଧ୍ୟ ସୀତା ଆସକ୍ତ । ହରିହରଙ୍କୁ ଯେକୌଣସି ମତେ ହତ୍ୟା ନକଲେ ସୀତା କଦାପି ଛାମୁଙ୍କର ହୋଇ ପାରିବ ନାହିଁ ।’’

 

‘‘ଏଇ କଥା ତ-ଭୟ ନାହିଁ । ତୁ ଗଲୁ । ମୁଁ ଆଜି ସନ୍ଧ୍ୟାବେଳେ ସବୁ ଠିକ କରି ଦେଉଛି ।’’ ବାଜିରାଓ ପ୍ରସ୍ଥାନ କଲା । ସେହିଦିନଠାରୁ ଶେଆଜୀଙ୍କ ଆଦେଶ କ୍ରମେ ସେ ସୀତା ଥିବା ତମ୍ବୁକୁ ଅବାଧରେ ଯିବା ଆସିବା କରି ପାରିଲା ।

 

ଯଶୋବନ୍ତଙ୍କଦ୍ୱାରା ନିଜ ବଳ ଖଣ୍ଡିତ, ଶିଥିଳୀକୃତ, ଅବସାନ ପ୍ରାପ୍ତ ହେବାର ଦେଖି, ବିଷାଦଗ୍ରସ୍ତ ଗଣ୍ଡାଭୀଲ ଶେଆଜୀଙ୍କ ସଙ୍ଗେ ପରାମର୍ଶ କରି ଭାବୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରିବା ଲାଗି ତମ୍ବୁକୁ ଯାଇ କହିଲା, ‘‘ମହାରାଜ, କି କୁକ୍ଷଣରେ ଛାମୁଙ୍କ ଅଭିଷେକ ସମାହିତ ହୋଇଥିଲା କେଜାଣି, ସେହି ଦିନଠାରୁ ଯଶୋବନ୍ତ ରାଓ ଆମ୍ଭମାନଙ୍କର ସର୍ବନାଶ କରିବା ଉପରେ ବସିଛି । ପ୍ରତାରକ ଦୌଲତ୍‌ ରାଓ ଶୀଘ୍ର ଫେରି ଆସିବେ ବୋଲି କହି ଏପର୍ଯ୍ୟନ୍ତ ନିରୁଦ୍ଦେଶ୍ୟ । ଛାମୁ କେବଳ ଲୁଣ୍ଠିତ ଧନରତ୍ନ ଧ୍ଵଂସ କରି ଏଠାରେ ନାମକୁ ମାତ୍ର ମହାରାଜା ହୋଇ ବସିବ ନା କଣ ? ଆପଣ ଏଡ଼େ ଦୁର୍ବଳ ଭୀରୁ ବୋଲି ପ୍ରଥମରୁ ଜାଣିଥିଲେ ଆମ୍ଭେମାନେ କଦାପି ସିଂହାସନ ଦେଇ ନଥାନ୍ତୁ । ବର୍ତ୍ତମାନ ଭିଲ ଜାତିର ଜୀବନ ମରଣ ସମସ୍ୟା । ଏତେବେଳେ ନିଶ୍ଚିନ୍ତ ହୋଇ ବସି ରହିଲେ ଚଳିବ ନାହିଁ । ବର୍ତ୍ତମାନ ତୁମେ ଆମ ସହିତ ଯୁଦ୍ଧକୁ ଯିବ କି ନା, କହ ?’’

 

ଗଣ୍ଡାର ମୁଖ ବିକୃତି ଓ ରୁକ୍ଷ ସ୍ୱରରେ ଶେଆଜୀ ବିଚଳିତ ହୋଇ ପଡ଼ିଲେ । ସେ ଭୀତ କ୍ରସ୍ତ ଓ ଅବନତ ମସ୍ତକରେ ଧୀରେ ଧୀରେ କହିଲେ, ‘‘ମୁଁ ତୋ ବାହୁବଳ ଉପରେ ନିର୍ଭର କରି ଇନ୍ଦୋର ପାଇବି ବୋଲି ଆଶା କରିଛି । ହାୟ, ତୁ ମୋ ଉଦ୍ଦେଶ୍ୟ ବୁଝି ନପ।ରି ମୋତେ ତିରସ୍କାର କରୁଛୁ ? ବିବାହ ପରେ ଦେଖିବୁ ଶେଆଜୀର ବିକ୍ରମ । ପରୀକ୍ଷା କରିନେବି ଶତ୍ରୁର ସେହି ବକ୍ଷଦେଶକୁ ମୋ ଶାଣିତ କରବାଳ ଧାରରେ । ମାତ୍ର ଏତିକି, ହରିହର ଆମ୍ଭମାନଙ୍କର ସମସ୍ତ ଗୁପ୍ତ ବିଷୟ କୌଶଳକ୍ରମେ ହସ୍ତଗ୍ରତ କରି ରାଣୀକି ଜଣାଇ ଦେଉଛି । ସେ ଜୀବନରେ ଥିଲେ ଆମର ବିଜୟ ଲାଭ ଆଶା ବିଡ଼ମ୍ବନା । ଆଜି ରାତ୍ରିରେ ତୁ ହରିହରକୁ ବଧ କଲେ, ମୁଁ ନିଶ୍ଚୟ ବିବାହ ପରେ ଯୁଦ୍ଧକୁ ଯିବି ।’’ ଗଣ୍ଡା ରକ୍ତ ଚକ୍ଷୁରେ ଅନାଇଁ କହିଲା ‘‘ଯୁଦ୍ଧ ପରେ ଯାଇ ବିବାହ । ଏବେ ନୁହେ । ଆଜି ମୋ ଦ୍ୱିତୀୟ ପୁତ୍ରକୁ ବଳି ଦେଉଛି, ବିଜୟଶ୍ରୀ ଲାଭ ଆଶାରେ । ବଳି ପରେ ଅଭିଯାନ ଚଳାଇଲେ ବିଜୟ ସୁନିଶ୍ଚିତ । ହରିହର ଆମ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି ?’’ ଆଛା, ତାର ବ୍ୟବସ୍ଥା କରିବି ।’’ ହୁଙ୍କାର କରି ଗଣ୍ଡା ପ୍ରସ୍ଥାନ କଲା । ଶେଆଜୀ ଟିକିଏ ଆଶ୍ୱସ୍ତ ହେଲେ ।

 

ଅନନ୍ତର ବାଜିରାଓ ମହାରାଜଙ୍କୁ ପ୍ରଣାମ କରି ନିବେଦନ କଲା, ‘‘ପ୍ରଭୋ, ସୀତା ଆପଣଙ୍କ ଭଳି ପୁରୁଷର ପାଣିଗ୍ରହଣ କରିବ ନାହିଁ ? କିଏ କହିଲା ? ସେ ତ ବରାବର ପ୍ରସ୍ତୁତ । ଆପଣଙ୍କ ରୂପ ଲାବଣ୍ୟକୁ ଝୁରି ଝୁରି ମରିବା ଉପରେ । ମାତ୍ର ଏତିକି, ସେ ପୁରୁଷ ବେଶରେ ଛାମୁଙ୍କ ତମ୍ବୁକୁ ଆସିବ । ଏଥିରେ ଆପଣ ସମ୍ମତ ଅଛନ୍ତି ତ ?’’ ଶେଆଜୀ ଆତ୍ମବିଶ୍ଵାସ ହରାଇ ବସିଲେ । କହିଲେ, ‘‘ଛି, ସତେ ! ତୁ ପାଗଳ ଟୋକାଟ।ଏ । ଯୋଡ଼ିଯାଡ଼ି କେତେ ମନଗଢ଼ା କଥା କହୁଛୁ ରେ ? ସୀତା ସତେ କଣ ମଙ୍ଗିଛି ?’’

 

‘‘ମୁଁ କଅଣ ତେବେ ମିଛ କହୁଛି, ମହାରାଜ ? ଚାଲୁନ୍ତୁ ତମ୍ବୁ ପାଖକୁ ସୀତା ମୁହଁରୁ ସବୁ ଶୁଣାଇ ଦେବି । ମୋତେ ଏ ଭୀଲ କବଳରୁ ମୁକ୍ତ ଦେବେ ତ ?’’

 

‘‘ସନ୍ଦେହ ଅଛି ଆହୁରି । ଚାଲିଲୁ ତମ୍ବୁ ପାଖକୁ ଯିବା । ଜାଣି ରଖ, ଆଜି ସନ୍ଧ୍ୟାରେ ତୋର ମୁକ୍ତି ।’’

 

‘‘ଆସନ୍ତୁ ତେବେ’’ ବୋଲି ବାଜି ରାଓ ଶେଆଜୀଙ୍କୁ ତମ୍ବୁ ନିକଟକୁ ନେଇଗଲା । ଉଚ୍ଚସ୍ୱରରେ କହିଲା, ‘‘ସୀତା, ତୁ ତୋ ପ୍ରତିଜ୍ଞା ରଖିବୁ ତ ? ମହାରାଜ ବର୍ତ୍ତମାନ ତୋ ଅପେକ୍ଷାରେ-।’’ ଭିତରୁ କୋକିଳ କଣ୍ଠରେ କିଏସେ କହିଲା, ‘‘ଅବଶ୍ୟ କରିବି ।’’ ସନ୍ଦେହ ନାହିଁ ।’’

 

ଶେଆଜୀ ଆନନ୍ଦରେ ବାଳକକୁ ଆଲିଙ୍ଗନ କରି ପକାଇଲେ । ତାକୁ ମୁକ୍ତ କରିବା ପ୍ରୟାସରେ ଦୌଲତଙ୍କୁ ଆଣିବା ଲାଗି ବାଳକକୁ ପଠାଇବେ ବୋଲି କହି ଶିବିକା ଓ ବାହକ ସବୁ ଠିକ କରିଦେଲେ । ଗଣ୍ଡା ଆହୁରି ଆନନ୍ଦିତ ହେଲା ।

 

ସନ୍ଧ୍ୟାର ଘନ ଅନ୍ଧକାର ଧରଣୀମୁଖ ଅବଗୁଣ୍ଠନ କରି ଦେଲା । ସୀତା ବାଜି ରାଓର କଥା ଅନୁସାରେ ପୁରୁଷ ବେଶ ହୋଇ ଖଡ଼୍‌ଗହସ୍ତରେ ସୁଯୋଗ ଅପେକ୍ଷାରେ ରହିଲା । କାମିନୀ କାଞ୍ଚନ ଲୋଭରେ ପଡି ହରିହର ଶେଆଜୀଙ୍କୁ ହତ୍ୟା କରିବେ ଭାବି ଶିବିର ମଧ୍ୟରେ ଗାଢ଼ ନିଦ୍ରାସକ୍ତ ହୋଇଛନ୍ତି, ଏତିକିବେଳେ କୁଠାରହସ୍ତ ଗଣ୍ଡାଭୀଲ ସେଠାରେ ଉପନୀତ ହେଲା । ସେ ନିଦ୍ରାସକ୍ତ ହରିହରଙ୍କ ଶିର ଚ୍ଛେଦନ କରି, ଛିନ୍ନ ରୁଧିରାକ୍ତ ମସ୍ତକଟି ଗୋଟିଏ ହାତରେ ଧରି ଶେଆଜୀଙ୍କ ପାଖେ ପହଞ୍ଚିଲା । ଶେଆଜୀଙ୍କ ଜଘନ ଉପରେ ସେ ମସ୍ତକଟି ରଖି କହିଲା, ‘‘ଦେଖ, ଏବେ ତୁମ ହରିହର କିପରି ଅଛନ୍ତି ?’’ ଶେଆଜୀଙ୍କର ହୃତକମ୍ପ ହେଲା । ସେ କମ୍ପି କମ୍ପି ଧୀରେ ଧୀରେ କହିଲେ, ‘‘ଦେଖୁଛି, ତୁମେ ଖୁବ ସାହସୀ । ଉପଯୁକ୍ତ ବୀର । 'ଅରଣ୍ୟ ସର୍ଦ୍ଦାର' ଉପାଧି ତୁମ ପକ୍ଷରେ ଏକା ସମିଚୀନ ।’’ ପ୍ରଶଂସା ପାଇ ଗଣ୍ଡାର ବକ୍ଷ ସ୍ଫୀତ ହୋଇ ଉଠିଲା । ସେ ଧୀରେ ଧୀରେ ସେଠାରୁ ପ୍ରସ୍ଥାନ କଲା ।

 

ଶେଆଜୀ ବର୍ତ୍ତମାନ ଭାରି ଆନନ୍ଦ । ସେ ବାଜିରାଓଙ୍କୁ ମୁକ୍ତ କରି ଦେବା ସଙ୍ଗେ ସଙ୍ଗେ ସୀତାର ମଧୁରମିଳନ ଅପେକ୍ଷାରେ ରହିଲେ । ମଦନ ପୀଡିତ ଶେଆଜୀ ବାରମ୍ଵାର, ସୀତା ଆସୁଛି ବୋଲି, ତମ୍ବୁ ବାହାରକୁ ଆସୁଥିଲେ । କେତେବେଳେ ମଧ୍ୟ ତମ୍ବୁକୁ ଯାଇ ସ୍ଥିର ହୋଇ ରହି ପାରିଲେ ନାହିଁ । ସୀତାର ସେହି ମନୋରମ ସୌନ୍ଦର୍ଯ୍ୟ ତାଙ୍କ ଚକ୍ଷୁ ଆଗରେ ନୃତ୍ୟ କରିବାକୁ ଲାଗିଲା । ଭୀଲ ପ୍ରହରୀମାନେ ନିଦ୍ରିତ ହେବା ପରେ ଗୋଟିଏ ପରମ ରୂପବତୀ ରମଣୀ ଶେଆଜୀଙ୍କ ତମ୍ବୁରେ ପ୍ରବେଶ କଲା । ତାର ଅପୂର୍ବ କାନ୍ତି, ମନୋରମ ମୁଖ ଦୀପ୍ତିରେ ଚତୁର୍ଦ୍ଦିଗ ଝଲସି ଉଠିଲା । ଶେଆଜୀ ପ୍ରେମ ବିହ୍ଵଳିତ ହୋଇ ସେହି ଭୁବନ ମୋହନ ବିଗ୍ରହର କର ଚୁମ୍ବନକରି ଘେନି ଗଲେ । ଅବଗୁଣ୍ଠନ ଭିତରୁ ଶେଆଜୀ ଶୁଣିଲେ, ‘‘ପ୍ରାଣେଶ୍ୱର ମୋ ଜୀବନର ଏକମାତ୍ର ସମ୍ବଳ । ମୁଁ ରାଜରାଣୀ ନୋହି ପଥଭିଖାରିଣୀ ହେବି କାହିଁକି ? ଆହା, ଏ ମଧୁର ମିଳନପରେ ତୁମେ ପୁଣି ଯୁଦ୍ଧକୁ ଯିବ ?’’ ଶେଆଜୀଙ୍କ ମଦନ-ଉଦିପ୍ତ-ଜୀବନରେ ଚନ୍ଦନ ଲେପିତ ହୋଇଗଲା । ସେ ପ୍ରଣୟ ମିଶ୍ରିତ କଣ୍ଠରେ କହିଲେ, ‘‘ବାଇ ହେଲ, ପ୍ରିୟେ । ମୁଁ ତୁମକୁ ଛାଡ଼ି ଯୁଦ୍ଧକୁ ଯିବି ? କେବଳ ଭୀଲମାନଙ୍କୁ ପ୍ରତାରିତ କରିବାକୁ ଏପରି କହିଥିଲି । ମୋ ବହୁଦିନର ଶ୍ରମ ଆଜି ସଫଳ ହୋଇଛି । ସୀତା, ଥରେ ମୋତେ ଚୁମ୍ବନ କର, ପ୍ରାଣେଶ୍ୱରୀ ।’’

 

କାମାତୁର ଶେଆଜୀ ଚୁମ୍ବନ ପାଇବା ଆଶାରେ ଗଣ୍ଡଦେଶ ଦେଖାଇ ଦେଲେ । ଚୁମ୍ବନ ପରିବର୍ତ୍ତରେ ପୁରସ୍କାର ମିଳିଲା ଭୀଷଣ ଚପେଟାଘାତ । ଶେଆଜୀ କାନ୍ଦି ଉଠିଲେ । ପ୍ରଣୟ ସମ୍ମୁଖରେ ଦୁଃଖର ଅବକାଶ କାହିଁ ? ଧୀରେ ଧୀରେ ଅନ୍ଧକାର ମଧ୍ୟରେ ଅଶ୍ରୁ ମୋଚନ କରି କହିଲେ, ‘‘ଏ କି ରସିକତା ? ସ୍ଵାମୀପ୍ରତି ସ୍ତ୍ରୀର ଏ କି ବ୍ୟବହାର ?’’

 

ଶେଆଜୀ ଆଲିଙ୍ଗନ ଆଶାରେ ଚେଷ୍ଟା କଲେ । ଛଦ୍ମବେଶଧାରିଣୀ କଟିଦେଶରୁ ଶାଣିତ ଛୁରୀକା ବାହାର କରି ଶେଆଜୀକୁ ତଳେ ପକାଇ ତାଙ୍କର ବକ୍ଷଦେଶରେ ବିଦ୍ଧ କରିଦେଲା । ଶେଆଜୀ କରୁଣ ଚିତ୍କାର କରି ଉଠିବା ପୂର୍ବରୁ ସେ ଅଲକ୍ଷିତ ଭାବରେ କୁଆଡ଼େ ପଳାଇଗଲା, କେହି ଦେଖି ପାରିଲେ ନାହିଁ ।

 

ଆର୍ତ୍ତନ।ଦରେ ଗଣ୍ଡାଭୀଲର ନିଦ୍ରା ଭଙ୍ଗହେଲା । ସେ କୁଠାର ହସ୍ତରେ ଧାଇଁ ଆସି ଦେଖିଲା-ଶେଆଜୀ ରକ୍ତାକ୍ତ, ଭୂପତିତ । ସେ ତାଙ୍କୁ ତଳୁ ଉଠାଇ ଆଣି ପଚାରିଲା, ‘‘ଏ କଣ ?’’ ଶେଆଜୀ କ୍ଷୀଣ କଣ୍ଠରେ ବେଦନାଗ୍ରସ୍ତ ହୋଇ କହିଗଲେ । ଗଣ୍ଡା ମହାକୋପରେ ଗର୍ଜି ଉଠିଲା । ଭ୍ରୁକୁଞ୍ଚିତ କରି ବାରମ୍ବାର ଭୂପୃଷ୍ଠରେ ପଦାଘାତ କଲା । ପରେ ବିକୃତ ବଦନରେ କହିଲା, ‘‘ଦୁରାତ୍ମା, ଉପଯୁକ୍ତ ଫଳ ପାଇଛି । ସୀତା କଣ, ମୁଁ ତ ବର୍ତ୍ତମାନ ତୋତେ ହାଣିବି । ତୁ କାପୁରୁଷ, ଭୀରୁ, ଦୁର୍ବଳ, ସିଂହାସନର ଉପଯୁକ୍ତ ନୋହୁ । ହେୟ, ଘୃଣ୍ୟ ପଶୁଟାଏ ତୁ ।’’ ସେ ଶେଆଜୀଙ୍କ ଗଳ ଦେଶରେ ଶାଣିତ କୁଠାର ସ୍ପର୍ଶ କରିଦେଲା । ଅପରିମିତ ଯନ୍ତ୍ରଣାରେ ଶେଆଜୀ ଭୀଲର ପାଦ ଦୁଇଟି ଧରି ପକାଇଲେ । ସଙ୍ଗେ ସଙ୍ଗେ ଦୀର୍ଘ ନିଶ୍ୱାସ ତ୍ୟାଗ କରି କହିଲେ, ‘‘ବାପା, ମୋତେ ରକ୍ଷାକର । ଦୌଲତ ରାଓ ମୋତେ ଅକାରଣରେ ଏ ଦାୟିତ୍ୱ ଲଦି ଦେଇ ସର୍ବନାଶ କରିଛି । ମୋତେ ଔଷଧ ଦିଅ । ମୋ ପ୍ରାଣ ରହୁ ।’’

 

ପଶୁ ହୃଦୟରେ ମାୟା, ମମତାର ସ୍ଥାନ କାହିଁ ? ଗଣ୍ଡ କୁଠାର ଉଠାଇ ନେଇ ଗର୍ଜ୍ଜନ କରି କହିଲା, ‘‘ମୁଁ ତୋତେ ଓଷଧ ଦେବି ? ତୁ ମଲେ ମୋର ଆନନ୍ଦ ।’’ କୋପ ଦୃଷ୍ଟିରେ ଅନାଇଁ ଅନାଇଁ ଗଣ୍ଡା ସେଠାରୁ ପ୍ରସ୍ଥାନ କଲା । ସୀତା ଓ ବାଜିରାଓର ଅନୁସନ୍ଧାନ କରି ଅରଣ୍ୟଯାକ ବୁଲିଲା । ତମ୍ବୁ ସବୁ ତନ୍ନ ତନ୍ନ କରି ଦେଖିଲା । ମାତ୍ର ନପାଇ ବିରକ୍ତ, ବିବର୍ଣ୍ଣ ହୋଇ ନିଜ ବସାକୁ ଲେଉଟି ଆସିଲା-

Image

 

ଏକବିଂଶ ପରିଚ୍ଛେଦ

ପୁନର୍ମୂଷିକୋଭିବ

ପ୍ରାତଃକୃତ୍ୟ ସମାପନ ପରେ ଅହଲ୍ୟାବାଈ ଦୁର୍ଗ ଅବରୋଧ ଲାଗି ଆଦେଶ ଦେଲେ । ମହାରାଷ୍ଟ୍ର ବୀରଗଣ ନବ ଉତ୍ସାହରେ, ନବ ତେଜରେ ମାତି ଉଠିଲେ । ଏତିକି ବେଳେ ଜମାନ ଖାଁ କୁର୍ଣ୍ଣିସ କରି ଜଣାଇଲେ, ‘‘ମଣିମା, ରାଧାକାନ୍ତ ରାଓ ଛାମୁଙ୍କ ଦର୍ଶନ ଅଭିପ୍ରାୟରେ ଆସିଛନ୍ତି ।’’ ରାଣୀ ଭୁଜଙ୍ଗିନୀ ତୁଲ୍ୟ ଗର୍ଜି ଉଠି କହିଲେ ‘‘ଯାଅ ଜମାନ, ରାଧାକାନ୍ତଙ୍କୁ ଜଣାଇ ଦିଅ, ସେ ରାଜଦ୍ରୋହୀ, ଅବିଶ୍ଵାସୀର ମୁଖାବଲୋକନ କଲେ ପାପ ହେବ । ସେ ଶ୍ୟାମସୁନ୍ଦରଙ୍କୁ ଛାଡ଼ି ଦେବାକୁ ଯେ ପତ୍ର ଦେଇଥିଲେ, ମୋ ବିରୁଦ୍ଧରେ ରଘୁନାଥ ରାଓଙ୍କ ସହିତ ଯେ ଷଡ଼ଯନ୍ତ୍ର କରିଥିଲେ, ତାହା ସମସ୍ତ ଜଣା ପଡ଼ିଛି । ବର୍ତ୍ତମାନ ସେ ରଘୁନାଥଙ୍କ ପକ୍ଷ ଅବଲମ୍ବନ କଲେ ତାଙ୍କର ଆହୁରି ମଙ୍ଗଳ ହେବ । ଏଠାକୁ କାହିଁକି ଆସିଛନ୍ତି ?’’ ରାଣୀଙ୍କର ଅକାରଣ କ୍ରୋଧରେ ଜମାନ ଖାଁ ବ୍ୟଥିତ ହେଲେ । ରାଧାକାନ୍ତ ମଧ୍ୟ ତାଙ୍କୁ ନିଜ ଯୁଦ୍ଧ ଯାତ୍ରାର ଘଟନାବଳୀ ଗୋପନରେ କହି ସେହିଠାରେ ଅବସ୍ଥାନ କଲେ । କ୍ରମେ ରାଣୀଙ୍କର ବିଜୟ ହେବ ବୋଲି ଚତୁର୍ଦ୍ଦିଗରେ ରାଷ୍ଟ୍ର ହେଲା । ବିପକ୍ଷର ସେନା କ୍ଷୟ ସଙ୍ଗେ ସଙ୍ଗେ ଖାଦ୍ୟ ସାମଗ୍ରୀ ମଧ୍ୟ ନିଃଶେଷ ହୋଇ ଆସିଲା । ତୃଷ୍ଣା ନିବାରଣ ଲାଗି ସେମାନେ ବିନ୍ଦୁଏ ହେଲେ ଜଳ ପାଇ ପାରିଲେ ନାହିଁ । ପାଞ୍ଚ ସ।ତ ଦିନ ଅନଶନ କରି ରାଜପୁତ ସେନା ଆଉ ଯୁଦ୍ଧ କରିବେ କଅଣ, ବରଂ ଦୁର୍ଗ ତ୍ୟାଗ କରିବାକୁ ଉପାୟ ଚିନ୍ତା କରୁଥିଲେ । ଏଣେ ମରହଟ୍ଟାର ଆଗ୍ନେୟାସ୍ତ୍ରରେ ଦୁର୍ଗପ୍ରଚୀର ସ୍ଥାନେ ସ୍ଥାନେ ବିଦୀର୍ଣ୍ଣ ହୋଇଗଲା । ଅନାହାର ପୁଣି ବିପଦ ଏକ ସମୟରେ ସେମାନଙ୍କୁ ବିଚଳିତ କରି ପକାଇଲା । ସେମାନେ ଉତ୍ତମରୂପେ ବୁଝି ପାରିଲେ, ରାଣୀ କଦାପି ଆଉ ସନ୍ଧି ପ୍ରସ୍ତାବ କରିବେ ନାହିଁ । ସୁତରାଂ ଆଉ ବିଜୟର ଆଶା ନାହିଁ ଭାବି ଉଦୟପୁର ରାଣା ଫେରିବାକୁ କୃତନିଶ୍ଚୟ ହେଲେ । ରାଣୀ ଶତ୍ରୁର ଗୁପ୍ତ ଅଭିସନ୍ଧି ଜାଣିପାରି ବିଜୟଶ୍ରୀ ସୁନିଶ୍ଚିତ ବୋଲି ଭାବି ଆନନ୍ଦିତ ହେଉଥିଲେ । ଯଶୋବନ୍ତଙ୍କର ଭୀଲ ଦମନ ସମ୍ବାଦ ତାଙ୍କ ପ୍ରାଣରେ ଅପୂର୍ବ ଆନନ୍ଦ ଢାଳି ଦେଉଥିଲା । କେବଳ ଶେଆଜୀଙ୍କ ବିଷୟ ଉତ୍ତମରୂପେ ଜାଣିବା ଲାଗି ବାମନଭଟ୍ଟ ଠାରୁ ତାଙ୍କର ଆବାସସ୍ଥଳ ବୁଝିନେଇ ଜମାନ ଖାଁଙ୍କୁ ରାଜଦୂତରୂପେ ପ୍ରେରଣା କଲେ । ଲିମ୍ବପୁରଠାରୁ ଶେଆଜୀଙ୍କ ଆବାସ ସାତ ଦିନର ପଥ । ଯୁବକ ଜମାନ ଖାଁ ଉପଯୁକ୍ତ ସହଚର ସହିତ ଅରଣ୍ୟ ମାର୍ଗରେ ଅଗ୍ରସର ହେଲେ । ତିନିଦିନ କାଳ ଅବିଶ୍ରାନ୍ତ ଚାଲି ଚାଲି ଅବଶେଷରେ ସେହି ପର୍ବତର ଶିଖର ଦେଶରେ ପହଞ୍ଚିଲେ ।

 

ଛଦ୍ମବେଶଧାରିଣୀ ସୀତାର ଛୁରୀକା ଘାତରେ ଶେଆଜୀ ଶଯ୍ୟାଗତ । ଗଣ୍ଡା ତାଙ୍କ ଦୁଃଖକୁ ଭ୍ରୂକ୍ଷେପ ନକରି ନିଷ୍କ୍ର।ନ୍ତ ହେବା ପରେ ବେଦନାଗ୍ରସ୍ତ ଶେଆଜୀ ବହୁ କଷ୍ଟରେ ଉଠି ଜଣେ ଭୀଲ ପ୍ରହରୀ ସାହାଯ୍ୟରେ କ୍ଷତର ଉପଚାର କଲେ । ଭାବିଲେ-- ଏ ଦୁର୍ବଳତା କମିଗଲେ ମୁଁ (ଏ ରାକ୍ଷସ କବଳରୁ ମୁକ୍ତ ହୋଇ ଭିକ୍ଷା ଆଶ୍ରୟ କରିବି ପଛକେ,) ଏ ରାଜ୍ୟ, ଏ ସିଂହାସନ, ଏ ପଦବୀ ମୋର କିଛି ଲୋଡ଼ା ନାହିଁ । ବରଂ ବିଶ୍ୱେଶ୍ୱରଙ୍କ ଆଶ୍ରୟ ନେଲେ ଅନ୍ତିମ ଜୀବନ ସୁଖକର ହେବ । ବର୍ତ୍ତମାନ ଭୀଲମାନେ କ୍ରମେ କ୍ରମେ ଯଶୋବନ୍ତଙ୍କ ଶାଣିତ କରବାଳ ଧାରରେ ଧରାଶାୟୀ ହୋଇଛନ୍ତି । ଏମାନଙ୍କ ସଂଖ୍ୟା ହ୍ରାସ ହୋଇଗଲେ ଗଣ୍ଡା ଓ ତ।ନ୍ତିଆ ଧରା ପଡ଼ି ପ୍ରାଣଦଣ୍ଡ ପାଇବେ । ହାୟ, ସେତେବେଳେ ମୋ ଭଳି ବିପନ୍ନ ନିଃସହାୟର ଦଶା କଣ ନହେବ ?

 

ଶେଆଜୀ ଏହିପରି ଚିନ୍ତା ରାଜ୍ୟରେ ବିଚରଣ କରୁ କରୁ ଦେଖିଲେ ତାଙ୍କ ଭବିଷ୍ୟତ ଅନ୍ଧକାରମୟ । ସେ କେବଳ ଦୀର୍ଘ ନିଶ୍ୱାସ ପରେ ନିଶ୍ୱାସ ତ୍ୟାଗ କରିବାକୁ ଲାଗିଲେ । ପ୍ରହରୀ ହଠାତ ସମ୍ବାଦ ଦେଲା, ‘‘ମହାରାଜ, ଜମାନ ଖାଁ ରାଜଦୂତରୂପେ ଛାମୁଙ୍କ ସାକ୍ଷାତ ଅଭିଳାଷରେ ।’’ ଶେଆଜୀଙ୍କ ହୃଦୟ ପରିବର୍ତ୍ତିତ ହୋଇଗଲା । ସେ ଭାବିଲେ, ବୋଧହୁଏ ଅହଲ୍ୟା ସନ୍ଧି ପ୍ରସ୍ତାବ କରି ପଠାଇଛନ୍ତି । ତାହା ହେଲେ ଅବଶ୍ୟ ମୋର ଭାଗ୍ୟ ପରିବର୍ତ୍ତିତ ହେବ । ସେ ବିଚାରି ଦୀର୍ଘସ୍ଵରରେ କହିଲେ, ‘‘ପ୍ରବେଶ କରାଅ, ପ୍ରହରୀ ।’’ ଜମାନ ଖାଁ ପ୍ରବେଶ କଲେ । ଶେଆଜୀଙ୍କୁ କୁର୍ଣ୍ଣିସ କରି ଯଥାସ୍ଥାନରେ ଉପବିଷ୍ଟ ହେବା ପରେ କହିଲେ, ‘‘ମହାରାଜ, ଆପଣଙ୍କୁ କେତେକ ଗୁପ୍ତକଥା କହିବାର ଅଛି । ଆପଣ ଦୟା କରି ଭୀଲ ସୈନିକମାନଙ୍କୁ (ଏଠାରୁ ଅନ୍ତର କରି ଦିଅନ୍ତୁ । ମୁଁ ମଧ୍ୟ ମୋ ସହଚରମାନଙ୍କୁ) ସେହି ଆଦେଶ ଦେଉଛି ।’’ ଶେଆଜୀ ସମ୍ମତ ହେଲେ । ଭୀଲ ଓ ମରହଟ୍ଟା ସୈନିକମାନେ ସେଠାରୁ ବାହାରି ଗଲେ । ଜମାନ ଖାଁ କହିଲେ, ‘‘ମହାରାଜ, ରାଣୀଙ୍କ ପାଇଁ କିଛି ବ୍ୟବସ୍ଥା କରନ୍ତୁ । ତାଙ୍କ ଅରୂପ ଲାବଣ୍ୟବତୀ କନ୍ୟାଙ୍କ କଥା ତ ବୋଧ ହୁଏ ଜାଣିଥିବେ-।’’

 

‘‘ରାଣୀଙ୍କୁ ଦୁଇ ତିନିଖଣ୍ଡି ଜ।ୟଗିର ଦେଇପାରେ । ସେ ରାଜ୍ୟ ତମାମ ମୋ ଶାସନରେ ଛାଡ଼ିଦେଇ ଇନ୍ଦୋର ପରିତ୍ୟାଗ କଲେ ରକ୍ଷା । ନଚେତ ସନ୍ଧି-ପ୍ରସଙ୍ଗ ଏଠାରେ ଉତ୍‌ଥାପନ କର ନାହିଁ ।’’

 

‘‘ବିଚାରି ନିରାଶ୍ରୟା, ସହାୟ ସମ୍ବଳଶୂନ୍ୟା ନାରୀକୁ ଏତେ ଦୁଃଖ କଷ୍ଟ ଦେବା କଣ ରାଜାର ଧର୍ମ ? ଆଉ କି ଚୁକ୍ତି ଥିଲେ ପ୍ରକାଶ କରନ୍ତୁ ।’’

 

‘‘ମୁକ୍ତାବାଈଙ୍କି ଯଦି ମୋତେ ଅର୍ପଣ କରନ୍ତି, ତାହାହେଲେ ରାଣୀଙ୍କୁ ରାଜ୍ୟ ଦେବି, ଭରଣପୋଷଣ ଲାଗି ବନ୍ଦୋବସ୍ତ କରିବି ।’’

 

‘‘ହେଲା, ସେ ଯଦି ଏ ସମୃଦ୍ଧିଶାଳୀ ସାମ୍ରାଜ୍ୟ ଆପଣଙ୍କୁ ଅର୍ପଣ କରନ୍ତି, ତାହାହେଲେ ଆପଣ ଏ ବିନିମୟରେ ତାଙ୍କୁ କଅଣ ଦେବ ?’’

 

‘‘ପ୍ରତି ମାସିକ ଏକ ସହସ୍ର ମୁଦ୍ରା ବୃତ୍ତି ଦେଇପାରେ । ଏହା ଭିନ୍ନ ଆଉ କିଛି ବନ୍ଦୋବସ୍ତ କରି ପାରିବି ନାହିଁ ।’’

 

‘‘ରାଣୀଙ୍କର ପୋଷ୍ୟପୁତ୍ର ହେବାକୁ ଆପଣ ସମ୍ମତ ଅଛନ୍ତି ?’’

 

‘‘ବିଚାର କରି ଦେଖିବି । ମୁଁ କିନ୍ତୁ ମାତୃ ଦୃଷ୍ଟିରେ ତାଙ୍କୁ ଦେଖିବାକୁ ଇଛୁକ ନୁହେ ।’’

 

ଶେଆଜୀ ଜମାନ ଖାଁଙ୍କ ବ୍ୟବହାରରେ ଅତି ଗର୍ବିତ ହୋଇ ପଡ଼ିଲେ । ପରେ ତାଙ୍କୁ ପ୍ରଶଂସା କରି କହିଲେ, ‘‘ମୁଁ ତୁମର ବ୍ୟବହାରରେ ଅତି ପ୍ରୀତ ହୋଇଅଛି । ରାଜସଭାର ଗୌରବ ରକ୍ଷା ବିଷୟ ଓ ରାଜଭକ୍ତିରେ ତୁମେ ଭାରି ନିପୁଣ । ତା ନୋହିଥିଲେ ଏଠାରେ ତୁମକୁ ହତ୍ୟା କରାଯାଇଥାନ୍ତା । ତୁମେ କଣ ପ୍ରକୃତରେ ଚତୁର ନା ପ୍ରବଞ୍ଚକ ?’’ ଖାଁ କ୍ରୋଧରେ ଜଳି ଉଠିଲେ । ତାଙ୍କର ମୁଖଶ୍ରୀ ଅରୁଣ ବର୍ଣ୍ଣ ଧାରଣ କଲା । ସେ ଭ୍ରୂକୁଟି ଭଙ୍ଗୀକରି କହିଲେ ‘‘ବେଶ ଜ।ଣେ, ଆଉ ଅଧିକ କିଛି କହିବା ଆବଶ୍ୟକ ନାହିଁ । ପ।ପିଷ୍ଠ, ତୁ ପୁଣି ହୋଲକାର ତୁ ପୁଣି ରାଜା ? ପୁଣ୍ୟମୟୀ ଅହଲ୍ୟାଙ୍କ ଭବିଷ୍ୟତ ଜୀବନ ପୁଣି ତୋ ଉପରେ ନିର୍ଭର କରେ ? ରାଜଦ୍ରୋହୀ, କାପୁରୁଷ, ଏବେ ପ୍ରତିଫଳ ଭୋଗ କର ।’’ କହୁଁ କହୁଁ ଜମାନ ଖାଁ ଶେଆଜୀଙ୍କୁ ତଳେ ପକାଇ ଦେଲେ । ତାଙ୍କର ଦୁଇହାତ ପଛଆଡ଼ୁ ବାନ୍ଧି ଦେଇ, ତାଙ୍କ ବକ୍ଷ ଉପରେ ଶାଣିତ ତରବାରୀ ଦେଖାଇ 'ତୁ ତେବେ ଏ ଦେଶର ଶାସକ ମରହଟ୍ଟା ପ୍ରଭୁ- ନୁହେ ? ଏଇଠାରେ ତୋର ଶେଷ ନିଶ୍ୱାସ' ଏ ବୀରବାଣୀ ଉଚ୍ଚାରଣ କଲେ । ପରେ ଭୃତ୍ୟମାନଙ୍କୁ ଶିବିକା ଆଣିବା ପାଇଁ ଆଦେଶ ଦେଲେ ।

 

ସର୍ପ ଗର୍ଭଗତ ମଣ୍ଡୁକ ତୁଲ୍ୟ ଶେଆଜୀଙ୍କ କରୁଣ ଚିତ୍କାର ଶୁଣିବା ମାତ୍ରେ ଗଣ୍ଡାଭୀଲ ଧାଇଁ ଆସିଲା । ଭୀଲମାନଙ୍କର ଅଟ୍ଟହାସ ସହି ନପାରି ଜମାନ ଖାଁ ଗୁଳି ବର୍ଷଣ ଲାଗି ଆଦେଶ ଦେଲେ । ଶୀଘ୍ର ମରହଟ୍ଟା ଓ ଯବନ ସେନା ନିଜ ନିଜର ବନ୍ଧୁକ ପ୍ରସ୍ତୁତ କରି ଧାଇଁ ଆସିଲେ । ସେମାନେ ତମ୍ବୁର ଦ୍ୱାରଦେଶ ବେଷ୍ଟନ କରି ଭୀଲମାନଙ୍କୁ ଭିତରକୁ ଛାଡ଼ିଦେଲେ ନାହିଁ । ଭୀଲ ସେନା ପ୍ରବାହ ମରହଟ୍ଟା ସୈନ୍ୟବନ୍ଧରେ ସ୍ଥଗିତ ହେଲା । ତମ୍ବୁ ଭିତରୁ କେବଳ ଶୁଭିଲା ଅର୍ଦ୍ଧମୃତ ଶେଆଜୀଙ୍କର କରୁଣ ଚିତ୍କାର । କିନ୍ତୁ ଖାଁଙ୍କ ହୃଦୟ ରାଜଦ୍ରୋହୀ ପ୍ରତି ନିର୍ମମ ନିଷ୍ଠୁର ସୁତରାଂ ଶେଆଜୀଙ୍କ ଅନୁନୟ ଓ ବିକଳ ବିଳାପ ନାଦ ତାଙ୍କୁ ବିଚଳିତ କରି ପାରିଲା ନାହିଁ । ଭୀଲ ଓ ମରହଟ୍ଟାମାନଙ୍କ ମଧ୍ୟରେ ତୁମୁଳ ସଂଗ୍ରାମ ଆରମ୍ଭ ହେଲା । ସୈନ୍ୟ ରାଶିର କୋଳାହଳ, ବନ୍ଧୁକର ଧାମ ଧାମ ଶବ୍ଦ, ତୀକ୍ଷ୍ଣ ଶର ରାଶିର ରାଇଁ ରାଇଁ ଧ୍ୱନିରେ ଆକାଶ ବିଦୀର୍ଣ୍ଣ ହୋଇଗଲା । ସେଦିନ ଏକଶତ ଭୀଲ ପ୍ରାଣ ତ୍ୟାଗ କଲେ । ଗୋଟିଏ ଗୁଳାରେ ଗଣ୍ଡାର ଗୋଟିଏ କାନ ଛିଣ୍ଡିଗଲା । ସେ ଆତଙ୍କରେ ପ୍ରାଣରକ୍ଷା ଲାଗି ଗୁହା ଭିତରକୁ ପଳାଇ ଗଲା । ହତାବଶିଷ୍ଟ ଭୀଲମାନେ ସର୍ଦ୍ଦାରର ଦୁର୍ବଳତା ବୁଝି ପରି ଅଦୃଶ୍ୟ ହୋଇଗଲେ । ସଙ୍ଗେ ସଙ୍ଗେ ଶେଆଜୀଙ୍କର ସମସ୍ତ ସାହସ, ଦମ୍ଭ ଚୂର୍ଣ୍ଣିଭୂତ ହୋଇଗଲା ।

 

ମରହଟ୍ଟା ସୈନିକମାନେ ମୃତ ଭୀଲମାନଙ୍କର ଶିଙ୍ଗ। ହାତୀଦାନ୍ତ ପ୍ରଭୃତି ଆହରଣ କରି ବିଜୟ ଭେରୀ ନାଦରେ ଆକାଶ ପାତାଳ କମ୍ପିତ କଲେ । କେଉଁଠାରୁ ଏକ ଶିବିକା ଅଣାଇ ସେଥିରେ ଶେଆଜୀଙ୍କୁ ବସାଇ ଜମାନ ଖାଁ ସେ ସ୍ଥାନ ତ୍ୟାଗକଲେ । ଠିକ ଚାରିଦିନ ପରେ ସେ ଲିମ୍ବପୁରରେ ପହଞ୍ଚି ଆଗମନ ସମ୍ବାଦ ରାଣୀଙ୍କୁ ଜଣାଇଲେ । ରାଣୀ ଜମାନ ଖାଁ ଜୟଯୁକ୍ତ ହୋଇ ଫେରିଛନ୍ତି ଶୁଣି ତାଙ୍କୁ ଗୋଟିଏ ସୁବର୍ଣ୍ଣ ମୁଦ୍ରିକା ଉପହାର ଦେଲେ, ଏବଂ ଶୀଘ୍ର ଶେଆଜୀଙ୍କ ସହିତ ଦରବାରକୁ ଆସିବା ଲାଗି ଆଦେଶ ପଠାଇଲେ ।

 

ନିର୍ଜ୍ଜିବ, ଶୃଙ୍ଖଳାବଦ୍ଧ ଶେଆଜୀ ରାଜସଭାକୁ ଆନୀତ ହେଲେ । ରାଣୀ କହିଲେ,’’ଜମାନ ଖାଁ, ଶେଆଜୀ ମୋର ଜ୍ଞାତି, ତାଙ୍କର ଏ ଦୁରବସ୍ଥାରେ ମୁଁ ବଡ଼ ଦୁଃଖିତ । ଯେ ମୋତେ ମାସିକ ବୃତ୍ତି ଦେବାକୁ ଉପଯୁକ୍ତ, ସେ ଆଜି ମୋ ସମ୍ମୁଖରେ ବନ୍ଦୀ । ଏ କଣ କମ ଅପମାନ! ଦୟା କରି ତାଙ୍କର ବନ୍ଧନ ଉନ୍ମୋଚନ କର ।’’ ଶେଆଜୀ ଆନନ୍ଦିତ ହେଲେ । ଜମାନ ଖାଁଙ୍କର ଅନ୍ୟାୟ।ଚରଣ ରାଣୀଙ୍କୁ ଜଣାଇ କହିଲେ, ‘‘ମଣିମା, ଆମେ ଦୁହେଁ ଏକ ପରିବାରର, ଏକ ବଂଶର ସନ୍ତାନ । ଯବନ ତା ଭୁଲିଯାଇ ମୋ ପ୍ରତି ଯେ ବ୍ୟବହାର କରିଛି, ମୋତେ ଯେ ଅପମାନ ଦେଇଛି ତାର ପ୍ରତିଶୋଧ ନକଲେ ମୁଁ ହୋଲକାର ନୁହେ ।’’

 

ସଭାସଦବର୍ଗ ହସି ଉଠିଲେ । ରାଣୀ ଗମ୍ଭୀରତା ଅବଲମ୍ବନ କରି କହିଲେ,’’ହେଉ, ମୁଁ ତାର ସମସ୍ତ ବ୍ୟବସ୍ଥା କରିବି । ଜମାନ ଖାଁ, ବର୍ତ୍ତମାନ ବନ୍ଦୀକୁ କାରାଗାରକୁ ନିଅ ।’’ ରାଣୀଙ୍କ ଆକସ୍ମିକ ପରିବର୍ତ୍ତନ ଶେଆଜୀଙ୍କର ଭାବାନ୍ତର ସୃଷ୍ଟି କଲା । ସେ ଯବନ ପ୍ରହରୀ ପରିବେଷ୍ଟିତ ହୋଇ କାରାଗାରକୁ ପ୍ରସ୍ଥାନ କଲେ ।

Image

 

ଦ୍ୱାବିଂଶ ପରିଚ୍ଛେଦ

ମୃତ୍ୟୁମୁଖରୁ ରାଣୀଙ୍କ ଉଦ୍ଧାର

ଦୌଲତଙ୍କ ଷଡଯନ୍ତ୍ରରେ ଓ ରାଜପୁତମାନଙ୍କ ଆକ୍ରମଣର ପରିଣାମରେ ବିପରୀତ ଫଳ ଘଟିବାରୁ ଅହଲ୍ୟାଙ୍କର ଚିରପୋଷିତ କାମନା ଏତେଦିନେ ଫଳବତୀ ହେଲା । ରାଜପୁତମାନେ ତଥା ପ୍ରଜାବର୍ଗ ଦୌଲତଙ୍କୁ ଅବିଶ୍ୱାସୀ, କୁଟିଳ ପ୍ରକୃତି ମନେ କରି ତ୍ୟାଗ କରିବାକୁ ବସିଲେ । ତାଙ୍କର ସମସ୍ତ ଚକ୍ରାନ୍ତ ବିଫଳ ହେଲେ ମଧ୍ୟ ସେ ରାଜପୁତମାନଙ୍କୁ ଲିମ୍ଵପୁର ଅବରୋଧ ଲାଗି ବାରମ୍ବାର ଊତ୍ସ।ହିତ କରୁଥିଲେ ।

ମହାରଣା ବିଜୟ ଲାଭର କୌଣସି ସୂଚନା ନପାଇ ଅନୁତାପଗ୍ରସ୍ତ ଥିବା ସମୟରେ ବେତାଳ ସିଂହ ଅଭିବାଦନ ଜଣାଇ କହିଲା, ‘‘ମହାରାଜ, କୁଟିଳ ପ୍ରକୃତି ଦୌଲତ ଶୀଘ୍ର ଏଠାରୁ ବାହାରି ଯିବା ଆବଶ୍ୟକ । ତାଙ୍କୁ ବିଦାୟ ନଦେଲେ ଛାମୁଙ୍କର କ୍ଷତି ଅବଶ୍ୟମ୍ଭାବୀ । ମୁଁ ମହାରାଜଙ୍କ ସକାଶେ ପ୍ରାଣ ଉତ୍ସର୍ଗ କରିବି । ହୋମୋଜୀଙ୍କ (କଥାରେ ବିଶ୍ୱାସ ରଖି ଛାମୁ ଉତ୍ସାହିତ) ହୋଇ ଏଠାକୁ ଆସିଛନ୍ତି, ମୁଁ ମୋର ଶେଷ ଚେଷ୍ଟା କରିବି । ଏ ରାତ୍ରିରେ ରାଜପୁତର ଜୟ, ନୋହିଲେ ମୁଁ ଆଉ ବେତାଳ ସିଂହ ନୁହେ । ମହାରଣାଙ୍କ ପଦ ସ୍ପର୍ଶକରି କହୁଛି, ପୂଜ୍ୟପାଦ ପ୍ରାତଃସ୍ମରଣୀୟ ବାପ୍ପାରାଓଙ୍କ ନାମରେ ଶପଥ କରି କହୁଛି, ନିଶ୍ଚୟ, ନିଶ୍ଚୟ ରାଜପୁତ ଜୟଯୁକ୍ତ ହେବ । ଏ ଭୃତ୍ୟକୁ ଆଦେଶ ଦିଅନ୍ତୁ, ରାଣା ।’’

ବେତାଳ ସିଂହ ଏପରି କହିବା ସଙ୍ଗେ ସଙ୍ଗେ ଅତି ଧୀର ଓ ବିନୀତ ଭାବରେ ରାଣାଙ୍କୁ କେତେ କଥା କହି ଗଲା । ରାଣା ଦୀର୍ଘ ରବରେ କହିଲେ, ‘‘ଯାଅ ବେତାଳ, ରାଜପୁରର ଗୌରବ ରକ୍ଷା କର । ତୁମ ଚକ୍ରାନ୍ତ ଫଳରେ ଉଦୟପୁରର ପ୍ରାଚୀନ ମହିମା ଓ ବୀରତ୍ୱ ରକ୍ଷିତ ହେଉ ।’’

 

ବୈରାନଳ ପ୍ରଶମିତ ହେଲା । ପ୍ରଚଣ୍ଡ ମାର୍ତ୍ତଣ୍ଡର ରଶ୍ମି ଜାଲରେ ପୃଥିବୀ ଉତ୍ତପ୍ତ ହେବା ସଙ୍ଗେ ସଙ୍ଗେ ମଧୁମୟୀ ସନ୍ଧ୍ୟା ପ୍ରାଚୀ ଦିଗରେ ତାଙ୍କର ଅବଗୁଣ୍ଠନ ଉନ୍ମୁକ୍ତ କରିଦେଲେ । କୃଷ୍ଣପକ୍ଷ ରାତ୍ରି, ଚନ୍ଦ୍ରାଲୋକ ନାହିଁ । ଏକ ପ୍ରହର ପରେ ମୁକ୍ତାବାଈ ନିଦ୍ରିତା ହେଲେ । ରାଣୀ ଶୟନ କକ୍ଷରେ ଥାଇ ନିକଟସ୍ଥ ପୌଢ଼ାକୁ ପ୍ରଶ୍ନ କଲେ, ‘‘ତୁ କାହିଁକି ଏତେ ଦୁଃଖିତ ହେଉଛୁ, ଯମୁନା ? ଯୁଦ୍ଧ ତ ସରିଲାଣି । ଶିବନାନାଙ୍କୁ ଡକାଇ ତୋ ଆପତ୍ତି ପଚାରି ବୁଝିବି ଯେ, ଚିନ୍ତା କରନା ? ଆହା ! ବ।ତ୍ସଲ୍ୟରୁ ବଳି ପଦାର୍ଥ ଜଗତରେ ନାହିଁ । ପଶୁ ପକ୍ଷୀ ଇତର ଜନ୍ତୁ ମଧ୍ୟରେ ମଧ୍ୟ ବ।ତ୍ସଲ୍ୟର ଗୋଟିଏ ମଧୁମୟ ତରଙ୍ଗ ଖେଳିବୁଲେ । ଜୀଵଶ୍ରେଷ୍ଠ ମନୁଷ୍ୟ ପକ୍ଷରେ ଅଧିକ ବା କଣ । ଆଛା, ଯମୁନା ଏତେ ଦିନ ତ ଗଲାଣି, ଆଜି ଏ ରାତିକ ଯାଉ, ଯା ଶୋଇପଡ଼ ।’’

 

‘‘ମା, ମୋତେ ନିଦ ହେବ କିପରି ? ଏତେ ଦିନ ହେଲା ଅନ୍ନ କଣ ଜାଣିଲି ନାହିଁ । ପୁତ୍ର ଭିକ୍ଷା ନଦେଲେ ଆଉ ଏ ଜୀବନ ରଖି ଲାଭ କଣ ।’’ ଏହା କହି ଯମୁନା ପାଦତଳେ ପଡ଼ିଗଲା । ତା ବିଳାପରେ ରାଣୀ ବିଚଳିତ ହୋଇ ସାନ୍ତ୍ୱନା ଦେଲେ । ନିକଟସ୍ଥ ବିଛଣାରେ ନେଇ ଶୁଆଇ ଦେଲେ-। କ୍ରମେ ରଜନୀ ଅର୍ଦ୍ଧଯାମରେ ଉପନୀତ ହେଲା । ମୁକ୍ତା ଓ ଅହଲ୍ୟା ବାଈ ନିଶ୍ଚିନ୍ତ ହୋଇ ନିଦ୍ରିତ ହେଲେ ।

 

ଦୌଲତ ରାଓ ସେହି ରାତ୍ରିରେ ଅନିଦ୍ରା ଓ ଅନାହାରରେ ରହି ନିଜର ଦୁରବସ୍ଥା ଚିନ୍ତା କଲେ । ସେ ପାଗଳ ତୁଲ୍ୟ ବ୍ୟାକୁଳ ପ୍ରାଣରେ ପଦଚାଳନ କରି କ୍ଳାନ୍ତ ହେବାରୁ ଏକ ସ୍ଥାନରେ ବସି ଭାବିଲେ, ଆହା ! ମୁଁ ରାଜଦ୍ରୋହ କଲି କାହିଁକି ? ମୋ ପରି ହତଭାଗ୍ୟ କିଏ ଅଛି ? ରାଜପୁତ ମୋତେ ଅବିଶ୍ୱାସ କଲା । ମୁଁ କୌଣସି ସାହାଯ୍ୟ କରି ନାହିଁ । ଏପରି ସ୍ଥଳେ ମୋ ଭଳି ଅକର୍ମା, ଅସମର୍ଥକୁ ସେମାନେ ବିଶ୍ୱାସ କରନ୍ତେ କିପରି ? କମଳା ପ୍ରତି ମୋର ମମତ। କାହିଁକି ଜନ୍ମିଲା ? ମୋର ସତୀ, କୁଳଲକ୍ଷ୍ମୀ, ଦୁର୍ଗା ବାଈ ପ୍ରାଣରେ ମୁଁ ପାପିଷ୍ଠ କି ଅଶାନ୍ତି, ଉତ୍ତେଜନା, ଅନୁତାପ ସୃଷ୍ଟି କରି ନାହିଁ ? କିନ୍ତୁ ପରମସ୍ଵାଧୀ ଦୁର୍ଗା ତାର ଅତୁଳନୀୟ ସହିଷ୍ଣୁତା ବଳରେ ସେଥି ପ୍ରତି ଭ୍ରୂକ୍ଷେପ ନକରି ମୋ ଭଳି କୃତଘ୍ନ, ନରପିଶାଚ, ନିଦାରୁଣ, ବିଶ୍ୱାସଘାତକ ପ୍ରତି ସାନ୍ତ୍ୱନାର, ଉପଦେଶ-ଅମୃତର ଗୋଟିଏ ମନ୍ଦାକିନୀ ଧାରା ଢାଳି ଦେଇଥିଲା । କିନ୍ତୁ ମୁଁ ଜଘନ୍ୟ ମନ୍ଦୋଦରୀଙ୍କ ହିତୋପଦେଶ ଲଙ୍କେଶ୍ୱର ଭ୍ରୂକ୍ଷେପ ନକଲା ପରି ପତିବ୍ରତା ଦୁର୍ଗା ବାଈଙ୍କ ନୀତି ଶିକ୍ଷା ଗ୍ରହଣ କଲି ନାହିଁ । ତା'ରି ଫଳରେ ମୃତ୍ୟୁର କରାଳ ବିଭୀଷିକା ବର୍ତ୍ତମାନ ମୋତେ ଗ୍ରାସ କରିବାକୁ ବସିଲାଣି । ମୁଁ ରାଜଦ୍ରୋହ, ଷଡ଼ଯନ୍ତ୍ର; ଅବିଶ୍ୱାସର ପାପରାଶିରେ ଭାରାକ୍ରାନ୍ତଜୀବନ ରକ୍ଷା କରିବା ଅପେକ୍ଷା ମର୍ତ୍ତ୍ୟ ଭୂମିରୁ ବିଦାୟ ନେବା ଭଲ । ମାତ୍ର ନିରପରାଧ ଶେଆଜୀ ଆଜି କଣ କରୁଥିବ ? ତା ଲାଗି ରାଣୀଙ୍କ ନିକଟରେ କ୍ଷମା ଭିକ୍ଷା କରିବି ? ସେ କଣ ମୋ ପରି ରାଜଦ୍ରୋହୀକୁ କ୍ଷମା କରିବେ ? ଅସମ୍ଭବ । ଏ ପ୍ରଳାପ ବୃଥା । ହାୟ ଧୁଣ୍ଡି ରାଓ ! ତୁମେ ଆଜି କେଉଁଠାରେ ? ତୁମ ମନ୍ତ୍ରଣା ଉପରେ ନିର୍ଭର କରି ମୁଁ ସେ ମାୟାଜାଲ ବିସ୍ତାର କରିଥିଲି ତା ଆଜି ଛିନ୍ନଭିନ୍ନ, ଧ୍ୱସ୍ତ । ହାୟ, ବିଧାତା ମୋ ଭଳି ପାପୀକୁ ପ୍ରେତଲୋକରେ ମଧ୍ୟ ସ୍ଥାନ ନାହିଁ !

 

ଅନୁତାପଗ୍ରସ୍ତ ଦୌଲତଙ୍କ ପାଖକୁ ବେତାଳ ସିଂହ ହଠାତ ଯାଇ କହିଲା, ‘‘ତୁମ ପାଖରେ ପରା କେତେ କାମ ଅଛି । ତେଣେ ରାଣା କେତେକ ଗୁପ୍ତ ବିଷୟ କହିବା ଲାଗି ଚାହିଁ ବସିଛନ୍ତି । ଥରେ ସେ ଦୁର୍ଗ ପ୍ରାଚୀର ଆଡ଼କୁ ଚାଲିଲା ।’’ ଭୀତତ୍ରସ୍ତ ଦୌଲତ ଏକାକୀ ଯିବା ଲାଗି ଅନିଛୁକ ହେଲେହେଁ ବେତାଳ ସିଂହ ତାଙ୍କୁ ଇତସ୍ତତଃ କରି ପକାଇଲେ । ସୁତରାଂ ଉଭୟେ ପ୍ରାଚୀର ଉପରକୁ ଉଠିଲେ । ଦୌଲତ ଥରେ ବହିର୍ଭାଗକୁ ଦୃଷ୍ଟିପାତ କରି ଦେଖିଲେ ମହା ନରକ ପରି ଦୁର୍ଗର ପରିଖା ଓ ଚତୁର୍ଦ୍ଦିଗସ୍ଥ ଘନୀଭୂତ ଅନ୍ଧକାର ତାଙ୍କ ପ୍ରାଣ ଆତଙ୍କିତ କରିଦେଲା । ଏତିକି ବେଳେ ଭୈରବ ସିଂହ ଆସି ତାଙ୍କୁ ବିଶେଷ ବିଚଳିତ କରିପକାଇଲା । ବେତାଳ ସିଂହ କହିଲା, ‘‘ଏତେ ଡରୁଛୁ କିଆଁ ? ମୁଁ ତୁମର ପରାମର୍ଶ ନେବାକୁ ଆସିଛି । କିଛି ଅନିଷ୍ଟ କରିବାକୁ ନୁହେଁ । ଅହଲ୍ୟାଙ୍କ ସେନାରେ କଣ ଗୋଟାଏ କୋଳାହଳ ଶୁଭୁଛି । ଦେଖ, କେତେ ଲୋକ ଧାଇଁଛନ୍ତି । ହେଇଟି ସେ ଦିଗକୁ ଚାହିଁ ।’’ ଅଙ୍ଗୁଳି ନିର୍ଦ୍ଦେଶ କରି ସେ ଦୌଲତଙ୍କୁ ଦେଖାଇ ଦେଲେ । ଦୌଲତ ପାଗଳ ପରି ଅନାଇଁ କହିଲେ, ‘‘ହଁ, ହଁ ସେମାନେ ଧାଇଁବାର ଦେଖାଯାଉଛନ୍ତି ।’’ ଉତ୍ତର ଦେଲାବେଳେ ବେତାଳ ସିଂହ ଭୈରବକୁ ଇଙ୍ଗିତ ଦେଲେ । ଭୈରବାକୃତି ଭେରବ ଅତି ଶୀଘ୍ର କୃପାଣ କୋଷମୁକ୍ତ କରି ଦୌଲତଙ୍କ ମସ୍ତକ ଛେଦନ କଲେ । ଦୌଲତଙ୍କର ସ୍ଥୂଳ କଳେବର ପ୍ରାଚୀର ପୃଷ୍ଠରୁ ଭୀଷଣ ଶବ୍ଦ କରି ପରଖା ଦେହରେ ପଡ଼ିଗଲା । ବେତାଳ ବିପୁଳ ଆନନ୍ଦରେ ଚିତ୍କାର କରି କହିଲା, ‘‘ବନ୍ଧୁ, ଏ ଦୁରାତ୍ମା ଆମ୍ଭମାନଙ୍କୁ ଉତ୍କୋଚଗ୍ରାହୀ ବୋଲି ରାଣୀଙ୍କ ନିକଟରେ ପ୍ରକାଶ କରିବା ଲାଗି ଯତ୍ନ କରୁଥିଲା । ବର୍ତ୍ତମାନ କଣ୍ଟକ ଦୂରୀଭୂତ ହେଲା । ଚାଲ ଅନ୍ୟ କର୍ତ୍ତବ୍ୟରେ ।’’ ସେମାନେ ଚୁମ୍ବକରୁ ଚାଲିଯାଇ ତଳବାଟେ ଦୁର୍ଗରୁ ବାହାରିଗଲେ ।

 

ସେତେବେଳକୁ ରାତି ଠିକ ଦ୍ୱିପ୍ରହର । ଉଭୟ ସୈନ୍ୟରେ ପ୍ରହରୀମାନଙ୍କ ବ୍ୟତୀତ ସମସ୍ତେ ସୁପ୍ତ । ଶତ୍ରୁମାନେ ପରାସ୍ତ ହୋଇ ପରଦିନ ଲିମ୍ବପୁର ତ୍ୟାଗ କରିବାକୁ ଉଦ୍ୟତ ବୋଲି ଶୁଣି ମହାରାଣୀ ନିଶ୍ଚିନ୍ତ । ପ୍ରହରୀମାନେ କାହାରି ପ୍ରତି ଭ୍ରୂକ୍ଷେପ ନକରି ନିଦ୍ରିତ । ରାଣୀଙ୍କ ତମ୍ବୁରେ କୁମାର ବିୟୋଗ ବିଧୁର। ଯମୁନା ବ୍ୟତୀତ ଅନ୍ୟ କେହି ନଥିଲେ । ଯମୁନା ବାରମ୍ବାର ତମ୍ବୁ ଭିତରୁ ବାହାରକୁ ଓ ବାହାରରୁ ତମ୍ବୁକୁ ଯାତାୟାତ କରୁଥିଲା । ଜଣା ଯାଉଥିଲା ସେ ଯେପରି ଅନ୍ୟ କାହାର ପ୍ରତୀକ୍ଷାରେ ଅଛି । ଜମାନ ଖାଁ ସେ ଦିନ କୌଣସି ଦୁର୍ଘଟଣାର ଆଶଙ୍କା କରି ବରାବର ଯମୁନାର ଗତିବିଧି ଲକ୍ଷ୍ୟ କରୁଥିଲେ । ଯମୁନା ତିନି ଚାରି ଥର ତମ୍ବୁର ପଶ୍ଚାତ ଭାଗରେ କାହାକୁ ଅପେକ୍ଷା କରି ପୁଣି ତମ୍ବୁକୁ ଫେରି ଆସିଲା । ଆସୁ ଆସୁ ତା ପାଦରେ କିଛି ଗୋଟାଏ ବାଜିଲା । ସେ ସର୍ପ ଭ୍ରମରେ ଡରି ଯାଇ ଚିତ୍କାର କରି ଉଠିଲା ବେଳକୁ ଜଣେ ମନୁଷ୍ୟ ତାକୁ ଅନୁଚ୍ଚ ସ୍ୱରରେ କହିଲା, ‘‘ଡର ନା, ରଡ଼ି ଛାଡ଼ ନା ଯମୁନା, ଭିତରକୁ ଆସ ।’’ ଯମୁନା ଉବ୍ଦେଗରେ ‘‘ଆସିଲ, ତେବେ ଭିତରକୁ ଆସ’’ ବୋଲି କହି ପକାଇଲା । ସେ ଯମୁନାର ପଛେ ପଛେ ତମ୍ବୁ ଭିତରକୁ ପଶିଲା ।

 

‘‘ଯମୁନା, ତୁ ଉପଯୁକ୍ତ ବେଶ୍ୟା । ଏତେଦିନେ ମୁଁ ତୋଠାରୁ ଉପଯୁକ୍ତ ପୁରସ୍କାର ପାଇଲି । ତୋ ଲାଗି ରାଣୀଙ୍କୁ ଆମ୍ଭେମାନେ ହତ୍ୟା କରି ପାରିବୁ । ଦେଖାଯାଉ ବିଧାତା କଣ କରୁଛନ୍ତି ।’’ ଆଗନ୍ତୁକ ଆନନ୍ଦରେ ଯମୁନାର କୋମଳ ଗଣ୍ଡଦେଶ ଚୁମ୍ବନ କରି ତାକୁ କକ୍ଷ ଆଡ଼କୁ ଘେନି ଆସିଲେ । ସଙ୍ଗେ ସଙ୍ଗେ ଯମୁନା ଦୁଇଜଣ ପୁରୁଷଙ୍କ ସହିତ ଅହଲ୍ୟା ବାଈଙ୍କ ଶୟନ କକ୍ଷରେ ଉପବିଷ୍ଟ ହେଲା । ତନ୍ମଧ୍ୟରୁ ଜଣେ ତମ୍ବୁଯାକ ପରୀକ୍ଷା କରି ଦେଖିଲା, କୋମଳ ତୁଳୀ ତଳ୍ପରେ ପ୍ରଳାପ ପରାୟଣା ଷୋଡ଼ଶୀଟିଏ ନିଦ୍ରିତ। । ଏ ତ ବାଳିକାଟାଏ କହି ସେଠାରୁ ସେ ଆଉଟିକିଏ ଦୂରକୁ ଯାଇ ଦେଖିଲା, ମହାରାଣୀ ଅହଲ୍ୟା ନିଦ୍ରିତା । ହଠାତ ପ୍ରଦୀପ ନିର୍ବାଣ କରି ଦେଇ ସାବଧାନ ରହିବା ଲାଗି ସଙ୍ଗୀକୁ ଇଙ୍ଗିତ କଲା । ଶାଣିତ କରବାଳରେ ରାଣୀକୁ ହତ୍ୟା କରିବାକୁ ଉଦ୍ୟତ ହେଲାରୁ ଯମୁନା କହିଲା, ‘‘ବନ୍ଧୁକ ଠିକ କର ।’’ ଆଗନ୍ତୁକ ବନ୍ଧୁକ ଠିକ କରି ରାଣୀଙ୍କ ଦକ୍ଷିଣ ପାର୍ଶ୍ୱରେ ବସି ପଡ଼ିଲା । ତାର ଠିକ୍‌ ସମ୍ମୁଖରେ ଯମୁନା, (ରାଣୀ ଯେପରି ହଲଚଲ ନହୁଅନ୍ତି ସେଥିପାଇଁ, ଜଗି ରହିଲା । ରାଣୀଙ୍କ କପାଳରେ ଗୁଳି କଲେ ଯେପରି ଅବାଧରେ ସେ ପ୍ରାଣ ତ୍ୟାଗ କରନ୍ତି ଏ ଆଲୋଚନା କରି ସେ ଯମୁନାକୁ କହିଲା, 'ସାବଧାନ' । ବାହାରେ ଦୁଇ ଜଣ ବନ୍ଧୁକଧାରୀ ମଧ୍ୟ ରାଣୀଙ୍କ ଆଡ଼କୁ ଲକ୍ଷ୍ୟ କରି ନିର୍ନିମେଷରେ ନୟନରେ ଅନାଇ ରହିଲେ ଯମୁନା) ଧୀରେ ଧୀରେ ରାଣୀଙ୍କ ଦେହରେ ହାତ ପକାଇ ଦେଲା । ଦେହରେ ହାତ ବାଜିବା କ୍ଷଣି ରାଣୀ ବନ୍ଧୁକ ଧ୍ୱନି ଶୁଣିଲେ । ମରହଟ୍ଟା ସେନା ସେ ଧ୍ୱନିରେ ଉଠି ହାହାକାର କଲେ । ଶିବନାନା ତୁକାଜୀ ପ୍ରଭୃତି ‘‘ରାଣୀ ମରିଗଲେ, ରାଣୀ ମରିଗଲେ’’ ବୋଲି ଚିତ୍କାର କରି ଉଠିଲେ । ଚତୁର୍ଦ୍ଦିଗରୁ ସୈନିକମାନେ କୋଳାହଳ କରି ଶିବିର ଆଡକୁ ଦୌଡ଼ି ଆସିଲେ । ଶିବନାନା ଅଶ୍ରୁସିକ୍ତ ମୁଖରେ ପ୍ରହରୀମାନଙ୍କୁ ତିରସ୍କାର କରି କହିଲେ, ‘‘ନରପଶୁ, ତୁମରିମାନଙ୍କ ଅସାବଧାନତାରେହିଁ ରାଣୀ ମୃତ; ତୁମମାନଙ୍କୁ ବିଶ୍ୱାସ କରିବାରୁ ଏହା ଘଟିଛି । ସମସ୍ତଙ୍କର ପ୍ରାଣ ସଂହାର କରିବି ।’’ ମରହଟ୍ଟା ସେନା ନିର୍ମୂଳ କରିବି ।’’

 

ଶିବନାନା ଏହିପରି ଦୁଃଖରେ ଦୀପ ଲଗାଇ ଦେଖିଲେ ଦୀନ ହୀନ ଅବସ୍ଥାରେ ଗୋଟିଏ ସ୍ତ୍ରୀର ଶବ ପଡ଼ିଅଛି । 'ବାପରେ, 'ବୋଲି ଶିବନାନା ସେହି ସ୍ତ୍ରୀର ପଦ ଦେଶରେ କାନ୍ଦି କାନ୍ଦି ଭୂତଳରେ ପତିତ ହେଲେ ।

Image

 

ତ୍ରୟୋବିଂଶ ପରିଚ୍ଛେଦ

ରହସ୍ୟ ଉନ୍ମୋଚନ

ଅହଲ୍ୟାଙ୍କ ମରଣ ବାର୍ତ୍ତା ପ୍ରଚାରିତ ହୁଅନ୍ତେ ଶେଆଜୀ, ଅବଶ୍ୟ ସିଂହାସନ ଲାଭ ହେବ ବୋଲି, ଆଶାନ୍ଵିତ ହେଲେ । ସେ ପ୍ରଳାପ କରି ଉଠିଲେ–ମୁଁ ରାଣୀଙ୍କୁ ଦହନ କରିବି । ସେ ମୋର ନିକଟସମ୍ପର୍କୀୟ ଜ୍ଞାତି । ମୋତେ ଶୀଘ୍ର ଛାଡ଼ିଦିଅ, ପ୍ରହରୀ । କିନ୍ତୁ ପ୍ରହରିମାନେ ତାଙ୍କୁ ଓ ବାମନଭଟ୍ଟଙ୍କୁ ମୁକ୍ତି ଦେଲେ ନାହିଁ ।

 

ଶାନ୍ତିର ନିଦର୍ଶନ ତୁକଜୀ ତମ୍ବୁ ମଧ୍ୟରେ ପ୍ରବେଶ କରି ଶିବନାନାଙ୍କୁ ସାନ୍ତ୍ୱନା ଦେଇ ତନ୍ନ ତନ୍ନ କରି ପରୀକ୍ଷା କରି ଗମ୍ଭୀର ସ୍ୱରରେ କହିଲେ, ‘‘ରାଣୀ ମା ନିରାପଦରେ ଅଛନ୍ତି, ଚିତ୍କାର କର ନାହିଁ । ଏ ଯମୁନାର ଶବ । ତା ପାଖରେ ଜଣେ ରାଜପୁତ ମରି ପଡ଼ିଛି । ଏ ତ ବେତାଳ ସିଂହ ଶବ ପରି ଦିଶୁଛି ।’’ ସୈନିକମାନେ ଆଚମ୍ବିତ, ନିସ୍ତବଧ । ଶିବନାନା ଚକିତ ହୋଇ ଶବ ଦୁଇଟିକୁ ନିରୀକ୍ଷଣ କଲେ । ବ୍ୟସ୍ତ ବାଳହରିଣୀ ତୁଲ୍ୟ ନିରବ ରହି ବାଣୀ ମୁକ୍ତାବାଈଙ୍କ ପୃଷ୍ଠ ଦେଶରେ ହାତ ରଖି ବସିଥିଲେ । ଶିବନାନା ଅଶ୍ରୁପୂର୍ଣ୍ଣ ନୟନରେ କହିଲେ, ‘‘ମଣିମା, ତେବେ ଭଲ ଅଛନ୍ତି ।’’ ରାଣୀ ତାଙ୍କୁ ଆଶ୍ୱାସନା ଦେଇ ଉତ୍ତର କଲେ, ‘‘କାନ୍ଦନାହିଁ ଶିବନାନା । ମୁଁ ବର୍ତ୍ତମାନ ଭଲ ଅଛି । ମୋ ମୁକ୍ତା ଆଉ ମୁଁ କିପରି ବିପଦମୁକ୍ତ ହେଲୁ ! ତାର ପୁଅକୁ ତୁମେ ବନ୍ଦୀ କରିଛ ବୋଲି କହି ଯମୁନା ଏହିଠାରେ ଥିଲା । ସେ, ବୋଧହୁଏ, ଶତ୍ରୁ କର୍ତ୍ତୃକ ଏଠାକୁ ଆସିଥିଲା । ତାରି ଷଡ଼ଯନ୍ତ୍ରରେ ଶତ୍ରୁ ଏଠାକୁ ଆସି ମୋର ପ୍ରାଣନାଶ କରିବାକୁ ଯତ୍ନ କରିଥିଲା । କିନ୍ତୁ ଭାଗ୍ୟବଶତଃ ମୋ ଜୀବନ ରକ୍ଷା ହୋଇଅଛି ।’’

 

କାରାଗୃହରେ ଶେଆଜୀ ରାଣୀଙ୍କ ଜୀବିତ ସମ୍ବାଦ ପାଇ ନିଷ୍ପ୍ରଭ ହୋଇ ପଡ଼ିଲେ । ତୁକାଜୀ କହିଲେ, ‘‘ମା, ଏ ମହୋପକାର ଆମର ଜମାନ ଖାଁଙ୍କୁ ଦେଖି ନପାରି ସେ ଶତ୍ରୁ ହାତରେ ପଡ଼ିଛନ୍ତି ବୋଲି ଆଶଙ୍କା କଲେ ।

 

ହଠାତ ଜଣେ ଆଗନ୍ତୁକ ସେଠାରେ ଉପସ୍ଥିତ ହେଲେ । ଆଜାନୁଲମ୍ବିତ ଭୁଜ, ବଳିଷ୍ଠ ବାହୁଯୁଗଳ, ମସ୍ତକରେ ପ୍ରକାଣ୍ଡ ଉଷ୍ମୀଶ ଦେଖି ସମସ୍ତେ ଆଶ୍ଚର୍ଯ୍ୟନ୍ଵିତ ହୋଇଗଲେ । ଶିବନାନା କହିଲେ, ‘‘ଏ ତ କଣ ଶ୍ୟାମସୁନ୍ଦର ! ତୁମେ କେଉଁଠାରେ ଥିଲ ?’’ ରାଣୀ ଦତ୍ତଙ୍କୁ ନିର୍ନିମେଷ ନୟନରେ ଅନାଇ କହିଲେ, ‘‘ତୁମେ ଏହିଠାରେ ଅଛ !’’ ଦତ୍ତ କହିଲେ, ‘‘ମଣିମା, ନିରପରାଧ ଶ୍ୟାମସୁନ୍ଦରହିଁ ଜମାନ ଖାଁ ହୋଇଥିଲା ।’’ ରାଣୀ ଆନନ୍ଦ ଗଦ ଗଦ କାନ୍ଥରେ ଦତ୍ତଙ୍କୁ ପ୍ରଶଂସା କରି କହିଲେ, ‘‘ବତ୍ସ, ତୁମଲାଗି ପାପିଷ୍ଠ ଶେଆଜୀ ଆମମାନଙ୍କର ହସ୍ତଗତ ହୋଇଛି । ତୁମରି ଅଦ୍ୟମ ଯତ୍ନରୁ ମୁଁ ଓ ମୁକ୍ତା ବେତାଳ ସିଂହ ବନ୍ଧୁକରୁ ରକ୍ଷା ପାଇଛୁ । ତୁମେ ନିର୍ଦ୍ଦୋଷ । ଅକାରଣ ତୁମ ପ୍ରତି ପ୍ରାଣଦଣ୍ଡ ଆଜ୍ଞା କରି ରାଜ୍ୟରୁ ନିର୍ବାସିତ କରିଥିଲି । ବତ୍ସ, ମୋତେ କ୍ଷମାକର । ମୋତେ ନିଜର ଜନନୀ ଜ୍ଞାନରେ ତୁମେ ରକ୍ଷା ନକଲେ ମୋର ଗତ୍ୟନ୍ତର ନାହିଁ ।’’

 

ଦତ୍ତଙ୍କ ନୟନରୁ ଅଶ୍ରୁ ନିର୍ଗତ ହେଲା । ଏହା ଆନନ୍ଦାଶ୍ରୁ । ଏତେଦିନ ପରେ ରାଣୀ ତାଙ୍କର ସମସ୍ତ ଅପରାଧ ବୁଝିପାରି ଅନୁତପ୍ତ ହେଉଛନ୍ତି ଦେଖି ସେ କହିଲେ, ‘‘ମଣିମା, ମୁଁ ଚିରଦିନ ରାଜଭକ୍ତ । ସେ ଦିନ ପ୍ରାଣଦଣ୍ଡକୁ ପ୍ରସ୍ତୁତ ହେଉଥିବା ବେଳେ ଯଶୋବନ୍ତଙ୍କ ବସନ୍ତ-ଭବନରେ ଷଡ଼ଯନ୍ତ୍ର ଚାଲିଛି ବୋଲି ଶୁଣି ଖଣ୍ଡିଏ ପତ୍ର ଛାମୁଙ୍କ ନିକଟକୁ ପଠାଇଥିଲି । ସେମାନେ ସମସ୍ତେ ଧରା ପଡ଼ିଲେ ତ ?’’ ସମବେତ ସୈନିକଗଣ ବିସ୍ମିତ, ସ୍ତବଧ । ସମସ୍ତେ ଦତ୍ତଙ୍କ ରାଜଭକ୍ତ ପ୍ରଶଂସା ନକରି ରହି ପାରିଲେ ନାହିଁ ।

 

ଏ ଗୋଳମାଳ ଶୁଣି ବୃଦ୍ଧ ରାଧାକାନ୍ତ ତମ୍ବୁକୁ ଦୌଡ଼ି ଆସିଲେ । ହଠାତ ଯୋଡ଼କରରେ କହିଲେ,’’ମା, ଭଲ ଅଛନ୍ତି ? ମୁଁ ରାଧାକାନ୍ତ, ମୋତେ କ୍ଷମା କରନ୍ତୁ ।’’ ରାଣୀ ତାଙ୍କୁ ତୀବ୍ର ଦୃଷ୍ଟି ଦେଇ କହିଲେ,’’ତୁମେ ରଘୁନାଥ ରାଓଙ୍କୁ ଛାଡ଼ିଦେଲ କିଆଁ ?’’

 

ରାଜଦ୍ରୋହ ଓ ଘୃଣାରେ ବିଷାଦଗ୍ରସ୍ତ ରାଧାକାନ୍ତଙ୍କ ନୟନରୁ ଅଶ୍ରୁ ବିଗଳିତ ହେଲା । ସେ କମ୍ପିତ କଣ୍ଠରେ କହିଲେ, ‘‘ରାଜଦ୍ରୋହୀ ହୋମୋଜୀ ରାଓ ଛାମୁଙ୍କର ପରମ ବିଶ୍ୱାସୀ । ସେ ବିଶ୍ୱାସ ଜନ୍ମାଇବା ପାଇଁ ରଘୁନାଥ ରାଓ ଆସୁଛନ୍ତି ବୋଲି ବାହାନା କରି ମୋତେ ଇନ୍ଦୋରରୁ ଅନ୍ତର କରିଦେଲେ । ମୁଁ ସେଠାରେ କିଛିଦିନ ଅପେକ୍ଷା କରି ରାଘୋବା କିମ୍ବା ତାଙ୍କର କୌଣସି ସୈନିକଙ୍କ ଦେଖିଲି ନାହିଁ । ପରେ ଗୁପ୍ତଚର ପଠାଇ ବୁଝିଲି ପେଶବାଙ୍କ ଦରବାରରେ ସେପରି କିଛି ସିଦ୍ଧାନ୍ତ ହୋଇନାହିଁ । ଏ ମାୟା ଜାଲରେ ମୁଁ ହତୋତ୍ସ।ହ ହୋଇ ଫେରି ଆସିଛି ।’’

 

ରାଣୀ ଆଶ୍ଚର୍ଯ୍ୟାନ୍ଵିତ ହେଲେ । କହିଲେ,’’ଆଚ୍ଛା, ତୁମେ ଦତ୍ତଙ୍କୁ ଛାଡ଼ିଦେବାକୁ ହୋମୋଜୀ ରାଓଙ୍କ ପାଖକୁ କିଛି ଲେଖି ନଥିଲ ? ପରେ ରଘୁନାଥ ରାଓଙ୍କଠାରୁ ତୁମ ନିକଟକୁ ଯେଉଁ ପତ୍ର ଆସିଥିଲା ତାହା ଆମ୍ଭମାନଙ୍କର ହସ୍ତଗତ ହୋଇଛି । ତୁମେ ନିଜକୁ ନିରପରାଧ ବୋଲି ପ୍ରମାଣ କଲେ ମଧ୍ୟ ତାହା ଆମ୍ଭମାନଙ୍କର ବିଶ୍ୱାସ ହେଉ ନାହିଁ ।’’ ରାଧାକାନ୍ତ ନୀରବ ନିସ୍ପଦ ଭାବରେ ଦଣ୍ଡାୟମାନ ହେଲେ । ଆଶ୍ଚଯ୍ୟ ହୋଇ କହିଲେ, ‘‘ମୁଁ ହୋମୋଜୀଙ୍କଠାକୁ ପତ୍ର ଦେଇଥିଲି ? ରଘୁନାଥଙ୍କଠାରୁ ମୋ ପାଖକୁ ସମ୍ବାଦ ଆସିଥିଲା ? ଓହୋ ! ଏ ସବୁ ହୋମୋଜୀର ଷଡ଼ଯନ୍ତ୍ର । ଛାମୁ ପ୍ରବଞ୍ଚିତ ହୋଇଛନ୍ତି । ମୋ ପ୍ରତି ଅକାରଣ ବିଦ୍ୱେଷ ଜନ୍ମାଇବା ଲାଗି ହୋମୋଜୀ ଏ ଚକ୍ରାନ୍ତ କରିଛ । ଦୟା କରି ସେ ସମସ୍ତ ଜାଲ ପତ୍ର ମୋତେ ଦେଖାଇଲେ, ସେ ସବୁ କାହାର ହସ୍ତଲିପି କହି ପାରିବ ।’’

 

ରାଣୀ ଏ ରହସ୍ୟ ଜାଣିବା ପାଇଁ ଉତକଣ୍ଠିତ ହୋଇ ହୋମୋଜୀ ପ୍ରଦତ୍ତ ପତ୍ର ଦୁଇଟି ରାଧାକାନ୍ତଙ୍କ ହାତକୁ ବଢ଼ାଇ ଦେଲେ । ପତ୍ର ପାଠ ସଙ୍ଗେ ସଙ୍ଗେ ରାଧାକାନ୍ତ କହିଲେ,’’ଏ ତ ବାମନଭଟ୍ଟଙ୍କ ହସ୍ତାକ୍ଷର । ତାଙ୍କଠାରୁ ଅନେକ ଗୁପ୍ତ ବିଷୟ ଜଣାଯାଇ ପାରେ । ତେଣୁ ବନ୍ଦୀ ଭଟ୍ଟଙ୍କୁ ଏଠାକୁ ଆସିବା ଲାଗି ଆଦେଶ ଦିଅନ୍ତୁ ।’’ ତାହାହିଁ ହେଲା । ଶୃଙ୍ଖଳାବଦ୍ଧ ବାମନଭଟ୍ଟ ରାଜସଭାକୁ ଅନୀତ ହେଲେ । ରକ୍ତିମ ଚକ୍ଷୁରେ ରାଣୀ ପଚାରିଲେ, ‘‘ଭଟ୍ଟ, ଏ ହସ୍ତାକ୍ଷର କାହାର-?’’

 

‘‘ଏହା ମୋର ହାତ ଲେଖା ।’’ ଭୟପୂର୍ଣ୍ଣ ଚିତ୍ତରେ ଭଟ୍ଟ ଦୋଷ ସ୍ୱୀକାର କଲେ । ଦତ୍ତ ଭଟ୍ଟର ଅଙ୍ଗରେଖା ଅନ୍ୱେଷଣ କରି ଆଉ ଗୋଟିଏ ପତ୍ର ରାଣୀଙ୍କ ହାତକୁ ଦେଲେ । ପତ୍ର ପଠିତ ହେଲା

 

ପ୍ରିୟ ବେତାଳ ସିଂହ,

 

ଲମ୍ବପୁର ଦୁର୍ଗ ରାଜପୁତର ଅଧୀନସ୍ଥ ହେବା ଲାଗି ମୁଁ କେତେ ଯତ୍ନ କଲି । ମୋର ସମସ୍ତ ସାମର୍ଥ୍ୟ, ଚତୁରତା, ବୁଦ୍ଧି କୌଶଳ ପ୍ରୟୋଗ କରି ମହାବୀର ରାଜଭକ୍ତ ରାଧାକାନ୍ତଙ୍କୁ ଇନ୍ଦୋରରୁ ଅନ୍ତର କରିଦେଲା । କିନ୍ତୁ ତୁମେ ବିଶ୍ୱାସଘାତକ ପ୍ରତିଜ୍ଞା ଭ୍ରଷ୍ଟ ହୋଇ ତୁମର ପ୍ରତିଶ୍ରୁତି ରକ୍ଷା କଲ ନାହିଁ । ଆଶା କରେ ଏ ପତ୍ର ପ୍ରାପ୍ତି ମାତ୍ରେ ମୋ ପ୍ରାପ୍ୟ ମୋଠାକୁ ପଠାଇ ଦେବ । ଇତି ।

 

ହିତାକାଂକ୍ଷୀ

ହୋମୋଜୀ ରାଓ

 

ପତ୍ର ପାଠ ସଙ୍ଗେ ସଙ୍ଗେ ରାଣୀ, ତୁକାଜୀ, ଶିବନାନା, ଦତ୍ତ ଓ ରାଧାକାନ୍ତ ନିରୁତ୍ତର ଓ ଅବାକ ହୋଇ ପଡ଼ିଲେ । ରାଣୀ ଦୀର୍ଘ ନିଶ୍ୱାସ ତ୍ୟାଗ କରି କହିଲେ,’’ ମୁଁ ଆଜି ପର୍ଯ୍ୟନ୍ତ ଏଭଳି ନାଗସାପଙ୍କ ଭିତରେ ପଡ଼ିଥିଲି । ମୁର୍ଖ, ଜ୍ଞାନହୀନ, ବିବେକ ଶୂନ୍ୟ କାପୁରୁଷମାନଙ୍କ ହାତରେ ରାଜ୍ୟର ସମସ୍ତ ଭାର ନ୍ୟସ୍ତ କରି ଆପେ ଆପେ ବିପଦର ସମ୍ମୁଖୀନ ହୋଇଥିଲି । କିନ୍ତୁ ପ୍ରଭୁଙ୍କର ଇଚ୍ଛା ଅନ୍ୟ ପ୍ରକାର । ନ୍ୟାୟ ଓ ଧର୍ମର ପ୍ରଭାବରୁ ମୁଁ ଆଜି ଜୟଯୁକ୍ତ । ଶତ୍ରୁର ମନ୍ତ୍ରଣା ଜାଲ ଛିନ୍ନଭିନ୍ନ, ଧ୍ୱସ୍ତ । ରାଜପୁତମାନେ ହୋମୋଜୀଙ୍କଠାରେ ବିଶ୍ୱାସ କରି ମୋର ସର୍ବନାଶ ସାଧନର ଉପାୟ କରୁଥିଲେ ମଧ୍ୟ, ବେତାଳ ସିଂହ ମୋତେ ଓ ମୁକ୍ତାର ପ୍ରାଣନାଶ ଲାଗି ଚେଷ୍ଟା କରି ଥିଲେ ସୁଦ୍ଧା ନ୍ୟାୟ ଓ ଧର୍ମ ପ୍ରଭାବରୁ ମୁଁ ଆଜି ବିପଦମୁକ୍ତ ହୋଇଛି ।’’

 

ବାମନଭଟ୍ଟ କହିଲେ, ‘‘ମଣିମା, ହୋମୋଜୀ ରାଓ ଶାର୍କ। ରାମ ନାମଧରି ଛଦ୍ମବେଶୀ ବେତାଳ ସିଂହଙ୍କୁ ଇନ୍ଦୋରର ସମସ୍ତ ଗୁପ୍ତ ବୃତ୍ତାନ୍ତ ଜଣାଇ ସାରିଛନ୍ତି । ମୁଁ ଦରିଦ୍ର, ନିସ୍ଵ ବ୍ରାହ୍ମଣ, ଛାମୁଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବା କିମ୍ବା ଯୁଦ୍ଧ ଚଳାଇବା ଲାଗି ଶତ୍ରୁକୁ ପ୍ରଶ୍ରୟ ଦେବା ମୋ ପକ୍ଷରେ ବିଡ଼ମ୍ବନା, ମୋତେ କ୍ଷମା କରନ୍ତୁ । ରାଜଧର୍ମର ବ୍ରାହ୍ମଣ ଓ ଗୋ ଜାତିର ଉଦ୍ଧାର ଲାଗି ଯୁଗେ ଯୁଗେ ବିଧାନ ରହିଛି ।’’ ରାଣୀ ନୀରବ ରହିଲେ ।

 

କ୍ରମେ ପ୍ରଭାତୀ ଆଗମନର ସୂଚନା ସ୍ୱରୂପ କୁକ୍‌କୁଟ ଧ୍ୱନି ଶ୍ରୁତ ହେଲା । ଅନିଦ୍ରାରେ ଅବସନ୍ନ ହୋଇ ରାଣୀ ମୁକ୍ତବାଈଙ୍କ ସହିତ ବିଶ୍ରାମ କରିବାକୁ ଗଲେ ।

 

ପୁନର୍ମିଳନ ପରେ ରାଧାକାନ୍ତ ଓ ଶ୍ୟାମସୁନ୍ଦରଙ୍କ ଆନନ୍ଦ ସୀମାତୀତ ହୋଇ ପଡ଼ିଲା-ଉଭୟେ ବହୁଦିନର ଦୁଃଖ ଶୋକ ନିର୍ଯ୍ୟାତନ, ଲାଞ୍ଛନା ମନେ ପକାଇ କାନ୍ଦିବାକୁ ଲାଗିଲେ । ପରେ ଆପେ ଆପେ ଆଶ୍ୱସ୍ତ ହୋଇ ବିଶ୍ରାମ କଲେ ।

 

ଭୈରବ ସିଂହ ଦୁର୍ଗ ମଧ୍ୟରୁ ଗୋପନ ଭାବରେ ପଳାଇ ଯାଇ ରାଣାଙ୍କୁ ବେତାଳ ସିଂହର ଦାରୁଣ ମୃତ୍ୟୁ ସମ୍ବାଦ ଜଣାଇ ଦେଲା । ଉଦୟପୁରର ସମସ୍ତ ଗୌରବ, ବୀରତ୍ୱ ନଷ୍ଟ ହୋଇଛି ଭାବି, ରାଜପୁତର ବହୁଦିନର ପରିଶ୍ରମ ପଣ୍ଡ ହୋଇଛି ବୋଲି ଚିନ୍ତା କରି ଅନୁତାପଗ୍ରସ୍ତ ମହାରଣା ଅତି କ୍ଷୋଭରେ ଲିମ୍ଵପୁର ପରିତ୍ୟାଗ କଲେ । ଯଥା ସମୟରେ ଏ ସମ୍ବାଦ ରାଣୀଙ୍କର କର୍ଣ୍ଣ ଗୋଚର ହୁଅନ୍ତେ ସେ ସୈନ୍ୟମାନଙ୍କ ସହିତ ଦୁର୍ଗ ଅଧିକାର କରି, ଦୁର୍ଗର ଅଭ୍ରଂଲିହ ସୌଧଚଡ଼ାରେ ମହାରାଷ୍ଟ୍ରର ବିଜୟ ପତାକା ପ୍ରୋତ୍ୱିତ କଲେ ।

 

ଏଣେ ମାହୁପୁରରେ ଆନନ୍ଦ ବାଈ ଗୃହ କର୍ମରେ ବ୍ୟସ୍ତ । କେହି ଜଣେ ପ୍ରତିବେଶୀ ସମ୍ବାଦ ଦେଲା, ‘‘ତୁମ ଦ୍ୱାର ଦେଶରେ ଗୋଟିଏ ଶିବିକା ।’’ ତର ତରରେ ଆନନ୍ଦ ବାଈ ଦ୍ୱାରଦେଶକୁ ଧାଇଁ ଗଲେ । ଦେଖିଲେ ଶିବିକା ଦେହରୁ ଜଣେ ଷୋଡ଼ଶୀ ତାଙ୍କ ଆଡ଼କୁ ଆସୁଛନ୍ତି । ଆନନ୍ଦ ବାଈ ତାଙ୍କ ଆଗମନରେ ବିସ୍ମିତ ହୋଇ କହିଲେ, ‘‘କମଳା ! ଭଲରେ ଅଛ ? ବହୁଦିନ ପରେ ଆଜି ତୁମ ସହିତ ଦେଖା ! ତୁମେ ମରିଯାଇଛ ବୋଲି ଲୋକ ମୁଖରେ ଶୁଣିଲି । ମୋ ଭାଇକି ରାଣୀ ରାଜ୍ୟରୁ ନିର୍ବାସନ କରିଛନ୍ତି । ସେ ବର୍ତ୍ତମାନ କିପରି କେଉଁଠାରେ ଅଛି କେଜାଣି ?’’ କହୁ କହୁ ଆନନ୍ଦ ବାଈ ବିକଳ ହୋଇ ଉଠିଲେ । ତାଙ୍କ ଚକ୍ଷୁରୁ ଅଜସ୍ର ଧାରାରେ ଲୋତକ ବୃଷ୍ଟି ହେଲା ।

 

‘‘ଦତ୍ତ ଆନନ୍ଦରେ ଅଛନ୍ତି । ସେଥିପାଇଁ ବିକଳ ହୁଅନ୍ତୁ ନାହିଁ । ପଥଶ୍ରମ ମୋ ଭାଇକି ଭାରି ବାଧିଛି । ତାକୁ କିଛି ଖାଇବାକୁ ଦିଅନ୍ତୁ ।’’

 

‘‘ତୁମେ ଭାଇଙ୍କି କେଉଁଠି ଦେଖିଲ ? ବର୍ତ୍ତମାନ ଆସୁଛ କେଉଁଠାରୁ ?’’

 

‘‘ମୋତେ ଦେଖିବା ପାଇଁ ମୋ ମାଆ ଭାଇକୁ ପଠାଇ ଥିଲେ । ସେ ଦୁରଦୃଷ୍ଟ ବଶତଃ ଭୀଲମାନଙ୍କ ହାବୁଡ଼େ ପଡ଼ି ଦୁଇ ଥର ମୃତ୍ୟୁ ମୁଖରୁ ରକ୍ଷା ପାଇଲା । ଭାଇ ମୋର ସେ ରାକ୍ଷସଙ୍କ ମଧ୍ୟରେ ଥିବା ବେଳେ ମୁଁ ରାଣୀଙ୍କର ଦାସୀ ଥିଲି । ମୋର ନାମ ଥିଲା ସୀତା । ଦୈବାତ ମୁଁ ଭୀଲମାନଙ୍କ କବଳରେ ପଡ଼ିଲି ।’’

 

‘‘କଣ ! ସେ ପଶୁମାନଙ୍କ ହାତରୁ କିପରି ଖସିଲ, ମା?’’

 

‘‘ସେଠାରେ ଶେଆଜୀ ହୋଲକାର ବୋଲି ଗୋଟାଏ ଦୁର୍ବୁତ୍ତ ଯୁବକ ଭୀଲମାନଙ୍କର ରଜା ହୋଇଛି । ମୋତେ ବିବାହ କରିବ ବୋଲି ସେ ପିଶାଚର ପ୍ରବଳ ଆଗ୍ରହ । ମାତ୍ର ବାଜି ସାହାଯ୍ୟରେ ମୁଁ ତାକୁ ପ୍ରତାରିତ କରି ଭାଇ ସହିତ ପଳାଇ ଆସିଲି ।’’

 

‘‘ତୁମ ଭାଇ ତେବେ ସେଠାରୁ କିପରି ଆସିଲେ ?’’

 

‘‘ସେ ତ ଗୋଟିଏ ଅଦ୍ଭୁତ କଥା । ବାଜିରାଓ ମୋର ଭାଇ ବୋଲି ଶେଆଜୀ ଜାଣେ ନାହିଁ-। ମୂର୍ଖ ଶେଆଜୀ ପ୍ରଥମେ ମୋ ଭାଇକି ମୁକ୍ତ କରି ଦେବ ବୋଲି ଶିବିକା ପଠାଇ ଦେଲା । ମୁଁ ସେଥିରେ ପୁରୁଷ ବେଶ ଧରି ବସି ବାହାରି ଆସିଲି । ପରେ ବାଜିରାଓ ସ୍ତ୍ରୀ ବେଶ ଧରି ଶେଆଜୀ ପାଖକୁ ଗଲା । ମଦନାସକ୍ତ ଶେଆଜୀ ତାକୁ କୋଳ କରିବାକୁ ଉଦ୍ୟତ ହେବା ମାତ୍ରେ, ବାଜିରାଓ ତାକୁ ତଳେ ପକାଇ ତା ବକ୍ଷରେ ଛୁରିକାଘାତ କରି ପଳାଇ ଆସିଲା । ଶୁଣିଲ ମା, ମୋର କଷ୍ଟ, ଦୁଃଖ, ନିର୍ଯାତନା । ତୁମ ଉପଦେଶରେ ଚାଳିତ ହୋଇ ଆଜିସୁଦ୍ଧା ମୋର ଧର୍ମହାନି ହୋଇନାହିଁ ।’’

 

ଆନନ୍ଦ ବାଈ ଅଶ୍ରୁପୂର୍ଣ୍ଣ ନୟନରେ କମଳାଙ୍କୁ ଆଲିଙ୍ଗନ କରି ପକାଇଲେ । କମଳା ଆଶ୍ୱସ୍ତ ହୋଇ କିଛିଦିନ ତାଙ୍କ ଗୃହରେ ରହିଲେ ।

Image

 

ଚତୁର୍ବିଂଶ ପରିଚ୍ଛେଦ

ପ୍ରବଞ୍ଚକର ଇତିହାସ

ହୋମୋଜୀ ରାଓ ବାମନଭଟ୍ଟ ବନ୍ଦୀ ହୋଇଛି ବୋଲି ସମ୍ବାଦ ପାଇ ମର୍ମ୍ମ।ହତ ହୋଇ ପଡ଼ିଲେ । ତାଙ୍କର ସମସ୍ତ ଚକ୍ରାନ୍ତ ଜଣା ପଡିଗଲେ, ସେ ପ୍ରାଣଦଣ୍ଡ ପାଇବେ, ଏହି ଅଭିପ୍ରାୟରେ ତାଙ୍କର ଧେର୍ଯ୍ୟ ଭଙ୍ଗ ହୋଇ ପଡିଲା । ଦିନେ ସେ ଘୋର ନିଶୀଥରେ ଇନ୍ଦୋର ଛାଡ଼ି ପଳାୟନ କଲେ । ପରେ ତାଙ୍କୁ ଆଉ କେହି ଦେଖିଲେ ନାହିଁ । ଲୋକେ କହିଲେ, ‘‘ହୋମୋଜୀ ରାଓ ନିରୁଦ୍ଦିଷ୍ଟ ।

 

ଯଶୋବନ୍ତ ଭୀଲମାନଙ୍କୁ ନଷ୍ଟ, ଧ୍ୱସ୍ତ, ପଦଦଳିତ କରି, କାହାକୁ ପ୍ରାଣଦଣ୍ଡ ଦେଇ ଗଣ୍ଡାକୁ ନପାଇବାରୁ ତା'ରି ଅନ୍ୱେଷଣରେ ଗିରି, ଗହ୍ୱର, ବନ, ନଦୀ ଇତ୍ୟାଦି ତନ୍ନ ତନ୍ନ କରି ଅନ୍ୱେଷଣ କରିବାକୁ ଲାଗିଲେ । ହତାବଶିଷ୍ଟ ଭୀଲମାନେ ଯୁଦ୍ଧ ଛାଡ଼ି କେହି କେହି କୃଷି କାର୍ଯ୍ୟରେ କିମ୍ବା ଭିକ୍ଷା କରି ଜୀବନ ଯାପନ କରୁଥିଲେ । ଯଶୋବନ୍ତ ହତାଶ ହୋଇ ଗଣ୍ଡାକୁ ପାଇ ପାରିବେ ନାହିଁ ବୋଲି ରାଣୀଙ୍କୁ ଜଣାଇଲେ । ରାଣୀ ଉତ୍ତର ଦେଲେ, ‘‘ତା ହେଲେ ତୁମେ ମୁକ୍ତାବାଈର ଯୋଗ୍ୟପୁତ୍ର ନୁହଁ-।’’ ଯଶୋବନ୍ତଙ୍କର ଉତ୍ସ।ହ ଦ୍ଵିଗୁଣିତ ଦେଲା । ସେ ବନଭୂମିର ଚରୁର୍ଦ୍ଦିଗ ପରିଭ୍ରମଣ କରି ଯୋଗୀ ଓ ସନ୍ନ୍ୟାସୀମାନଙ୍କୁ ଗଣ୍ଡା ବିଷୟରେ ନାନା କଥା ପ୍ରଶ୍ନ କରୁଥିଲେ । ଅକସ୍ମାତ ଦିନେ ସେ ମ।ହୁନଗରକୁ ଯାଇଥିଲେ । ସେଠାର ଲୋକମାନେ କହିଲେ,’’ଜଣେ ମହାପୁରୁଷ ଅଛନ୍ତି, ସେ ତ୍ରିକାଳଦର୍ଶୀ । ଆପଣ ତାଙ୍କଠାରୁ ଗଣ୍ଡାର ଅନୁସନ୍ଧାନ ପାଇ ପାରିବେ ।’’ ଯଶୋବନ୍ତ କହିଲେ, ‘‘ଏପରି ଅନେକ ମହାପୁରୁଷ ଦେଖିଛି । କିନ୍ତୁ କେହି ତାର ସମ୍ବାଦ ଦେଇପାରୁ ନାହାନ୍ତି ।’’

 

ବିରକ୍ତରେ ଯଶୋବନ୍ତ ସେହି ମଠକୁ ଗଲେ । ସନ୍ନ୍ୟାସୀ ମୌନବ୍ରତଧାରୀ । ତେଣୁ ତାଙ୍କ ସହିତ ବାକ୍ୟାଳାପ କରିବା ଅସମ୍ଭବ ହୋଇ ପଡ଼ିଲା । ବାଧ୍ୟ ହୋଇ ଯଶୋବନ୍ତ ଫେରିଲେ ।

 

ସେହିଦିନ ରାତ୍ରରେ ଆଉ ଜଣେ ସନ୍ନ୍ୟାସୀ ସେଠାରେ ଆସି ପହଞ୍ଚିଲେ । ସେ ଜାଣିଥିଲା ପରି ପ୍ରଥମ ଯୋଗୀଙ୍କୁ କୌଣସି ପ୍ରଶ୍ନ ନକରି କେବଳ ବଲ୍ଳଭାଚାର୍ଯ୍ୟଙ୍କ ହିନ୍ଦୀ ଭଜନ ଗାଇବାକୁ ଆରମ୍ଭ କଲେ । ପ୍ରଥମ ଯୋଗୀ ବିରକ୍ତରେ ଉଠି କହିଲେ, ‘‘ଯଦି ପ୍ରଶ୍ନ କରିବାର ଥାଏ ତେବେ ଏକାଥରକେ ପଚାର ।’’

 

‘‘ରାଗ କରନାହିଁ ଭାଇ । ଯୋଗୀ ତ, ଆମ ମଧ୍ୟରେ ସ୍ନେହ ମମତା ରହିବା ଦର୍କାର । ମୁଁ ନୂତନ, ଆପଣ ପୁରାତନ ମହାତ୍ମା । ମୋତେ ଉପଦେଶ ଦାନ କରନ୍ତୁ ।’’

 

‘‘ମୁଁ ମନ୍ତ୍ର କିଛି ଜାଣେ ନା । ରାମନାମ ମୋର ଏକମାତ୍ର ଆଶ୍ରୟ ।’’

 

‘‘ତୁମେ ତେବେ କେଉଁ କେଉଁ ତୀର୍ଥ ବୁଲିଛ ? ତୁମକୁ ତ କେଉଁଠାରେ ଦେଖିଲା ପରି ମନେ ହେଉଛି ।’’

 

‘‘ମୁଁ ପ୍ରୟାଗ, କାଶୀ ଓ ଗୟା ଯାଇଥିଲି । ସେଠାରେ କେଉଁଠି ଦେଖିଥିବ ।’’

 

‘‘ଆଜିକାଲି ଯୋଗୀ, ସନ୍ନ୍ୟାସୀମାନଙ୍କ ପକ୍ଷରେ ତୀର୍ଥଟନ ବଡ଼ କଷ୍ଟକର ।’’

 

‘‘ଠିକକଥା । ଏ ପ୍ରଦେଶରେ ତ ବଡ଼ କଷ୍ଟ । ଯଶୋବନ୍ତ ରାଓ ପ୍ରତ୍ୟେକ ଯୋଗୀକୁ ଗଣ୍ଡାଭୀଲ କଥା ପଚାରନ୍ତି, ତେଣୁ ଅନେକେ କିଛି ନଜାଣିଥିଲେ ମଧ୍ୟ ଖସିଯିବା ପାଇଁ ବାଧ୍ୟ ହୋଇ ମିଥ୍ୟା କହନ୍ତି ।’’

 

‘‘ମୋତେ ବି ସେ କଥା ସେ ପଚାରୁଥିଲେ । ମୁଁ କିଛି କହିଲି ନାହିଁ । ମାତ୍ର ତୁମେ ଅନେକ ସ୍ଥାନ ବୁଲିଛ । ବୋଧହୁଏ ଗଣ୍ଡାକୁ କେଉଁଠାରେ ଦେଖିଥିବ । ଗଣ୍ଡା ସମ୍ବନ୍ଧରେ କିଛି ଜାଣିଥିବ ।’’

 

‘‘ମୁଁ ଗଣ୍ଡାକୁ ଜମା ଦେଖି ନାହିଁ । ତା ବିଷୟରେ ଅନ୍ୟ ଚେଷ୍ଟା ନକରି ମାହୁନଗର ଋଷିଙ୍କୁ ଧରିଲେ ସବୁ ଜଣା ପଡ଼ିଯିବ । ସେ ଗଣ୍ଡାର ଘନିଷ୍ଠ ବନ୍ଧୁ । ଭୀଲ ସର୍ଦ୍ଦାର ତାଙ୍କରି ପରାମର୍ଶରେ ପଡ଼ି ଏ ବିପଦ ବରଣ କରିଛି ।’’

 

‘‘ଠିକ୍‌ କହିଛ । ସେ ଋଷି ଭୀଲଜାତୀର ହିତାକାଂକ୍ଷୀ ନହୋଇ ଥିଲେ ତା କୁଟୀରରୁ ଗଣ୍ଡାଟା ପଳାଇଯାନ୍ତା କିପରି ? ଋଷିଟାତ ଫାସି ପାଇବ । କିନ୍ତୁ ଗଣ୍ଡା କିପରି ଗଲା ଜାଣିଛ ?’’

 

‘‘ଭାଇ, ମୋତେ କାହିଁକି ଏ ପ୍ରଶ୍ନ କରୁଛ । ଆମର ସେଥିରେ ଯାଏ ଆସେ କଣ । ଆମେ ଯୋଗୀ ଋଷି ଲୋକ । ରାଜନୀତିରେ ଆମର କି ହାତ ଅଛି । ଏ କଥା ଧରାପଡ଼ିଲେ ଯଶୋବନ୍ତ ଯେ ଆମର ସର୍ବନାଶ କରିବ ।’’

 

‘‘ହଁ, ଠିକ କଥା । କିନ୍ତୁ ଏ କଥା କଣ ମୁଁ କାହାକୁ କହି ଯାଉଛ । ଜାଣିବା ପାଇଁ ସିନା ପଚାରୁଥିଲି । ଇଚ୍ଛାଥିଲେ କହିପାର । ମୁଁ ଯଶୋବନ୍ତଙ୍କୁ ଭଲରକମ ଜାଣେ । କିଛି ଖବର ପାଇଲେ ତାଙ୍କୁ ଜଣାଇ ସେ ଋଷିକି ଠିକ କରିବି ଭାବିଛ ।’’

 

‘‘ସେ ପାଷାଣ୍ଡ ଋଷିକି ପ୍ରାଣଦଣ୍ଡ ଦେବା ତ ଉଚିତ । ଆମ୍ଭେମାନେ ଯାହାଙ୍କ ଅନ୍ନରେ ପାଳିତ ସେହି ପ୍ରାତଃସ୍ମରଣୀୟ ଅହଲ୍ୟା ବାଈଙ୍କି ବିପଦରେ ପକାଇବା ପାଇଁ ତା ଇଚ୍ଛା । ପ୍ରୟାଗ ତୁଳସୀ ଦାସ ମଠରେ ଜଣେ ଯୋଗୀ କହୁଥିଲେ ସେ ଜଣେ ଛଦ୍ମବେଶୀ ଯବନ । ତୃତୀୟ ପାନିପଥ ଯୁଦ୍ଧରେ ମରହଟ୍ଟା ପକ୍ଷରୁ ପଳାଇ ଯାଇ ଯବନ ପକ୍ଷରେ ଯୋଗ ଦେଇଥିଲା । ତାର ପ୍ରକୃତ ନାମ ମୁରାରି ପାନ୍ତ । ସେ ବୃଦ୍ଧ ନୁହେ । କିନ୍ତୁ ନିଜକୁ ଖୁବ ପୁରାତନ ବୋଲି ପରିଚୟ ଦିଏ । ରାଧାକାନ୍ତ ପ୍ରଭୃତି ବିଚକ୍ଷଣ କର୍ମଚାରୀମାନେ ମଧ୍ୟ ତାଦ୍ଵାରା ପ୍ରବଞ୍ଚିତ ହୋଇଛନ୍ତି । ସେ ଭୀଲମାନଙ୍କୁ ସାହାଯ୍ୟ କରି, ପରାମର୍ଶ ଦେଇ ରାଜ୍ୟ ତମାମ ଅବାଧ ଅତ୍ୟାଚାର ଚଳାଇଛି ।’’

 

‘‘ଆଜି ତ କଣ ବିପରୀତ କଥା ଶୁଣୁଛି ? ତୁମେ ତ ରାଣୀଙ୍କର ପରମ ହିତାକାଂକ୍ଷୀ । ଗଣ୍ଡା କିପରି ଖସିଗଲା

କହୁନାହଁ ?’’

 

‘‘ହଁ ପାଶୋରି ଯାଇଥିଲି । ଋଷି କୁଟୀରରେ ଦତ୍ତ ଗଣ୍ଡାକୁ ଛାଡ଼ି ଦେଇ କୁଆଡ଼େ ବାହାରିଗଲେ । ଋଷି ଜଣେ ସେବକକୁ ଡକାଇ ନିକଟସ୍ଥ ଭୀଲପଲ୍ଲୀରୁ ତିନିଜଣ ଭୀଲ ଅଣାଇ ଗଣ୍ଡାକୁ ଫିଟାଇ ଛାଡ଼ି ଦେଲେ । ଦତ୍ତଙ୍କ ମନରୁ ସନ୍ଦେହ ଦୂରୀଭୂତ କରିବା ଲାଗି ନିଜେ ଶୃଙ୍ଖଳାବଦ୍ଧ ହୋଇ କୁଟୀରର ଏକ କୋଣରେ ପଡ଼ି ରହିଲେ । ସେଥିଲାଗି ରାଣୀ ଓ ଦତ୍ତ ତାଙ୍କର ଅଭିସନ୍ଧି ବୁଝିପାରିଲେ ନାହିଁ ।’’

 

‘‘ତୁମେ ତ ସାକ୍ଷାତ ବିଶ୍ୱେଶ୍ୱର । ଏ ସମସ୍ତ ଘଟଣା ରାଣୀ ଜାଣିଲେ ତୁମଠାରେ ନିଶ୍ଚୟ କୃତଜ୍ଞ ହେବେ ।’’

 

‘‘ତୁମେ ଋଷିକୁ ଧରି ପାରିବ ? ସାବଧାନ, ଯଦି ଧର ତୁମେ ମୋ ନା କହିବ ନାହିଁଟି ? ମୁଁ ସ।କ୍ଷ ଦେବା ଲାଗି ଭାରୀ ଭୟ କରେ ।’’

 

ରାତ୍ରି ବେଶୀ ହୋଇଗଲା । ପ୍ରଥମ ଯୋଗୀ ଖୁବ ଆରାମରେ ଶୋଇଲେ । ଅପର ଯୋଗୀଙ୍କୁ ନିଦ ନହେବାରୁ ରାମ ନାମ ସ୍ମରଣ କରି ପଦାକୁ ଆସିଲେ, ସେ ସେଠାରେ ନିଜର ଗଣ୍ଠିରିଟି ଫିଟାଇ ତା ଭିତର ଦରାଣ୍ଡି ଦରାଣ୍ଡି ଗୋଟିଏ ରତ୍ନଖଚିତ ମୁଦ୍ରିକା ପାଇଲେ । ମନେ ମନେ ଭାବିଲେ, ‘‘ଆହା, ଏ ମୁଦିଟି ମୋ ହୃଦୟ ଜଳାଇ ଦେଉଛି । ସେ ଯୁବତୀଟି ଏବେ କେଉଁଠାରେ ।’’ ସେ ମୁଦ୍ରିକାକୁ ଚୁମ୍ବନ କଲେ, ପରେ ଚକ୍ଷୁରେ ଲଗାଇ ବୁଜୁଳିରେ ରଖି ଦେଇ କେଉଁଆଡ଼େ ଚାଲିଗଲେ ।

 

ନିଦ୍ରିତ ଯୋଗୀ ସ୍ୱପ୍ନରେ ପ୍ରଳାପ କଲେ-ଯଶୋବନ୍ତ ରାଓ ଆସ ନାହିଁ, ମୁଁ ଗଣ୍ଡା ନୁହେ । ଏକ ପ୍ରହର ଅତୀତ ହେବ ପରେ ଯଶୋବନ୍ତ କୋଡ଼ିଏ ଜଣ ସୈନ୍ୟକିଙ୍କ ସହିତ ସେହି ମଠରେ ପହଞ୍ଚିଲେ । ସୁପ୍ତ ଯୋଗୀଙ୍କୁ ଉଠାଇ କହିଲେ, ‘‘ମହାଶୟ, ତୁମ୍ଭଙ୍କୁ ଧରି ନେବା ପାଇଁ ରାଣୀଙ୍କର ଆଦେଶ । ତୁମେ ଭୀଲମାନଙ୍କର ପ୍ରଧାନତଃ ଗଣ୍ଡାର ସମ୍ବାଦ ଭଲ ରକମ ଜାଣିଛ । ବର୍ତ୍ତମାନ ଏ ପାଲିଙ୍କୀରେ ବସ । ତୁମଙ୍କୁ ରାଣୀଙ୍କ ଛାମୁରେ ସ।କ୍ଷ ଦେବାକୁ ପଡ଼ିବ ।’’

 

ଯୋଗୀ ଭୀତତ୍ରସ୍ତ ଓ ଆଶ୍ଚର୍ଯ୍ୟାନ୍ଵିତ ହୋଇ କହିଲେ, ‘‘ବାବୁ, ମୁଁ କିଛି ଜାଣେ ନାହିଁ ମୁଁ ସାକ୍ଷ୍ୟ ଦେଇ ପାରିବି ନାହିଁ । ମୋ ତପସ୍ୟା ଭଙ୍ଗ ହେବ, ମୋତେ ଛାଡ଼ିଦିଅ ।’’

 

‘‘ତୁମ ଲାଗି ରାଜ୍ୟର ଅଶେଷ କଲ୍ୟାଣ ହେବ । ଦୟା କରି ଆସ ।’’ ଏହା କହି ଯଶୋବନ୍ତ ଯୋଗୀଙ୍କୁ ଶିବିକାରେ ବସାଇ ଇନ୍ଦୋର ଆଡ଼କୁ ଅଗ୍ରସର ହେଲେ ।

Image

 

ପଞ୍ଚବିଂଶ ପରିଚ୍ଛେଦ

ଉଦ୍‌ଯାପନ

ଗଣ୍ଡାର ସମ୍ବାଦ ନପାଇ ଅହଲ୍ୟା ବର୍ତ୍ତମାନ ଚିନ୍ତିତ। । ଶିବନାନା ଓ ତୁକାଜୀ ତାଙ୍କୁ ଆଶ୍ୱାସନା ଦେଇ କହିଲେ, ‘‘ମଣିମା, ଯଶୋବନ୍ତ ରାଓ ରଣକୌଶଳ, ମହାବୀର ଭୀଲମଦନ ତାଙ୍କ ପକ୍ଷରେ କଷ୍ଟକର ନୁହେ । ସେ ଅବଶ୍ୟ ଗଣ୍ଡାକୁ ଧରି ଆଣିବେ । ବର୍ତ୍ତମାନ ଆଉରଙ୍ଗଜେବଦ୍ୱାରା ଭଗ୍ନ ବିନିଷ୍ଟ ଦେବ ମନ୍ଦିର ସମୂହ ପୁନଃନିର୍ମାଣ ନିମନ୍ତେ ଯତ୍ନ କରନ୍ତୁ ।’’

 

ଅନନ୍ତର ରାଣୀ ବନ୍ଦୀ ଶେଆଜୀ ଓ ବାମନଭଟ୍ଟ, ପ୍ରଧାନ ସଚୀବ ତୁକାଜୀ, ସେନାପତି ଶିବନାନା, ରାଜ୍ୟତୈଷୀ ରାଧାକାନ୍ତ, ରାଜଭକ୍ତ ଶ୍ୟାମସୁନ୍ଦର ପ୍ରଭୃତି ଯୋଦ୍ଧା ଗଣ ପରିବେଷ୍ଟିତ ହୋଇ ଲମ୍ବପୁର ପରିତ୍ୟାଗ କଲେ । ଅହଲ୍ୟାଙ୍କ ବ୍ୟବହାର ଶେଆଜୀଙ୍କୁ ଆନନ୍ଦର ଶେଷ ସୋପାନକୁ ନେଇ ଯାଇଥିଲା । ସେ ଅନୁତପ୍ତ ହୋଇ ରାଣୀଙ୍କ ସଙ୍ଗେ ସଙ୍ଗେ ଚାଲିଲେ । ଏଣେ ଯଶୋବନ୍ତ ସେ ଋଷିଙ୍କି ଗୋଟିଏ ଦେବମନ୍ଦିରରେ ରଖି ବଡ଼ ଆଦର ଓ ଗୌରବରେ ତାଙ୍କର ପଦ ପୂଜା କରୁଥିଲେ ।

 

ଇନ୍ଦୋର ନଗରୀ ଉତ୍ସବମୟ ହୋଇ ପଡ଼ିଲା । ଚତୁର୍ଦ୍ଦିଗରେ ରାଣୀଙ୍କର ବିଜୟ, ତୁକାଜୀଙ୍କ କୃତିତ୍ୱ, ରାଧାକାନ୍ତ ଓ ଶ୍ୟାମସୁନ୍ଦରଙ୍କ ଅସୀମ ଧୈର୍ଯ୍ୟ, ଶିବନାନାଙ୍କ ରଣଚତୁରତା ବିଷୟରେ ଆଲୋଚନା ଚାଲିଲା । ଶେଆଜୀ ଓ ବାମନଭଟ୍ଟ କାରାଗାରରେ ନିକ୍ଷିପ୍ତ ହେଲେ ।

 

ମୁକ୍ତବାଈ ସୀତା ବିରହରେ ଜୀର୍ଣ୍ଣ, ଶୀର୍ଣ୍ଣ । ସଂସାର ତାଙ୍କ ପକ୍ଷରେ ଗୋଟାଏ ଜୀବଶୂନ୍ୟ ମରୁଭୂମି ପରି ପ୍ରତୀୟମାନ ହେଲା । ସେ ସର୍ବଦା 'ସୀତା, ସୀତା' ବୋଲି ପାଗଳ ହୋଇଗଲେ । ରାଣୀ କିନ୍ତୁ ସୀତାକୁ ଅନ୍ୱେଷଣ କରିବା ଲାଗି ନିଶ୍ଚେଷ୍ଟ ନଥିଲେ । ଯେଉଁଦିନ ଅହଲ୍ୟା ଇନ୍ଦୋରଙ୍କୁ ଆସିଲେ ସେହିଦିନ ରାତ୍ରି ମୁରଲୀଧର ଓ ଆନନ୍ଦବାଈ ସୀତାକୁ ସଙ୍ଗରେ ଧରି ବାଜିରାଓ ସହିତ ରାଧାକାନ୍ତଙ୍କ ଗୃହରେ ଉପନୀତ ହେଲେ । ରୋହିଣୀ ଏମାନଙ୍କ ଆକସ୍ମିକ ଆଗମନରେ ଆଶ୍ଚଯ୍ୟ।ନ୍ଵିତ ହୋଇଗଲେ । ପରଦିନ ମଧ୍ୟାହ୍ନରେ ରୋହିଣୀ, ଆନନ୍ଦ ବାଈ ଓ ସୀତା ରାଣୀଙ୍କ ସାକ୍ଷାତ ଅଭିଳାଷରେ ରାଜପ୍ରସାଦକୁ ଗମନ କଲେ । ରାଜକୁମାରୀ ମୁକ୍ତବାଈ ସୀତାର ଆଗମନ ସମ୍ବାଦ ପାଇ ବିହ୍ଵଳ ହୋଇ ପଡ଼ିଲେ । ସେ ସିଂହଦ୍ୱାରକୁ ଧାଇଁଯାଇ ସୀତାର କଣ୍ଠାଲିଙ୍ଗନ କରି କହିଲେ, ‘‘ମୋତେ ଛାଡ଼ି ଦେଇ ଆଜିଯାଏ କେଉଁଠାରେ ରହିଥିଲୁ? ସୀତା, ବିଶ୍ୱାସ କରିବୁ ନା ନାହିଁ କେଜାଣି, ମୁଁ ତୋ ବିରହରେ ଅନ୍ନ ଜଳ ସ୍ପର୍ଶ କରି ନାହିଁ । ମୋ ଅବସ୍ଥା ଦେଖ । ସୀତା, ଆଜି ଆମ୍ଭମାନଙ୍କର ସୁଦିନ । ଆମର ଏ ମିଳନ ବଡ଼ ମଧୁମୟ । ମା ତୋତେ ଚାହିଁ ବସିଛନ୍ତି । ତୁ ଶୀଘ୍ର ଆ ।’’ ସମସ୍ତେ ଆକସ୍ମିକ ଆଗମନରେ ବିହ୍ଵଳିତ ହୋଇପଡିଲେ । ସେ ପରମାନନ୍ଦରେ କହିଲେ, ‘‘ସୀତା, ଏତେଦିନ ଯାଏ କେଉଁଠି ଥିଲୁ ? ଆଶ୍ୱସନାର ବିଷୟ, ଭୀଲମାନେ ତୋତେ ଜୀବନରେ ରଖିଛନ୍ତି ।’’

 

ସୀତା ତାର ଅଦ୍ଭୁତ ଆତ୍ମକାହାଣୀ ଵର୍ଣ୍ଣନ କରୁଁ କରୁଁ ରାଣୀ ତଥା ମୁକ୍ତାବାଈ ଓ ଅନ୍ୟାନ୍ୟମାନଙ୍କର ଅଶ୍ରୁପାତ ହେଲା । ଅହଲ୍ୟା କହିଲେ, ‘‘ମୋର କଳ୍ପିତ ସମସ୍ତ ବିଷୟ ନିର୍ବିଘ୍ନରେ ସମ୍ପାଦିତ ହୋଇଅଛି-ଯଶୋବନ୍ତ ରାଓ ଆମର ସ୍ୱାଧୀନ, ରାଜପୁତଗଣ ପରାସ୍ତ । ସର୍ବୋପରି ସୀତାର ପୁନର୍ମିଳନ ବଡ଼ ଆହ୍ଲାଦ, ଅତି ପ୍ରୀତିକର । ‘‘ମୁକ୍ତବାଈ କହିଲେ, ‘‘ପ୍ରକୃତରେ ସୀତାର ପୁନର୍ମିଳନ ଆମ୍ଭମାନଙ୍କ ପକ୍ଷ ଅତି ଆନନ୍ଦର ବିଷୟ ।’’

 

ରାଣୀ–କିନ୍ତୁ ଗଣ୍ଡା ଆହୁରି ଧରାପଡ଼ି ନାହିଁ । ଦୁଃଖିନୀ କମଳା ବାଈଙ୍କ ଅବସ୍ଥା ମୋ ହୃଦୟରେ ବି ଦାରୁଣ ବେଦନା ଦେଇଛି !

 

ରୋହିଣୀ–ମଣିମା ଆଉ ଦୁଃଖିତ ହୁଅନ୍ତୁ ନାହିଁ । ଏହି ସୀତାହିଁ କମଳା ବାଈ । ଦୌଲତଙ୍କ ଅତ୍ୟାଚାରରୁ ରକ୍ଷା କରିବା ଲାଗି ମୋ ସ୍ୱାମୀ ଏହାଙ୍କୁ ସୀତା ନାମରେ ଛାମୁଙ୍କ ଦାସୀ କରାଇ ଦେଇଥିଲେ ।

 

ଅହଲ୍ୟା ବିସ୍ମିତ ହେଲେ । ସେ କହିଲେ, ‘‘ଏ କଣ ସତ୍ୟ ନା ସ୍ୱପ୍ନ ! ସୀତା କଣ ସତେ କମଳା ବାଈ ? ଏ କଣ ଇନ୍ଦ୍ରଜାଲ ! ବଡ଼ ରହସ୍ୟମୟ ଏ ଘଟଣା । କମଳାର ଶବ ପୂରା ଦଗ୍ଧ ?’’ ରୋହିଣୀ ମୃଦୁହାସ୍ୟ କରି କହିଲେ, ‘‘ସେଦିନ ଆଉ ଜଣେ ସ୍ତ୍ରୀ ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିଲା–ତାର ପରିବାର ରାଜଦଣ୍ଡ ଭୟରେ ନୀରବ ରହିଲେ । ଶବଟି କମଳାର ବୋଲି ଜନସାଧାରଣରେ ପ୍ରଚାରିତ ହେଲା ।’’

 

ଅହଲ୍ୟା–ଏ ତ ଆହୁରି ଇନ୍ଦ୍ରଜାଲ । ବିଚାରି ବିଧବା କମଳା, ମୋ ପାଖରେ ରହି ଆତ୍ମଗୋପନ କରିବା କମକଥା ନୁହେ । କମଳା ତୁମେ ଏତେକାଳ ରହି ଏସବୁ ବିଷୟ କିପରି ଗୁପ୍ତ ରଖିଥିଲ ?

 

ଆନନ୍ଦ–ମା, ମୋର ଗୋଟିଏ ପ୍ରାର୍ଥନା ଅଛି-କମଳା ବିଧବା ନୁହନ୍ତି, ଅବିବାହିତ କନ୍ୟା-

 

ଅହଲ୍ୟା ବାଈ କ୍ରୋଧାନ୍ୱିତ ହେଲେ । ଘୋର ମିଥ୍ୟା, ଏପରି କହି ତୁମେମାନେ ଭାବିଛ ମୋତେ ପ୍ରତାରିତ କରିବ ବୋଲି ?

 

ରୋହିଣୀ–ରାଗାନ୍ଵିତ ହୁଅନ୍ତୁ ନାହିଁ । କମଳାଙ୍କୁ ପଚାରିଲେ । ସତ କଥା ଜଣା ପଡ଼ିବ ।

 

ମୁକ୍ତା–କମଳା, ଶୀଘ୍ର ତୋ ଆତ୍ମକାହାଣୀ, ତୋ ସ୍ୱାଭାବିକ ମଧୁର ସ୍ୱରରେ କହି ଯା ।

 

ଅହଲ୍ୟା–କମଳା ସତେ କଣ ତୁ ଅବିବାହିତା ?

 

କମଳା–ମଣିମା, ମୋ କଥାଶୁଣି ଆଶ୍ଚର୍ଯ୍ୟ।ନ୍ଵିତ ହେବେ ନାହିଁ । ମାଧବ ରାଓଙ୍କ ଶାସନାଧୀନ ପୁନାନଗର ମୋର ଜନ୍ମସ୍ଥାନ । ମୁଁ କୁଳୀନ, ଅଥଚ ଦରିଦ୍ର କୁଳରେ ଜନ୍ମ । ଈଶ୍ଵରଚନ୍ଦ୍ର ମୋର ପିତା । ପିତାଙ୍କ ମୃତ୍ୟୁ ପରେ ମାତା ଧନ ଲୋଭରେ ମୋତେ ବୃଦ୍ଧ ରାଣୋଜୀ ହୋଲକାରଙ୍କ ସଙ୍ଗେ ବିବାହ ଦେବା ଲାଗି, ହରିହର ପାଣ୍ଡିଆଜୀଙ୍କ ପ୍ରରୋଚନାରେ ପଡ଼ି ମୋ ଅନିଚ୍ଛାସତ୍ତ୍ୱେ ରାଣୋଜୀଙ୍କ ସହିତ ଇନ୍ଦୋରକୁ ପଠାଇ ଦେଲେ । ରାଣୋଜୀ ମାର୍ଗରେ ବୃଷଭ ଆଘାତରେ ପଞ୍ଚତ୍ୱପ୍ରାପ୍ତ ହେବାର ସମ୍ବାଦ ଛାମୁ ଅବଗତ ଅଛନ୍ତି । ମୁଁ ରାଣୋଜୀଙ୍କୁ ବିବାହ କରିନାହିଁ, କେବଳ ନିଜର ସତୀତ୍ୱ ଓ ପାତିବ୍ରତ୍ୟରେ ବାଧା ପଡ଼ିବ ବୋଲି ବୈଧବ୍ୟର ଛଳନା କରିଛି । ଛାମୁ ଜାଣି ରଖନ୍ତୁ ମୁଁ ବର୍ତ୍ତମାନ ଅବିବାହିତ କୁଳକନ୍ୟା ।

 

ଅହଲ୍ୟା–କି ବିଚିତ୍ର ଘଟଣା ! ମୁଁ କଣ ସ୍ଵପ୍ନରାଜ୍ୟରେ ବିଚରଣ କରୁଛି ? ଆଚ୍ଛା କମଳା, ଯଦି ରାଣେ।ଜୀ ତୋତେ ବିବାହ କରି ନଥିଲେ, ତୁ ଅକାରଣେ ବୈଧବ୍ୟ ଭୋଗିଲୁ କିଆଁ ? ଏ ସମସ୍ତ ବିଷୟ ଗୁପ୍ତ ରଖିଲୁ କାହିଁକି ?

 

କମଳା–ଆନନ୍ଦ ବାଈ ଏହାର ଉତ୍ତର ଦେବେ ।

 

ଆନନ୍ଦ–ମଣିମା, ରାଣୋଜୀ ଆହତ ହୋଇ ପହଞ୍ଚିବା ଦିନ ରାତ୍ରିରେ କମଳା ନିଜର ଦୁରବସ୍ଥା ଆଲୋଚନା କରି ତାଙ୍କ ଭବିଷ୍ୟତର ଯେଉଁ ଚିତ୍ର ଅଙ୍କନ କଲେ, ସେଥିରେ ମୁଁ ପରାମର୍ଶ ଦେଲି, ରାଣୋଜୀ ଜୀବନରେ ଥିଲେ ଭଲ । କିନ୍ତୁ ସେ ମୃତ ହେଲେ ପାଷାଣ୍ଡ ଦୌଲତ ବଳାତ୍କାରରେ ତୁମ ରୂପ ଯୌବନ ଲୋଭରେ ନିଶ୍ଚୟ ବିବାହ କରିବ । ତୁମେ ବିଧବା ହୋଇ ରହିଲେ ସମାଜ ତଥା ରାଣୀଙ୍କ ଶାସନ ଯୋଗୁଁ ପାପାତ୍ମ। ବରାବର ନିଷ୍ପ୍ରଭ ହୋଇ ପଡ଼ିବ । କମଳା ସେହି ଉପଦେଶରେ ଚଳି ଆସିଲେ । ବର୍ତ୍ତମାନ ସେ ଛାମୁଙ୍କ ଅଧୀନା । ଏଣିକି ମଣିମାଙ୍କର ଯେ ଇଚ୍ଛା ।

 

ଅହଲ୍ୟା ଓ ମୁକ୍ତା ବାଈ ଆତ୍ମବିସୃତ ହୋଇଗଲେ । କମଳା ମଧ୍ୟ ନିଜର ଆତ୍ମ କାହାଣୀ ଅତି ଚମତ୍କାର ଭାବରେ କହିଗଲେ । ପରମ ରୂପବତୀ କମଳା ବିଧବା ନୁହନ୍ତି । ଏ ବିଷୟ ଚିନ୍ତା କରି ଅପାର ଆନନ୍ଦ ଓ ଆଶ୍ୱସନାରେ ବିଭୋର ହୋଇ ଅହଲ୍ୟା ବାଈ କହିଲେ, ‘‘ତୋର ଆଉ ମୋ ମୁକ୍ତାର ପରିଣୟ ଏକ ସଙ୍ଗରେ କରିବି । ମା କମଳା, ତୁ ଯଥାସାଧ୍ୟ ଯତ୍ନ କରି ଯେଉଁ ରୂପବାନ ବୀର ଯୁବକର ପ୍ରାଣ ରକ୍ଷା କରିଛୁ, ସେହି ରାଜଭକ୍ତ, ସଦାଚାରନିଷ୍ଠ, ଶ୍ୟାମସୁନ୍ଦର ତୋର ଉପଯୁକ୍ତ ପାତ୍ର । ଆନନ୍ଦ ବାଈ, ତୁମ ଭାଇ ସଙ୍ଗେ କମଳାର ବିବାହ ସୁନ୍ଦର ହେବ ନାହିଁ ? ବୋଧହୁଏ ରୋହିଣୀ ଏ ପ୍ରସ୍ତାବରେ ଅସମ୍ମତ ହେବେ ନାହିଁ । କାରଣ ସେ ଦତ୍ତଙ୍କୁ ପୁତ୍ର ନିର୍ବିଶେଷରେ ପାଳନ କରିଛନ୍ତି ।’’

 

ଆନନ୍ଦ ଓ ରୋହିଣୀ ବାଈ ମୃଦୁହାସ୍ୟ ପରେ ସମ୍ମତି ଜ୍ଞାପନ କଲେ । ଲଜ୍ଜାର ଗୋଟିଏ କ୍ଷୀଣ ଆବରଣ ଅବଗୁଣ୍ଠନ କଲା ସରଳା କମଳାର ସଦ୍ୟ ପ୍ରସ୍ଫୁଟିତ ମୁଖକମଳକୁ । ସେ ଅନ୍ତରାଳକୁ ଉଠିଯାଇ ଦତ୍ତଙ୍କର ସେହି କମନୀୟ କାନ୍ତି, ମନୋରମ ମୁଖଛବି, ସୁଲଳିତ ବାହୁ ଯୁଗଳକୁ ମନୋରାଜ୍ୟରେ ଦେଖି ବିହ୍ଵଳିତ ହୋଇ ପଡ଼ିଲା ।

 

ସମସ୍ତେ ବିଦାୟ ନେଲେ । ମାତ୍ର ମୁକ୍ତାବାଈଙ୍କ ଅନୁରୋଧ କ୍ରମେ କମଳା ଅନ୍ତଃପୁରରେ ରହିଲେ । କିଛି ସମୟ ପରେ ଯଶୋବନ୍ତ ରାଓଙ୍କୁ ଆହ୍ୱାନ କରାଯିବାରୁ ସେ ଅନୁପସ୍ଥିତ ବୋଲି ସମ୍ବାଦ ମିଳିଲା ।

 

ଯଶୋବନ୍ତ ମଧ୍ୟାହ୍ନ ସମୟରେ ଶ୍ୟାମସୁନ୍ଦରଙ୍କୁ ପୂର୍ବୋକ୍ତି ଯୋଗୀଙ୍କ ନିକଟରେ ରଖି ଅଶ୍ୱ ପୃଷ୍ଠରେ ଅନୁଚରମାନଙ୍କ ସହିତ ମାହୁର ସେହି ଋଷି କୁଟୀରକୁ ଯାଇଥିଲେ । ସେ ପ୍ରତ୍ୟାବର୍ତ୍ତନ କଲା ବେଳକୁ ପ୍ରାୟ ରାତ୍ରି ଏକ ପ୍ରହର । ତେଣୁ ସେଦିନ ଯୋଗୀଙ୍କ ବିଷୟରେ କୌଣସି ବିଚାର ହୋଇ ପାରିଲା ନାହିଁ ।

 

ପରଦିନ ପ୍ରାତଃକାଳରୁ ଯଶୋବନ୍ତ ରାଓ ଯୋଗୀଙ୍କୁ ରାଣୀଙ୍କ ସାକ୍ଷାତ ଆଶାରେ ଆଣିଲେ । ବହୁ ସମ୍ମାନ ପରେ ଯୋଗୀ ଆସନ ଅଳଙ୍କୃତ କଲାରୁ ଯଶୋବନ୍ତ ରାଓ ପଚାରିଲେ, ‘‘ମହାଶୟ, ଏ ରତ୍ନ ମୁଦ୍ରିକାଟି କେଉଁଠାରୁ ପାଇଲେ ?’’ ଯୋଗୀ ନୀରବ । ସେ କେବଳ ଚତୁର୍ଦ୍ଦିଗକୁ ଆଶ୍ଚର୍ଯ୍ୟ ହୋଇ ଅନାଇଲେ । ରାଣୀ ଅଙ୍ଗୁରୀୟଟି ପରୀକ୍ଷା କରି କହିଲେ, ‘‘ଏ ତ ମୋ ମୁକ୍ତାର । ଭୀଲମାନେ ଲୁଣ୍ଠନ କଲାବେଳେ ହଜି ଯାଇଥିଲା । ଯୋଗୀ ତେବେ କଣ ଜଣେ ଭୀଲ ?’’ ଯଶୋବନ୍ତ ଉତ୍ତର ଦେଲେ, ‘‘ଶେଆଜୀଙ୍କି ପଚାରିଲେ ଏ ସମସ୍ତ ଅଭିସନ୍ଧି ଧରା ପଡିବ ।’’

 

ଶୃଙ୍ଖଳାବଦ୍ଧ ଶେଆଜୀ ରାଜସଭାକୁ ଆନୀତ ହେଲେ । ଯଶୋବନ୍ତ ପଚାରିଲେ, ‘ଏ କିଏ ସେ ?’ ଶେଆଜୀଙ୍କ ଆପାଦମସ୍ତକ କମ୍ପିତ ହେଲା । ସେ ବାଷ୍ପଗଦଗଦ କଣ୍ଠରେ କହିଲେ, ‘‘ଏ ତ ଗଣ୍ଡାଭୀଲ ।’’

 

ରାଣୀ, ସ୍ତବ୍ଧ, ବିସ୍ମିତ । ମୋର ହୃଦୟ ଶଲ୍ୟ, ରାଜ୍ୟସୁଖର ବହ୍ନି ସ୍ୱରୂପ, ପାପର ପ୍ରତିରୂପ, ଅତ୍ୟାଚାରର ଜୀବନ୍ତ ବିଗ୍ରହ, ନିଦାରୁଣ ଗଣ୍ଡାଭୀଲ ! ଆଜି ତୁ ଯୋଗୀ ? ପ୍ରବଞ୍ଚକ ଦୁରାତ୍ମା, ଭାବିଥିଲୁ ଶତ ଶତ ନିରୀହ ପ୍ରଜାର ସର୍ବନାଶ କରି, ଲକ୍ଷ ଲକ୍ଷ ଗ୍ରାମ, ଧ୍ୱସ୍ତ, ନଷ୍ଟ, ପଦଦଳିତ କରି, ପରମ ପୂଜ୍ୟ ବ୍ରାହ୍ମଣର କୁଳକାମିନୀମାନଙ୍କ ଉପରେ ଯଥେଚ୍ଛ ଅତ୍ୟାଚାର ଚଳାଇ, ରାଜ୍ୟରୁ ପ୍ରଭୁତ ସମ୍ପତ୍ତି ଲୁଣ୍ଠନ କରି ତୋର ଭବିଷ୍ୟତର ସୁଖ ସୌଧ ପ୍ରସ୍ତୁତ କରିବୁ ବୋଲି ? କିନ୍ତୁ ଜାଣିଥାଅ, ଯୁଗେ ଯୁଗେ ଅନ୍ୟାୟର, ଅଧର୍ମର ତଥା ପାପର କଦାପି ଜୟ ସମ୍ଭବପର ନୁହେ । ଏହାର ଉଚ୍ଛେଦ ସାଧନ ଲାଗି ପରମାତ୍ମା ବିଗ୍ରହ ଧାରଣ କରି ଧର୍ମରକ୍ଷକରୂପେ ଦେବଲୋକରୁ ଅବତୀର୍ଣ୍ଣ ହୁଅନ୍ତି, ଏଇ ମରଲୋକରେ । ପାପୀର ପାପ କଦାପି ପ୍ରଚ୍ଛନ୍ନ ରହି ନପାରେ । ପ୍ରାଣପ୍ରିୟ ଯଶୋବନ୍ତ, ତୁମର ଏଇ ପ୍ରଗାଢ଼ ପରିଶ୍ରମର ଫଳ ଲାଗି ମୁଁ ତୁମକୁ କି ଉପହାର ଦେଇପାରେ ? ଗଣ୍ଡା ଧୃତ-ଏ ସମ୍ବାଦ ପ୍ରଚାରିତ ହେବା ମାତ୍ରେ ପ୍ରଜାଗଣ ଯେ ଆନନ୍ଦ ଅନୁଭବ କରିବେ, ଶତ ମୁଖରେ ତୁମର ଯେ ପ୍ରଶଂସା ଫୁଟି ଉଠିବ ତା ବଚନାତୀତ । ପ୍ରଭୁ ତୁମ୍ଭଙ୍କୁ ଦୀର୍ଘଜୀବୀ କରନ୍ତୁ । ତୁମ୍ଭେ ଚିରଦିନ ନିମିତ୍ତ ଏହିପରି ପ୍ରଜାବର୍ଗର କଲ୍ୟାଣ କାମନା କରି ଅକ୍ଷୟ କୀର୍ତ୍ତି ଅର୍ଜ୍ଜନ କର ।’’ ରାଣୀ ଏହା କହିସାରି ଗଣ୍ଡାକୁ ଶୃଙ୍ଖଳାବଦ୍ଧ କରିବା ନିମିତ୍ତ ଆଦେଶ ଦେଲେ । ଆଦେଶ କାର୍ଯ୍ୟରେ ପରିଣତ ହେଲା ।

 

ଭକ୍ତି ନମ୍ର ଚିତ୍ତରେ ଯଶୋବନ୍ତ ଯେପରି ଛଦ୍ମବେଶରେ ଜୟଦେବଙ୍କ ମଠକୁ ଯାଇ ଗଣ୍ଡାଭୀଲକୁ ହସ୍ତଗତ କଲେ ଏବଂ ଗଣ୍ଡା ଯୋଗୁଁ ତାଙ୍କୁ ଯେପରି କଷ୍ଟ ସହିବାକୁ ପଡ଼ିଥିଲା ଓ ମାହୁପୁରର ଋଷି ଏଇ ରାକ୍ଷସ ଗଣ୍ଡାଭୀଲ ଲାଗି ଯେପରି ବିଷପାନରେ ଆତ୍ମହତ୍ୟା କଲେ ସେ ସମସ୍ତ ବିଷୟ ତନ୍ନ ତନ୍ନ କରି ଜଣାଇଲେ ।

 

ଶତ୍ରୁ ନିର୍ମୂଳ । ରାଜ୍ୟ ନିଷ୍କଣ୍ଟକ, ଅସପତ୍ନ । ବୀର।ଙ୍ଗନା ଅହଲ୍ୟା ବାଈଙ୍କ ପ୍ରାଣ ଆନନ୍ଦରେ ନାଚି ଉଠିଲା । ସେହିକ୍ଷଣି ଆଦେଶ ଦିଆଗଲା, ଗଣ୍ଡା ଓ ଶେଆଜୀଙ୍କୁ ପ୍ରାଣଦଣ୍ଡରେ ଦଣ୍ଡିତ କର । ଶେଆଜୀ ଏ ସମ୍ବାଦ ପାଇ ମୂର୍ଛିତ ହେଲେ । ପରେ ଧୈର୍ଯ୍ୟ ଧରି କହିଲେ, ‘‘ମୁଁ ମୋ ମାଆର ଏକମାତ୍ର ସନ୍ତାନ । ମୋତେ କ୍ଷମା କରନ୍ତୁ ।’’ ରାଜଦଣ୍ଡ ଧାରଣ କରି ପ୍ରଜାର ମଙ୍ଗଳ ସକାଶେ, ପାପର ଉଚ୍ଛେଦ ନିମିତ୍ତ ରାଜା ଏହା କରି ପାରନ୍ତି ନାହିଁ ବୋଲି ରାଣୀ ତାଙ୍କ ନିକଟକୁ ସମ୍ବାଦ ପ୍ରେରଣ କଲେ ।

 

ନିଦାରୁଣ ଗଣ୍ଡାଭୀଲ ଓ ଛଦ୍ମବେଶୀ ଶେଆଜୀଙ୍କ ଜୀବନଦୀପ ନିର୍ବାପିତ ହେଲା । ଷଡ଼ଯନ୍ତ୍ର ନିପୁଣ ଧୁଣ୍ଡି ରାଓ ପ୍ରାଣଦଣ୍ଡ ପାଇଲେ । ବାମନଭଟ୍ଟଙ୍କ ଭାଗ୍ୟରେ ଦୁଇବର୍ଷ କାରାବାସ ଦଣ୍ଡ ଭୋଗିବାକୁ ପଡ଼ିଲା ।

 

ବିକଳାଙ୍ଗ କୃଷ୍ଣପ୍ରାନ୍ତ ମାସିକ ପଚାଶ ଟଙ୍କା ବୃତ୍ତି ପାଇଲେ । ବାଜିରାଓ ରାଜକର୍ମଚାରୀ ରୂପେ ତିରିଶ ଟଙ୍କା ବେତନରେ ନିୟୋଜିତ ହେଲେ । ବିଶ୍ୱସ୍ତ ସୈନିକମାନଙ୍କୁ ଉପଯୁକ୍ତ ସମ୍ମାନ ଓ ପୁରସ୍କାର ମିଳିଲା । ଯୁବକ ଶ୍ୟାମସୁନ୍ଦର କତ୍‌ବାଲ (ପ୍ରଧାନ ସେନାଧ୍ୟକ୍ଷ) ରୂପେ ନିଯୁକ୍ତ ହେଲେ ।

 

ଅନନ୍ତର ଆନନ୍ଦ ତରଙ୍ଗ ପ୍ରବାହିତ ହେଲା ଇନ୍ଦୋର ନଗରୀରେ । ରାଜକୁମାରୀ ମୁକ୍ତାଙ୍କ ସହିତ ଯଶୋବନ୍ତଙ୍କର, ପରମ ରୂପବତୀ ଆଲୋକ ଚତୁରା କମଳାଙ୍କ ସହିତ ଶ୍ୟାମସୁନ୍ଦରଙ୍କର ଶୁଭ ପରିଣୟ ସମ୍ପାଦିତ ହେଲା ।

Image